Unknown

 

 

 

 

 

 

 

 

 

ଭାରତୀୟ ଦର୍ଶନ ଓ ସଂସ୍କୃତି

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର

 

ଭାରତୀୟ ଦର୍ଶନ ଓ ସଂସ୍କୃତି

 

ଆର୍ଯ୍ୟାବର୍ତ୍ତ ଏହି ଭାରତଭୂମିର ଇତିହାସ ଅତି ପ୍ରାଚୀନ । ମାନବ ଜାତିର ପ୍ରାଚୀନତମ ଇତିବୃତ୍ତିରେ ଭାରତର ଗାଥା ଅତି ଗୌରବମୟ । ସମଗ୍ର ମାନବ ଜାତିର କ୍ରମ-ବିକାଶରେ, ମାନବିକତାର ପରିପ୍ରକାଶରେ ଭାରତର ଦାନ ଅତୁଳନୀୟ । ପ୍ରାକ୍-ଐତିହାସିକ ତା’ର ସଭ୍ୟତା । ସମ୍ଭାବନାସମନ୍ୱିତ ତା’ର ସାଂସ୍କୃତିକ ପରମ୍ପରା । ପ୍ରାଚୁର୍ଯ୍ୟମୟ ତା’ର ସାହିତ୍ୟକ ସମୃଦ୍ଧି ।

 

ଏ ପୁଣ୍ୟ ଭୂମି ଆର୍ଯ୍ୟବର୍ତ୍ତ ନାମରେ ଅଭିହିତ ହେବାର ବହୁ ପୂର୍ବରୁ ଯେଉଁ ଆଦିମ ଅଧିବାସୀମାନେ ଏହି ଆକାଶ ତଳେ ବାସ କରି ଏହି ସୁରସା ରସାରୁ ଉତ୍ପନ୍ନ ରସାଳ ଖାଦ୍ୟ ପାୟ ଗ୍ରାସ କରି ଧନାତ୍ୟ ହୋଇ ରହିଥିଲେ ସେମାନେ ମଧ୍ୟ ଥିଲେ ଏକ ବିଶାଳ ସଭ୍ୟତାର ଅଧିକାରୀ । ଇତିହାସହିଁ ତାହାର ସାକ୍ଷୀ । ପ୍ରତ୍ନତତ୍ତ୍ଵର ଆବିଷ୍କାରହିଁ ତା’ର ପ୍ରମାଣ । ଆର୍ଯାବର୍ତ୍ତର ଅଧିବାସୀମାନଙ୍କୁ ଆର୍ଯ୍ୟ ବୋଲାଯାଇ ପାରେ ଅଥବା ଆର୍ଯ୍ୟମାନଙ୍କର ଆଗମନ ପରେ ଏହି ଭୂମି ଆର୍ଯାବର୍ତ୍ତ ନାମରେ ଅଭିହିତ ହୋଇଥାଇ ପାରେ ମାତ୍ର ଆର୍ଯ୍ୟ-ପୂର୍ବ ଆଦିମ ଅଧିବାସୀମାନଙ୍କୁ ଅନାର୍ଯ୍ୟ ଆଖ୍ୟା ଦେବା ତେଣୁ ଏକ ଐତିହାସିକ ବିଡ଼ମ୍ବନା । ଅନାର୍ଯ୍ୟ ଶବ୍ଦ ପଛରେ ଯେଉଁ ତାଚ୍ଛଲ୍ୟ ଭାବର ସଙ୍କେତ ମିଳେ, ଆମ ପ୍ରଚଳିତ ଭାଷାରେ, ତାହା ଭାରତର ସଭ୍ୟ ଆଦିମ ଅଧିବାସୀମାନଙ୍କର ବିଶେଷଣ ସ୍ୱରୂପ କଦାପି ପ୍ରଯୁଜ୍ୟ ହୋଇନପାରେ । ଅନାର୍ଯ୍ୟ ଶବ୍ଦ ବ୍ୟବହାର କଲାବେଳେ ତାହା ଅସଭ୍ୟତାର ଭାବ ବହନ କରିବା ଏକାନ୍ତ ଅଶ୍ଳାଘ୍ୟ । ହୁଏତ ଭାରତୀୟ ପରମ୍ପରାରେ କେଉଁ ଏକ ଅଶୁଭ ମୁହୂର୍ତ୍ତରେ, ସମ୍ଭବତଃ ସଭ୍ୟତାର ଗ୍ଳାନି ଘଟିଥିବା ସମୟରେ ନବାଗତ ଆର୍ଯ୍ୟମାନଙ୍କର କୌଣସି ଅଭିମାନୀ ଉଚ୍ଚମନ୍ୟ ବଂଶଧର ନିଜର ବୈଶିଷ୍ଟ୍ୟ ଓ ସ୍ଵାତତ୍ର୍ୟ ପ୍ରତିପାଦନ କରିବାପାଇଁ ଆର୍ଯ୍ୟେତର ନରମାନଙ୍କୁ ଅନାର୍ଯ୍ୟ ନାମରେ ଅଭିହିତ କରିଥିଲେ । ଏହା ଆର୍ଯ୍ୟଗୌରବ ଚନ୍ଦ୍ରମାରେ ଅଶୋଭନୀୟ କଳଙ୍କ ସ୍ୱରୂପ । ଆର୍ଯ୍ୟ ଜାତିର ପ୍ରାଚୀନତମ ସାହିତ୍ୟ, ଧର୍ମ-ସଂସ୍କୃତି ଓ ସଭ୍ୟତାର ପ୍ରତୀକ ବେଦରେ ସମ୍ମାନ୍ୟମାନଙ୍କୁ ମର୍ଯ୍ୟାଦିତ କରିବାପାଇଁ ଅବଶ୍ୟ ‘ଆର୍ଯ୍ୟ’ ଶବ୍ଦର ପ୍ରୟୋଗ ରହିଛି, ମାତ୍ର ଅନାର୍ଯ୍ୟ ଶବ୍ଦର ପ୍ରୟୋଗ କୁତ୍ରାପି ମିଳେ ନାହିଁ । ଆର୍ଯ୍ୟମାନଙ୍କର ଉପାସ୍ୟ ଦେବତା ଇନ୍ଦ୍ର ଦସ୍ୟୁମାନଙ୍କୁ ଅରଣ୍ୟ ପ୍ରାନ୍ତକୁ ବିତାଡ଼ିତ କରିଥିବାର କାହାଣୀ ରହିଛି ବେଦରେ, ମାତ୍ର ଭାରତର ସମଗ୍ର ଆଦିବାସୀ-ସମାଜ ଯେ ଦସ୍ୟୁ ଥିଲେ ଏଭଳି ମତ ପୋଷଣ କରିବାପାଇଁ କୌଣସି ପ୍ରମାଣ ନାହିଁ । ଅନ୍ୟ ପକ୍ଷରେ କୁହାଯାଇପାରେ ଯେ ତଥାକଥିତ ଅନାର୍ଯ୍ୟ ଏହି ଆଦିମ ଅଧିବାସୀମାନଙ୍କର ସଂସ୍କୃତି ଓ ସଭ୍ୟତାଦ୍ଵାରା ବହୁଳାଂଶରେ ପ୍ରଭାବିତ ହୋଇ ପଡ଼ିଥିଲେ । ସମ୍ଭବତଃ କାସ୍ପିୟାନ୍ ହ୍ରଦ କୂଳରୁ ଆଗନ୍ତୁକ ଯାତ୍ରୀ ଆର୍ଯ୍ୟନାମଧେୟ ଏହି ନବାଧିବାସୀ ମାନବ ସମ୍ପ୍ରଦାୟ । ସେ ପ୍ରଭାବର ସଂକ୍ରମଣରୁ ନିଜର ନିଜତ୍ଵକୁ ରକ୍ଷା କରିବାପାଇଁ କୌଣସି ପ୍ରତିଷେଧକ ସେମାନେ ନିଶ୍ଚିତରେ ଉଦ୍ଭାବନ କରିପାରିନଥିଲେ । ଭାରତର ଏହି ଆଦିମାନବ ସମ୍ପ୍ରଦାୟ ଇତିହାସର ବର୍ଣ୍ଣନାନୁସାରେ ହୁଏତ ଅରଣ୍ୟରେ ଆଶ୍ରୟ କରିପାରିଥାଆନ୍ତି । ସିନ୍ଧୁ ନଦୀର ସମତଳ ଭୂମି ପରିହାର କରି ଆର୍ଯ୍ୟମାନଙ୍କର ତାଡ଼ନ ଫଳରେ, କିନ୍ତୁ ସେହି ଆଦିମ ଅଧିବାସୀମାନଙ୍କ ଅତୀତର ବହୁ ବର୍ଷବ୍ୟାପୀ ଅଭିଜ୍ଞତାପୁଷ୍ଟ କୃଷ୍ଟିରୁ ଉତ୍କର୍ଷ ଆହରଣ କରିବା କିମ୍ବା ସେମାନଙ୍କର ପରମ୍ପରାକ୍ରମେ ସ୍ଵଭାବଗତ ଓ ସହଜାତ ଆଚାର ବ୍ୟବହାର ତଥା ନବ ନବ ଉଦ୍ଭାବନ ଓ ଆବିଷ୍କାରକୁ ଅସ୍ଵୀକାର କରିବାର ମୂର୍ଖତା ଦେଖାଯାଇନଥିଲା ଆର୍ଯ୍ୟମାନଙ୍କ ମଧ୍ୟରେ । ଏ ଭୂମିର ଧର୍ମ, ଦର୍ଶନ, ସଂସ୍କୃତି ଓ ସଭ୍ୟତାରେ ଯାହା କିଛି ଗର୍ବ କରିବାର ବସ୍ତୁ ସେ ସବୁର ଗୌରବ ତେଣୁ କେବଳ ଆର୍ଯ୍ୟମାନଙ୍କର ପ୍ରପ୍ୟ ନୁହେଁ; ସେ ସବୁର ସଂସ୍କାର ତଥା ସମୃଦ୍ଧିରେ ତଥାକଥିତ ଅନାର୍ଯ୍ୟମାନଙ୍କର ସକ୍ରିୟ ଅଂଶକୁ ସ୍ଵୀକାର କରିବା ସଙ୍ଗେ ସଙ୍ଗେ ଯଥେଷ୍ଟ ଗୁରୁତ୍ଵ ମଧ୍ୟ ଦିଆଯାଇ ପାରିବ ।

 

ବେଦରେ ଆର୍ଯ୍ୟ ଶବ୍ଦର ଉଲ୍ଲେଖ ରହିଛି-ଅନାର୍ଯ୍ୟ ଶବ୍ଦର ପ୍ରୟୋଗ ନାହିଁ । ବେଦ କହିଛନ୍ତି–

 

ଇନ୍ଦ୍ରଂ ବର୍ଦ୍ଧନ୍ତୋ ଅପ୍ତୁରଃ

କୃଣ୍ୱନ୍ତୋ ବିଶ୍ୱମାର୍ଯମ୍ ।

ଅପଘ୍ନନ୍ତୋ ଅଗ୍‌ବଣଃ

(ଋ ୯ । ୬୩ । ୫)

 

ଅର୍ଥାତ୍ ଆତ୍ମାକୁ ଉଦ୍‌ବୁଦ୍ଧ କରି ତତ୍ପରତା ସହକାରେ ମାନବଦ୍ରୋହୀଙ୍କୁ ଦଣ୍ଡ ଦିଅ ଏବଂ ସମଗ୍ର ବିଶ୍ଵକୁ ‘ଆର୍ଯ୍ୟ’ ବା ଶ୍ରେଷ୍ଠ କର ! ଋକବେଦରେ ଭଦ୍ର, କର୍ମଠ, ଜିତେନ୍ଦ୍ରିୟ, ବୀର ମାନବକୁ ଆର୍ଯ୍ୟ କୁହାଯାଇଛି । ଆର୍ଯ୍ୟର ବିପରୀତ ଅନାର୍ଯ୍ୟ ନୁହନ୍ତି–ଦସ୍ୟୁ । ଆଳସ୍ୟପରାୟଣ, ବିଚାରଶୂନ୍ୟ, ହୀନବ୍ରତାବଲମ୍ବୀ ଅମନୁଷ୍ୟକୁ ବେଦ ଦସ୍ୟୁ ଆଖ୍ୟା ଦେଇଛନ୍ତି–‘ଅକର୍ମା ଦସ୍ୟୁରଭି ନୋ ଅମନ୍ତୁରନ୍ୟବ୍ରତୋ ଅମାନ୍ତୁଷଃ । (ଋ୧୦/୨୨/୮)

 

ପୌରାଣିକ ପରିକଳ୍ପନାରେ ୠଷି ‘କଶ୍ୟପ’ ଦେବ ଦାନବ, ସୁର ଅସୁର, ଆଦିତ୍ୟ ଦୈତ୍ୟ ଉଭୟଙ୍କର ଜନକ । କାସ୍ପିୟାନ୍ ହ୍ରଦ କୂଳରୁ ଆର୍ଯ୍ୟମାନଙ୍କ ଆଗମନ ପରେ ଉଭୟ ଆର୍ଯ୍ୟ ଓ ଆର୍ଯ୍ୟେତର ସମ୍ପ୍ରଦାୟର ସମନ୍ୱିତ ସଂସ୍କୃତିର ଆଦର୍ଶ ଏକ ଚରିତ୍ର ସୃଷ୍ଟି କରି ବେଦବେଦାନ୍ତ ଓ ପୁରାଣକାର ବେଦବ୍ୟାସ ସମ୍ଭବତଃ ତାହାଙ୍କୁ କଶ୍ୟପ ନାମରେ ନାମିତ କରିବାଦ୍ୱାରା ଉଭୟ ସଂସ୍କୃତିକୁହିଁ ସ୍ଵୀକୃତି ଦେଲା ଭଳି ମନେ ହୁଏ । ଅତଏବ ଏହି ପୁଣ୍ୟଭୂମି ଭାରତର ଧର୍ମ, ଦର୍ଶନ, ସାହିତ୍ୟ, ସଂସ୍କୃତି, ସମାଜ ଓ ଅଧିବାସୀମାନଙ୍କର ଶୁଭଦାନ ଅନସ୍ଵୀକାର୍ଯ୍ୟ ।

 

ଦେବଦାନବ ସୁରାସୁର ଆଦିତ୍ୟଦୈତ୍ୟମାନଙ୍କୁ ଯଦି ଯଥାକ୍ରମେ ଆର୍ଯ୍ୟ ଓ ଅନାର୍ଯ୍ୟ ବୋଲି ପ୍ରତିପାଦନ କରାଯାଏ ତେବେ କାହାର ସଭ୍ୟତା ଉତ୍କୃଷ୍ଟତର ତାହା କହିବା କଷ୍ଟକର । କାରଣ ପୁରାଣମାନଙ୍କରେ ଅସୁରମାନଙ୍କ ଉପରେ ସୁର ବା ଅନାର୍ଯ୍ୟମାନଙ୍କ ଉପରେ ଆର୍ଯ୍ୟମାନଙ୍କର ପ୍ରାଧାନ୍ୟ ପ୍ରଦର୍ଶିତ ହୋଇଥିଲେ ମଧ୍ୟ ଏ କଥା ଅସ୍ୱୀକାର କରିହେବ ନାହିଁ ଯେ ସେ ସମୟରେ ସୁରାପାୟୀମାନେହିଁ ସୁର ନାମରେ ଏବଂ ସୁରାପାନ ପରିହାର କରିଥିବା ସମ୍ପ୍ରଦାୟମାନେହିଁ ଅସୁର ନାମରେ ସୁବିଖ୍ୟାତ । ଏହି ସୁରା ବା ମଦିରାର ମର୍ଯ୍ୟାଦା ଯେତେ ଅଧିକ ପରିମାଣରେ ଆର୍ଯ୍ୟାଶାସ୍ତ୍ରମାନେ ଦେବାକୁ ଚେଷ୍ଟା କରିଥିଲେ ହେଁ ସୁରା ଯେ ମନୁଷ୍ୟର ଏକ ଅସ୍ଵାଭାବିକ ଅବସ୍ଥାର କାରକ, ଏ କଥା ଅସ୍ଵୀକାର କରିହେବ ନାହିଁ । ୠକ୍ବେଦ ବର୍ଣ୍ଣିତ ଏବଂ ପ୍ରଭୁତ ସ୍ତୁତ ସୋମରସର ଅନ୍ୟ ନାମ ସୁରା ହେଉ, ଅଥବା ସମୁଦ୍ର ମନ୍ଥନୋଦଭୂତ ଯେଉଁ ଅମୂଲ୍ୟ ପାନୀୟର ଅଧିକାରୀମାନେ ସୁର ଏବଂ ସେହି ସୁସ୍ୱାଦୁ ବସ୍ତୁ ଲାଭରୁ ବଞ୍ଚିତ ବ୍ୟକ୍ତିବୃନ୍ଦ ଅସୁର ନାମରେ ଆଖ୍ୟାତ ହେଲେ, ସେହି ଦୁର୍ଲଭ ଅମୃତର ନାମ ସୁରା ହେଉ, ସମ୍ପ୍ରତିକ ବିଚାରରେ ଏହି ଅମୃତ ପାନୀୟର ଆଖ୍ୟାୟିକା ଏକାକୀ ଆର୍ଯ୍ୟ କିମ୍ବା ଆର୍ଯ୍ୟ ଓ ଅନାର୍ଯ୍ୟମାନଙ୍କର ସମନ୍ୱିତ ସଭ୍ୟତାର ଏକ କଳଙ୍କିତ ଇତିହାସରୂପେ ବିବେଚିତ ହୋଇଛି କାଳକ୍ରମେ । ଭାରତୀୟ ସଂସ୍କୃତିରେ ଏବେ ଯେଉଁ ପାନୀୟ ସୁରା ନାମରେ ପରିଚିତ ତା’ର ପାନକାରୀମାନଙ୍କୁ ଉଚ୍ଚତର ଆସନ ଦେବା ସମାଜରେ ଏକ ହାସ୍ୟାସ୍ପଦ ପ୍ରକ୍ରିୟା ବୋଲି ନିଃସନ୍ଦେହରେ କୁହାଯାଇପାରିବ । ଅବଶ୍ୟ ପାଶ୍ଚାତ୍ୟର ପ୍ରଭାବରେ ଏବେ ଭାରତୀୟ ସଂସ୍କୃତି ଯେଉଁ ଦିଗକୁ କ୍ରମେ ଦ୍ରୁତ ପଦକ୍ଷେପରେ ଗତି କରୁଥିବାରୁ ଦେଖାଯାଏ, ତାହା ଯଦି ଅବ୍ୟାହତ ରହେ ତେବେ କିଛିକାଳ ପରେ ଭାରତୀୟ ସମାଜହିଁ ସୁରା ପାନକାରୀମାନଙ୍କୁ ଉଚ୍ଚତର ସଂସ୍କୃତିର ଅଧିକାରୀ ବୋଲି ଘୋଷଣା କରିବାର ଯଥେଷ୍ଟ ଆଶଙ୍କା ରହିଛି ।

 

ସୁରାପାନକାରୀ ସୁର ଓ ସୁରାପ୍ରତ୍ୟାହାରୀ ଅସୁର ହୁଅନ୍ତୁ ବା ନ ହୁଅନ୍ତୁ, ସୁରମାନେ ଆର୍ଯ୍ୟ ଓ ଅସୁରମାନେ ଅନାର୍ଯ୍ୟ ହୁଅନ୍ତୁ ବା ନ ହୁଅନ୍ତୁ, ଆର୍ଯ୍ୟ ଓ ଅନାର୍ଯ୍ୟ ସଭ୍ୟତା ମଧ୍ୟରେ କିଏ ଉତ୍କୃଷ୍ଟ ଓ ନିକୃଷ୍ଟ ସେଭଳି ସିଦ୍ଧାନ୍ତରେ ଉପନୀତ ହେବାପାଇଁ ଜାତୀୟ ଜୀବନର ଚମକପ୍ରଦ ବିଶିଷ୍ଟ ପ୍ରାମାଣିକ ଘଟାଣାବଳି ଇତିହାସ ଲିପିବଦ୍ଧ କରିନାହିଁ । କିମ୍ବା ଆମର ଇତିହାସ ଏହି ସିଦ୍ଧାନ୍ତ ନିମନ୍ତେ ଏକାନ୍ତ ଅପରିହାର୍ଯ୍ୟ ଆମ ଧର୍ମ ଓ ସଂସ୍କୃତିର ବିକାଶଧାରାର ଗତି ତଥା ପର୍ଯ୍ୟାୟ ନିର୍ଦ୍ଦେଶନ କରିବାର ତ୍ରୁଟିରୁ କ୍ଷାନ୍ତ ହୋଇପାରିନାହିଁ । ମାତ୍ର ଏହି ଭୂମି ବା ଦେଶରେ ଯାହା କିଛି ପ୍ରାମାଣ୍ୟ ଧର୍ମଗ୍ରନ୍ଥ ଅତୀତର ପରମ୍ପରା ସହ ଏବେ ମଧ୍ୟ ବଞ୍ଚିଛି ଏବଂ ସମୟ ସମୟରେ ବଞ୍ଚିବାପାଇଁ ପ୍ରାଣାନ୍ତକ ପ୍ରୟାସରେ ପ୍ରବୃତ୍ତ ରହିଛି, ସେ ସବୁର ତଟସ୍ଥ ଅଧ୍ୟୟନରେ ଏହା ଅତି ସ୍ଵାଭାବସିଦ୍ଧ ହୋଇଯାଏ ଯେ ଏ ଦେଶରେ ଆର୍ଯ୍ୟ ଓ ଆର୍ଯ୍ୟେତରମାନଙ୍କର ସମନ୍ୱିତ ସଭ୍ୟତା ସମଗ୍ର ମାନବ ଜାତିର ଚିନ୍ତନ କ୍ଷେତ୍ରରେ ଯୁଗେ ଯୁଗେ ଯେଉଁ ନବନବ ଦିଗନ୍ତ ଉଦ୍‍ଘାଟନ କରାଯାଇଛି ତାହାର ପଟାନ୍ତର ନାହିଁ । ସେ ସବୁର ସ୍ପଷ୍ଟତର ଚିତ୍ର, ଅଭ୍ରାନ୍ତ ପ୍ରତିକୃତି ବିମ୍ବିତ ହୋଇଛି ଭାରତୀୟ ଧର୍ମ, ଦର୍ଶନ, ସଂସ୍କୃତି ଓ ସଭ୍ୟତାର ବାହକ ତାହାର ବିବିଧ ଶାସ୍ତ୍ରରେ, ତାହାର ବେଦ ବେଦାନ୍ତ ପୁରାଣ ସାହିତ୍ୟରେ ।

 

ମୃତ୍ୟୁଶୀଳ ଜୀବନ୍ତ ମାନବର ମୃତ୍ୟୁ ଚିନ୍ତାରୁହିଁ ଜାତ ହୁଏ ସେ ଜାତିର ଧର୍ମ ଓ ଦର୍ଶନ । ତା’ର ଐହିକ ସ୍ଥିତିର ମୁଦ୍ରା ବହନ କରି ଏହି ଧର୍ମ ଦର୍ଶନ ପୁଣି ସମୟକ୍ରମେ ସମୃଦ୍ଧ ହୋଇ ଉଠେ ତାହାର ପାରତ୍ରିକ ବିବିଧ ପରିକଳ୍ପନା ମଧ୍ୟରେ । ଏହି ସମୃଦ୍ଧ ଭିତ୍ତିଭୂମି ଉପରେ ଗଢ଼ି ଉଠେ ବିଶାଳ ହର୍ମ୍ୟ-ତାହାର ସଂସ୍କୃତି ଓ ସଭ୍ୟତା । ସେ ସବୁର-ସେହି ଧର୍ମ, ଦର୍ଶନ, ସଂସ୍କୃତି ଓ ସଭ୍ୟତାର ମୁଦ୍ରା ବହନ କରି ବିକାଶ ଲାଭ କରେ ତାହାର ସମୃଦ୍ଧି ଅନବଦ୍ୟ ସାହିତ୍ୟ । ତେଣୁ ଭାରତୀୟ ଧର୍ମ, ଦର୍ଶନ, ସଂସ୍କୃତ ଓ ସଭ୍ୟତା ଅବିଚ୍ଛନ୍ନ । ଭାରତର ଧର୍ମ ଓ ଦର୍ଶନରେ ଯେପରି ତାହାର ସାହିତ୍ୟକ ଛଟା ଦେଖିବାକୁ ମିଳେ, ଭାରତୀୟ ସାହିତ୍ୟରେ ସେହିପରି ଧର୍ମ ଓ ଦର୍ଶନର ଛବି ସୁସ୍ପଷ୍ଟ । ଏହି ଧର୍ମ, ଦର୍ଶନ ଓ ସାହିତ୍ୟରେହିଁ ତାହାର ସଂସ୍କୃତ ଓ ସଭ୍ୟତାର ଚିତ୍ର ବିଚିତ୍ର ଭାବରେ ପ୍ରତିଫଳିତ ।

 

ଏକଦା ଧର୍ମ ଓ ସାହିତ୍ୟ ତେଣୁ ଅଭିନ୍ନ ବୋଲି ବିବେଚିତ ହେଉଥିଲା । ଏବେ ପାଶ୍ଚାତ୍ୟପନ୍ଥୀ ନବ୍ୟ ସଭ୍ୟସମାଜରେ ସାହିତ୍ୟ ଯେତିକି ଯେତିକି ଧର୍ମଠାରୁ ନିଜର ବ୍ୟବଧାନ ବୃଦ୍ଧି କରିବାରେ ପ୍ରୟାସୀ, ଜାତିର ସଭ୍ୟତା ଓ ସଂସ୍କୃତି ସେତିକି ସେତିକି ଦ୍ରୁତଗତିରେ ପରମ୍ପରାରୁ ବିଚ୍ୟୁତ ହେବାରେ ଲାଗିଛି ବୋଲି ଅସ୍ଵୀକାର କରିବାର ମତାନ୍ଧତା କେବଳ ମୂର୍ଖମାନଙ୍କଠାରେହିଁ ସମ୍ଭବ ।

 

ଦର୍ଶନ, ସଂସ୍କୃତି, ସଭ୍ୟତା, ସାହିତ୍ୟ; ସବୁର ଭିତ୍ତିଭୂମି ଥିଲା ଧର୍ମ-ଏହି ଭାରତର । ଧର୍ମ ଆମକୁ ଧରିରଖେ । ଧାରୟତି ଇତି ଧର୍ମ । ଧର୍ମ ଜୀବନକୁ ନିୟନ୍ତ୍ରିତ କରେ । ଅନ୍ୟଥା ଛିନ୍ନ ଅଭ୍ରବତ୍ ଜୀବନ ନିରର୍ଥକ ବୋଧ ହୁଅନ୍ତା । ପୁଚ୍ଛ-ବିଷାଣହୀନ ଗୋଟାଏ ପଶୁ ବିଶେଷରେ ପରିଗଣିତ ହୁଅନ୍ତା ଏହି ମନୁଷ୍ୟ । ଧର୍ମେଣହୀନାଃ ପଶୁଭିଃ ସମାନାଃ । ମନୁଷ୍ୟ ହିଂସ୍ରପଶୁଠାରୁ ମଧ୍ୟ ଭୟଙ୍କର ମାରାତ୍ମକ ବୋଲି ପ୍ରମାଣିତ ହୋଇଯାଆନ୍ତା । କାରଣ ମନୁଷ୍ୟ ମତିମାନ୍‍ । ତାହାହିଁ ତା’ର ବୈଶିଷ୍ଟ୍ୟ ଜାଗତିକ ପ୍ରାଣୀମାନଙ୍କ ଗହଣରେ । ସ୍ଵୀୟ ବୃଦ୍ଧିବଳରେ ସେ କେବଳ ଅନ୍ୟାନ୍ୟ ଜୀବମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରି ନାହିଁ; ବିଶାଳ ପ୍ରକୃତିରେ ଦୁରାସଦ ଶକ୍ତିକୁ ମଧ୍ୟ ଆୟତ୍ତ କରିପାରିଛି କେତେ କାଂଶରେ । ସେହି ଶକ୍ତିଶାଳୀ ମନୁଷ୍ୟ ଯଦି ଧର୍ମହୀନ ଅସଂଯତ ହୁଅନ୍ତା ତେବେ ପୃଥିବୀ କେବଳ ବଳବାନ୍‌ର ବିଳାସ ଭୂମି ହୋଇଯାଆନ୍ତା । ସତ୍ୟ ଅପ୍ରତିଷ୍ଠ ହୁଅନ୍ତା । ସୃଷ୍ଟି ଶିବହୀନ ମନେ ହୁଅନ୍ତା, ସଜନା ସୌନ୍ଦର୍ଯ୍ୟଶୂନ୍ୟ ଦେଖାଯାଆନ୍ତା ।

 

ସୁଶୃଙ୍ଖଳ ଜୀବନକୁ ସୃଷ୍ଟି, ସୁନ୍ଦର ଓ କଲ୍ୟାଣକର ତଥା ମଙ୍ଗଳମୟ କରିବାପାଇଁ ଧର୍ମ ଯେପରି ଜୀବନରେ ଅପରିହାର୍ଯ୍ୟ, ଜୀବନର ପରପାରରେ ମନୁଷ୍ୟର ଏକ ରହସ୍ୟାବୃତ ଅଦୃଷ୍ଟ ଅବସ୍ଥିତିକୁ ଘେନି ନାନ ସନ୍ଦେହର ଉଦ୍‌ଘାଟନ ଓ ସମସ୍ୟାର ସମାଧାନ କରିବା ସଙ୍ଗେ ସଙ୍ଗେ ମୃତ୍ୟୁଶୀଳ ଅସ୍ଥିର ମନୁଷ୍ୟକୁ ଅମୃତର ସନ୍ଧାନ ଦେବାରେ ଦର୍ଶନର ଆବଶ୍ୟକତା ତଦ୍ରୂପ ଅନୁପେକ୍ଷଣୀୟ । ସୁତରାଂ ଜୀବନ ସଙ୍ଗେ ସଙ୍ଗେ ଯେପରି ମୃତ୍ୟୁ ଗତିଶୀଳ, ମୃତ୍ୟୁ ମଧ୍ୟ ସେହିପରି ଅମୃତ ସୋପାନରୂପେ ପରିଗୃହୀତ, ମନୁଷ୍ୟର ଜୀବନ ଯାତ୍ରାରେ । ଏହି ବିଶ୍ଵାସ, ଏହି ସିଦ୍ଧାନ୍ତ ସମଗ୍ର ମନୁଷ୍ୟ ଜାତି ପ୍ରତି ଦର୍ଶନର ଶୁଭଦାନ । ତେଣୁ ଧର୍ମ ଓ ଦର୍ଶନ ଅପରାପର ଆଶ୍ରିତ । ଦର୍ଶନ ଔପପତ୍ତିକ । ଧର୍ମ ଦର୍ଶନ ପ୍ରୟୋଗ ପଦ୍ଧତି । ସଂସ୍କୃତି ତାହାର ସାମାଜିକ ବିକାଶ । ସଭ୍ୟତା ତା’ର ପ୍ରଚଳିତ ପ୍ରତିଫଳନ ଏବଂ ସାହିତ୍ୟ ସେ ସବୁର ବାହକ-ମୁଦ୍ରିତ ଲିପି-ମୁଦ୍ରାସୌଷ୍ଟବ । ମନୁଷ୍ୟ ସମାଜରେ ତା’ର ଧର୍ମ, ଦର୍ଶନ, ସଂସ୍କୃତି, ସଭ୍ୟତା, ତେଣୁ ପରିସ୍ପରର ପରିପୂରକ । ସାହିତ୍ୟ ସେସବୁର ପ୍ରମାଣପତ୍ର ।

 

ମନୁଷ୍ୟ ଜୀବନରେ ଧର୍ମର ଅପରିହାର୍ଯ୍ୟତାକୁ ପ୍ରମାଣ କରି ଏକ କାବ୍ୟାତ୍ମକା ବ୍ୟଞ୍ଜନା ପରିଲକ୍ଷିତ ହୁଏ ପୁରାଣର ଗୋଟିଏ ମନୋଜ୍ଞ ଆଖ୍ୟାନରେ । ବରାହପୁରାଣର ବର୍ଣ୍ଣନା । ବରାହପୁରାଣଙ୍କ ମତରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ସୃଷ୍ଟିକଳ୍ପନାଜନିତ ଗଭୀର ଚିନ୍ତନରୁ ଧର୍ମଙ୍କର ଉଦ୍‌ଭୂତି । ବ୍ରହ୍ମାଙ୍କର ଦକ୍ଷିଣ ଭାଗରୁହିଁ ଧର୍ମଙ୍କର ଆବିର୍ଭାବ । ଏହି ନବୋଦ୍‌ଭୂତ ଦିବ୍ୟ ପୁରୁଷଙ୍କର ଆବିର୍ଭାବ ସ୍ୱୟଂ ବ୍ରହ୍ମାଙ୍କର ବିସ୍ମୟର କାରଣ ହେଲା । କାରଣ ଏହି ଅଲୌକିକ ବ୍ୟକ୍ତି ଜଣକ ଦ୍ୱିପଦ ନୁହନ୍ତି, ଚତୁଷ୍ପଦ ବିଶିଷ୍ଟ ଦେବାକୃତି ପୁରୁଷ । ବିସ୍ମିତ ବିଧି, କଳ୍ପନାତୀତ ଆଶଙ୍କାରେ ନବଜାତକଙ୍କୁ ସର୍ବଦା କର୍ମରତ କରି ରଖିବା ଏକାନ୍ତ କର୍ତ୍ତବ୍ୟ ଜ୍ଞାନରେ ତାଙ୍କର ପ୍ରତ୍ୟେକ ପଦ ନିମନ୍ତେ ପୃଥକ୍ ପୃଥକ୍ କର୍ମବିଧି ବ୍ୟବସ୍ଥା କରିଦେଲେ ତତ୍‌କ୍ଷଣାତ୍‌ । ଆଦେଶ ଦେଲେ ବ୍ରହ୍ମା-”ହେ ଜ୍ୟୋତିର୍ମୟ ପୁରୁଷ, ତୁମ୍ଭର ନାମ ହେଉ ‘ଧର୍ମ’ ! ତୁମ୍ଭେ ଭୁବନମୟ ମାନବସମାଜର ନିୟାମକ ଓ ଅବଧାରକରୂପେ ଅବିବୃଦ୍ଧ ହୁଅ ! ସମୃଦ୍ଧ ହୁଅ ! ଏବଂ ସମୃଦ୍ଧି ଲାଭ କରି ବିଧିବଦ୍ଧ ଭାବରେ ପ୍ରଜାପାଳନରେ ବ୍ରତୀ ହୁଅ ! ପ୍ରଳୟାନ୍ତକ କାଳ ବିଭାଜନ କ୍ରମରେ ସତ୍ୟ, କ୍ରେତା, ଦ୍ଵାପର ଓ କଳି ନାମକ ଯେଉଁ ଯୁଗ ଚତୁଷ୍ଟୟର ପ୍ରବର୍ତ୍ତନ ହେବ, ସେ ସବୁର ପ୍ରକୃତିଗତ ପରିଚୟ ପ୍ରଦାନ କରିବା ନିମନ୍ତେ ତୁମ୍ଭର ଏହି ପାଦଗୁଡ଼ିକ କ୍ରମାନ୍ଵୟରେ ସଙ୍କୁଚିତ ହୋଇଯିବ । ସୃଷ୍ଟିର ଆଦ୍ୟ ସତ୍ୟ ବା କ୍ରତୁରେ ତୁମ୍ଭେ ତତ୍କାଳୀନ ମନୁଷ୍ୟମାନଙ୍କର ସ୍ଵଭାବ ଅନୁଯାୟୀ ପରିପୂର୍ଣ୍ଣ ଭାବରେ ଚତୁଷ୍ପଦ ଧାରଣ କରିବ । କ୍ରେତାରେ ମନୁଷ୍ୟମାନଙ୍କର ଧର୍ମବୁଦ୍ଧି ହ୍ରାସ ପାଇବା ସଙ୍ଗେ ସଙ୍ଗେ ତୁମ୍ଭର ଗୋଟିଏ ପାଦ ଲୁପ୍ତ ହୋଇ ତିନି ପାଦରେ ବିଦ୍ୟମାନ ରହିବ । ଦ୍ଵାପରରେ ତଦ୍ରୂପ ଦ୍ଵିପଦ ଏବଂ କଳିରେ ମନୁଷ୍ୟର ଧର୍ମଭାବ କ୍ରମାଗତ ହ୍ରାସ ପାଇବା ହେତୁ ମାତ୍ର ଏକ ପାଦ ବିଶିଷ୍ଟ ବ୍ୟକ୍ତିରୂପେ ପ୍ରତୀୟମାନ ହେବ । ପରମ ପୁରୁଷ ଭଗବାନ୍‌ ଶ୍ରୀମୁଖରୁ ବ୍ରାହ୍ମଣ, ବାହୁରୁ କ୍ଷତ୍ରିୟ, ଉରୁରୁ ବୈଶ୍ୟ ଓ ପାଦରୁ ଶୂଦ୍ର, ଏପରି ଚାତୁବର୍ଣ୍ଣ୍ୟ ଗୁଣକର୍ମାନୁସାରେ ସୃଷ୍ଟି କଲେ, ତୁମ୍ଭେ ଶ୍ରେଷ୍ଠ ଧର୍ମପାଳ ବ୍ରାହ୍ମଣମାନଙ୍କୁ ଚତୁଷ୍ପଦରେ, ତଦୂନ କ୍ଷତ୍ରିୟମାନଙ୍କୁ ତ୍ରିପଦରେ, ତଦୂନ ବୈଶ୍ୟମାନଙ୍କୁ ଦୁଇପାଦରେ ଏବଂ ନ୍ୟୂନତମ ଶୂଦ୍ରମାନଙ୍କୁ ଏକପାଦରେ ପାଳନ କରିବ । ”

 

ଏହି ଉପାଖ୍ୟାନଟି ବ୍ୟାଖ୍ୟାସାପେକ୍ଷ । ଏହା ଏକ ପ୍ରତୀକ-ଧର୍ମୀ ଆଖ୍ୟାନ । ଏଥିରେ ଧର୍ମ ସମ୍ବନ୍ଧରେ ଗୋଟାଏ ସ୍ପଷ୍ଟ ଧାରଣା ଧାର୍ଯ୍ୟ ହୋଇପାରିବ । କଳ୍ପିତ ଚାରିଯୁଗର ବିଭାଜନର ସତ୍ୟ-ଯୁଗୀୟ ମାନବ ଅନ୍ୟାନ୍ୟ ଯୁଗର ମନୁଷ୍ୟମାନଙ୍କଠାରୁ ସମଧିକ ଧର୍ମପରାୟଣ ଥିବା ସ୍ଵାଭାବିକ । କାରଣ ସେ ଯୁଗର ଜୀବନ କ୍ରମବର୍ଦ୍ଧମାନ ସମସ୍ୟା-ବହୁଳ ପରବର୍ତ୍ତୀ ଯୁଗମାନଙ୍କ ଭଳି ଜଟିଳ ନଥିଲା । ଜୀବନ ସ୍ଵୟଂସମ୍ପୂର୍ଣ୍ଣ ଥିଲା । ଜୀବନ ରକ୍ଷାପାଇଁ ଖାଦ୍ୟର ସନ୍ଧାନ, ଜୀବନର ନିରାପତ୍ତା, ଦୈହିକ ପ୍ରେମ ଆଦି ଆଦିମ ଜୈବୀ ପ୍ରବୃତ୍ତି ସହ କଳ୍ପନାପ୍ରବଣ ମନର ସଂଘର୍ଷ ଅବାନ୍ତର ଥିଲା । ଜୀବନପାଇଁ ସଂଗ୍ରାମର ଆବଶ୍ୟକତା ନଥିଲା । ଆଧିଭୌତିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ସାମଞ୍ଜସ୍ୟ ରକ୍ଷା ସହଜସାଧ୍ୟ ଥିଲା । ନୈତିକ ଓ ରାଜନୈତିକ ଅବସ୍ଥାନ ମଧ୍ୟରେ ଅସ୍ଵାଭାବିକତା ଦେଖାଦେଇ ନଥିଲା । ଏହା ସତ୍ୟଯୁଗ–ତେଣୁ ସତ୍ୟ ଯୁଗରେ ଧର୍ମ ଚାରିପାଦରେ ଅର୍ଥାତ୍ ପୂର୍ଣ୍ଣମାତ୍ରାରେ ବିରାଜମାନ ଥିଲେ । ଶ୍ରୀମଦ୍‌ଭାଗବତଙ୍କ ମତରେ ଏହି ସତ୍ୟଯୁଗୀୟ ଧର୍ମ-‘ଧ୍ୟାନ’ । ସେତେବେଳେ ଦ୍ଵନ୍ଦହୀନ ସମାଜରେ ଧ୍ୟାନ ନିମନ୍ତେ ବାତାବରଣ ଅନୁକୂଳ ଓ ପ୍ରଶସ୍ତ ଥିଲା ପରି ମନେହୁଏ । ପୁନଶ୍ଚ ଧର୍ମପ୍ରାଣ ଆର୍ଯ୍ୟମାନେ ଧ୍ୟାନ ଉପଯୋଗୀ ଶମ, ଦମ, ତପ, ଶୌଚ, କ୍ଷାନ୍ତି, ଆର୍ଜବ, ଜ୍ଞାନ, ବିଜ୍ଞାନ ଓ ଆସ୍ତିକ୍ୟାଦି ଶ୍ରୀମଦ୍‌ଭାଗବତ୍ ବର୍ଣ୍ଣିତ ବ୍ରାହ୍ମଣ୍ୟ ଗୁଣମାନଙ୍କରେ ଭୂଷିତ ଥିବାରୁ ଏ ଯୁଗକୁ ବ୍ରାହ୍ମଣ-ପ୍ରଧାନ ଯୁଗ ବୋଲି ଆଖ୍ୟା ଦିଆଯାଇଛି ।

 

ତ୍ରେତାର ଧର୍ମ ‘ଯଜ୍ଞ’ ଶ୍ରୀମଦ୍‍ଭାଗବତଙ୍କ ମତରେ । ଏଯୁଗକୁ ଯଜ୍ଞ ନିହିତ ଫଳଶ୍ରୁତି-ପରାୟଣ ବ୍ୟକ୍ତିମାନଙ୍କର ପ୍ରାଧାନ୍ୟ କାଳ ବୋଲି କୁହାଯାଏ । ଅଶ୍ଵମେଧ, ରାଜସ୍ୱୟ ଆଦି ନାନା ଯଜ୍ଞର ଅନୁଷ୍ଠାନ କରୁଥିଲେ କ୍ଷତ୍ରିୟ ରାଜାମାନେ, ଅବଶ୍ୟ ବ୍ରାହ୍ମଣମାନଙ୍କର ପୌରୋହିତ୍ୟରେ । ଯଜ୍ଞଦ୍ୱାରା ନାନା ଦେବାବେବୀଙ୍କୁ ତୁଷ୍ଟ କରି ସ୍ଵର୍ଗଭୋଗାଦି ବହୁଳ ବିଭବ, ତଥା, ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରଭୃତି ଚତୁବର୍ଗ ପ୍ରାପ୍ତି ଥିଲା ଧର୍ମ ଯାଯନର ଲକ୍ଷ ସେତେବେଳେ । ମାତ୍ର ସେ ସବୁ କ୍ଷଣସ୍ଥାୟୀ । ପୁଣ୍ୟ କ୍ଷୀଣ ହେଲେ ସ୍ଵର୍ଗଭୋଗୀ ବ୍ୟକ୍ତି ମର୍ତ୍ତ୍ୟଲୋକକୁ ଫେରି ଆସିବାକୁ ବାଧ୍ୟ ହୁଏ । ତଥାପି ତ୍ରେତାଯୁଗୀୟ ଲୋକେ ଫଳଶ୍ରୁତିମୂଳକ ଯଜ୍ଞ ଉପରେହିଁ ଆସ୍ଥାସ୍ଥାପନ କରିଥିଲେ ସମଧିକ ପରିମାଣରେ । ଅତଏବ ପ୍ରକୃତ ଧର୍ମ ତ୍ରେତାଯୁଗରେ, ସତ୍ୟଯୁଗ ତୁଳନାରେ ଏକପାଦ ହ୍ରାସ ପାଇବାର କଳ୍ପନା ଯଥାର୍ଥ । ପୁଣି ରାଜସ୍ୱୟ ବା ଅଶ୍ଵମେଧାଦି ଯଜ୍ଞଅନୁଷ୍ଠାନକାରୀ କ୍ଷତ୍ରିୟ, ଶ୍ରୀମଦ୍‌ଭଗବଦ୍‌ଗୀତା ସୂଚିତ ଶୌର୍ଯ୍ୟ, ତେଜ, ଧୃତିଃ, ଦାକ୍ଷ, ଯୁଦ୍ଧେ ଅପଳାୟନ, ଦାନ ଓ ଈଶ୍ୱରଭାବାଦି କ୍ଷାତ୍ରଗୁଣରେ ଅଳଙ୍କାର ହେବା ଆବଶ୍ୟକ ହେତୁ ଏ ଯୁଗ କ୍ଷତ୍ରିୟ ପ୍ରଧାନ ଯୁଗରୂପେ ପରିଚିତ ।

 

ତ୍ରେତାପରେ ଦ୍ଵାପର । ଏ ଯୁଗର ଧର୍ମ ଶ୍ରୀମଦ୍‍ଭାଗବତଙ୍କର ସୂଚନା ଅନୁସାରେ-ପରିଚର୍ଯ୍ୟା । ତେଣୁ ଏହାକୁ ବୈଶ୍ୟ-ପ୍ରଧାନ ଯୁଗ ଆଖ୍ୟା ଦିଆଯାଇଛି । କାରଣ ଶ୍ରୀମଦ୍‌ଭଗବଦ୍‌ଗୀତା ମତରେ କୃଷି, ଗୋରକ୍ଷା ଓ ବାଣିଜ୍ୟ ବୈଶ୍ୟର ସ୍ଵଭାବଜ କର୍ମ । ପରିଚର୍ଯ୍ୟା କାର୍ଯ୍ୟ ସମ୍ପାଦନ ନିମନ୍ତେ କୃଷି ଗୋରକ୍ଷାଦି ଏକାନ୍ତ ଆବଶ୍ୟକ । କୃଷି ଗୋରକ୍ଷା ବାଣିଜ୍ୟ କିନ୍ତୁ ମନୁଷ୍ୟର ଅନ୍ତର୍ନିହିତ ଗୁଣ ନୁହେଁ । ବ୍ରାହ୍ମଣ ଓ କ୍ଷତ୍ରିୟମାନଙ୍କଠାରେ ଯେଉଁସବୁ ଅନ୍ତର୍ନିହିତ ଗୁଣର ନିର୍ଦ୍ଦେଶ ଅଛି, ତଦ୍ଦ୍ୱାରା ମନୁଷ୍ୟ ସ୍ଵଭାବତଃ ଧର୍ମପଥରେ ପରିଚାଳିତ ହେବହିଁ ହେବ । କିନ୍ତୁ କୃଷି ଗୋରକ୍ଷାଦି ନିମନ୍ତେ ଧର୍ମପାଳନ ଉପଯୋଗୀ ଗୁଣର ଆବଶ୍ୟକତା ନାହିଁ । ତେଣୁ ଦ୍ୱାପରରେ ଧର୍ମ ତ୍ରେତାଯୁଗଠାରୁ ଅଧିକ ସଙ୍କୁଚିତ ହୋଇ ଦ୍ଵିପାଦ ବା ମାତ୍ର ଦୁଇଭାଗରେ ଦେଖାଯିବାର କଳ୍ପନା ଅତି ବାସ୍ତବ ।

 

ସତ୍ୟ, ତ୍ରେତା, ଦ୍ଵାପର ପରେ କଳିଯୁଗକୁ ଆସି ଦେଖାଗଲା ସେ ସତ୍ୟ, ତ୍ରେତା ଓ ଦ୍ଵାପରର ମନୁଷ୍ୟଠାରେ ଦେଖାଯାଇଥିବା ସମସ୍ତ ଗୁଣ ଲୋପ ପାଇଛି । ସତ୍ୟ ତ୍ରେତାଯୁଗୀୟ ଅନ୍ତର୍ନିହିତ ଗୁଣ ସଙ୍ଗେ ସଙ୍ଗେ ଦ୍ଵାପରର ଦୈହିକ କର୍ମ ପ୍ରବୃତ୍ତି ମଧ୍ୟ କଳିଯୁଗର ଲୋକମାନଙ୍କଠାରେ ଅଭାବ । ଶ୍ରୀମଦ୍‍ଭଗବଦ୍‍ଗୀତା ମତରେ ସମସ୍ତ ‘ପରିଚର୍ଯ୍ୟାତ୍ମକ କର୍ମ ଶୂଦ୍ରର ସ୍ଵଭାବ ଅଟେ’ -ଏହାହିଁ କଳିଯୁଗୀୟ ବ୍ୟକ୍ତିମାନଙ୍କର ବିଶେଷତ୍ଵ । ତେଣୁ ଏ ଯୁଗକୁ ଶୂଦ୍ର ପ୍ରଧାନ ଯୁଗ ବୋଲି ଆଖ୍ୟା ଦିଆଯାଇଛି ଏବଂ ଏ ଯୁଗରେ ଧର୍ମ ଚାରି ଭାଗରୁ ମାତ୍ର ଏକ ଭାଗ ମନୁଷ୍ୟମାନଙ୍କଠାରେ ଦେଖାଯାଉଥିବାରୁ ଧର୍ମର ଚାରି ପାଦରୁ ମାତ୍ର ଏକପାଦ ଅବଶେଷ ରହିବାର ବାସ୍ତବ କଳ୍ପନା କରାଯାଇଛି । ‘ନାମ ସଙ୍କୀର୍ତ୍ତନ’ହିଁ ଏ ଯୁଗର ଧର୍ମ ବୋଲି ଶ୍ରୀମଦ୍‍ଭାଗବତ ସୂଚନା ଦେବାର କାରଣ ଏ ଯୁଗରେ ଧ୍ୟାନ, ଯଜ୍ଞ ବା ପରିଚର୍ଯ୍ୟା ମନୁଷ୍ୟର ସହଜସାଧ୍ୟ ନୁହେଁ । ବିଶେଷତଃ ସେ ସବୁ କାର୍ଯ୍ୟ ନିମନ୍ତେ ଆବଶ୍ୟକୀୟ ଗୁଣାବଳି କଳିଯୁଗୀୟ ମାନବଠାରେ ଏକାନ୍ତ ଅଭାବ ।

 

ବ୍ରହ୍ମା ତେଣୁ ପ୍ରତିଯୁଗର ଆବଶ୍ୟକତା ଅନୁଯାୟୀ ସେହି ସେହି ଯୁଗର ଆଦର୍ଶ ଧର୍ମପାଳମାନଙ୍କୁ ରକ୍ଷା କରିବା ନିମନ୍ତେ ଧର୍ମଙ୍କୁ ଆଦେଶ ଦେଇଥିଲେ । କାରଣ ଧର୍ମଙ୍କର ଏହି ଚାରି ପାଦରେ ଚାରୋଟି ମହତ୍ ଗୁଣ ଆରୋପିତ-ତପ, ଶୌଚ, ଦୟା ଓ ସତ୍ୟ । ସତ୍ୟ ଯୁଗରେ ଧର୍ମଙ୍କର ଏହି ଚାରିପାଦ ସମ୍ପୂର୍ଣ୍ଣ ଥିଲା ଅର୍ଥାତ୍ ଧର୍ମ ପରିପୂର୍ଣ୍ଣ ଭାବରେ ବିରାଜମାନ ଥିଲେ । ତେଣୁ ତପ, ଶୌଚ, ଦୟା ଓ ସତ୍ୟ ଧର୍ମଙ୍କର ସମ୍ପୂର୍ଣ୍ଣ ରୂପ ଯୁଗଧର୍ମ ‘ଧ୍ୟାନ’ ନିମନ୍ତେ ଏକାନ୍ତ ପ୍ରୟୋଜନ । ତ୍ରେତା ଯୁଗରେ ତପ ଲୋପପାଇଗଲା । ଧର୍ମଙ୍କର ଅନ୍ୟ ତିନିପାଦ ଅର୍ଥାତ୍ ଶୌଚ, ଦୟା ଓ ସତ୍ୟହିଁ ରହିଲା ଅବଶିଷ୍ଟ । ଧ୍ୟାନରତ ତପସ୍ଵୀ ବ୍ୟକ୍ତିଙ୍କର ସଂଖ୍ୟା ହ୍ରାସ ପାଇଥିବ ତ୍ରେତା ଯୁଗରେ । ମାତ୍ର ଶୌଚ, ଦୟା ଓ ସତ୍ୟ ଆଦି ଧର୍ମଙ୍କର ଅନ୍ୟ ତିନୋଟି ପାଦର ଗୁଣ ଲୋପପାଇ ନଥିଲା । ଯୁଗଧର୍ମ ‘ଯଜ୍ଞ’ ନିମନ୍ତେ ଶୌଚହିଁ ସର୍ବାଦୌ ପ୍ରୟୋଜନ । ଦୟା ଓ ସତ୍ୟ ଆନୁସଙ୍ଗିକ ମାତ୍ର । ଦ୍ୱାପରରେ ତପ ସହିତରେ ଶୌଚ ଲୋପ ପାଇଗଲା-ଧର୍ମଙ୍କର ଦ୍ଵିତୀୟ ପାଦ । କେବଳ ରହିଲା ଦୟା ଓ ସତ୍ୟ । ପରିଚର୍ଯ୍ୟାର ପ୍ରଥମ ପ୍ରୟୋଜନ ଦୟା । ଦୟା-ହୀନ ପରିଚର୍ଯ୍ୟା ଯାନ୍ତ୍ରିକ କ୍ରିୟା ସ୍ଵରୂପ–ସହାନୁଭୂତି ସାପେକ୍ଷ ନୁହେଁ । ପରିଶେଷରେ କଳିଯୁଗର ଅଭିଜ୍ଞତା ଧର୍ମଙ୍କର ଏକମାତ୍ର ପାଦ ସତ୍ୟରେହିଁ ଆବଦ୍ଧ । କଳିଯୁଗ ତପ, ଶୌଚ ଓ ଦୟା ନିମନ୍ତେ ଅନୁକୂଳ ନୁହେଁ । କଳିଯୁଗରେ ମନୁଷ୍ୟ କେବଳ ସତ୍ୟ ପାଳନଦ୍ୱାରାହିଁ ଧର୍ମ ରକ୍ଷା କରିପାରେ ଏବଂ ଭଗବାନଙ୍କର ନାମହିଁ ଏକମାତ୍ର ସତ୍ୟ ହୋଇଥିବାରୁ କଳିଯୁଗର ଧର୍ମ ‘ନାମସଙ୍କୀର୍ତ୍ତନ’ ବୋଲି ଶ୍ରୀମଦ୍‍ଭାଗବତଙ୍କର ସୂଚନା ।

 

ସତ୍ୟ, ତ୍ରେତା, ଦ୍ଵାପର ଓ କଳି ଆଦି ଚାରିଯୁଗକୁ ଦୁଇଟି ଭାଗରେ ବିଭକ୍ତ କରି, ପ୍ରଥମ ଦୁଇଟିକୁ ବୈଦିକ ଯୁଗ ଓ ପରବର୍ତ୍ତୀ ଯୁଗ ଦୁଇଟିକୁ ବୈଦିକୋତ୍ତର ବା ଉପନିଷକ୍, ପୁରାଣ ଓ ଦର୍ଶନର ଯୁଗ ବୋଲି କୁହାଯାଇପାରେ । ଆର୍ଯ୍ୟାବର୍ତ୍ତର ଆଦି ଗ୍ରନ୍ଥ ବା ରଚନା ବେଦ ଏବଂ ପ୍ରଥମ ଦୁଇଟି ଯୁଗ ବେଦର ଜ୍ଞାନ କାଣ୍ଡ ‘ଧ୍ୟାନ’ ଏବଂ କର୍ମକାଣ୍ଡ ‘ଯଜ୍ଞ’ ଆଶ୍ରିତ ଥିବାରୁ ଏ ଦୁଇଟି ଯୁଗକୁ ବୈଦିକ ଯୁଗ ଆଖ୍ୟା ଦେବା ଯୁକ୍ତିସଙ୍ଗତ । ସତ୍ୟଯୁଗର ଧର୍ମ ‘ଧ୍ୟାନ’ ନିମନ୍ତେ ଦେବତା ତଥା ଇଶ୍ଵରଙ୍କର ସ୍ତବ ଓ ସ୍ତୁତିର ପ୍ରଶସ୍ତତା ଦୃଷ୍ଟିରୁ ‘ଋକ୍’ ଓ ‘ସାମ’ କୁ ସତ୍ୟ ଯୁଗର ଉପଯୋଗୀ ବେଦ ଏବଂ ତ୍ରେତାର ଧର୍ମ ‘ଯଜ୍ଞ’ ହୋଇଥିବାରୁ ଯଜ୍ଞର ବିଧିବିଧାନ ନିହିତ ଯଜୁଃ ଓ ଅଥର୍ବକୁ ତ୍ରେତା ଯୁଗୋପଯୋଗୀ ବେଦ ଆଖ୍ୟା ଦିଆଯାଇପାରେ । ଏହି ସବୁ ଦୃଷ୍ଟିରୁ ସତ୍ୟ ଓ ତ୍ରେତାକୁ ବୈଦିକଯୁଗ କହିବା ଯଥାର୍ଥ ।

 

ବେଦରେ ଧର୍ମଙ୍କର ନାମ ‘ତୁଶୃଙ୍ଗ’ । ଦୁଇ ମସ୍ତକ ଓ ସପ୍ତହସ୍ତ ବିଶିଷ୍ଟ ତୁଶୃଙ୍ଗ ଧର୍ମ କିନ୍ତୁ ବ୍ରହ୍ମଚାରୀ ନୁହନ୍ତି-ଗୃହସ୍ଥ । ଧର୍ମଙ୍କ ସ୍ତ୍ରୀର ନାମ-ଅହିଂସା । ଏହାର ବ୍ୟଞ୍ଜନାର୍ଥ-ଅହିଂସା ବିନା କେବଳ ତପ, ଶୌଚ, ଦୟା ଓ ସତ୍ୟଦ୍ଵାରା ଧର୍ମ ପୂର୍ଣ୍ଣାଙ୍ଗ ନୁହେଁ; କାରଣ ଅହିଂସାହିଁ ଧର୍ମଙ୍କର ଅର୍ଦ୍ଧାଙ୍ଗିନୀ । ପୁଣି ଧର୍ମଙ୍କର ଦୁଇ କଳ୍ପିତ ମସ୍ତକ ସମ୍ଭବତଃ ତତ୍କାଳୀନ ଅଧ୍ୟାତ୍ମ ସାଧନର ଦୁଇଟି ମାର୍ଗ ଜ୍ଞାନ ଓ କର୍ମକାଣ୍ଡ ନାମାନ୍ତରରେ ନିଗମ ଓ ଆଗମର ପ୍ରତୀକ । ବୈଦିକ ଯୁଗୋତ୍ତର ପ୍ରସ୍ଥାନକ୍ରୟୀ କାଳରେ ଦ୍ଵାପରର ଶେଷଭାଗକୁ ଆସି ଭଗବାନ୍‌ ଶ୍ରୀକୃଷ୍ଣ ମଧ୍ୟ ଏହି ଦୁଇ ପନ୍ଥା ବା ‘ନିଷ୍ଠା’କୁ ସ୍ଵୀକାର କରି କହିଛନ୍ତି- “ହେ ନିଷ୍ପାପ ଅର୍ଜ୍ଜୁନ, ଇହଲୋକରେ ଜ୍ଞାନ ଯୋଗରେ ସାଂଖ୍ୟମାନଙ୍କର ଏବଂ କର୍ମଯୋଗରେ ଯୋଗୀମାନଙ୍କର ଏପରି ଦ୍ୱିବିଧା ନିଷ୍ଠା ବା ପନ୍ଥା କଥା ମୁଁ ବହୁ ପୂର୍ବରୁ (ଅର୍ଥାତ୍‌ ବୈଦିକ ଯୁଗରୁ) କହି ଆସିଛି । (ଗୀତା ୨-୩) ଅତଏବ ଧର୍ମର ଦୁଇଟି ମସ୍ତକ ଏହି ଦୁଇ ପଥରହିଁ ନିର୍ଦ୍ଦେଶକ ।

 

ବ୍ରାହ୍ମଣ-ପ୍ରଧାନ ସତ୍ୟ ଯୁଗରେ ପୂର୍ଣ୍ଣାବୟବ ଧର୍ମଙ୍କର ଶମ, ଦମ, ଶାନ୍ତି, ଆର୍ଜବ, ଜ୍ଞାନ, ବିଜ୍ଞାନ, ଆସ୍ତିକ୍ୟାଦି ସପ୍ତ ବ୍ରହ୍ମ-କର୍ମହିଁ ଧର୍ମଙ୍କର ସପ୍ତହସ୍ତର ପ୍ରତୀକ ମନେ ହୁଏ । ଅବଶ୍ୟ ସ୍ଵଭାବଜ ବ୍ରହ୍ମକର୍ମର ସଂଖ୍ୟା ଶ୍ରୀମଦ୍‌ଭାଗବତ ଗୀତାରେ ନଅଗୋଟି । ସମ୍ଭବତଃ ଶ୍ରୀମଦ୍‌ଭାଗବତ, ଗୀତା ବର୍ଣ୍ଣିତ ତପ ଓ ଶୌଚ ନାମକ ଅବଶିଷ୍ଟ ଦୁଇଟି ବ୍ରହ୍ମକର୍ମକୁ ଧର୍ମଙ୍କର ଚାରିପାଦରୁ ପ୍ରଥମ ଦୁଇଟି ପାଦରେ ଆରୋପ କରୁଥିବାରୁ ଧର୍ମଙ୍କର ହସ୍ତ ସଂଖ୍ୟା ଗୀତା ବର୍ଣ୍ଣିତ ନଅଟି ବ୍ରହ୍ମକର୍ମରୁ ଦୁଇଟି ବାଦ୍ ଦେଇ ସାତୋଟି ମାତ୍ର ଉଲ୍ଲେଖ କରିଛନ୍ତି । ଅର୍ଥାତ୍‌ ତପଃ ଓ ଶୌଚ ଧର୍ମଙ୍କର ପାଦ ଓ ଶମ, ଦମ, ଶାନ୍ତି, ଆର୍ଜବ, ଜ୍ଞାନ, ବିଜ୍ଞାନ ଓ ଆସ୍ତିକାଦି ପାଣି ସଦୃଶ ।

 

ଶ୍ରୀମଦ୍‌ଭାଗବତ କିନ୍ତୁ ଧର୍ମଙ୍କୁ ଏକ ବୃଷଭର ରୂପ ଦେଇଛନ୍ତି । ଧର୍ମଙ୍କୁ ବୃଷଭ ଓ ପୃଥିବୀକୁ ଗାଭୀ ରୂପରେ ଚିତ୍ର କରିବାକୁ ଯାଇ ଶ୍ରୀମଦ୍‌ଭାଗବତ ଏକ ଉପଦେଶାତ୍ମକ ଆଖ୍ୟାନ ସର୍ଜନା କରିଛନ୍ତି–

 

ଦ୍ଵାପରୋତ୍ତର କଳିର ଆଗମ କାଳ । କୁରୁକୁଳ-ତିଳକ ପାଣ୍ଡବ ବଂଶ ଅବତଂଶ ରାଜା ପରୀକ୍ଷିତଙ୍କ ଶାସନ କାଳ । ଏକଦା ରାଜା ମୃଗୟା ସନ୍ଧାନରେ ସରସ୍ଵତୀ ନଦୀ ତଟରେ ଉପନୀତ ହେଲେ । ରାଜାଙ୍କ ମନରେ ବିସ୍ମୟ ସୃଷ୍ଟି କଲା ଏକ ନିର୍ମମ ଦୃଶ୍ୟ । ସମ୍ମୁଖରେ ମୃଣାଳଶୁଭ୍ରାକୃତି ଏକପାଦ ବିଶିଷ୍ଟ ଗୋଟିଏ ଋଷଭ । ସନ୍ନିକଟରେ ଅତ୍ୟନ୍ତ ଦୀନା, ଧର୍ମସମ୍ଭବା, ତୃଣଗ୍ରାସଉତ୍କଣ୍ଠା ଗୋଟିଏ ରୋରୁଦ୍ୟମାନା ବିବତ୍ସାଗାଭୀ । ଉଭୟେ ନିଷ୍ଠୁର ଭାବରେ ଉତ୍ପୀଡ଼ିତ ଲଗୁଡ଼ହସ୍ତ ନୃପଲାଞ୍ଚନବେଶାବୃତ ଜନୈକ ଶୂଦ୍ର ପୁରୁଷଦ୍ୱାରା । ଏ ଦୃଶ୍ୟ ଦେଖି ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ରାଜା ପରୀକ୍ଷିତ ସେହି ଅବିମୃଶ୍ୟକାରୀ ପ୍ରତି ଯଥୋଚିତ ଦଣ୍ଡ ବିଧାନ ନିମନ୍ତେ ଅଚିରାତ୍ ଅସ୍ତ୍ର ଉତ୍ତୋଳନ କଲେ । ଭୀତତ୍ରସ୍ତ କାପୁରୁଷ ଶୂଦ୍ରରାଜ ପ୍ରାଣ ଭୟରେ କାତର ହୋଇ ତତ୍‌କ୍ଷଣାତ୍ ଶରଣାପନ୍ନ ହେଲା ଦଣ୍ଡଧାରୀ ରାଜା ପରୀକ୍ଷିତଙ୍କର । ଶରଣାଗତ ବ୍ୟକ୍ତି ଅବଧ୍ୟ । ମାତ୍ର ଆତତାୟୀ ନିଜର ପରିଚୟ ଉଦ୍‌ଘାଟନ କରିବା ମାତ୍ରେ ରାଜା ତାଙ୍କୁ ଅବିଳମ୍ବେ ରାଜ୍ୟତ୍ୟାଗ କରି ଚାଲିଯିବା ନିମନ୍ତେ ଆଦେଶ ଦେଲେ । ରାଜା ଜାଣିଲେ ଯେ ସେହି ଅକାରଣ ଅନାହୃତ ଉତ୍ପୀଡ଼ନକ୍ଷମ ବ୍ୟକ୍ତି ସ୍ୱୟଂ ଯୁଗପାଳ କଳିରାଜ । ଶରଣାପନ୍ନ କଳିରାଜ ପରୀକ୍ଷିତଙ୍କ ଉଦାର ଚରିତର ସୁଯୋଗ ନେଇ ତାଙ୍କର ପୃଥିବୀବ୍ୟାପୀ ରାଜ୍ୟର ମାତ୍ର ସାମାନ୍ୟ କେତୋଟି ସ୍ଥାନରେ ଆଶ୍ରୟ ଭିକ୍ଷା କଲା । ଶରଣାଗତର ପ୍ରାର୍ଥନା ପୂରଣ କରି ରାଜା ତାଙ୍କ ଅଖଣ୍ଡ ରାଜ୍ୟର ମାତ୍ର ଚାରୋଟି ଅତି ହୀନ ସ୍ଥାନ କଳିର ଆଶ୍ରୟ ସ୍ଥଳୀରୂପେ ଘୋଷଣା କଲେ-ଦ୍ୟୁତ, ମଦ୍ୟପାନ, ପରସ୍ତ୍ରୀଗମନ, ପରହିଂସା । କଳି ତଥାପି ଅସନ୍ତୁଷ୍ଟ । ଉକ୍ତ ଚାରୋଟି ସ୍ଥାନ ବ୍ୟତୀତ ଅସତ୍ୟ, ମଦ, କାମ, ରଜୋଗୁଣ ଓ ବୈରଭାବ ସ୍ଥାନରେ କଳି ଆଶ୍ରୟ ପାଇପାରିବ ବୋଲି ରାଜା ଅନୁମତି ଦେଲେ । ସେହି ଦିନଠାରୁ ଏହି ନଅଟି ସ୍ଥାନହିଁ କଳିର ବିଳାସକ୍ଷେତ୍ରରୂପେ ପରିଗଣିତ । ଏହି ନଅଟି ସ୍ଥାନରେ ତାହାର ପ୍ରାଦୁର୍ଭାବ ସର୍ବଦା ପରିଲକ୍ଷିତ । ଯେଉଁ ଯୁଗରେ ଧର୍ମ ସଙ୍କୁଚିତ ହୋଇ ମାତ୍ର ଏକ ଭାଗହିଁ ଅବଶେଷ ରହେ, ସେହି କାଳର ଅଧିପତି କଳିରାଜା ପରୀକ୍ଷିତଙ୍କ ଦଣ୍ଡାଦେଶରେ ସମଗ୍ର ପୃଥିବୀରୁ ବିଦାୟ ନନେଇ ତାଙ୍କର ଶରଣାପନ୍ନ ହେବା ଫଳରେ ସଂସାରରେ ନିର୍ଦ୍ଦିଷ୍ଟ ମାତ୍ର ନଅଟି ସ୍ଥାନରେ ନିଜର କର୍ତ୍ତୁତ୍ଵ ଜାରି କରିବାର ସୁଯୋଗ ପାଇଲେ । ବାସ୍ତବ କ୍ଷେତ୍ରରେ ମଧ୍ୟ ଏହି ଆଖ୍ୟାୟିକାର ସତ୍ୟତା ପ୍ରତିପାଦିତ । ଦ୍ୟୁତକ୍ରୀଡ଼ା, ମଦ୍ୟପାନ, ପରହିଂସା ଓ ପରସ୍ତ୍ରୀଗମନେଚ୍ଛାରୁହିଁ କଳିର ସୂତ୍ରପାତ ହେବାର ଦେଖାଯାଏ ବିଶେଷ ଭାବରେ । ଅସତ୍ୟ, ମଦ ବା ଅହଂକାର, କାମ-ପ୍ରବଣତା, ରଜୋଗୁଣ ଓ ବୈରଭାବ ମଧ୍ୟ କଳିର ଆବାହକ । କଳିଯୁଗୀୟ ଧର୍ମଙ୍କର ପାଦେକ ସ୍ଥିତି ‘ସତ୍ୟ’ ମଧ୍ୟ ଏହି ସ୍ଥାନମାନଙ୍କରେ ଅନୁଭୂତ ହୁଏ ନାହିଁ ।

 

ଧର୍ମରୂପକ ଋଷଭର କେବଳ ଗୋଟିଏ ପାଦ ସତ୍ୟକୁ ମଧ୍ୟ କଳି ସହ୍ୟ କରିନପାରି ଉତ୍ପୀଡ଼ନ କରିବାକୁ ଉଦ୍ୟତ ହେବା ସମୟରେ ପରୀକ୍ଷିତଙ୍କର ହସ୍ତକ୍ଷେପଦ୍ଵାରା ଧର୍ମଙ୍କର ଏକ ପାଦ ସୁରକ୍ଷିତ ହେଲା । ତେଣୁ ଏ ଯୁଗରେ ସତ୍ୟାଶ୍ରିତ ବ୍ୟକ୍ତିଙ୍କୁ କଳି ସ୍ପର୍ଶ କରିନପାରେ । ମାତ୍ର ଯେଉଁମାନେ କଳି ନିମନ୍ତେ ନିର୍ଦ୍ଧିଷ୍ଟ ନଅ ଗୋଟି ସ୍ଥାନପ୍ରତି ଆକର୍ଷିତ ହେବେ ସେମାନେ କଳିକବଳିତ ହୋଇ ସତ୍ୟପଥରୁ ବିଚ୍ୟୁତ ହେବେ । ଏହାହିଁ ଏହି ଆଖ୍ୟାୟିକାର ମର୍ମ ।

 

ଶ୍ରୀମଦ୍‍ଭାଗବତର ଅନ୍ୟ ଏକ ବର୍ଣ୍ଣନାରୁ ଧର୍ମ ସମ୍ବନ୍ଧରେ ଧାରଣା ଆହୁରି ସ୍ପଷ୍ଟତର ହୋଇଯାଏ । ଉଦ୍ଧବଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଭଗବାନ୍ କହିଛନ୍ତି–“ସୃଷ୍ଟିର ଆଦ୍ୟରେ କୃତ ବା ସତ୍ୟଯୁଗୀୟ ମନୁଷ୍ୟମାନଙ୍କର ଗୋଟିଏ ସାଧାରଣ ବର୍ଣ୍ଣ ଥିଲା-ହଂସ ବର୍ଣ୍ଣ । ସେହି କୃତଯୁଗରେ ଜନ୍ମଲାଭ କରି ମନୁଷ୍ୟ ନିଜକୁ କୃତକୃତ୍ୟ ମନେ କରୁଥିବାରୁ ସେହି ଯୁଗର ନାମ କୃତଯୁଗ । ପ୍ରଣବ ଓ ବେଦ ତଥା ଚତୁଷ୍ପଦବିଶିଷ୍ଟ ଧର୍ମ ସେ ଯୁଗର ବୈଶିଷ୍ଟ୍ୟ । ସେ ସବୁ ମୋହରି ରୂପାନ୍ତର ମାତ୍ର, ମୋହରି ପ୍ରତିରୂପ । ନିଷ୍ପାପ ତପୋନିଷ୍ଠ ସତ୍ୟଯୁଗୀୟମାନେ ମୋର ଏହି ବିଶୁଦ୍ଧ ହଂସ-ରୂପହିଁ ଉପାସନା କରୁଥିଲେ ।

 

“ତା’ପରେ ଆରମ୍ଭ ହେଲା କୃତର ପରବର୍ତ୍ତୀ କାଳ ତ୍ରେତା ଯୁଗ । ଏ ଯୁଗରେ ମଧ୍ୟ ମୁଁ ନିଜେ ବେଦ, ପ୍ରବଣ ତଥା ଚତୁଷ୍ପଦବିଶିଷ୍ଟ ଦୃଷଭ ରୂପଧାରୀ ଧର୍ମସ୍ୱରୂପରେ ବିରାଜମାନ ଥିଲି । ତତ୍‌ପରେ ବେଦର ବିଭାଜନ ହେଲା ଋକ୍, ସାମ, ଯଜୁଃ ଭେଦରେ ଏବଂ ତନ୍ନିମନ୍ତେ ସୃଷ୍ଟି ହେଲେ ହୋତା, ଅଧର୍ଯ୍ୟୁ ଏ ଉଦ୍‌ଗାତାମାନେ ।

 

ଏହା ପରେ ମୋର ମୁଖ, ବାହୁ, ଊରୂ ଓ ପାଦଦେଶରୁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୃଦ୍ରାଦି ଚାରି ବର୍ଣ୍ଣଙ୍କର ଉତ୍ପତ୍ତି ହେଲା ଏବଂ ମୋର ସେହି ବିରାଟ ରୂପର ଜଘନଦେଶରୁ ଗର୍ହସ୍ଥ୍ୟ, ହୃଦସ୍ଥଳରୁ ବ୍ରହ୍ମଚର୍ଯ୍ୟ, ବକ୍ଷସ୍ଥଳରୁ ବାନପ୍ରସ୍ଥ ଏବଂ ଶୀର୍ଷସ୍ଥାନରୁ ସନ୍ନ୍ୟାସ ଆଶ୍ରମର ଉଦୟ ହେଲା-।”

 

ଏଥିରୁ ବୈଦିକ ଯୁଗ, ଯୁଗର ଧର୍ମ, ଯୁଗୀୟ ସମାଜ ଗଠନର ଚିତ୍ର ସ୍ପଷ୍ଟ ହୋଇଯାଏ । ମନେହୁଏ ମାନବ ସଭ୍ୟତାର ପ୍ରାକ୍‍କାଳରେ ବିଧିବଦ୍ଧ ଭାବରେ ସମାଜ ଗଠିତ ହୋଇନଥିଲା । ୠତୁର୍ବର୍ଣ୍ଣ ଓ ଚାରି ଆଶ୍ରମାଦି ଭଗବାନ୍‍ଙ୍କର ବର୍ଣ୍ଣାଶ୍ରମ ବିଭାଜନ ଏହି ଯୁଗୀୟ ହେଲେ ହେଁ ବିଳମ୍ବିତ ପ୍ରକ୍ରିୟା । ତଥାପି ବ୍ୟକ୍ତିଗତ ସାଧନା ନିମନ୍ତେ କ୍ଷେତ୍ର ପ୍ରଶସ୍ତ ଥିଲା । ସାଧନ ସିଦ୍ଧ ମନ୍ତ୍ରଦ୍ରଷ୍ଟା ଋଷିମାନେ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଯେଉଁସବୁ ସତ୍ୟର ଆବିଷ୍କାର କରିଯାଇଛନ୍ତି ତାହା ଅନବଦ୍ୟ ଓ ଅକ୍ଷୟ । ତାହାର କ୍ରମବିକାଶହିଁ ଶ୍ରୀମଦ୍‍ଭାଗବତରେ ଭଗବାନ୍ ଶ୍ରୀକୃଷ୍ଣଙ୍କ ମୁଖୋଦ୍‍ଗୀର୍ଣ୍ଣ ବାକ୍ୟରେ ବ୍ୟଞ୍ଜିତ । ପ୍ରଥମେ ପ୍ରଣବ, ତା’ପରେ ବେଦମନ୍ତ୍ର ମନ୍ତ୍ରଦ୍ରଷ୍ଠା ଋଷିମାନଙ୍କର ସ୍ତବ ସ୍ତୁତିମାନଙ୍କରେ ବେଦର ବିଭାଜନ ଉତ୍ତାରୁ ଚାତୁର୍ବର୍ଣ୍ଣ ଓ ଚତୁରାଶ୍ରମର ପ୍ରବର୍ତ୍ତନ ଇତ୍ୟାଦି । ଏହାହିଁ ସତ୍ୟ ଓ ତ୍ରେତା ଯୁଗୀୟ ଧର୍ମ, ସମାଜ ଓ ସଂସ୍କୃତିର ସଂକ୍ଷିପ୍ତ ପରିଚୟାତ୍ମକ ସୂଚନା ବା ବୀଜସ୍ୱରୂପ-। ଶ୍ରୀମଦ୍‍ଭାଗବତଙ୍କର ଆଖ୍ୟାୟିକା ଓ ଭଗବାନ୍ ଶ୍ରୀକୃଷ୍ଣଙ୍କର ବ୍ୟାଖ୍ୟା ଭିତରେ ଭାରତୀୟ ଧର୍ମଦର୍ଶନର ସାରତତ୍ତ୍ଵ ବିଦ୍ୟମାନ । ଭାରତୀୟ ଦର୍ଶନ ଓ ସଂସ୍କୃତି କିପରି ଧର୍ମ ଉପରେ ପ୍ରତିଷ୍ଠିତ ତାହାର ପ୍ରାମାଣିକ ତଥ୍ୟ ତଥା ପରିବେଷଣ ଏହି ସୁଖପାଠ୍ୟ ଆଖ୍ୟାୟିକାର ଉପଜୀବ୍ୟ ।

 

ଶ୍ରୀମଦ୍‍ଭାଗବତ କଥିତ ହୋଇଥିଲେ ଦ୍ୱାପରର ଶେଷ ଏବଂ କଳିର ଆରମ୍ଭରେ ଏକ ସନ୍ଧିକ୍ଷଣରେ; ଶ୍ରୋତା ମରଣଉନ୍ମୁଖୀ ରାଜା ପରୀକ୍ଷିତ ଏବଂ ପ୍ରବକ୍ତା ଆଜନ୍ମବ୍ରହ୍ମଚାରୀ ବ୍ୟାସତନୟ ଶ୍ରୀ ଶ୍ରୀ ଶୁକଦେବ । ଶ୍ରୀମଦ୍‍ଭାଗବତ ତେଣୁ ବୈଦିକ ସତ୍ୟ, ନେତା ଯୁଗୀୟ ନାନା ସଙ୍କଳନ ତୁଳନାରେ ଅତ୍ୟନ୍ତ ଅର୍ବାଚୀନ । ତତ୍‍ପୂର୍ବରୁ ଯଜ୍ଞପ୍ରଧାନ ତ୍ରେତା, ଧ୍ୟାନପ୍ରଧାନ କୃତ ଅତିବାହିତ ହୋଇଯାଇଛି । ଧର୍ମ ଓ ଦର୍ଶନ କ୍ଷେତ୍ରରେ ଶ୍ରୀମଦ୍‍ଭାଗବତ ପୁରାଣ ପୂର୍ବରୁ ରୀତିଯୁଗ, ସ୍ତୁତିଯୁଗ, ଦର୍ଶନଯୁଗ, ଉପନିଷଦ୍‍ ଯୁଗ ଏବଂ ତତ୍‍ପୂର୍ବ ବୈଦିକଯୁଗ ମଧ୍ୟ ଅତୀତ ଗର୍ଭରେ । ଅତୀତର ଏହି ସବୁ ସାମୟିକ ଓ ସାଂସ୍କୃତିକ ବିଭାଜନ ଅନ୍ତରାଳରେ ଜାତୀୟ ଜୀବନର ଏକ ଅଖଣ୍ଡ ପ୍ରବାହ ଯେପରି ଅବ୍ୟାହତ ରହିଛି ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ । ବେଦରୁ ଆରମ୍ଭ କରି ଭାଗବତ ପୁରାଣଯାଏଁ ସମସ୍ତ ସାହିତ୍ୟିକ କୃତି, ସାଂସ୍କୃତିକ ଓ ଧାର୍ମିକ ଆନ୍ଦୋଳନ, ଦାର୍ଶନିକ ବିଚାର ଓ ସଭ୍ୟତାର ଧାରା ମଧ୍ୟରେ ଏହି ନିତ୍ୟପ୍ରବୃତ୍ତ ବୃତ୍ତି ବା ପରମ୍ପରାର ପ୍ରତୀକ ଏକ ବିରାଟ ପୁରୁଷ ଚିର ଅମ୍ଳାନ, ଦେବୀପ୍ୟମାନ, ଅକ୍ଷୟ କୀର୍ତ୍ତିସମ୍ପନ୍ନ କବି ମନୀଷୀ କୃଷ୍ଣ ଦ୍ୱୈପାୟନ ବ୍ୟାସଦେବ । ସେ ଜଣେ ବ୍ୟକ୍ତିବିଶେଷ ହୁଅନ୍ତୁ ବା ଏହି ସହସ୍ର ସହସ୍ର ବର୍ଷବ୍ୟାପୀ ବହୁ ପ୍ରାତିଭ ବ୍ୟକ୍ତିତ୍ୱର ସମାହାର ହୁଅନ୍ତୁ, ବେଦରୁ ପୁରାଣଯାଏଁ ସମସ୍ତ କୃତିର ସଂକଳକରୂପେ ବ୍ୟାସଦେବ ଭାରତୀୟ ପରମ୍ପରାରହିଁ ପ୍ରତୀକ, କୌଣସି ନିର୍ଦ୍ଧିଷ୍ଟ କାଳ, ସମୟ ବା ଯୁଗର ନୁହନ୍ତି ।

 

ବ୍ୟାସଦେବଙ୍କର ସର୍ବପ୍ରଥମ ସଙ୍କଳନ ବେଦ-ସତ୍ୟ ଓ ତ୍ରେତା ଯୁଗୀୟ ବେଦ । ଐତିହାସିକମାନଙ୍କ ଅନୁନାନରେ ଛଅ ବା ଆଠ ହଜାର ବର୍ଷ ପୂର୍ବର ଆଲେଖ୍ୟ ବେଦ । ତତ୍‍ପରେ ମୁଖ୍ୟତଃ ବେଦ ଆଧାରିତ ଉପନିଷଦ୍‌ ଯୁଗକୁ ଆଶ୍ରୟ କରି ଉଦ୍‌ଭୂତ ହୋଇଛି ଦର୍ଶନ । ବେଦ ଓ ଦର୍ଶନ ଭାରତୀୟ ଧର୍ମ ସସ୍କୃତିର ଦୁଇଟି ମୁଖ୍ୟ ଜ୍ଞାନେନ୍ଦ୍ରୀୟ ସଦୃଶ । ବେଦର ଅନ୍ୟ ନାମ ଶ୍ରୁତି । ଶ୍ରୃତି ଓ ଦର୍ଶନର ଅଭିଧାର୍ଥ ଶ୍ରବଣ ଓ ଦର୍ଶନ କ୍ରିୟା । ବେଦ ବା ଶ୍ରୁତିହିଁ ଭାରତୀୟ ପାରମ୍ପାରିକ ଧର୍ମର ଶ୍ରବଣେନ୍ଦ୍ରିୟ । ଦର୍ଶନ ତାହାର ଚକ୍ଷୁ ବା ନେତ୍ର । ଉଭୟ ଚକ୍ଷୁ ଓ ନେତ୍ର ବଳରେ ଭାରତୀୟ ଧର୍ମ ଗ୍ରାହ୍ୟ । କିନ୍ତୁ ସର୍ବ ପ୍ରଥମ ଶ୍ରୁତି, ତା’ପରେ ସାକ୍ଷାତ୍‍କାର–ଦର୍ଶନ । ଭାରତୀୟ ଧର୍ମ ତେଣୁ ସ୍ଵଭାବତଃ ବେଦଭିତ୍ତିକ । ବେଦବହିର୍ଭୂତ ଧର୍ମ ଓ ଦର୍ଶନକୁ ଭାରତୀୟ ସମାଜ ନାସ୍ତିକବାଦର ସମର୍ଥକ ବୋଲି ବିବେଚନା କରେ ।

ଭାରତୀୟ ଧର୍ମ ଓ ଦର୍ଶନର ବୀଜଭୂତ ଏହି ବେଦ ଅପୌରୁଷେୟ । କୌଣସି ପୁରୁଷ ବା ବ୍ୟକ୍ତିବିଶେଷର ରଚନା ବା ପ୍ରଗଳ୍‍ଭତା ନୁହେଁ । ଏହା ପରମପୁରୁଷଙ୍କ ପ୍ରେରିତ; ସ୍ୱୟଂଭୂ । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ମୁଖନିସୃତ ମାତ୍ର ତତ୍ କୃତ ନୁହେଁ । ମତାନ୍ତରେ ବ୍ରହ୍ମାଙ୍କ ଶ୍ଵାସନିର୍ଗତ ବୈଖରୀ । ବ୍ୟାସ ସେ ସବୁର ସଂକଳକ ମାତ୍ର–ପରବର୍ତ୍ତୀ କାଳରେ । ବେଦର ଋକ୍, ସାମ, ଯଜୁ ଓ ଅଥର୍ବ ଭେଦରେ ଯଥାଯଥ ବିଭାଜନ ବ୍ୟାସକୃତ । ଏହି ବେଦଚତୁଷ୍ଟୟହିଁ ଭାରତୀୟ ଆଧ୍ୟାତ୍ମିକ ଆଦି ଦର୍ଶନର ଆଦର୍ଶ, ସନାତନ ଧର୍ମ ଓ ସଂସ୍କୃତିର ନିଦର୍ଶନ ଏବଂ ଆର୍ଯ୍ୟାବର୍ତ୍ତ ଏହି ଭାରତ ଭୂମିର ସର୍ବ ପ୍ରଥମ ସାହିତ୍ୟ । ସର୍ବ ପ୍ରାଚୀନ ଏହି ଗ୍ରନ୍ଥ ପ୍ରାଚୀନତମ ଭାରତବାସୀର ଭାବ ପ୍ରକାଶକ ଭାଷା । ଆର୍ଯ୍ୟମାନଙ୍କର ସମାଜ ସଭ୍ୟତା ସଂସ୍କୃତିଗତ ତଥା ଧାର୍ମିକ ଚିନ୍ତନର ମୂଳ ଉତ୍ସ ଏହି ବେଦ ।

ବେଦ ଦୁଇ ଭାଗରେ ବିଭକ୍ତ–‘ମନ୍ତ୍ର’ ଓ ‘ବ୍ରାହ୍ମଣ’ । ସମସ୍ତ ମନ୍ତ୍ର ବା ସାହିତ୍ୟ ‘ସଂହିତା’ ନାମରେ ଅଭିହିତ । ମନ୍ତ୍ର ସ୍ତୃତିସାର ଓ ପ୍ରାର୍ଥନା-ସର୍ବସ୍ଵ । ମନ୍ତ୍ର ବା ସଂହିତାର ପରବର୍ତ୍ତୀ ପରିପ୍ରକାଶ ‘ବ୍ରାହ୍ମଣ’ କିନ୍ତୁ ଯଜ୍ଞାନୁଷ୍ଠାନସଂଶ୍ଳିଷ୍ଟ । ଆବଶ୍ୟକୀୟ ଦ୍ରବ୍ୟାଦିର ନାମ କ୍ରମଣିକା ତଥା ଯଜ୍ଞର ଲକ୍ଷ୍ୟ ଓ ପଦ୍ଧତି ସମ୍ବନ୍ଧରେ ବିସ୍ତାରିତ ପ୍ରବଚନ ତଥା ଅନ୍ୟାନ୍ୟ ନାନା ତଥ୍ୟସମ୍ବଳିତ ବିବୃତି । ବ୍ରାହ୍ମଣ ପରିକ୍ରମାରେ ନାନା ମନୋଜ୍ଞ ଉପାଖ୍ୟାନର ଅବତାରଣା ମଧ୍ୟ ପରିଲକ୍ଷିତ ହୁଏ । ବ୍ରାହ୍ମଣହିଁ ତତ୍‌କାଳୀନ ସମାଜର ଏକ ପୂର୍ଣ୍ଣାଙ୍ଗ ଇତିହାସ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ବ୍ରାହ୍ମଣର ଏହି ପ୍ରବହମାନ ଧାରାରେ ଆସି ମିଳିତ ହେଲେ ଗଦ୍ୟପଦ୍ୟମୟ ଆରଣ୍ୟକ ଓ ଉପନିଷଦ୍ । ଗୃହସ୍ଥମାନଙ୍କ ପକ୍ଷରେ ବ୍ରାହ୍ମଣ ଯେପରି ଉପାଦେୟ ଉପଦେଶାବଳୀ, ଆରଣ୍ୟକ ସେହିପରି ଜନପଦାନ୍ତିକ ଦୂର ବନାନୀର ନିଘଞ୍ଚ ହରିତାଭା ମଧ୍ୟରେ ବାନପ୍ରସ୍ଥ ଆଶ୍ରମ ଆଶ୍ରିତ ବନବାସୀମାନଙ୍କ ପକ୍ଷରେ ଶ୍ଳାଘ୍ୟ ଆଚରଣ ବିଧି । ଉପନିଷଦ୍‍ର ସମ୍ପର୍କ କିନ୍ତୁ ଅନାଦି ଅନନ୍ତ ଅଦ୍ୱୟ ବ୍ରହ୍ମାଙ୍କ ସନ୍ଧାନ ଦାତା ବ୍ରହ୍ମବିଦ୍ୟା ସହ । ମନୁଷ୍ୟକୁ ସଂସାର ପ୍ରପଞ୍ଚରୁ ମୁକ୍ତ କରି ଅଖଣ୍ଡ ସୁଖର ଅଧିକାରୀ କରାଇବା ଉପନିଷଦୀୟ ଅନୁଶୀଳନର ଉଦ୍ଦେଶ୍ୟ । ଉପନିଶଦହିଁ ବୈଦିକ ସାହିତ୍ୟର ଅନ୍ତଃଭାଗ । ତେଣୁ ତାହା ବେଦାନ୍ତ ନାମରେ ଅଭିହିତ ।

ସେ ଏକ ରୋମାଞ୍ଚକର ଅନୁଭୂତି । ଯେଉଁଦିନ ସଜ୍ଞାନରେ ପୃଥିବୀର ପ୍ରଥମ ମାନବ ଉଷାର ପ୍ରଥମ ଉନ୍ମେଷରେ ଉଦ୍ଭାସିତ ଅରୁଣରାଗ ରଞ୍ଜିତ ଏକ ଅନନ୍ତ ବିସ୍ତାର ଦର୍ଶନରେ ଭୟବିହ୍ଵଳ ହୋଇ ଚିତ୍କାର କରି ଉଠିଥିବା ଏବଂ ନିଜେ ନିଜର ବିଚିତ୍ର ବୈଖରୀରେ ବିସ୍ମିତ ହୋଇ ନିମିଳିତ ନେତ୍ରର କଣନିକା ମଧ୍ୟରେ ଅନ୍ତର୍ଦୃଷ୍ଟି ନିକ୍ଷେପ କରି ନିଜର ଓ ନିଜ ବାହାରକୁ ଅର୍ଥାତ୍ ତାହାର ଅନ୍ତଃ ପ୍ରକୃତି ଓ ବହିଃ ପ୍ରକୃତିର ପ୍ରକୃତ ପରିଚୟ ପାଇବାପାଇଁ ଆଗ୍ରହାନ୍ଵିତ ହୋଇ ପଡ଼ିଥିବା ଏବଂ ଏକପ୍ରକାର ଶ୍ୱାସରୁଦ୍ଧ ହୋଇଯିବାର ତୀବ୍ର ଅନୁଭୂତିରେ ଅତିଷ୍ଠ ବୋଧ କରିଥିବ । ସେହି ଅନଭିଜ୍ଞାତ ଅବସ୍ଥା କେଡ଼େ ରୋମାଞ୍ଚକର ହୋଇନଥିବ ସତେ !

ସେହି ଅବସ୍ଥାର ଅନୁଭୂତିକୁ ବୈଦିକ ୠଷି ଅତି ମନୋରମ କାବ୍ୟିକ ଭାଷା ଓ ଭାବଦେଇ ଗାଇଛନ୍ତି–

ଆ ଘା ଯୋଷେବ ସୂନର୍ୟୁଷାୟାତି ପ୍ରଭୂଞ୍ଜତୀ ।

ଜରୟନ୍ତୀ ବୃଜନଂ ପଦୁଦୀୟତ ଉତ୍ପାତୟତି ପକ୍ଷୀଣଃ ।। (ୠକ୍ ୧ । ୪୮ । ୫୬)

 

“ଧୀରେ, ଅତି ଧୀରେ ଉଦାର ପ୍ରତିମା ଯୋଷା ଉଷା ଆସେ ସକଳ ସୃଷ୍ଟିରେ ସଯତ୍ନ ସ୍ନେହର ସ୍ପର୍ଶ ଦେଇ-ପ୍ରତି ଜୀବରେ ଚେତନା ଜାଗ୍ରତ କରି ସେ ଆସେ; ସେ ଆସେ ପ୍ରତି ପଦଚାରୀର ପ୍ରାଣକୁ ଚଞ୍ଚଳ କରି-ପ୍ରତି ପକ୍ଷଧାରୀ ପକ୍ଷୀକୁ ଆକାଶରେ ଉଡ଼ାଇ ଦେଇ ସେ ଆସେ-

 

ତା’ପରେ ?

 

ତା’ପରେ ଆର୍ଯ୍ୟୠଷି ମୁଖରିତ ହୋଇଯାଆନ୍ତି ଉଷାର ଗୁଣ ଗାନରେ । ସେହି ଅନବଦ୍ୟ ଶୃଙ୍ଗାର ରସାପ୍ଳୁତ ଋତକାବ୍ୟ ମଧ୍ୟ ସମସ୍ତ ସାହିତ୍ୟ ଜଗତରେ ଅପ୍ରତିଦ୍ଵନ୍ଦ୍ଵୀ ।

 

ସେହି ଯୋଷା ସୃଷ୍ଟିର ପ୍ରଥମ ଦିବସଗୁଡ଼ିକର ଏକମାତ୍ର ଦ୍ରଷ୍ଟା-ଘନ ତମସା ମଧ୍ୟରେ ତାହାର ପ୍ରକାଶ । ଶୁଭ୍ରଦୀପ୍ତି ଘେନି ଦିନ ଦିନ ପ୍ରତିଦିନ ସେ ଆସେ ଅଭିସାରିକା ବେଶରେ ନିରୂପିତ ସମୟରେ ନିୟମିତ ଭାବରେ-ବ୍ୟତିକ୍ରମ ନାହିଁ । ସେ ଆସେ । (ୠକ୍ ୧-୧୨୩-୯)

 

“ସୁଷମାର ଗାରିମାରେ ତମେ ଏକ ଅପରୂପା କନ୍ୟା ! ତମେ ଦେବୀ । ତମକୁ ପାଇବାପାଇଁ ଆକୁଳପ୍ରାଣରେ ଅନାଇ ରହିଛନ୍ତି ତମର ଦୟିତ ଦେବ । ତାଙ୍କରି ସହିତ ମଧୁ ମିଳନ ମୁହୂର୍ତ୍ତର ଆଶାରେ ତମର ପଦଚାରଣ । ସୁସ୍ମିତା ତମେ ତମର ଯୌବନଭରା ସମୁଜ୍ଜ୍ଵଳ ରୂପଶ୍ରୀ ଘେନି ତମର ହୃଦୟକୁ ଉଦ୍‌ଘାଟିତ କରିଦିଅ ସେହି ଦେବତା ନିକଟରେ ।” (ଋକ୍-୧-୧୨୩-୧୨)

 

ତା’ପରେ–ତା’ପରେ ?

 

ତା’ପରେ ସୃଷ୍ଟିର ସେହି ପ୍ରଥମ ମାନବର ବିସ୍ମୟ ପରିଧି ପ୍ରସାରିତ ହୋଇଯାଇଥିବ । ଆକାଶ, ବାୟୁ, ଜଳ, ଅଗ୍ନି, ପୃଥିବୀ ସମସ୍ତେ ବିସ୍ମୟାନୁଭୂତିର ବଦ୍ଧକାରାରୁ ମୁକ୍ତ ହୋଇ ଅଭିଜ୍ଞତାର ପ୍ରୟୋଗ-ଶାଳାରେ ଗୋଟିଏ ଗୋଟିଏ ଉପପାଦ୍ୟରୂପେ ସ୍ଵ ସ୍ୱ ରହସ୍ୟ ଉଦ୍‌ଘାଟନ ନିମନ୍ତେ ମନୁଷ୍ୟର କ୍ରମ ପ୍ରସାରଣ କ୍ଷମ ମନ ପ୍ରକ୍ରିୟାର କୃପାପ୍ରାର୍ଥୀ ହୋଇ ରହିଯାଇଥିବେ ଅବସର ଅନୁଯାୟୀ ନିଜକୁ ପ୍ରଘଟିତ କରିବାର ଆଶାରଖି । ମନୁଷ୍ୟ ମୁହୁର୍ମୁହୁ ସେହି ଜ୍ଞାନ ଗହ୍ୱରର ଦ୍ଵାରଦେଶକୁ ଯାଇ ବାରମ୍ବାର ଆଘାତ କରି ଶ୍ରାନ୍ତ ହୋଇ ପଡ଼ିଥିବ ଏଡ଼େ ବଡ଼ ଯବନିକାର ଉନ୍ମୋଚନ ପ୍ରଚେଷ୍ଟାରେ ବିଫଳମନୋରଥ ହୋଇ । ମାତ୍ର ଅନ୍ୱେଷଣ, ଅନୁସନ୍ଧାନ ତାହାର ବ୍ୟାହତ ହୋଇନଥିବ । ନିଜର ସୀମିତ ଜ୍ଞାନର ପରିମାପରେ ଏକ ପରିବ୍ୟାପ୍ତ ଅସୀମତାର ସନ୍ଧାନ ଉଦ୍ୟମକୁହିଁ ଜୀବନର ସାର୍ଥକତା ମନେକରି ଆତ୍ମସନ୍ତୋଷ ଲାଭ କରିଥିବ । ସେହି ସନ୍ତୁଷ୍ଟିର ଆବେଗରେ ସ୍ଵତଃ ତା’ର ଶିର ଅବନତ ହେଇଯାଇଥିବ ଏକ ରହସ୍ୟାବୃତ ସୃଷ୍ଟିର ସନ୍ନିଧାନରେ ସ୍ରଷ୍ଟାର ଦର୍ଶନ ଆକାଂକ୍ଷୀ ହୋଇ ।

 

ସେହି ଅନୁଭୂତିକୁ ଆର୍ଯ୍ୟ ଋଷି ଭାଷା ଦେଇ ଗାଇଗଲେ–

 

ସହସ୍ରଶୀର୍ଷା ପୁରୁଷଃ ସହସ୍ରାକ୍ଷଃ ସହସ୍ରପାତ୍ ।

ସଃ ଭୂମି ବିଶ୍ଵତୋ ବୃତ୍ଵାଽତ୍ୟତିଷ୍ଠଦ୍ ଦଶାଙ୍ଗୁଳମ୍ ॥

(ଋକ୍ ୧୦-୧୦-୭)

 

ସହସ୍ର, ସହସ୍ର ଚକ୍ଷୁ, ସହସ୍ର ସହସ୍ର ପାଦ ପୁରୁଷ ସମଗ୍ର ବିଶ୍ୱକୁ ସର୍ବତୋଭାବେ ଦଶଦିଗରେ ପରିବ୍ୟାପ୍ତ କରି ବିଦ୍ୟମାନ ।

 

ସବିତା ପଶ୍ଚାତ୍ତାତ୍ ସବିତା ପୁରସ୍ତାତ୍-ସେହି ସବିତା ବିଶ୍ଵସ୍ରଷ୍ଟା ପ୍ରଭୁ ଅଗ୍ର ଓ ପଶ୍ଚାତ୍ ଚତୁର୍ଦ୍ଦିଗରେ ବିଦ୍ୟମାନ । (ୠକ୍ ୧୦-୩୬-୧୦)

 

ଏହି ସମଗ୍ର ବିଶ୍ଵ ସର୍ବଶକ୍ତିମାନ୍‌ ଇଶ୍ଵରଙ୍କ ବିଧାନରେ ବିହିତ-ପରିବ୍ୟାପ୍ତ (ଯ୪୦-୧) । ସେ ଦୂରରେ ଥାଇ ମଧ୍ୟ ନିକଟରେ-ତଦ୍ଦୂରେ ତଦନ୍ତିକେ (ଯ୧୦-୫) । ସେ ସକଳ ପ୍ରାଣୀଙ୍କ ମଧ୍ୟରେ ଓତଃପ୍ରୋତଃ, (ଯ ୩୨-୮୬) । ସେ ଅନନ୍ତ ଓ ସର୍ବବ୍ୟାପୀ-ଅନନ୍ତଂ ବିତତଂ ପୁରୁତ୍ରଂ (ଅ୧୦-୮-୧୨) ।

 

ସେହି ଅସୀମ କଳ୍ପନାକୁ ଧାରଣ କରି ଆର୍ଯ୍ୟଋଷି ସ୍ତୁତିଗାନ କରିଥିଲେ ସେଦିନ–

 

ତ୍ଵଂ ସମୁଦ୍ର ଆସି, ବିଶ୍ଵବିତ୍‌ କବେ

ତବେ ମାଃ ପଞ୍ଚ ପ୍ରଦିଷୋ ବିଧର୍ମଣି ।

ତ୍ଵଂ ଦ୍ୟାଂ ଚ ପୃଥିବୀ ଚାତି ଜଭ୍ରିଷେ

ତବ ଜ୍ୟୋତୀଷି ପବମାନ ସୂର୍ଯଃ ।

(ୠ ୯-୮୬-୨୯)

 

ତମେ ଇ ଅନନ୍ତ ସମୁଦ୍ର; ହେ କବି, ହେ ୠଷି, ଏ ବିଶ୍ଵପ୍ରପଞ୍ଚର ଆବିଷ୍କର୍ତ୍ତା କିଏ ? ତମରି ବିଧିବିଧାନରେ ପୃଥିବୀର ପଞ୍ଚ ଭୂଭାଗ ନିୟନ୍ତ୍ରିତ । ସ୍ଵର୍ଗ ଓ ପୃଥିବୀକୁ ଅତିକ୍ରମ କରି ହେ ଆତ୍ମଶୁଦ୍ଧ ପୁରୁଷ ! ପବମାନ ସୋମ ! ତମେହିଁ ଆଲୋକ, ତମେହିଁ ସୂର୍ଯ୍ୟଃ ।

 

ଏ କେବଳ ସ୍ତୁତି ସର୍ବସ୍ୱ ନୁହେଁ । ଆମ ପୂର୍ବସୂରୀମାନଙ୍କର ଏହି ଭାବବିହ୍ୱଳ ଭାଷା ସହିତ ପରିପୃଷ୍ଟ କଳ୍ପନା ଶକ୍ତି ତଥା କାବ୍ୟିକ ରୁଚିବୋଧର ପ୍ରକୃଷ୍ଟ ପରିଚାୟକରୂପେ ବେଦର ସୂକ୍ତିଗୁଡ଼ିକ ସର୍ବଦା ସମୁଜ୍ଜ୍ଵଳ, ଇତିହାସର ଆଗୋଚର କେଉଁ ଅଜ୍ଞାତ କାଳରୁ ଅଦ୍ୟାବଧି ।

 

ପ୍ରାଗୈତିହାସିକ ଯୁଗର କଥା । ଇତିହାସ ତା’ର ତଟସ୍ପର୍ଶ କରିବାକୁ ସମର୍ଥ ହୋଇନାହିଁ ଆଜିଯାକେ । ଇତିହାସର କାଳ ନିରୂପଣ ମୁଖ୍ୟତଃ ଅନୁମାନସିଦ୍ଧ । ମାନବ ପ୍ରାଣର ଆଦିମ ଅନୁଭୂତିର ଗାଥା ମଣ୍ଡନ କରିବାପାଇଁ ଆବଶ୍ୟକୀୟ ଶକ୍ତି ଓ ସାମର୍ଥ୍ୟ ଇତିହାସର ଲିପି ମଧ୍ୟରେ ମିଳିବା ଦୁଷ୍କର । ଇତିହାସ କେବଳ ଘଟଣାର ଗାଥା, ଅନୁଭୂତିର ନୁହେଁ–ଅର୍ଯାବର୍ତ୍ତର ଆଦିମ ଅଧିବାସୀଙ୍କର ସେ ଅଭିନବ ଦିବ୍ୟ ଅନୁଭୂତି ଯେଉଁ ଇତିହାସ ବହନ କରିବାକୁ ପ୍ରୟାସ କରିବ, ସେ ଇତିହାସ ହୋଇ ରହିବ ନାହିଁ, ହୋଇଯିବ ଦର୍ଶନ ।

 

ଇତିହାସ ଯାହା ଅଙ୍କନ କରିବାକୁ ଅକ୍ଷମ ତାହାହିଁ ଅଙ୍କିତ ହୋଇଛି ଆମର ବେଦ, ବେଦାନ୍ତ ଓ ଦର୍ଶନରେ । ଅଙ୍କନ କରିଛି ମନ୍ତ୍ରଦ୍ରଷ୍ଟା ଋଷି, ମୁନି, ସିଦ୍ଧି ସାଧକମାନଙ୍କର ଉଦାର ବୈଖରୀ । ଆମର ବିଭବଶାଳୀ ଗୌରବଗର୍ବିତ ପରମ୍ପରାର ମୂଳଭୂତ ବେଦହିଁ ତା’ର ଅକ୍ଷୟ ସାକ୍ଷୀ ।

 

ନାରୀ ଓ ପୁରୁଷ ନିର୍ବିଶେଷରେ ସତ୍ୟ, ଋତ, ଓ ତପଃର ସାଧକ ଶୁଚିବ୍ରତ, ଦେହ ଓ ମନ ଉଭୟ କ୍ଷେତ୍ରରେ ଆଧ୍ୟାତ୍ମିକ ଅନ୍ତର୍ଦୁଷ୍ଟିରେ ସମୃଦ୍ଧ, ଐଶ୍ୱରିକ ପ୍ରେରଣାରେ ଉଦ୍‍ବୁଦ୍ଧ ସେହି ମନ୍ତ୍ର-ଦ୍ରଷ୍ଟା ୠଷିମାନଙ୍କ ମୁଖରେ ସ୍ଫୁରିତ ଭାଷାହିଁ ଭାରତର ଆଦି ବାକ୍ ।

 

“ହେ ବୃହସ୍ପତି, ୠଷିମାନଙ୍କଦ୍ୱାରା ପ୍ରେରିତ ସେହି ସର୍ବ ପ୍ରଥମ ଓ ସର୍ବଶ୍ରେଷ୍ଠ ବାଣୀ, ସେମାନଙ୍କ ସ୍ୱପ୍ନର ସର୍ବନାମ, ସ୍ୱଚ୍ଛନିର୍ମଳ ଉଚ୍ଚାରଣ, ସେମାନଙ୍କ ଅଭ୍ୟନ୍ତରରେ ଅନୁଭୂତ ନୈସର୍ଗିକ ରହସ୍ୟ ଶ୍ରଦ୍ଧା ଓ ଭକ୍ତିଭାବରେ ଉଦ୍‍ଘାଟିତ ହୋଇଛି ଏହି ବେଦରୂପରେ ।” (ୠକ୍ ୧୦-୭୧-୧)

 

“ଏହି ବେଦରୂପ ବୈଖରୀ ଆନନ୍ଦଉଚ୍ଛଳ ଖର ନିର୍ଝର ସଦୃଶ ବୃହସ୍ପତିଙ୍କ ଉଦ୍ଦେଶ୍ୟରେହିଁ ନିବେଦିତ ହୋଇଛି ।” ଏହାହିଁ ବେଦୋକ୍ତି । (ୠକ୍-୧୦-୬୮-୧)

 

ବେଦର ଭାଷା କ୍ଳୁପ୍ତ ହେଲେ ହେଁ ଅତୁଳନୀୟ । ତନ୍ନିହିତ ଶ୍ରାବ୍ୟ ଶବ୍ଦର ସହଜ ସରଳ ଅର୍ଥ ଅନ୍ତରାଳରେ ଗଭୀର ବ୍ୟାଖ୍ୟାର ଅବକାଶ ସୁପ୍ପଷ୍ଟ । ‘ଗୁହାୟତି’, ‘ଗୁହ ନିହିତ’ ଶବ୍ଦ ବାରମ୍ଵାର ବ୍ୟବହାର କରି ଏହାର ଅନ୍ତର୍ଲିପି ସମ୍ବନ୍ଧରେ ୠଷି ଯଥେଷ୍ଟ ସୂଚନା ଦେଇଛନ୍ତି ।

 

ବେଦର ଭାଷା ସଙ୍ଗୀତମୟ ଛନ୍ଦୋମୟ ତଥା ଅକ୍ଷୟ, ଅମର । ବର୍ଷକାଳରେ ସେ ବର୍ଷିୟାନ୍‌ ନୁହନ୍ତି । କିମ୍ଵା ମାସ ବା ଦିବସରେ କ୍ଷୟପ୍ରାପ୍ତ ହୁଅନ୍ତି ନାହିଁ । ସେ ଇନ୍ଦ୍ର- ‘ଇନ୍ଦ୍ରଂ ଅବକର୍ଷୟନ୍ତି’ । (ଋ୬-୨୪-୭)

 

ବୈଦିକ ଋଷିମାନେ ତାଙ୍କ କୃତିର ଭବିଷ୍ୟତ୍‌ ସମ୍ବନ୍ଧରେ ଅସନ୍ଦିଗ୍‍ଧ ଭାବରେ କହିଯାଇଛନ୍ତି- “ଭୁଲିବାର ନୋହେ, ହେ ଗାୟକ କଦାପି ଭୁଲ ନାହିଁ-ତମର ଏହି ବାଣୀ ଯୁଗ ଯୁଗ ପରେ ମଧ୍ୟ ପ୍ରତିଧ୍ଵନିତ ହେବ । ” -ଆୟତ ତେ ଘୋଷନ୍‌ ଉତ୍ତରା ଯୁଗାନି ? (ଋକ୍ ୩-୩୮-୮)

 

ବେଦ ଚତୁଷ୍ଟୟ ମଧ୍ୟରେ ସର୍ବପ୍ରଥମ ଶ୍ରୁତି-ଋକବେଦରେ ‘ଅଗ୍ନି’ହିଁ ସର୍ବାଧିକ ସ୍ତୁତ ଦେବତା । ବୃଷ୍ଟି ଓ ଶିଶିରକାରକ ଇନ୍ଦ୍ର ମଧ୍ୟ ଅନ୍ୟତମ ପ୍ରଭାବଶାଳୀ ବୀର୍ଯ୍ୟବାନ୍‌ ଦେବତା ଅନ୍ୟାନ୍ୟ ଦେବଦେବୀଙ୍କ ଗହଣରେ, ବେଦର ସ୍ତବ ଦୃଷ୍ଟିରୁ । ଇନ୍ଦ୍ର ବ୍ୟତୀତ ମରୁତ୍, ଅଶ୍ଚିନୀ, ବିଶ୍ଵଦେବା ପ୍ରଭୃତିଙ୍କର ନାମ ମଧ୍ୟ ଉଲ୍ଲେଖଯୋଗ୍ୟ । ବିପର୍ଯ୍ୟୟ ସୂଚକ ଅନିଷ୍ଟକାରୀ ବୃତ୍ର, ରୁଦ୍ର, ଯମ ମଧ୍ୟ ବେଦରେ ବନ୍ଦ୍ୟ ।

 

ବେଦର ପ୍ରତ୍ୟେକ ସୁକ୍ତି ସହିତ ଜଣେ ଜଣେ ମନ୍ତ୍ରଦ୍ରଷ୍ଟାଙ୍କର ନାମ ସଂଶ୍ଳିଷ୍ଟ । ଶୁନହୋତ୍ର ପୁତ୍ର ଗୃତ୍ସମଦ, ବିଶ୍ଵାମିତ୍ର, ବାମଦେବ ଅତ୍ରି, ଭରଦ୍ୱାଜ ପ୍ରଭୃତି ଋଷିମାନେ ବେଦରେ ଚିରସ୍ମରଣୀୟ ହୋଇଛନ୍ତି । ସମ୍ଭବତଃ ବେଦର ସୂକ୍ତିଗୁଡ଼ିକ ତଦାକାରରେ ହେଉ ବା ତତ୍ ତତ୍ ଭାବବାହୀ ଅନ୍ୟ ବାକ୍ ଆକାରରେ ହେଉ, ଯେଉଁ ଯେଉଁ ଋଷିମାନଙ୍କ ମାନସପଟ୍ଟରେ ସର୍ବପ୍ରଥମ ଉଦିତ ହୋଇଥିଲା, ଆର୍ଯାବର୍ତ୍ତର କୃତଜ୍ଞ ଅଧିବାସୀମାନେ ସେହି ସେହି ଋଷିମାନଙ୍କ ନାମକୁ ତତ୍‌ସଂଲଗ୍ନ କରି ସେମାନଙ୍କର ସ୍ମୃତି ଓ ନାମକୁ ଅକ୍ଷୟ ଓ ଅବିସ୍ମରଣୀୟ କରି ଯାଇଛନ୍ତି ।

 

ବେଦକୁ ତେଣୁ ଭୟବିହ୍ଵଳ ବିସ୍ମୟାଭିଭୂତ ପରିପ୍ରକାଶ ବୋଲି କହିବା ଭୁଲ୍ ହେବ । ଆର୍ଯାବର୍ତ୍ତର ଅଧିବାସୀମାନଙ୍କର ଅତି ଆଦିମ ପ୍ରବୃତ୍ତି ଏହି କୃତଞ୍ଜତା-ବୋଧ ଜନିତ ଭକ୍ତିଭାବହିଁ ମାନବ ସମାଜର ଉଷାକାଳରେ ବରଦାତ୍ରୀ ବିଶାଳ ପ୍ରକୃତିର ବିଭିନ୍ନ ଶକ୍ତିଶାଳୀ ବିଭାବର ପ୍ରତିଭୂରୂପେ କଳ୍ପିତ ଅନେକ ଦେବଦେବୀଙ୍କୁ ପୂଜାର୍ହ ଓ ବନ୍ଦନୀୟ କରିଦେଇଛି; ପରମ୍ପରା କ୍ରମେ ଏହି କୃତଜ୍ଞତା ଭାବହିଁ ଆର୍ଯ୍ୟସମାଜର ଆଚାର ଓ ଚଳନିରେ ପ୍ରାଧାନ୍ୟ ଲାଭ କରି ଆସିଛି ଅଜିଯାକେ । ଏହି ଭାବହିଁ ସର୍ବଦା ଓ ସର୍ବଥା ଶ୍ଳାଘ୍ୟ ବିବେଚିତ ହୁଏ ଭାରତୀୟ ସଂସ୍କୃତିରେ । ଭାରତୀୟ ସଂସ୍କୃତିର ଦାୟାଦ ଯଦି କେବେ କୌଣସି ବ୍ୟକ୍ତିଠାରୁ, ସେ ଯେତେ ସାମାନ୍ୟ ହେଉ ପଛକେ, ନଗଣ୍ୟତମ ସାହାଯ୍ୟ ପାଇଥାଏ, ତେବେ ତା’ର ଶତଗୁଣିକ ପ୍ରତିଦାନ ନିମନ୍ତେ ସର୍ବଦା ଚେଷ୍ଟିତ ରହିବା ତା’ର ସ୍ଵଭାବଗତ ଧର୍ମ । ସେଥିପାଇଁ ପ୍ରତ୍ୟେକ ଆର୍ଯ୍ୟ ପକ୍ଷରେ ଦେବ ଋଣ, ଋଷି ଓ ପିତୃଋଣର ପରିଶୋଧ ଅବଶ୍ୟ କର୍ତ୍ତବ୍ୟରୂପେ ଗୃହୀତ । ଏପରିକି ଗୃହପାଳିତ ପଶୁମାନଙ୍କ ମଧ୍ୟରେ ସର୍ବାଧିକ ଉପକାରୀ ଗୋରୁ, ଗୋମାତାରୂପେ ସର୍ବାଧିକ ସେବ୍ୟ ଓ ପୂଜିତ । ତା’ର ପ୍ରତି ଲୋମ କୂପରେ ଦେବତାମାନଙ୍କର ଅଧିଷ୍ଠାନ । ସର୍ବ ଅଭିଳାଷର ସିଦ୍ଧି ଦାତ୍ରୀ ଗୋମାତାହିଁ କାମଧେନୁରୂପେ ଚିତ୍ରିତ । ଭାରତବାସୀର ସ୍ୱାସ୍ଥ୍ୟ ଦମ୍ପଦ ଗୋମାତା ଉପରେ ନିର୍ଭରଶୀଳ । ଭାରତର ଅର୍ଥନୀତି ଗୋସମ୍ପଦ-ଭିତ୍ତିକ ହୋଇଥିବାରୁ ଜନନୀ ଓ ଜନ୍ମଭୂମି ତୁଲ୍ୟ ତା’ର ମର୍ଯ୍ୟାଦା ହିନ୍ଦୁ ସମାଜରେ ପ୍ରତିଷ୍ଠିତ । ଏହି ମାନ୍ୟତା ମୂଳରେ ସେହି କୃତଜ୍ଞତା ବୋଧର ପ୍ରଭାବ ସୁସ୍ପଷ୍ଟ । ଏହି କୃତଜ୍ଞତା ବୋଧହିଁ ଭାରତୀୟ ସଂସ୍କୃତିକୁ ପ୍ରଗତିଶୀଳ କରିଛି, ତା’ର ପରମ୍ପରାକୁ ସୁରକ୍ଷିତ କରି ରଖିଛି । କୃତଜ୍ଞତା ବୋଧହିଁ ଜାତୀୟ ପ୍ରଗତିର ପ୍ରତୀକ । ଭାରତୀୟ ଭାବଧାରା କୃତଜ୍ଞତା ବୋଧରେ ଏପରି ପରିପୁଷ୍ଟ ଓ ଭାସ୍ୱତ ଯେ ଭାରତୀୟର ଶାଶ୍ଵତ ଚିନ୍ତନ ଏହି ଭାବବିନା ଏକପ୍ରକାର ଅସମ୍ଭବ । ଉପନିଷତ୍ ସାର ଶ୍ରୀମଦ୍‍ଭଗବତ୍‍ ଗୀତାରେ ସ୍ଵୟଂ ଶ୍ରୀ ଭଗବାନ୍ ଶ୍ରୀକୃଷ୍ଣ ଶିଷ୍ୟ ଅର୍ଜ୍ଜୁନଙ୍କୁ ଉପଦେଶ ଛଳରେ ଉଚ୍ଚସ୍ୱରରେ ଉଚ୍ଚାରଣ କରି କହିଛନ୍ତି- “(ହେ ମାନବ) ଯଜ୍ଞଦ୍ୱାରା ତୁମ୍ଭେମାନେ ଦେବାରାଧନା କର ! ଦେବତାମାନେ ତୁମ୍ଭମାନଙ୍କର ସମୃଦ୍ଧି ସାଧନ କରିବେ । ଏହି ପରସ୍ପର ଆଦାନପ୍ରଦାନ ଫଳରେ ତୁମ୍ଭେମାନେ ଶ୍ରେୟ ଲାଭ କରିବ । ଦେବତାମାନେ ମଧ୍ୟ ତୁମ୍ଭମାନଙ୍କର ଯଜ୍ଞ-ଭାବିତ ଇଷ୍ଟ ବା ଭୋଗ ପ୍ରଦାନ କରିବେ । ଦେବତାମାନଙ୍କର ସେହି ଦତ୍ତ ପଦାର୍ଥକୁ ଯିଏ ସେମାନଙ୍କୁ ସମର୍ପଣ ନ କରି ନିଜେ ଭୋଗ କରେ, ସେ ସ୍ତେନ ବା ଚୋର ।”

 

ଭାରତୀୟ ଚିନ୍ତନ ତଥା ଅଧ୍ୟାତ୍ମ ଦର୍ଶନରେ ନାନା ବିପ୍ଳବ ପରିଲକ୍ଷତ ହୋଇ, ନୂତନ ନୂତନ ଦିଗନ୍ତ ଆବିଷ୍କୃତ ହୋଇଛି ସମୟର ପ୍ରବାହରେ । ସମୟ ସମୟରେ ପରସ୍ପର ବିରୋଧତ୍ମାକ ସିଦ୍ଧାନ୍ତ ବିଚଳିତ କରିଛି, ବିବ୍ରତ ମଧ୍ୟ କରିଛି ଚିନ୍ତାଶୀଳ ପାର୍ଶନିକମାନଙ୍କୁ । ସମ୍ଭବତଃ ବାଦରାୟଣ ବ୍ୟାସ ତାଙ୍କର ମହିମାନ୍ଵିତ କୃତି ‘ମହାଭାରତ’ରେ ବକରୂପାଧାରୀ ଧର୍ମ ଓ ଯୁଧିଷ୍ଠିରଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କଥୋପକଥନ ଛଳରେ ସେହି ସମସ୍ୟାର ସମାଧାନ କରି କହିଗଲେ- “ତର୍କ ଅପ୍ରତିଷ୍ଠ, ଶ୍ରୁତି ମଧ୍ୟ ବିଭିନ୍ନ, କୌଣସି ଏକ ମୁନିର ମତ ପ୍ରାମାଣ୍ୟ ନୁହେଁ, ତେଣୁ ମହାଜନ (ଅର୍ଥାତ୍ ପିତାମହ, ମାତାମହ ପ୍ରପିତାମହ, ପ୍ରମାତାମହାଦି ପୂର୍ବପୁରୁଷମାନେ) ଯେଉଁ ପନ୍ଥା ଅନୁସରଣ କରିଯାଇଛନ୍ତି ସେହି ପରମ୍ପରାହିଁ ଆମ୍ଭମାନଙ୍କ ନିମନ୍ତେ ନିର୍ଦ୍ଦିଷ୍ଠ ଗନ୍ତବ୍ୟ ପଥ ।”

 

ଏହି ପରମ୍ପାରା ଅନୁସରଣଦ୍ଵାରାହିଁ ଆମ୍ଭେମାନେ ପିତୃଋଣ ପରିଶୋଧ କରିଥାଉଁ । ପିତୃପିତାମହଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ବା ତିଳତର୍ପଣ ଏକ ବାହ୍ୟିକ କ୍ରିୟା ବା ପ୍ରତୀକ ନୈବେଦ୍ୟ ମାତ୍ର । ସେମାନଙ୍କର ଗତାନୁଗତିକ ଧାରାରେ ପ୍ରବର୍ତ୍ତନଦ୍ଵାରା ଅର୍ଥାତ୍ ପରମ୍ପରାର ଅନୁସରଣଦ୍ଵାରାହିଁ ପ୍ରକୃତ ପିଣ୍ଡଦାନ ହୁଏ ଓ ତିଳତର୍ପଣ ସଙ୍ଗେ ସଙ୍ଗେ ପିତୃଋଣ ପରିଶୋଧ ହୁଏ । ଏହାହିଁ ପ୍ରତ୍ୟେକ ଭାରତବାସୀର ସ୍ଵଭାବଜ ଧର୍ମ । ପରଧର୍ମଠାରୁ ଏହି ସ୍ଵଧର୍ମ ଆଚରଣହିଁ ଶ୍ରେୟ ବୋଲି ପ୍ରତିପାଦନ କରି ଶ୍ରୀଭଗବାନ୍‍ ଗୀତାରେ ଦୃଢ଼ କଣ୍ଠରେ ଘୋଷଣା କରିଛନ୍ତି–“ସ୍ଵଧର୍ମେ ନିଧନଂ ଶ୍ରେୟଃ–ପରଧର୍ମୋ ଭୟାବହଃ ।”

 

ଦ୍ୱାପରର ଶେଷଭାଗରେ, କଳିର ପ୍ରାକ୍‌କାଳରେ, ଶ୍ରୁତିଯୁଗର ପରବର୍ତ୍ତୀ ସ୍ମୃତିଯୁଗର ପ୍ରବର୍ତ୍ତନ ସମୟରେ ଏହାହିଁ ଗୀତା-ଉଦ୍ଧୃତ ଶ୍ରୀ ଭଗବାନଙ୍କର ଉକ୍ତି । କୃତଜ୍ଞତାବୋଧର ପ୍ରକଟ ପ୍ରକାଶହିଁ ପରମ୍ପରା । ଏହି ପରମ୍ପରା ଉପରେ ଗୁରୁତ୍ଵ ଆରୋପ କରି ଶ୍ରୀଭଗବାନ୍‍ ତେଣୁ ଉପଦେଶ ଦେଇଛନ୍ତି ଶ୍ରୀମଦ୍‍ଭଗବଦ୍ ଗୀତାରେ–“ମୁଁ ଏହି ଯୋଗକୁ (ଜ୍ଞାନ ଓ କର୍ମକୁ, ବେଦର ଜ୍ଞାନ ଓ କର୍ମକାଣ୍ଡକୁ) ସର୍ବପ୍ରଥମେ ବିବସ୍ୱାନ୍ ସୂର୍ଯ୍ୟଙ୍କୁ କହିଥିଲେ । (ସୃଷ୍ଟି ଆଦ୍ୟରେ) । ସୁର୍ଯ୍ୟ ସ୍ଵୀୟ ପୁତ୍ର ମନୁଙ୍କ ନିକଟରେ ପ୍ରକଟ କଲେ ସେହି ଯୋଗକୁ । ମନୁ ପୁଣି ତଦୀୟ ପୁତ୍ର ଇକ୍ଷାକୁଙ୍କୁ କହିଲେ ଏବଂ ଇକ୍ଷାକୁଙ୍କଠାରୁ ପରବର୍ତ୍ତୀ ବଂଶଧରମାନେ ଅବଗତ ହେଲେ ।” ଏହାହିଁ ପରମ୍ପରା ଏବଂ ଏହି ପରମ୍ପରାର ଅନୁଶୀଳନ ଯେତେବେଳେ ଗ୍ଳାନି ପ୍ରାପ୍ତ ହୁଏ ସେତେବେଳେ ସେ (ଭଗବାନ୍) ନିଜକୁ ସୃଷ୍ଟି କରନ୍ତି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗୀତାରେ ।

 

ଏହି ପରମ୍ପରାକୁହିଁ ପ୍ରବର୍ତ୍ତିତ ଚକ୍ର ଆଖ୍ୟା ଦେଇ ଶ୍ରୀଭଗବାନ୍ ଗୀତାରେ ନିଜମତକୁ ପୁଷ୍ଟ କରି କହିଛନ୍ତି–“ଯଜ୍ଞରୁ ଯେପରି ବୃଷ୍ଟି, ବୃଷ୍ଟିରୁ ଅନ୍ନ, ଅନ୍ନରୁ ଭୂତମାନଙ୍କର ସମ୍ଭବ ହୁଏ ସେହିପରି କର୍ମରୁ ଯଜ୍ଞ, କର୍ମ ପୁଣି ବ୍ରହ୍ମରୁ ଏବଂ ବ୍ରହ୍ମ ଅକ୍ଷରରୁ ସମୁଦ୍ଭବ । ଏହି ସର୍ବଗତ ବ୍ରହ୍ମପୁଣି‍ ଯଜ୍ଞରେ ନିତ୍ୟ ପ୍ରତିଷ୍ଠିତ । ଏହାହିଁ ପ୍ରବର୍ତ୍ତିତ ଚକ୍ର । ଯେ ଏହି ପ୍ରବର୍ତ୍ତିତ ଚକ୍ରକୁ ଅନୁସରଣ ନ କରେ ସେ ଅଘାୟୁ, ଇନ୍ଦ୍ରିୟାସକ୍ତ ଓ ପାପୀ ।”

 

ଅର୍ଥାତ୍ ଅକ୍ଷରରୁ ବ୍ରହ୍ମ, ବ୍ରହ୍ମରୁ କର୍ମ, କର୍ମରୁ ଯଜ୍ଞ, ଯଜ୍ଞରୁ ବୃଷ୍ଟି, ବୃଷ୍ଟିରୁ ଅନ୍ନ, ଅନ୍ନରୁ ଭୂତମାନଙ୍କର ଉତ୍ପତ୍ତି । ଏହି ସମଗ୍ର ଭୌତିକ ଜଗତର ଉତ୍ପତ୍ତିସ୍ଥଳ ଅକ୍ଷର ବ୍ରହ୍ମ ପୁଣି ସର୍ବଗତ, ସର୍ବତ୍ର ବିରାଜମାନ ଏବଂ ଯେଉଁ ଯଜ୍ଞରୁ ବା ତ୍ୟାଗରୁ ଭୂତମାନଙ୍କ ଉତ୍ପତ୍ତି ସେହି ଯଜ୍ଞରେ ଆଦିସ୍ରଷ୍ଟା ଅକ୍ଷର ବ୍ରହ୍ମ ନିତ୍ୟ ପତିଷ୍ଠିତ । ତେଣୁ ଯଜ୍ଞ ବା ତ୍ୟାଗହିଁ ସମସ୍ତ ସୃଷ୍ଟିର କେନ୍ଦ୍ରବିନ୍ଦୁ । ନିଜର ସ୍ଵାର୍ଥସିଦ୍ଧିପାଇଁ କର୍ମ ନ କରି, ସ୍ଵାର୍ଥତ୍ୟାଗ ପୂର୍ବକ ଯିଏ ବରଦାତା ଦେବତାମାନଙ୍କ ନିମନ୍ତେ ବା ସ୍ରଷ୍ଟା ଅକ୍ଷର ବ୍ରହ୍ମଙ୍କ ନିମନ୍ତେ ଯଜ୍ଞ କରେ ତାହାରି ଆଦର୍ଶ କର୍ମହିଁ ଗୀତା ମତରେ ଲୋକସଂଗ୍ରହ ବା ଲୋକକଲ୍ୟାଣକର । ପରମ୍ପରାଗତ ଏହି ଲୋକସଂଗ୍ରହକାରୀ ବ୍ୟକ୍ତିମାନେହିଁ ଗୀତାବର୍ଣ୍ଣନା ମତେ ସମାଜରେ ଶ୍ରେଷ୍ଠ ପୁରୁଷରୂପେ ବିବେଚିତ ହୁଅନ୍ତି । ଏବଂ ଏହି ଶ୍ରେଷ୍ଠ ପୁରୁଷମାନେ ଯେପରି ଆଚରଣ କରନ୍ତି ଇତର ଜନେ ତାହାରି ଅନୁବର୍ତ୍ତୀ ହୋଇଥାନ୍ତି । ଏହାହିଁ ପରମ୍ପରା । ଏହି ପରମ୍ପରା ବା ପ୍ରବର୍ତ୍ତିତ ଚକ୍ରକୁ ଯେ ଅନୁସରଣ ନ କରେ ସେ ଅଘାୟୁ । ଶ୍ରୀଭଗବାନ୍‍ ମଧ୍ୟ ଏହି ପରମ୍ପରା ବା ପ୍ରବର୍ତ୍ତିତ ଚକ୍ରକୁ ଆଶ୍ରୟ କରି ଅତନ୍ଦ୍ରିତ ନିରଳସ ଭାବରେ ଲୋକକଲ୍ୟାଣକର ଆଦର୍ଶଗତ ପାରମ୍ପରିକ କର୍ମରେ ରତ । ସେ ଯଦି ସେପରି କର୍ମ ନ କରନ୍ତି ତେବେ ବର୍ଣ୍ଣସଙ୍କର କାରକ ହୋଇ ସୃଷ୍ଟିନାଶର ହେତୁ ହେବେ ବୋଲି ନିଜ ଶ୍ରୀମୁଖରେ ଘୋଷଣା କରିଛନ୍ତି ଶ୍ରୀମଦ୍‍ଭଗବତ୍ ଗୀତାରେ-

 

ଅତଏବ ପିତୃପିତାମହାଦି ଶ୍ରେଷ୍ଠମାନଙ୍କ ପ୍ରଦର୍ଶିତ କୃତଜ୍ଞତା-ବୋଧଦ୍ଵାରା ପରିଚାଳିତ ହୋଇ ନିଃସ୍ୱାର୍ଥପର ଅନାସକ୍ତ ଭାବରେ ଦେବାର୍ଚ୍ଚନାଦି ତ୍ୟାଗମୂଳକ ଯଜ୍ଞ କର୍ମରେ ନିଜକୁ ନିରଳସ ଭାବରେ ନିୟୋଜିତ କରି ଯିଏ ପରମ୍ପରା ଅନୁବର୍ତ୍ତୀ ନ ହୁଏ ସେ ପରମ୍ପରାରୁ ବିଚ୍ୟୁତ ବର୍ଣ୍ଣସଙ୍କରକର୍ତ୍ତା । ଏହାହିଁ ଶ୍ରୀ ଭଗବାନ୍‍ଙ୍କ ଉକ୍ତି । ଏବଂ ଏହି ବକ୍ତବ୍ୟ ମଧ୍ୟରେ ଭାରତୀୟ ଜୀବନଦର୍ଶନର ସାରତତ୍ତ୍ଵ ନିହିତ । ଏହି ଜୀବନାଦର୍ଶହିଁ ବୈଦିକ ୠଷିମାନଙ୍କର ମନ୍ତ୍ର ସ୍ରୋତରେ ସମ୍ୟକ୍ ପ୍ରତିଫଳିତ ।

 

ଏହି ପିତୃପୁରୁଷମାନଙ୍କ ଉଦ୍ଦେଶ୍ୟରେ ବେଦ ଗାଇଛନ୍ତି–

 

“ଉପହୁତାଃ ପିତରଃ ସୌମ୍ୟାସୋ

ବର୍ହିଷ୍ୟେଷୁ ନିଧିଷୁ ପ୍ରିୟେଷୁ

ତଽଆଗମନ୍ତୁ ତଽଇହ ଶ୍ରବନ୍ତ୍ୱଧିବ୍ରୁବନ୍ତୁ

ତେଽବନ୍ତ୍ୱସ୍ମାନ୍‌”

(ଯଜୁଃ-୧୯-୫୭)

 

“ଆମ ଗୃହରେ ସତ୍ୟବାଦୀ ନିଷ୍କପଟ ପିତୃପୁରୁଷ ଅତିଥି ଭାବରେ ବିରାଜମାନ ହୁଅନ୍ତୁ । ଅମୃତମୟ ଉପଦେଶ ଦେଇ ଗୃହକୁ ସ୍ଵର୍ଗଧାମରେ ପରିଣତ କରନ୍ତୁ । ଆମ୍ଭମାନଙ୍କର ଅଜ୍ଞାନ ମୋହକୁ ଦୂର କରନ୍ତୁ । ନିମନ୍ତ୍ରିତ ପିତୃପୁରୁଷଗଣ ଆସନ୍ତୁ, ଆସନ୍ତୁ ! ଏହିଠାରେ ଆମର ବଚନ ଶୁଣନ୍ତୁ । ସେମାନେ ଅଧିଷ୍ଠାତା ହୋଇ ଆଜ୍ଞା ଓ ଉପଦେଶ ଦିଅନ୍ତୁ–ଆମ୍ଭମାନଙ୍କୁ ରକ୍ଷା କରନ୍ତୁ ।

 

ଗୀତୋକ୍ତ “ଦେବତାମାନେ ତୁମ୍ଭମାନଙ୍କୁ କଲ୍ୟାଣ କରନ୍ତୁ ଏବଂ ତୁମ୍ଭେ ଦେବତାମାନଙ୍କୁ ପ୍ରାର୍ଥନା କର” ଇତ୍ୟାଦି ଉକ୍ତି ମଧ୍ୟ ବେଦରେ ପ୍ରତିଫଳିତ ହୋଇଛି ।

 

ଦେହି ମେ ଦଦାମି ତେ ନି ମେ ଧେହି ତେ ଦଧେ

ନିହାରଂ ଚ ହରସି ମେ ନିହାରଂ ନିହରାଶି ତେ ସ୍ଵାହା ।

 

ଅର୍ଥାତ୍‌ “ତମେ ମୋତେ ଦିଅ, ମୁଁ ତମକୁ ଦେଉଛି । ତମେ ମୋତେ ଧାରଣ କର, ମୁଁ ତୁମକୁ ଧାରଣ କରୁଛି । ସୁନ୍ଦର ଆହୁତି ପରି ତୁମେ ମୋତେ ହରଣ କର ଏବଂ ମୁଁ ତୁମ୍ଭଙ୍କୁ ନିରନ୍ତର ହରଣ କରୁଛି । ” (ଯଜୁ ୩-୫୦)

 

ଏହି କୃତଜ୍ଞତା ଭାବରେ ଉଦ୍‌ବୁଦ୍ଧ ଋଷି ସେଦିନ କହିଥିଲେ–“ଅଗ୍ନେ, ତ୍ଵାଂ କାମେୟ ଗିର ।” –ହେ ସର୍ବପ୍ରକାଶନ ପ୍ରଭୋ–ତୁମରି ପ୍ରଦତ୍ତ ସତ୍ୟବାଣୀଦ୍ୱାରା ମୁଁ ତୁମ୍ଭଙ୍କୁହିଁ ଚାହେଁ–ତୁମରି ନାମ ବାରମ୍ଵାର ଉଚ୍ଚାରଣ କରେଁ । (ସାମ)

 

ଏହି କୃତଜ୍ଞତାଜ୍ଞାପକ ଉକ୍ତିରେ ୠଷି ସେଦିନ ଗାଇଥିଲେ–

 

ଅର୍ଚତ ପ୍ରାର୍ଚତ ପ୍ରିୟମେଧ ସୋ ଅର୍ଚତ ।

ଅର୍ଚନ୍ତୁ ପୁତ୍ରକା ଉତ ପୁରଂ ନ ଧୃଷ୍ଣ୍ୱର୍ଚତ”

(ଋକ୍ ୮-୬୧-୮ ଓ ସାମ ୩୫୨)

 

ଅବ ସ୍ୱରାତି ଗର୍ଗରୋ ଗୋଧା ପରିସନିଷ୍ଵଣତ୍

ପିଙ୍ଗା ପରି ଚନିଷ୍କବଦ୍ ଇନ୍ଦ୍ରାୟ ବ୍ରହ୍ମୋଦ୍ୟତମ୍ ।

(ୠକ୍ ୮-୬୯ ୯ ଓ ଅଥର୍ବ ୨୦-୧୨-୧୨ ୫)

 

ଗାଅ ତ୍ଵରା ତମର ସେହି ଲଳିତ ଗାନ ହେ ପ୍ରିୟମେଧା,

ଶିଶୁମାନେ ମଧ୍ୟ ସେହି ସଙ୍ଗୀତ ଗାନ କରନ୍ତୁ,

ଦୃଢ଼ ଦୁର୍ଗ ସମ ସେହି ମହଦାଶ୍ରୟ ଗୁଣ ଗାନକର,

ଗର୍ଗରରେ ସେହି ସଙ୍ଗୀତ ଝଂକୃତ ହେଉ !

ତା’ର ପ୍ରତିଧ୍ଵନି ମନ୍ଦ୍ରିତ ହେଉ ଗୋଧା ଯନ୍ତ୍ରରେ !

 

ଆମର ଏହି ମନ୍ତ୍ର–ଏହି ପ୍ରାର୍ଥନା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ହେଉ !

 

ଭାରତୀୟ ଆଧ୍ୟାତ୍ମ୍ୟ ଚିନ୍ତନର ବୀଜମନ୍ତ୍ର ଏହି ବେଦ ସନାତନ ଧର୍ମର ପରିଭାଷା ସ୍ଵରୂପ । ସହସ୍ର ସହସ୍ର ବର୍ଷ କାଳବକ୍ଷରେ ଲୀନ ହୋଇ ଯାଇଛି, ଭାରତବାସୀର ସାଂସ୍କୃତିକ ଜୀବନରେ କଳ୍ପନାତୀତ ପରିବର୍ତ୍ତନ ଦେଖା ଦେଇଛି; ଏହି ଅପୌରୁଷେୟ ବେଦ, ଧ୍ରୁବତାରା ସଦୃଶ ଜ୍ଞାନ-ସମୁଦ୍ରରେ ଭାସମାନ ତରଣୀ ଶ୍ରେଣୀର ପଥପ୍ରଦର୍ଶକରୂପେ ସତତ ସମୁଜ୍ଜ୍ଵଳ ଏବଂ ସତ୍ୟ ଓ ଋତରୂପେ ସୁପ୍ରତିଷ୍ଠିତ । ଭାରତୀୟ ଦର୍ଶନର ବିବିଧ ଶାଖା, ଜ୍ଞାନ, କର୍ମ ଓ ଭକ୍ତି ଯୋଗର ସୂତ୍ର ସ୍ଵରୂପ ବେଦହିଁ ବୀଜପ୍ରଦ ପିତା ।

 

“ଭୂର୍ ଭୁବଃ ସ୍ଵଃ ତତ୍‌ ସବିତୁର୍ ବରେଣ୍ୟ°

ଭର୍ଗୋଦେବସ୍ୟ ଧୀମହି ।

ଧିୟୋ ୟୋନଃ ପ୍ରଚୋଦୟାତ୍ ।”

 

ୠକ୍ ସାମ ଯଜୁଃ ଆଦି ବେଦବର୍ଣ୍ଣିତ ଏହି ଗାୟତ୍ରୀହିଁ ଜ୍ଞାନର ମୂଳାଧାର, ସର୍ବୋତ୍ତମ ଶକ୍ତିର ଆବାହନ, ଶକ୍ତିଲାଭ ନିମନ୍ତେ ପ୍ରାର୍ଥନା । “ତିନି ଲୋକରେ ପରିବ୍ୟାପ୍ତ ସେହି ବରେଣ୍ୟ ଦେବତାଙ୍କୁ ଆମେ ଚିନ୍ତାନେତ୍ରରେ ଦର୍ଶନ କରୁ । ସେ ଆମର ଧୀଶକ୍ତିକୁ ପ୍ରଚେଦନା ଦିଅନ୍ତୁ ।” ଏହାହିଁ ଜ୍ଞାନୀର ପ୍ରଥମ ପ୍ରାର୍ଥନା, ତମସାର ଅତୀତ । ସେହି ଆଦିତ୍ୟବର୍ଣ୍ଣ ଦୀପ୍ତିମନ୍ତ ମହାନ୍ତ ପୁରୁଷଙ୍କ ଉଦ୍ଦେଶ୍ୟରେ–

 

“ବେଦ ହଂ ଏତଂ ପୁରୁଷଂ ମହାନ୍ତଂ-

ଆଦିତ୍ୟବର୍ଣ୍ଣ ତମସଃ ପରସ୍ତାତ୍ ।

(ଯ (ବା) ୩୭-୨୮)

 

ଜ୍ଞାନ ଯୋଗୀର ଧ୍ୟେୟ ଜ୍ୟୋତି-ଜ୍ଞାନର ପ୍ରତୀକ ଆଲୋକ । ତା’ର ପ୍ରଥମ ସାଧନ ‘ଧୀ’ ମେଧା, କ୍ରତୁ ଓ ଦକ୍ଷ । ବେଦର ବହୁ ମନ୍ତ୍ରରେ ସାଧକ ଏହାହିଁ ପ୍ରାର୍ଥନା କରିଛି, ସେହି ଅଜ୍ଞେୟ ଈଶ୍ଵର ବ୍ରହ୍ମ ଓ ପରମାତ୍ମାଙ୍କର ବିଭିନ୍ନ ରୂପ ବା ନାମାନ୍ତର ନିକଟରେ ।

 

ଜ୍ଞାନଯୋଗର ସମକକ୍ଷ କର୍ମଯୋଗ ଉପରେ ମଧ୍ୟ ବେଦ ବିଶେଷ ଗୁରୁତ୍ଵ ଆରୋପ କରିଛନ୍ତି । କର୍ମଯୋଗୀ ପକ୍ଷରେ କର୍ମକ୍ଷମ ଶରୀରର ସୁସ୍ଥତା ଯେପରି ପ୍ରୟୋଜନ ମନର ନିର୍ମଳତା ମଧ୍ୟ ତଦ୍ରୂପ ଅପରିହାର୍ଯ୍ୟ । ଜ୍ଞାନ ବ୍ରାହ୍ମଣଯୋଗ୍ୟ ଧର୍ମ ଓ କର୍ମ କ୍ଷତ୍ରିୟୋଚିତ ଧର୍ମ ବୋଲି କେହି କେହି ମତ ପ୍ରକାଶ କରିଥାନ୍ତି । ତେଣୁ ବେଦରେ କର୍ମଯୋଗ ଅନୁକୂଳ ପ୍ରାର୍ଥନା ସ୍ୱାସ୍ଥ୍ୟ, ସୁଖ, ଆୟୁ ବଳବୀର୍ଯ୍ୟଭିତ୍ତିକ । କର୍ମ ଯୋଗୀର ଦେବତା, ସେଥିପାଇଁ ବେଦମନ୍ତ୍ରରେ ବୀର୍ଯ୍ୟବାନ୍‌ ଇନ୍ଦ୍ର ।

 

କର୍ମଯୋଗୀ ବେଦରେ ପ୍ରାର୍ଥନା କରିଛି–“ପଶ୍ୟେମ ଶରଦଃ ଶତଂ ଜୀବେମ ଶରଦ ଶତମ୍ । ” ୠକ୍ ସାମ ଯଜୁଃ ଓ ଅଥର୍ବରେ ସର୍ବତ୍ର ଏହି ବାଣୀ–ଏହି ପ୍ରାର୍ଥନା । ସେ ପ୍ରାର୍ଥନା କରିଛି ଜରାବ୍ୟାଧିରୁ ରକ୍ଷା ପାଇବାପାଇଁ, ପୂର୍ଣ୍ଣ ଜୀବନ ଦୀର୍ଘାୟୁ ଜୀବନ, ନିର୍ମଳ ଜୀବନ ନିମନ୍ତେ । ପରିଶେଷରେ କର୍ମଯୋଗୀ ପକ୍ଷରେ ଚରମ ତ୍ୟାଗ ସ୍ଵୀକାର କରିବାର ଆଦର୍ଶକୁ ଗ୍ରହଣ କରି ନେଇ ସେ କହିଛି–

 

“ଦେବଭ୍ୟଃ କମ୍ ଆବୃଣୀତ ମୃତ୍ୟୁଂ

ପ୍ରଜାୟୈ କମ୍ ଅମୃତଂ ନାବୃଣୀତ ।

ବୃହସ୍ପତି ଯଜ୍ଞମ୍ ଅକୃଣ୍ଵତ ୠଷିଂ

ପ୍ରିୟାଂ ଯମମ୍ ତତ୍ତ୍ଵଂ ପ୍ରାରିରେଚିତ ।

 

ଅର୍ଥାତ୍‌ ଈଶ୍ୱରଙ୍କ ନିମନ୍ତେ ସେ ମୃତ୍ୟୁ ବରଣ କରିଥିଲେ–ଏବଂ ମାନବ ଜାତିପାଇଁ ମଧ୍ୟ-। ସେ ଅମରତ୍ଵ ଚାହିଁ ନାହାନ୍ତି–ମନୁଷ୍ୟପାଇଁ ଭଗବାନ୍‌ଙ୍କପାଇଁ ସେ ଚାହିଁଛନ୍ତି ମୃତ୍ୟୁ । ୠଷି ବୃହସ୍ପତିଙ୍କୁ ମଧ୍ୟ ମୃତ୍ୟୁ ବରଣ କରିବାକୁ ପଡ଼ିଥିଲା । ଯମ ମଧ୍ୟ ନିଜର ପ୍ରିୟ ପିଣ୍ତକୁ ତ୍ୟାଗ କରିଥିଲେ-ମାନବ ଓ ଦେବତାଙ୍କପାଇଁ । ”

 

ବେଦ ଜ୍ଞାନକାଣ୍ଡ ଓ କର୍ମକାଣ୍ଡପାଇଁ ପ୍ରସିଦ୍ଧ । କାହାରି କାହାରି ମତରେ ‘ଭକ୍ତି’ ବେଦୋତ୍ତର କାଳର ପରିକଳ୍ପନା । ମାତ୍ର ଭକ୍ତିର ସ୍ଵତନ୍ତ୍ର ସ୍ଥାନ ବେଦରେ ଥାଉ ନ ଥାଉ, ଭକ୍ତି ଉଭୟ ଜ୍ଞାନ ଓ କର୍ମ ସହ ଓତଃ ପ୍ରୋତଃ ଭାବରେ ଜଡ଼ିତ । ପ୍ରତ୍ୟେକ ସ୍ତବ ଓ ସ୍ତୁତିରେ ଭକ୍ତିର ପ୍ରବଣତା । ତା’ଛଡ଼ା ଭଗବାନ୍‌ଙ୍କୁ ସମ୍ବନ୍ଧରେ ବାନ୍ଧିବା ଭକ୍ତି ସାଧନର ସର୍ବ ପ୍ରଥମ ଅଙ୍ଗ । ବେଦରେ ଭଗବାନ୍‌ କେତେବେଳେ ପିତା ମାତା ଭ୍ରାତା ଓ ବନ୍ଧୁ ଭାବରେ କେବେ ଭର୍ତ୍ତା, ତ୍ରାତା, ସ୍ଵାମୀ ରୂପରେ ସମ୍ବୋଧିତ ହୋଇଛନ୍ତି ।

 

ଋକବେଦ କହନ୍ତି–

 

ତ୍ରାତା ନୋ ବୋଧି ଦଦୃଶାନ୍ ଆପିର

ଅଭିଖ୍ୟାତା ମଣ୍ଡିତା ସୋମ୍ୟାନାମ୍ ।

ସଖା, ପିତା, ପିତୃତ୍ତମ, ପିତୃଣାଂ

କର୍ତ୍ତେମୁ ଲୋକମ୍ ଉଶତେ ବ୍ୟୋଧାଃ

(ଋ-୪ ୧୬-୧୭)

 

ଅର୍ଥାତ-ତମେ ଆମର ତ୍ରାତା, ଆମର ଅତ୍ୟନ୍ତ ଆପଣାର ପ୍ରତିଭାତ ହୁଅ । ତମେ ଆରାଧକ ପ୍ରତି ଦୟା ପ୍ରଦର୍ଶନ କର–ତାଙ୍କୁ ପ୍ରତିପାଳନ କର । ହେ ବନ୍ଧୁ, ହେ ପିତା, ହେ ପିତୃଗଣଙ୍କ ମଧ୍ୟରେ ସର୍ବୋତ୍ତମ ପିତା, ଭକ୍ତ ଆରାଧକମାନଙ୍କୁ ମୁକ୍ତ ସ୍ଥାନ ଓ ଜୀବନ ଦାନ କରି, ପ୍ରତିପାଳନ କର । ଅଥର୍ବ ଓ ଯଜୁର୍ବେଦ ମଧ୍ୟ ସମସ୍ଵରରେ କହିଛନ୍ତି-

 

ୟୋନଃ ପିତା ଜନିତା ୟେ ବିଧାତା-ଆମର ପିତା, ଆମର ସ୍ରଷ୍ଟା, ଆମର ବିଧାତା–(ସ-୧୭-୨; ଅ-୨/୭/୩)

 

ଋକ୍ ସାମ୍ ଓ ଅଥର୍ବ ପୁଣି କହିଛନ୍ତି,-‘ତ୍ଵଂ ମାତା ଶତକ୍ରତୋ ବଭୂବିଥ’-ତମେ ଆମର ମାତା ସ୍ଵରୂପ ।

 

ଭକ୍ତି ଶାସ୍ତ୍ର ଈଶ୍ଵରଙ୍କ ସହିତ ଚତୁର୍ବିଧ ସଂବଂଧିତ ସାଧନର ପ୍ରଣାଳୀ ନିର୍ଦ୍ଦେଶ କରିଛନ୍ତି-ଦାସ୍ୟ, ସଖ୍ୟ ବାତ୍ସଲ୍ୟ ଓ ମଧୁର । ପ୍ରଭୁଦାସ ବା ପିତାପୁତ୍ର ସବନ୍ଧ ତଥା ସଖ୍ୟଭାବ ଚାରି ବେଦରେ ବହୁ ସ୍ଥାନରେ ଉଲ୍ଲେଖ ଅଛି । ଋକ୍ବେଦରେ ଈଶ୍ଵରଙ୍କ ସହ ବାତ୍ସଲ୍ୟ ସଂବଂଧ ସ୍ଥାପନର ମଧ୍ୟ ସୂଚନା ରହିଛି–

 

“ତଂ ପାକେନ ମନସାପଶ୍ୟମ୍ ଅନ୍ତିତମ୍

ତଂ ମାତା ରେଲ୍‌ହି ସ ଉ ରେଳ୍‌ହି ମାତରମ୍

(୧୦-୧୧୪-୪)

 

ସରଳ ହୃଦୟ ଘେନି ମୁଁ ତାଙ୍କୁ ନିକଟରୁ ଦେଖିଛି– ତାଙ୍କର ମାତା ତାଙ୍କୁ ଚୁମ୍ବନ ଦେଇଛନ୍ତି ଏବଂ ସେ ମଧ୍ୟ ମାତାଙ୍କୁ ଚୁମ୍ବନ ଦାନ କରୁଛନ୍ତି ।”

 

ମଧୁର ରସର ଆଭାସ ଦେଇ ଋକବେଦ କହିଲେ–

 

“ପରି ବ୍ୟଜନ୍ତେ ଜନୟୋ ଯଥା ପତିଂ

ମର୍ଯ ନ ଶୁନ୍ଧ୍ୟୁଂ ମଘବାନମ୍ ଊତୟେ‌ ।”

 

ସୁତରାଂ ସନାତନ ହିନ୍ଦୁଧର୍ମ ଯେତେବେଳେ ଯୁଗୋପଯୋଗୀ ନବ କଳେବର ଧାରଣ‌ କରି ଭଗବତ୍ ପ୍ରେମରେ ଆପ୍ଳୁତ ହେବାରହିଁ ଜୀବର ପଞ୍ଚମ ପୁରୁଷାର୍ଥ ବୋଲି ଘୋଷଣା କଲେ ସେହି ଭାଗବତ ଧର୍ମର ବୀଜ ସୂତ୍ର ମଧ୍ୟ ବେଦବିଦିତ–ବେଦ ବହିର୍ଭୂତ ନୁହେଁ ।

 

ବୈଦିକ ଯୁଗର ପରବର୍ତ୍ତୀ ସ୍ମୃତି କାଳ ମଧ୍ୟ ବେଦାନୁଗତ । ଦୈବାତ୍ ଯଦି ଉଭୟ ଚିନ୍ତନରେ ବୈଷମ୍ୟ ଦେଖାଯାଇଛି ବା ପରସ୍ପର ବିରୋଧ ଭାବର ସୂଚନା ମିଳିଛି, ତେବେ ଦାର୍ଶନିକ ପଣ୍ଡିତ ସମାଜ ବେଦକୁହିଁ ସର୍ବଦା ମାନ୍ୟ ଦେଇ ଆସିଛନ୍ତି । କାରଣ ଇଷ୍ଟ ପ୍ରାପ୍ତି ନିମନ୍ତେ ବେଦବିହିତ ସାଧନହିଁ ଧର୍ମର ପ୍ରକୃତ ସଂଜ୍ଞା । ଭାରତୀୟ ସନାତନ ଧର୍ମର କ୍ରମବିକାଶ ପ୍ରତି ଦୃଷ୍ଟି ଦେଲେ ବେଦହିଁ ସର୍ବତ୍ର ସୂତ୍ରାକାରରେ ପରିବ୍ୟାପ୍ତ ହେଲା ପରି ମନେ ହେବା ସ୍ଵାଭାବିକ ।

 

ବେଦର ମୁଖ୍ୟ ଦୁଇ ଭାଗ ସଂହିତା ଓ ବ୍ରାହ୍ମଣ ମଧ୍ୟରୁ ଦେବତାବିଶେଷଙ୍କ ଉଦ୍ଦେଶ୍ୟରେ ଅର୍ପିତ ସ୍ତୁତିର ସ୍ମାରକ ବାକ୍ୟ ବା ମନ୍ତ୍ରର ସମାହାରହିଁ ସଂହିତା । ଚାରି ବେଦର ଚାରୋଟି ସ୍ଵତନ୍ତ୍ର ସଂହିତା ଦେଖିବାକୁ ମିଳେ ଋକ୍ ସଂହିତା, ସାମ ସଂହିତା, ଯଜୁଃ ସଂହିତା ଓ ଅଥର୍ବ ସଂହିତା । ଏହି ସମସ୍ତ ସଂହିତାର ସଙ୍କଳନ ସ୍ଵୟଂ ବେଦବ୍ୟାସ ପୁରାଣର ଆଖ୍ୟାୟିକା ମତରେ । ପୁଣି ସେହି ପୁରାଣରୁ ପ୍ରମାଣ ମିଳେ ଯେ ରାଜା ଯୁଧିଷ୍ଠିରଙ୍କର ଶାସନ କାଳରେ ବେଦର ବିଧିବଦ୍ଧ ସଂସ୍କାର ସମ୍ଭବ ହୋଇଥିଲା ସର୍ବପ୍ରଥମ, ଦ୍ୱାପରର ଶେଷ ଭାଗରେ । ଉଭୟ ସଂକଳନ ଓ ସଂସ୍କରଣ ସହିତ ବେଦବ୍ୟାସଙ୍କର ନାମ ସଂଶ୍ଳିଷ୍ଟ । ଯଜ୍ଞର ଆବଶ୍ୟକତା, ଆବଶ୍ୟକୀୟ ଉପକରଣ ପ୍ରତି ଦୃଷ୍ଟି ରଖି ସମ୍ଭବତଃ ରାଜା ଯୁଧିଷ୍ଠିର ମହାଭାରତ ବର୍ଣ୍ଣିତ ବିରାଟ ରାଜସୂୟ ଯଜ୍ଞାନୁଷ୍ଠାନର ଅବ୍ୟବହିତ ପୂର୍ବରୁହିଁ ଏହି ବେଦୋଦ୍ଧାର କର୍ମ ସମ୍ପନ୍ନ ହୋଇଥିଲା ।

 

ବେଦର ଦ୍ଵିତୀୟ ସଂସ୍କରଣ ସମ୍ଭବତଃ ସମ୍ଭବ ହୋଇଥିଲା ବ୍ୟାସଙ୍କ ପରେ ପୈଳ, ଜୈମିନୀ, ବୈଶମ୍ପାୟନ ଓ ସୁମନ୍ତୁ ପ୍ରଭୃତି ଋଷିମାନଙ୍କଦ୍ୱାରା । ସେଥିପାଇଁ ଋକବେଦ ସହିତ ପୈଳ, ସାମ ସହିତ ଜୈମିନୀ, ଯଜୁଃ ସହିତ ବୈଶମ୍ପାୟନ ଏବଂ ଅଥର୍ବ ସହିତ ସୁମନ୍ତୁ ଋଷିଙ୍କ ନାମ ଜଡ଼ିତ-। ଏମାନେ ସମସ୍ତେ ପ୍ରାଗୈତିହାସିକ ।ବେଦର ଐତିହାସିକ ସଂସ୍କାରକ ଶ୍ରୀ ସାୟଣାଚାର୍ଯ୍ୟ । ପ୍ରତ୍ୟେକ ବେଦ ଉପରେ ସାୟଣଭାଷ୍ୟ ଅବଶ୍ୟ ଉଲ୍ଲେଖନୀୟ କୃତି । ସାୟଣଭାଷ୍ୟ ବ୍ୟତିରେକେ ବେଦର ବିଷମ ଦୁର୍ଗରେ ପ୍ରବେଶ କରିବା ଦୁଃସାଧ୍ୟ । ବେଦର ଭାଷା, ବେଦବିହିତ ଶବ୍ଦାବଳିର ପ୍ରକୃତ ଅର୍ଥ ଏବଂ ସେ ସବୁର ରୂପକ ଓ ବ୍ୟଞ୍ଜନାର୍ଥ ଏପରି ବିଚିତ୍ର ଯେ ସାୟଣାଚାର୍ଯ୍ୟ ଯଥାସମୟରେ ଆବିର୍ଭାବ ନ ହୋଇଥିଲେ ବର୍ତ୍ତମାନ ପାଶ୍ଚାତ୍ୟ ସଭ୍ୟତା ଅଭିମୁଖୀ ସମାଜରେ ବେଦ ଏକ ପ୍ରକାର ବିସ୍ମୃତିର ଗର୍ଭରେ ସୁପ୍ତ ହୋଇ ରହିଯାଇଥାନ୍ତା । ବିଜୟନଗର ରାଜ୍ୟର ସଂସ୍ଥାପକ ରାଜା ମହାରାଜା ବୁକ୍ଵ ପ୍ରଥମ ତଥା ତାଙ୍କର ଉତ୍ତରାଧିକାରୀ ମହାରାଜା ହରିହରଙ୍କ ରାଜତ୍ଵ କାଳରେ ଦକ୍ଷିଣ ଭାରତର କୌଣସି ଏକ ଜନପଦରେ ଜନ୍ମ ଗ୍ରହଣ କରିଥିଲେ ଏହି ଅକ୍ଷୟ କୀର୍ତ୍ତିଶାଳୀ ମହାପୁରୁଷ ୧୩୫୦ ଖ୍ରୀଷ୍ଟାବ୍ଦରେ । ତତ୍ପରବର୍ତ୍ତୀ ଉଲ୍ଲେଖନୀୟ ବ୍ୟାଖ୍ୟା ଦେଖିବାକୁ ମିଳେ ଭାରତର କୃତୀ ସନ୍ତାନ ମହର୍ଷି ଦୟାନନ୍ଦଙ୍କ କୃତିରେ । ନିରୁକ୍ତ ପଦ୍ଧତିରେ ବେଦାଧ୍ୟୟନ କଲା ବେଳେ ଯେ କୌଣସି ସ୍ୱାଧ୍ୟାୟୀ ନିକଟରେ ବେଦ ଜ୍ଞାନବିଜ୍ଞାନ କର୍ମ ଓ ଭକ୍ତିର ପବିତ୍ର ବାଣୀରୂପେ ପ୍ରତିଭାତ ହେବ । ବର୍ତ୍ତମାନ ଭାରତବର୍ଷରେ ନାନାଦି ଗବେଷଣା ଅନୁଷ୍ଠାନମାନଙ୍କ ପକ୍ଷରୁ ବେଦର ନବନବ ସଂସ୍କରଣ ଓ ପ୍ରକାଶ ବେଦାଧ୍ୟୟନକୁ ସହଜସାଧ୍ୟ କରି ଦେଲାଣି ଏବଂ ଭାରତର ସୁଧୀସମାଜରେ ବେଦର ଆଦର କ୍ରମଶଃ ବୃଦ୍ଧି ପାଇବା ଆଶାପ୍ରଦ ଭବିଷ୍ୟତ୍‌ର ସାଙ୍କେତିକ କହିଲେ ଯଥାର୍ଥ ହେବ । ସାୟଣଙ୍କ ଅନୁସରଣରେ ସ୍କନ୍ଦ ସ୍ଵାମୀ ବେଙ୍କଟମାଧବ ଓ ଆନନ୍ଦ ତୀର୍ଥ ମଧ୍ୟ ଭାଷ୍ୟକାରମାନଙ୍କ ଶ୍ରେଣୀଭୁକ୍ତ । ତା’ଛଡ଼ା ପଣ୍ଡିତ ବିଦେଶୀ ବେଦପ୍ରେମୀଙ୍କ ମଧ୍ୟରେ ଯେଉଁମାନେ ବେଦର ଟୀକା କରିଛନ୍ତି ସେମାନଙ୍କ ମଧ୍ୟରେ ମେକ୍‌ସମୁଲାର, ଗ୍ରିଫିତ୍ ଓ ବିଲସନ୍ ମୁଖ୍ୟ ।

 

ଯଜ୍ଞପ୍ରଧାନ ତ୍ରେତାଯୁଗ ପରେ ପରିଚର୍ଯ୍ୟାତ୍ମକ‌ ଦ୍ଵାପର ଏବଂ କଳିଯୁଗର ବହୁ ଶତାବ୍ଦୀ ଅତୀତ ହୋଇ ଗଲାଣି । ତଥାପି ତ୍ରେତା ଯୁଗୀୟ ଯଜ୍ଞାନୁଷ୍ଠାନର ବିଧି ବିଧାନ ମନ୍ତ୍ର ଆବାହନ ଆଦି ବେଦବର୍ଣ୍ଣିତ ବିଷୟବସ୍ତୁର ଅଧ୍ୟୟନ ଯେପରି ବିସ୍ମୟ ସୃଷ୍ଟି କରେ ସେହିପରି ଆନନ୍ଦ ମଧ୍ୟ ଦିଏ । କଳିଯୁଗୀୟ କବି ମହାକବି କାଳିଦାସ ତ୍ରେତାଯୁଗୀୟ ଘଟଣାଶ୍ରିତ ରଘୁବଂଶ କାବ୍ୟ ବର୍ଣ୍ଣନା କ୍ରମରେ ଯଜ୍ଞ ଘୃତର ଆହରଣ ବିଧି ସମ୍ବନ୍ଧରେ ଯେଉଁ ବିବରଣ ଦେଇଛନ୍ତି ତାହା ବାସ୍ତବିକ ବିସ୍ମୟକର । ମାତୃ ସ୍ତନରୁ ଦୁଗ୍‌ଧପାନ କଲାବେଳେ ବତ୍ସାର ମୁଖନିର୍ଗତ ଦୁଗ୍‌ଧାବିଶେଷରୁ ଆହରିତ ପବିତ୍ର ଘୃତହିଁ କେବଳ ଯଜ୍ଞ ହବିରୂପେ ଗୃହୀତ ହୋଇଥିଲା ସେତେବେଳେ । ଘୃତ ନାମରେ ସେହିଜାତ ବନସ୍ପତି ପ୍ରଚଳନ କାଳରେ ଏହା ଅଳୀକ ସ୍ଵପ୍ନ ଓ କାବ୍ୟିକ ଅତ୍ୟୁକ୍ତି ବୋଲି ମନେ ହେବ । କିନ୍ତୁ ସେହି ଯଜ୍ଞପ୍ରଧାନ ତ୍ରେତାଯୁଗରେ ଅଜ, ରଘୁ, ଦିଲ୍ଲୀପଙ୍କ ରାଜତ୍ଵ କାଳରେ ଆର୍ଯ୍ୟାବର୍ତ୍ତର ପ୍ରଚୁର ଗୋସମ୍ପଦ କିପରି ଧର୍ମରୀତିର ତଥା ଅର୍ଥନୀତିର ମୂଳଭିତ୍ତି ଥିଲା, କାଳିଦାସଙ୍କର କାବ୍ୟ ତାହାର ଜ୍ଵଳନ୍ତ ସାକ୍ଷୀ ।

 

କି ଚମତ୍କାର ସେ ଦୃଶ୍ୟ ! ତ୍ରେତାଯୁଗୀୟ ଯଜ୍ଞବେଦୀ । ସୁସଜ୍ଜିତ ପୀଠିକା । ପ୍ରଣେତା,ପ୍ରୋକ୍ଷଣୀ, ଶ୍ରୁବ,ଶ୍ରୁଚ ଆଦି ଉପକରଣ ସହିତ ଚରୁହବିସମିଧାଦି ବିବିଧ ସାମଗ୍ରୀ ହୋମକୁଣ୍ଡ ନିକଟରେ ଯଥାସ୍ଥାନରେ ସୁସଞ୍ଚିତ । ସ୍ଵ ସ୍ଵ ଆସନରେ ଆସୀନ ଚତୁର୍ବିଦ୍ ଋତ୍ଵିଜ ତତ୍‌ସମୀପରେ । ପୁଣ୍ୟାହବାଚନ, ସଂକଳ୍ପ ତଥା ପାର୍ବତ୍ୟଗ୍ନି ସଂସ୍କାର ସମ୍ପନ୍ନ ହୋଇ ସାରିଛି । ‘ହୋତା’ ତାଙ୍କର ନିର୍ଦ୍ଦିଷ୍ଟ ସ୍ଥାନରୁ ଯଜ୍ଞୋଦ୍ଦିଷ୍ଟ ଦେବତାମାନଙ୍କର ପ୍ରଶଂସାବାଚକ ମନ୍ତ୍ର ଉଚ୍ଚାରଣପୂର୍ବକ ଋକ୍ ସଂହିତାର ଯଥାବଶ୍ୟକ ମନ୍ତ୍ରୋଚ୍ଚାର ସଙ୍ଗେ ସଙ୍ଗେ ଶବ୍ଦର ଆକ୍ଷରିକ ଅର୍ଥ ମଧ୍ୟ ବ୍ୟାଖ୍ୟା କରି ଚାଲିଛନ୍ତି । ତତ୍‌ପରେ ସମାସୀନ ହୋଇଛନ୍ତି ଅଧ୍ୱର୍ଯୁ । ଯଥାବିଧି ଯଜ୍ଞ ସମ୍ପାଦନର ଗୁରୁଦାୟିତ୍ଵ ବହନ କରି ଅବିଚଳିତ ଭାବରେ ବସିଛନ୍ତି ଯଜ୍ଞର ପ୍ରତ୍ୟେକ ଅଙ୍ଗପ୍ରତି ତୀକ୍ଷ୍‌ଣ ଦୃଷ୍ଟି ନିକ୍ଷେପ କରି, ଯଜୁର୍ବେଦୀୟ ମନ୍ତ୍ର ସମୁଚ୍ଚୟର ଉଦାର ଉଚ୍ଚାରଣ ସଙ୍ଗେ ସଙ୍ଗେ । ସଙ୍ଗେ ସଙ୍ଗେ ସ୍ଵସ୍ଥାନରେ ବସି ଯଥାସମୟରେ ଲଳିତ ମଧୁର ସ୍ଵରରେ ସାମଗାନ କରୁଛନ୍ତି ଉଦ୍‌ଗାତା ମହୋଦୟ । ତତ୍ପରେ ବ୍ରାହ୍ମା । ଅଥର୍ବବେଦରେ ବିଶେଷ ଅଧିକାର ସମ୍ପନ୍ନ ବ୍ୟକ୍ତି ହେଲେ ହେଁ ଚତୁର୍ବେଦରେ ଅଭିଜ୍ଞ ଋତ୍ୱିଜ ବ୍ରହ୍ମା ଯଜ୍ଞାନୁଷ୍ଠାନ କିପରି ନିର୍ବିଘ୍ନ ଭାବରେ ସମ୍ପନ୍ନ ହେବ ସେଥିପାଇଁ ସାମୂହିକ ତତ୍ତ୍ଵାବଧାରଣରେ ବ୍ୟସ୍ତ । ନିରଳସ, ଅତନ୍ଦ୍ରିତ ।

 

ଯଜ୍ଞୋତ୍‍ଥିତ ଧୂମ ପଟଳରେ ଚତୁର୍ଦ୍ଦିଗ ଆମୋଦିତ-ଆକାଶ ଆଚ୍ଛନ୍ନ । ଏହି ଯଜ୍ଞୋତ୍‍ଥିତ ଧୂମମଣ୍ଡଳରୁ ସମ୍ଭବ ହେବ ପର୍ଜନ୍ୟ–ମେଘ । ଶ୍ରୀମଦ୍‍ଭଗବତ୍ ଗୀତାରେ ଶ୍ରୀ ଭାଗ୍ୟବାନ୍ ତା’ର ସୂଚନା ଦେଇଛନ୍ତି- “ଯଜ୍ଞାତ୍ ଭବତି ପର୍ଜନ୍ୟଃ ।”

 

ଏହି ଗୀତୋକ୍ତ ମନ୍ତ୍ରାନୁସାରେ ଯଜ୍ଞରୁ ମେଘର ଉତ୍ପତ୍ତି ହେଉ ନ ହେଉ, ଯଜ୍ଞ ବୃଷ୍ଟିର କାରଣ ହେଉ ନ ହେଉ, ଦେବତାମାନେ ଗୀତାନୁସାରେ ଯଜ୍ଞଭାବିତ ଇଷ୍ଟ ଭୋଗମାନ ଦାନ କରନ୍ତୁ ନ କରନ୍ତୁ, ଯଜ୍ଞରେ ଯଜମାନ ଓ ପୁରୋହିତମାନଙ୍କର ସମାବେଶ ମର୍ତ୍ତ୍ୟମଣ୍ଡଳରେ‌ ଯେଉଁ ଏକ ସ୍ୱର୍ଗୀୟ ପରିବେଷ୍ଟନୀ ସୃଷ୍ଟି କରିଥିବ ସେହି ସମୟରେ ତାହାର କଳ୍ପନା ଏବେ ମଧ୍ୟ ଆନନ୍ଦଦାୟକ, ରୋମାଞ୍ଚକର ।

 

ଅଧୁନା ଚତୁର୍ବେଦୀ, ତ୍ରିବେଦୀ, ଦ୍ୱିବେଦୀ ତଥା ଉଦ୍‌ଗାତା ବ୍ରହ୍ମାଦି ଉପାଧିବିଶେଷ ବେଦବିହିତ ଯଜ୍ଞର ସ୍ମାରକ ମାତ୍ର ହୋଇ ରହିଛି । ମାତ୍ର ଯାଗଯଜ୍ଞାଦି ଶୌତକର୍ମ ସମ୍ପୂର୍ଣ୍ଣରୂପେ ବିଲୁପ୍ତ । ତଥାପି ବେଦବିଧି ଅନୁସରଣରେ ବ୍ୟବସ୍ଥିତ ମନ୍ୱାଦି ରଚିତ ନାନା ଶାସ୍ତ୍ର ସଂହିତାସମ୍ବଳିତ ପଞ୍ଚଯଜ୍ଞ, ବର୍ଣ୍ଣାଶ୍ରମାଚାର, ଦାନବ୍ରତ-ନିୟମାଦି ସ୍ମାର୍ତ୍ତକର୍ମ ଏବେ କେତେକାଂଶରେ ଯାହା ପ୍ରଚଳିତ ଥିବାର ଦେଖାଯାଏ, ପାଶ୍ଚାତ୍ୟ ସଭ୍ୟତା ଅନୁକୂଳ ଶିକ୍ଷାର ପ୍ରାଦୁର୍ଭାବରେ ତାହା ମଧ୍ୟ ଲୁପ୍ତପ୍ରାୟ । ଅନେକ ସମୟରେ ଏହି ବିକୃତ ସ୍ମାର୍ତ୍ତକର୍ମକୁ କର୍ମମାର୍ଗ ବୋଲି ଗୋଟାଏ ଭ୍ରାନ୍ତ ଧାରଣା ସୃଷ୍ଟି ହେବାର ଜଣାଯାଏ । କିନ୍ତୁ ବେଦୋତ୍ତର କାଳରେ ‘ମୀମାଂସକ’ମାନେ ବେଦୋକ୍ତ କର୍ମକାଣ୍ଡ ବା ତ୍ରୟୀ ଧର୍ମର ଯେଉଁ ବ୍ୟାଖ୍ୟା କରିଛନ୍ତି, ତଦନୁସାରେ ଯାଗଯଜ୍ଞାଦି ଶ୍ରୋତକର୍ମହିଁ ଏକମାତ୍ର ନିଃଶ୍ରେୟସଃ । ସେମାନଙ୍କର ଦୃଢ଼ ମତ ଯେ ଯଜ୍ଞଦ୍ଵାରାହିଁ ସ୍ଵର୍ଗ ବା ଅମୃତତ୍ଵ ଲାଭ ହୁଏ । ଯଜ୍ଞକର୍ମହିଁ ଜୀବନର ଏକମାତ୍ର ପାଳନୀୟ ଧର୍ମ । ଏହାହିଁ ବେଦର ନିର୍ଦ୍ଦେଶ ଓ ଆଜ୍ଞା । ଶବ୍ଦ ନିତ୍ୟ, ବେଦମନ୍ତ୍ର ଅପୌରୁଷେୟ, ସ୍ଵୟଂ ପ୍ରକାଶ । କର୍ମ ତା’ର ବାହ୍ୟ ଅଭିବ୍ୟକ୍ତି ଏବଂ ଏକମାତ୍ର ପ୍ରତିପନ୍ନ ପନ୍ଥା । ଏହାହିଁ ତ୍ରୟୀ ଧର୍ମ ।

 

ଋକ୍, ସାମ ଓ ଯଜୁଃ-ବେଦ ତ୍ରୟକୁ ଭିତ୍ତି କରି ଏହି ଧର୍ମତ୍ରୟର ଆଶ୍ରୟରେ ପ୍ରଖ୍ୟାତ ‘ତ୍ରୟୀଧର୍ମ’ ପ୍ରକୀର୍ତ୍ତିତ । ତ୍ରୟୀଧର୍ମରେ ଅଥର୍ବବେଦର ସ୍ଥାନ ନାହିଁ । ସମ୍ଭବତଃ ଅଥର୍ବବେଦରେ ଯଜ୍ଞ ବିଧାନ ଗୌଣ ହୋଇଥିବାରୁ ଆଧ୍ୟାତ୍ମିକ ସାଧନାଠାରୁ ଭୌତିକ ପ୍ରଗତି ସଙ୍ଗେ ସଙ୍ଗେ ସାମାଜିକ ଜୀବନର ନାନାବିଧ ପ୍ରୟୋଜନ ପୂରଣ ବିଷୟରେ ଅଥର୍ବବେଦ ଅଧିକ ମନଯୋଗୀ ହୋଇଥିବାରୁ ନିଶ୍ରେୟଶଃ ଯଜ୍ଞମୁଖ୍ୟ ତ୍ରୟୀଧର୍ମରେ ତାହା ଗଣ୍ୟ ନୁହେଁ । ଋକ୍, ସାମ ଓ ଯଜୁଃବେଦତ୍ରୟ ଯଜ୍ଞର ଗୋଟିଏ ଗୋଟିଏ ବିଶେଷ ଅଙ୍ଗ ପୁରଣରେ ବ୍ରତୀ । ସପାଦ ମନ୍ତ୍ରର ଅନ୍ୟନାମ ଋଚା । ଋଚାହିଁ ଋକବେଦର ବୈଶିଷ୍ଟ୍ୟ । ଏହି ମନ୍ତ୍ରାବଳିର ଗାୟନ ପଦ୍ଧତିହିଁ ସାମ । ସାମହିଁ ସଙ୍ଗୀତ । ସାମବେଦର ସଙ୍ଗୀତକୁ ଭିତ୍ତିକରି ଭିନ୍ନ ଭିନ୍ନ ଗଦ୍ୟ ପଦ୍ୟାତ୍ମକ ଯାଜ୍ଞିକ ଶବ୍ଦ ବା ବାକ୍ୟ ସଙ୍ଗଠନହିଁ ଯଜୁଃ ।

 

ପ୍ରତ୍ୟେକ ବେଦ ତତ୍‌ସମ୍ବଧିତ ଋଷିମାନଙ୍କର ଇଷ୍ଟ ସ୍ୱରୂପ । ଋଷି ଶବ୍ଦର ଅଭିଧାର୍ଥ ଦର୍ଶନକାରୀ ଦ୍ରଷ୍ଟା-ମନ୍ତ୍ର ଦ୍ରଷ୍ଟା । ଋକବେଦୀୟ ମନ୍ତ୍ରର ଦ୍ରଷ୍ଟା ଭିନ୍ନ ଭିନ୍ନ କୁଟୁମ୍ବ ବା ଗୋଷ୍ଠୀ ଅନ୍ତର୍ଭୁକ୍ତ-ଗୋଟିଏ ପରିବାରର ନୁହନ୍ତି । ଗୋଟିଏ କୁଳୋଦ୍ଭବ ଋଷିବର୍ଗଙ୍କଦ୍ୱାରା ଦୃଷ୍ଟ ଇଷ୍ଟ ମନ୍ତ୍ରର ସଂଗ୍ରହ ଗୋଟିଏ ଖଣ୍ଡ ବା ମଣ୍ଡଳରେ ସମାବିଷ୍ଟ । ବିଷୟ ଦୃଷ୍ଟିରୁ ଋକବେଦ ସଂହିତା ସଂହିତାମାନଙ୍କ ମଧ୍ୟରେ ସର୍ବ ପ୍ରାଚୀନ ଓ ସର୍ବାଧିକ ମହତ୍ଵପୂର୍ଣ୍ଣ ଏବଂ ଅନ୍ୟାନ୍ୟ ବେଦର ମୌଳିକ ପ୍ରକରଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ମଣ୍ଡଳ ଓ ଅଷ୍ଟକ ଭେଦରେ ଋକବେଦ ଦ୍ୱିବିଧ । କେତେଗୁଡ଼ିଏ ସୂକ୍ତିର ସମାହାରରେ ଗୋଟିଏ ଗୋଟିଏ ଅନୁବାକ୍ ଏବଂ କେତେଗୁଡ଼ିଏ ଅନୁବାକ୍‍ର ସମଷ୍ଟିରେ ଗୋଟିଏ ଗୋଟିଏ ମଣ୍ଡଳର ସୃଷ୍ଟି । ସେହିପରି କେତେଗୁଡ଼ିଏ ଅଧ୍ୟାୟର ସମଷ୍ଟିରେ ଗୋଟିଏ ଗୋଟିଏ ଅଷ୍ଟକ ଏବଂ ପ୍ରତ୍ୟେକ ଅଷ୍ଟକ ଅନ୍ତର୍ଗତ ପ୍ରତ୍ୟେକ ଅଧ୍ୟାୟ ମଧ୍ୟ କେତେଗୁଡ଼ିଏ ସୂକ୍ତିର ସମାହାର । ପ୍ରତ୍ୟେକ ସୂକ୍ତି ବା ମନ୍ତ୍ର ଋଷିମାନଙ୍କର ସୁ+ଉକ୍ତି ।

 

ଋକବେଦର ଦଶୋଟି ମଣ୍ଡଳ ମଧ୍ୟରୁ ପ୍ରଥମ ଓ ଦଶମମଣ୍ଡଳ ଏକାଧିକ ଋଷିବର୍ଗଙ୍କଦ୍ଵାରା ଦୃଷ୍ଟ ଏକାତ୍ମକ ମନ୍ତ୍ରସମୂହର ସମାବେଶ । ଅନ୍ୟାନ୍ୟ ମଣ୍ଡଳଗୁଡ଼ିକ ସ୍ୱତନ୍ତ୍ର ଜଣେ ଜଣେ ବିଶିଷ୍ଟ ମନ୍ତ୍ରଦ୍ରଷ୍ଟା ଋଷିଙ୍କର ପ୍ରାତିଭ ପରିପ୍ରକାଶ । ଅଷ୍ଟମ ମଣ୍ଡଳରେ କାଣବ ଓ ଅଙ୍ଗିରା ବଂଶୀୟ ଋଷିମାନଙ୍କଦ୍ୱାରା ପରିଦୃଷ୍ଟ ମନ୍ତ୍ରାବଳି ସନ୍ନିବେଶିତ । ନବମ ମଣ୍ଡଳଟି ‘ସୋମ’ ବିଷୟକ ମନ୍ତ୍ରର ସମାହାର । ସୋମଙ୍କର ଅନ୍ୟନାମ ପବମାନ ବା ପବିତ୍ରକାରୀ । ସୋମଙ୍କର ସେହି ନାମାନୁସାରେ ଏହି ମଣ୍ଡଳର ନାମ ପବମାନ ମଣ୍ଡଳ । ଦ୍ଵିତୀୟ ନବମ ଯାଏଁ ମଣ୍ଡଳଗୁଡ଼ିକ ପ୍ରାଚୀନ ଏବଂ ଦଶମ ମଣ୍ଡଳଟି ଅର୍ବାଚୀନ ବିବେଚିତ ହୁଏ । ଦେବତାମାନଙ୍କର ସ୍ତବ ସ୍ତୁତି ଛଡ଼ା ଏହି ମଣ୍ଡଳ ନାନା ଉପାଦେୟ ବିଷୟରେ ମଣ୍ଡିତ । ଅନ୍ୟାନ୍ୟ ସମସ୍ତ ମଣ୍ଡଳରେ ଦେବ ସ୍ତୁତିହିଁ ପ୍ରାଧାନ୍ୟ ଲାଭ କରିଛି । ନିରୁକ୍ତକାର ‘ୟସ୍କ’ ସ୍ଥାନ ବିଭେଦରେ ତତ୍ରସ୍ଥ ଦେବତାମାନଙ୍କୁ ତିନି ଭାଗରେ ବିଭକ୍ତ କରିଛନ୍ତି–ପୃଥ୍ଵୀସ୍ଥାନ, ଅନ୍ତରୀକ୍ଷ ସ୍ଥାନ ଓ ଦ୍ୱିସ୍ଥାନ । ପୃଥ୍ୱୀସ୍ଥାନ ଦେବତାମାନଙ୍କ ମଧ୍ୟରେ ଅଗ୍ନିଙ୍କ ସମ୍ବନ୍ଧିତ ମନ୍ତ୍ର ଅତ୍ୟନ୍ତ ମହତ୍ଵପୂର୍ଣ୍ଣ । ଅନ୍ତରୀକ୍ଷସ୍ଥାନ ଦେବତାମାନଙ୍କ ମଧ୍ୟରେ ଇନ୍ଦ୍ର ଏବଂ ଦ୍ୱିସ୍ଥାନ ଦେବତାମାନଙ୍କ ମଧ୍ୟରେ ସୂର୍ଯ୍ୟ, ସବିତା ଓ ବିଷ୍ଣୁ ଆଦି ସୌର ଦେବଗଣଙ୍କର ନାମ ଉଲ୍ଲେଖନୀୟ ।

 

ବେଦରେ ମନ୍ତ୍ରଦ୍ରଷ୍ଟା ଋଷିମାନଙ୍କଦ୍ୱାରା ପ୍ରଭୂତ ପରିମାଣରେ ସ୍ତୁତ ଅଗ୍ନିହିଁ ଉଭୟ ପ୍ରାଚୀନ ଓ ଅର୍ବାଚୀନ ଦେବତାରୂପେ ମାନ୍ୟ । ଅଗ୍ନିଙ୍କର କୃପାବଳରେ ପ୍ରାଣୀ ଦିନୁଦିନ ଧନଜନ ଓ ଅନ୍ନାଦିରେ ସମୃଦ୍ଧ ହୁଏ ବୋଲି ବେଦମନ୍ତ୍ରରେ ସ୍ଵୀକୃତ ।

 

ଋକବେଦରେ ସର୍ବପ୍ରଥମ ଅଗ୍ନିଙ୍କର ବନ୍ଦନା–

 

ଅଗ୍ନିମିଡ଼େ ପୁରୋହିତଂ

ଯଜ୍ଞସ୍ୟ ଦେବମ୍ ଋତ୍ଵିଜମ୍

ହୋତାରଂ ରତ୍ନଧାତବମ୍ ।

(୧ । ୧ । ୧)

 

“ମୁଁ ଅଗ୍ନିଙ୍କରହିଁ ଉପାସନା କରୁଛି । ଅଗ୍ନିହିଁ ମୋର ପୁରୋହିତ, ଅଗ୍ନି ହଁ ଯଜ୍ଞର ଦେବତା, ଅଗ୍ନିହିଁ ଯଜ୍ଞର ଋତ୍ୱିଜ ହୋତା, ରତ୍ନଦାତା ।”

 

ଅଗ୍ନିବେଦରେ ବହୁ ବିଶେଷଣରେ ବିଶିଷ୍ଟ । ଅଗ୍ନି ବୀରବତ୍ତମ, ଅଗ୍ନି ଯୁବା–ଅବିଷ୍ଠ, ଅଗ୍ନି ପ୍ରଶଂସ୍ୟ–ୟଜିଷ୍ଠ, ବେଧସ୍ତମ ବା ବିଜ୍ଞ, ବାଜସାତମ ବା ସର୍ବଶକ୍ତିମାନ୍, ସର୍ବାଧିକ ସ୍ତବ୍ୟ ବା ମନ୍ଦିଷ୍ଠ, ଦୟାଳୁ ବା ଶଂତମ, ଶ୍ରେଷ୍ଠ, ପ୍ରେଷ୍ଠ, ଯଶସ୍ତମ, ନୃତମ ଓ ଚେତିଷ୍ଠ ବା ଶୁଭଦ ଇତ୍ୟାଦି ।

 

ବରୁଣ କିନ୍ତୁ ବେଦରେ ବିଶ୍ଵକ‌୍‌ଚକ୍ଷୁ-ସର୍ବତ୍ର ସମ ଦୃଷ୍ଟିପରାୟଣ, ଧୃତବ୍ରତ ବା ବ୍ରତଧାରୀ, ସୁକ୍ରତୁ ବା ଶୋଭନକୃତ୍‌ ତଥା ସମ୍ୟକ୍‍ରୂପେ ପ୍ରକାଶବାନ୍‌ ଶାସକ ସମ୍ରାଟରୂପେ ବର୍ଣ୍ଣିତ । ସେ ସର୍ବତ୍ର ଶୁଭାଶୁଭ କର୍ମର ସାକ୍ଷୀ ଓ ଫଳଦାତା । ଇନ୍ଦ୍ର ମଧ୍ୟ ବେଦବର୍ଣ୍ଣିତ ବିଶିଷ୍ଟ ଦେବତାମାନଙ୍କ ମଧ୍ୟରେ ଅନ୍ୟତମ । ସେ ହେଉଛନ୍ତି ବଜ୍ରବାହୁ, ବୃତ୍ରାରି ଏବଂ ବୀର ଯୋଦ୍ଧାମାନଙ୍କର ସର୍ବତ୍ର ବିଶେଷତଃ ରଣାଙ୍ଗନରେ ଆରାଧ୍ୟଦେବତା । ବୃତ୍ରାସୁର ବ୍ୟତୀତ ସେ ବହୁ ରାକ୍ଷସଙ୍କର ନିହନ୍ତା ଏବଂ ଅନେକାନେକ ଅରିକୁଳ ପୁରୀ ନଗରୀର ଧ୍ଵଂସକାରୀ । ଇନ୍ଦ୍ର ଯୁଦ୍ଧରେ ବିଜୟଦାନ କରନ୍ତି ଏବଂ ଏକଦା ଇନ୍ଦ୍ରଙ୍କ ଅନୁଗ୍ରହରେ ଆର୍ଯ୍ୟମାନେ କୃଷ୍ଣବର୍ଣ୍ଣ ଦସ୍ୟୁମାନଙ୍କୁ ପର୍ବତକନ୍ଦର ମଧ୍ୟକୁ ତାଡ଼ନ କରିବାରେ ସମର୍ଥ ହୋଇଥିଲେ ବୋଲି ଉଲ୍ଲେଖ ଅଛି । ସମ୍ଭବତଃ ଏହି ଦସ୍ୟୁମାନଙ୍କୁହିଁ ପରବର୍ତ୍ତୀ କାଳରେ ଐତିହାସିକମାନେ ଅନାର୍ଯ୍ୟ ଆଖ୍ୟା ଦେଇଛନ୍ତି । ସୁତରାଂ ଆଦିବାସୀମାନଙ୍କୁ ଅନାର୍ଯ୍ୟ ବୋଲି କହିବାରେ କୌଣସି ଯଥାର୍ଥତା ନାହିଁ । ଇନ୍ଦ୍ରଧନୁଧାରୀ ଶତ୍ରାୟୁଧ ଇନ୍ଦ୍ରଙ୍କ ତୁଷ୍ଟିରେ ବୃଷ୍ଟି ହୁଏ । ବର୍ଣ୍ଣିତ ଅଛି ଯେ ଇନ୍ଦ୍ର ବୃତକୁ ବଧ କରି ବୃତ୍ରଦ୍ୱାରା ଅବରୁଦ୍ଧ ଗାଭୀମାନଙ୍କୁ ପର୍ବତ କନ୍ଦରରୁ ଉଦ୍ଧାର କରିଥିଲେ । ଉଭୟ ଇନ୍ଦ୍ର ଓ ବୃତ୍ର କିନ୍ତୁ ଏକ ବଂଶୋଦ୍ଭବ । କଶ୍ୟପଙ୍କ ପତ୍ନୀ ଅଦିତିଙ୍କ ଗର୍ଭଜାତ ଦ୍ୱାଦଶ ଆଦିତ୍ୟଙ୍କ ମଧ୍ୟରେ ଇନ୍ଦ୍ର ପରିଗଣିତ ଏବଂ ଅନ୍ୟତମ ଆଦିତ୍ୟ ଇନ୍ଦ୍ରଙ୍କ ସହୋଦର ତ୍ଵଷ୍ଠାହିଁ ବୃତ୍ରଙ୍କର ଜନକ । ବେଦରେ ଉଭୟ ଇନ୍ଦ୍ର ଓ ବୃତ୍ରଙ୍କର ସ୍ତୁତି ରହିଛି । ବେଦର ସ୍ତୁତିମନ୍ତ୍ରରେ ଇନ୍ଦ୍ର ପୁରୁତାଂ ପୁରୁତମଃ ବା ପୂର୍ଣ୍ଣମାନଙ୍କ ମଧ୍ୟରେ ପୂର୍ଣ୍ଣତମ, ରଥିମାନଙ୍କ ମଧ୍ୟରେ ରଥିତମ; ଇନ୍ଦ୍ର ଉଦାର-ମଂହିଷ୍ଠ, ଶୁଷ୍ମିନ୍ତମ ବା ବଳବାନ୍‌ମାନଙ୍କ ମଧ୍ୟରେ ଶ୍ରେଷ୍ଠ, ଓଜିଷ୍ଠ ବା ଓଜଶାଳୀ, ସୁଶ୍ରବସ୍ତମ ବା ଶ୍ରବଣତତ୍‌ପର, ଅକୃକତମ ବା ଭଦ୍ରଶ୍ରେଷ୍ଠ ଓ ବିପ୍ରତମ ବା ସମ୍ଭ୍ରାନ୍ତ ଗାୟକରୂପେ ବର୍ଣ୍ଣିତ ହୋଇଛନ୍ତି ।

 

ବେଦବର୍ଣ୍ଣିତ ଆକାଶସ୍ଥାନସ୍ଥ ଅନ୍ୟତମ ବିଶିଷ୍ଟ ଦେବତା ବିଷ୍ଣୁ । ପୁରାଣମତରେ ବିଷ୍ଣୁ ମଧ୍ୟ ଜଣେ ଆଦିତ୍ୟଙ୍କର ନାମ । ବିଷ୍ଣୁଙ୍କର ତିନିଗୋଟି ପାଦ । ଗୋଟିଏ ପାଦରେ ସେ ସମଗ୍ର ସସାଗରାଧରାକୁ ପରିମାପ କରିଥିଲେ । ତେଣୁ ତାଙ୍କର ଅନ୍ୟତମ ନାମ ଉରୁଗୟ ବା ଉରୁକ୍ରମ । ଏହି ତ୍ରିପାଦ ବିଶିଷ୍ଟ ବିଷ୍ଣୁଙ୍କ କୀର୍ତ୍ତିର ବର୍ଣ୍ଣନା ମିଳେ ବାମନାବତାରରେ । ତେଣୁ ଏହି ବାମନ ମୂର୍ତ୍ତି ବିଷ୍ଣୁଙ୍କର ଅନ୍ୟନାମ ତ୍ରିବିକ୍ରମ । ତିନି ପାଦରେ ବାମନ ରୂପୀ ବିଷ୍ଣୁ ସ୍ଵର୍ଗ ମର୍ତ୍ତ୍ୟ ଓ ପାତାଳେତି ତିନିପୁରକୁ ସବିକ୍ରମେ ପରିବ୍ୟାପ୍ତ କରି ଶେଷ ପାଦରେ ବଳିରାଜାଙ୍କୁ ପାତାଳପୁରକୁ ପ୍ରେରଣ କରିଥିଲେ । ଏହାହିଁ ପୌରାଣିକ ବିବରଣୀ । କିନ୍ତୁ ବେଦର ବର୍ଣ୍ଣନାରେ ବିଷ୍ଣୁଙ୍କର ତୃତୀୟ ପାଦ ଯେଉଁ ଲୋକରେ ସୁବିନ୍ୟସ୍ତ ତାହା ଏକ ଅପୂର୍ବ ରାଜ୍ୟ । ସେହି ଦିବ୍ୟଲୋକରେ ମଧୁନାମିତ ଏକ କୂପ ବିଦ୍ୟମାନ । ଦ୍ରୁତଗାମିନୀ ଭୁରିଶୃଙ୍ଗ ଗାଭୀମାନେ ଅହରହ ଇତସ୍ତତଃ ବିଚରଣ କରୁଥାନ୍ତି । ସେ ସ୍ଥାନରେ-‘ଯତ୍ର ଶୃଙ୍ଗ ଭୁରିଶୃଙ୍ଗା ଆୟାସ । ’ -(ଋକ୍ ୧-୧୫-୬) ବୈଷ୍ଣବମାନଙ୍କର ଆରାଧ୍ୟ ପରମେଷ୍ଟ ଶ୍ରୀକୃଷ୍ଣଙ୍କର ନିତ୍ୟ ଲୀଳାମୟ ଦିବ୍ୟଧାମ ଗୋଲକର ସନ୍ଧାନ ସର୍ବପ୍ରଥମ ବେଦର ଏହି ମନ୍ତ୍ରରେହିଁ ମିଳେ । କ୍ଷରଅକ୍ଷରର ଅତୀତ ଗୀତାର ଓ ଭାଗବତର ପୁରୁଷୋତ୍ତମ ସ୍ୱୟଂ ଭାଗବାନ୍‌ ଶ୍ରୀକୃଷ୍ଣଙ୍କର ଏହି ଅମଳିନ ଦିବ୍ୟଧାମରେ ସୌରରଶ୍ମି ସତତ ବିକିରିତ ବ୍ରହ୍ମସଂହିତା ମତରେ । (ବ୍ର: ସଂ: ୩-୧)

 

ଆକାଶ ସ୍ଥାନର ଅନ୍ୟ ଏକ ଦେବତା ସବିତୃ । କବିନାଂ କବିସତ୍ତମ (ଋ ୫-୪୨-୩) ବା ଶ୍ରେଷ୍ଠ ମତିମାନ୍‌ ପୁରୁଷ ସବିତୃ ସୁପ୍ତପ୍ରାଣୀମାନଙ୍କ ମଧ୍ୟରେ ଜୀବନ ସଂଚାର କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ସ୍ଵ ସ୍ଵ କର୍ମରେ ପ୍ରବୃତ୍ତ ରହିବାପାଇଁ ପ୍ରେରଣା ପ୍ରଦାନ କରନ୍ତି ମଧ୍ୟ (ଋକ୍‍ ୬-୫୬) ।

 

ପୂଷା ଅନ୍ୟ ଏକ ଦେବତାଙ୍କର ନାମ । ତାଙ୍କର ବାହନ ଅଜା ଏବଂ ସେ ସର୍ବଦା ତୋତ୍ରପାଣି । ମୃତ ବ୍ୟକ୍ତିମାନଙ୍କୁ ପୂଷାହିଁ ପିତୃଲୋକରେ ସ୍ଥାନ ନିରୂପଣ କରିଥାନ୍ତି ।

 

ମିତ୍ରଦେବ ମାନବ ମାତ୍ରେ ସମସ୍ତଙ୍କର କଲ୍ୟାଣ ସାଧନରେ ସର୍ବଦା ବ୍ରତୀ । ଖଗ ପୁଷ୍ ମିତ୍ର ରବି ସବିତାଦି ସୂର୍ଯ୍ୟଙ୍କରହିଁ ବିଭିନ୍ନ ପ୍ରକାଶ ।

 

ଏତଦ୍‌ ବ୍ୟତୀତ ‘ଭିଷଜାଂ ଭିଷକ୍ତମ’ ବା ସର୍ବଶ୍ରେଷ୍ଠ ବୈଦ୍ୟ (ଋକ୍ ୨-୩୩-୩) ରୁଦ୍ର, ‘ସୁରଭିଷ୍ଟମ୍ ନରାଂ’ (ଋ ୧-୧୮-୬) ବା ବୀରମାନଙ୍କ ମଧ୍ୟରେ ଶ୍ରେଷ୍ଠ ସୌଷ୍ଟବମୟ ତ୍ୱଷ୍ଟା । ତବସ୍ତମସ୍‌ ତବସାଂ (ଋ ୨-୩୩-୩) ବା ବଳବାନ୍‌ମାନଙ୍କ ମଧ୍ୟରେ ସର୍ବାଧିକ ବୀର୍ଯ୍ୟଶାଳୀ ରୁଦ୍ର, ‘କବିତମଃ’ (ଋ-୫-୮୫-୬) ବା କବି-ଶ୍ରେଷ୍ଠ ବରୁଣ ଓ ‘ମଦିନ୍ତମ’ (ଋ ୯-୧୫-୮) ବା ସର୍ବଶ୍ରେଷ୍ଠ ଆନନ୍ଦଦାୟକ ଗାତୁବିତ୍ତମ (ଋ-୧-୪୪-୩) ବା ଅଭିବୃଦ୍ଧିକାରକ ସୋମ ମଧ୍ୟ ବେଦସ୍ତୁତ ଦେବତାମାନଙ୍କ ମଧ୍ୟରେ ପରିଗଣିତ ।

 

ଦେବତାମାନଙ୍କ ସଙ୍ଗେ ସଙ୍ଗେ ଦେବୀମାନଙ୍କର କମନୀୟ କଳ୍ପନା ବେଦର ଅନ୍ୟ ଏକ ବିଭବ । ଆକାଶ ବା ‘ଦ୍ୟୋଃ’ର ପୁତ୍ରୀ ଉଷା ଏହି ଦେବୀମାନଙ୍କ ମଧ୍ୟରେ ସର୍ବାଧିକ ସୁନ୍ଦରୀ । ବେଦର ବର୍ଣ୍ଣନାରେ ସେ ତମୋମୟୀ ରଜନୀର ଭଗ୍ନୀ, ରମଣୀୟ ରୂପସମ୍ପନ୍ନା, ଚିରଯୌବନ ରମଣୀ । ଉଷା ବହୁ ପ୍ରାଚୀନ, ସୃଷ୍ଟିର ଆଦିମ କାଳରୁ ବିଦ୍ୟମାନ୍ । ବର୍ଷିୟସୀ ହୋଇ ମଧ୍ୟ ସେ ଚିର-ଯୌବନା-ସଦାସର୍ବଦା ନବାବୟବା ନବନୀତା ବାଳା ସ୍ୱରୂପିଣୀ । ଏହି କାନ୍ତ-କମନୀୟା ତିଳୋତ୍ତମା ଶ୍ରେଷ୍ଠ ସୁନ୍ଦରୀଙ୍କର ସ୍ତୁତିମନ୍ତ୍ର ଅତ୍ୟନ୍ତ ସୁଲଳିତ ପଦାବଳି । (ଋକ୍ ୩-୫) ଉଷା ଆକାଶର କନ୍ୟା । ସଦ୍ୟସ୍ନାତା ସାଧ୍ଵୀ ଉଷା ଆଲୋକ-ଦାତ୍ରୀ ତମସାପହାରିଣୀ (ଋକ୍ ୫-୧୦-୫ ଓ ୬) । ଉଷା ସମସ୍ତ ଲୋକଲୋକାନ୍ତରକୁ ଜାଗ୍ରତ କରନ୍ତି । (ଋକ୍-୧-୧୩-୪) ଉଷା ମୃତ ପ୍ରାଣୀକୁ ମଧ୍ୟ ଜାଗ୍ରତ କରନ୍ତି । ଉଷା ମୃତଂ କଂ ତନବୋଧୟନ୍ତି (ଋକ୍ ୧-୧୧୩-୮) ସମ୍ଭବତଃ ପରବର୍ତ୍ତୀ କାଳରେ ପ୍ରବର୍ତ୍ତିତ ଶକ୍ତି ଉପାସନାର ମୂଳାଧାର ଏହି ଉଷା । ବଙ୍ଗରେ ପ୍ରଚଳିତ ଦଶଭୁଜା ଦୁର୍ଗାଙ୍କର ପୂଜା ମଧ୍ୟ ବେଦରୁ ଗୃହୀତ ବୋଲି ମନେ କରିବା ଯୁକ୍ତିଯୁକ୍ତ । କାରଣ ବେଦରେ ରକ୍ତବର୍ଣ୍ଣା, ଜ୍ୟୋତିର୍ମୟୀ ଦେବୀଙ୍କର ବର୍ଣ୍ଣନା ମଧ୍ୟ ରହିଛି । (ଋକ୍ ୮-୧୦୧-୧୩) ଋକ୍‌ବେଦୋକ୍ତ ରାତ୍ରିସୂକ୍ତରେ (୧୦-୧-୨୭) ଉଷାଙ୍କୁ ରାତ୍ରିଦେବୀଙ୍କର ସହୋଦରା ବୋଲି ବର୍ଣ୍ଣନା କରାଯାଇଛି ଏବଂ ଏହି ରାତ୍ରି ସୂକ୍ତହିଁ ତମ ଅପସାରିଣୀ ଉଷାଦେବୀଙ୍କର ଆରାଧନା, ଶକ୍ତି ଉପାସନାର ମୌଳିକ ଗ୍ରନ୍ଥ ଶ୍ରୀଚଣ୍ଡୀ ପାରାୟଣରେ ଆଦ୍ୟପାଠ୍ୟ ।

 

ବେଦବର୍ଣ୍ଣିତ ଅନ୍ୟ ଏକ ବିଶିଷ୍ଠା ଦେବୀ ସରସ୍ୱତୀ । ସରସ୍ୱତୀ ଅମ୍ବିତମେ ନଦୀତମେ ଦେବିତମେ ବୋଲି ସମ୍ବୋଧିତ । (ଋକ୍ ୨-୪୧-୧୬) ଅର୍ଥାତ୍ ମା ସରସ୍ଵତୀ ଶ୍ରେଷ୍ଠ ମାତା, ଶ୍ରେଷ୍ଠ ନଦୀ ଓ ଶ୍ରେଷ୍ଠ ଦେବୀ ଅଟନ୍ତି ।

 

ବେଦର ବିଭିନ୍ନ ପ୍ରକାଶନ ପ୍ରତି ଧ୍ୟାନ ଦେଲେ ଜଣାଯାଏ ଯେ ଦେବତାମାନଙ୍କର ସଂଖ୍ୟା ଗଣନାରେ କାଳକ୍ରମେ ହ୍ରାସ ଓ ବୃଦ୍ଧି ହୋଇଛି । ଦେବତାମାନଙ୍କର ମହିମା ପ୍ରକାଶରେ ମଧ୍ୟ ବିଭିନ୍ନ ପ୍ରକାଶନରେ ସେହିପରି ଦୀର୍ଘତା ବା କ୍ଳୁପ୍ତି ଦେଖା ଦେଇଛି । ଉଦାହରଣ ସ୍ୱରୂପ ମନ୍ୟୁ ଓ ଶ୍ରଦ୍ଧା ଆଦି ନବ ନବ ଦେବଦେବୀ ବେଦ ପାଠକର ଦୃଷ୍ଟି ପଥାରୂଢ଼ ହୁଅନ୍ତି ।

 

ବେଦର ଏହି ବିଭିନ୍ନ ଦେବଦେବୀମାନଙ୍କ ଉଦ୍ଦେଶ୍ୟରେ ନିବେଦିତ ଏହି ସ୍ତୁତିମନ୍ତ୍ରଗୁଡ଼ିକ ପାଠ କଲେ ମନେ ହୁଏ ବେଦ ଯେପରି ବହିଃ ପ୍ରକୃତି ସହିତ ମାନବର ସମ୍ବନ୍ଧ ସନ୍ଧାନ ନିମନ୍ତେ ଏକ ଆବେଦନଶୀଳ ଅନୁଭୂତିର ମାର୍ମିକ ତଥା ଉଚ୍ଛ୍ୱସିତ ପରିପ୍ରକାଶ । ବିଚିତ୍ରମୟୀ ପ୍ରକୃତିର କୌତୁହଳପ୍ରଦ ସୃଷ୍ଟି କେତେବେଳେ ମନୋରମ କେତେବେଳେ ବା ଭୟଙ୍କର । ମୁହୁର୍ମୁହୁ ପରିବର୍ତ୍ତନଶୀଳ ରୂପବିନ୍ୟାସରେ ମୁଗ୍‌ଧ ମାନବ, ତା’ର ବିଭିନ୍ନ ବିଭାବରେ ଯେଉଁ ଅନବଦ୍ୟ ସ୍ତୁତିକାବ୍ୟ ପ୍ରକାଶ କରିବା ସଙ୍ଗେ ସଙ୍ଗେ କ୍ରମଶଃ ତାକୁ ତା’ର ସତ୍ୟଉଦ୍‌ଘାଟନ ନିମନ୍ତେ ବୌଦ୍ଧିକ ଶକ୍ତି ବିନିୟୋଗରେ ବ୍ରତୀ ହେବାର ସ୍ୱାଭାବିକ ଅଭିଳାଷ ମଧ୍ୟ ଜାଗ୍ରତ କରିଛି ।

 

ପ୍ରାଚୀ ନଭରେ ଅରୁଣାଭ ଉଷାର ଆଲୋକ, ସମଗ୍ର ଜଳସ୍ଥଳ ଆକାଶ ମଣ୍ଡଳରେ ପ୍ରକାଶୋଜ୍ଜ୍ୱଳ ଭାସ୍ୱତ ଭାସ୍କରର ଉଦୟଐଶ୍ୱର୍ଯ୍ୟ, ପ୍ରତିଚୀର ସୀମନ୍ତକ ମଣି ସ୍ୱରୂପିଣୀ ଅସ୍ତମିତ ସୂର୍ଯ୍ୟର କନକକାନ୍ତିରେ ଉଦ୍ଭାସିତ ଦିଗନ୍ତ, ପର୍ବ ଶର୍ବରୀରେ ବିଷଣ୍ଣଭାରାକ୍ରାନ୍ତ ପୂର୍ବଗଗନକୁ ନବ ଆଲୋକରେ ଉଦ୍‌ଦୀପିତ କରି କୌମୁଦୀ ଆମୋଦିତ ସୁଧାକରର ଆବିର୍ଭାବ, ରାଶିରାଶି ନାରାଚ ଉପମିତ ଅବାରିତ ବାରିରାଶି ସଙ୍ଗେ ସଙ୍ଗେ ଗଗନପ୍ରକମ୍ପୀ ମେଘ ଡମ୍ବରୁ ତଥା ଚପଳାର ଚମକ, ତେଜୋଦୀପ୍ତ ସୂର୍ଯ୍ୟର ବିପରୀତ ଦିଗରେ କମନୀୟ କାନ୍ତିଧର ଶକ୍ରଧନୁର ବର୍ଣ୍ଣାଢ୍ୟ ବିଳାସ ଆଦି ମନୋହର ଦୃଶ୍ୟରାଜିର ପୌନପୌନିକତା ହୁଏତ ଆର୍ଯ୍ୟଋଷିବର୍ଗଙ୍କର ଭାବପ୍ରବଣ ଚିତ୍ତରୁ କ୍ରମଣଃ କୌତୁହଳର ଅବସାନ ଘଟାଇ ସେମାନଙ୍କର ଚିନ୍ତନ କେନ୍ଦ୍ରରେ ବାରମ୍ଵାର ଆଘାତ ସୃଷ୍ଟି କରିଥିବ I ପ୍ରକୃତିର ପ୍ରତ୍ୟେକ ବିଭାବର ପ୍ରତୀକ ରୂପୀ ଦେବଦେବୀଙ୍କର ଅନୁଗ୍ରହ ନିଗ୍ରହାତ୍ମକ ବିଭିନ୍ନ ଶକ୍ତିରେ ପ୍ରତ୍ୟୟ ରଖି ନାନାବିଧ ସ୍ତୁତିସ୍ତବ ରଚନାପ୍ରବଣ ଆର୍ଯ୍ୟମାନସ କେବେ ଏକ ସର୍ବମୟ ସର୍ବବ୍ୟାପୀ ସର୍ବେଶ୍ଵରଙ୍କର ସ୍ୱପ୍ନ ଦେଖି ହୁଏତ ବିହ୍ଵଳ ହୋଇଯାଇଥିବ I ରୂପ ମଧ୍ୟରେ ଅରୂପ, ସୀମା ମଧ୍ୟରେ ଅସୀମ, ଆଦି ମଧ୍ୟରେ ଅନାଦି, ସାନ୍ତ ମଧ୍ୟରେ ଅନନ୍ତର କଳ୍ପନା ତାକୁ ବହୁତ୍ଵରେ ଏକତ୍ଵର ଭାବ ଆବିଷ୍କାରପାଇଁ ଉତ୍ପୀଡ଼ିତ କରିଥିବ । ଭୌତିକ ଜଗତର ଭିନ୍ନ ଭିନ୍ନ ବିଭାବର ମୂଳଭୂତ ଏକ ଐକିକ ଅଧୀଶ୍ଵରର ସମ୍ଭାବନାରେ ବିମୁଗ୍‌ଧ ବିପ୍ଳବୀ ଆର୍ଯ୍ୟମାନସକୁ ଧ୍ୟାନମଗ୍ନ ସମାଧିସ୍ଥ କରି ସେହି ଅଚିନ୍ତନୀୟ ଶକ୍ତିର ସାନ୍ନିଧ୍ୟ ଆଣି ଦେଇଥିବ । ସଙ୍ଗେ ସଙ୍ଗେ ଆତ୍ମବିସ୍ତୃତ ଆର୍ଯ୍ୟଋଷି ସେହି ନିବୈର୍କ୍ତିକ ଅଭିଜ୍ଞତାକୁ ଭାଷା ଦେଇ ବେଦର ଏକ ନବସଂସ୍କରଣ ଆଣି ଦେଇଥିବ । ଯିଏ ଆମ୍ଭମାନଙ୍କର ପିତା ଓ ଜନ୍ମଦାତା, ବିଶ୍ୱଭୁବନର ସକଳ ସ୍ଥାନ ଯାହାଙ୍କର ଅବଗତ, ଯିଏ ନାମଧାରୀ ଦେବତାମାନଙ୍କର ନାମରୂପ ଏକ ଓ ଅଦ୍ଵିତୀୟ ତାହାକୁହିଁ ଆଭୁବନ ଲୋକେ ଜାଣିବାକୁ ଚାହାନ୍ତି I “ଉଷା ଦେବାନାଂ ନାମଧା ଏକ ଏକ” ଇତ୍ୟାଦି ମନ୍ତ୍ରରେ ତାହା ପ୍ରତିଫଳିତ । (ଋକ୍-୧୦-୮୨-୩୬) ।

 

ଆର୍ଯ୍ୟ ଋଷି ସେହି ମୁହୂର୍ତ୍ତରେ ପ୍ରତିଭାତ ଭାବକୁ ରୂପ ଦେଇଥିବେ–

Unknown

 

ଏକ ଏବାଗ୍ନିର୍ ବହୁଧା ସମିଦ୍ଧ

ଏକଃ ସୂର୍ଯ୍ୟୋ ବିଶ୍ୱମ୍ ଅନୁପ୍ରଭୂତଃ

ଏକୈବୋଷାଃ ସର୍ବମ୍ ଇଦଂ ବିଭା-

ତ୍ୟେକଂ ବା ଇଦଂ ବି ବଭୂବ ସର୍ବମ୍ I

(ଋ ୮-୫୮-୨)

 

“ସେହି ଅଗ୍ନି, ସେହି ସୂର୍ଯ୍ୟ I ସୂର୍ଯ୍ୟ ଭିନ୍ନ ଭିନ୍ନ ସ୍ଥାନରେ ପ୍ରତିଭାତ । ସେହି ଏକହିଁ ବହୁରୂପ ଧାରଣ କରିଛନ୍ତି ।”

 

ତ୍ଵମ୍ ଅଗ୍ନି ଇନ୍ଦ୍ରୋ ବୃଷଭଃ ସତାମ୍ ଅସି

ତ୍ଵମ୍ ବିଷ୍ଣୁର୍ ଉରୁଗାୟୋ ନମସ୍ୟଃ

ତ୍ୟଂ ବ୍ରହ୍ମା ରୟିବିଦ୍ ବ୍ରାହ୍ମଣ ସ୍ଵତେ

ତ୍ୱଂ ବିଧର୍ତଃ ସଚସେ ପୁରନ୍ଧ୍ୟା-

(ଋକ୍ ୨-୭)

 

“ହେ ଅଗ୍ନି, ତୁମେହିଁ ଇନ୍ଦ୍ର-ସର୍ବଶ୍ରେଷ୍ଠ ବୀର-ତୁମେହିଁ ପରମ ବନ୍ଦ୍ୟ ଉରୁଗାୟ, ତୁମେହିଁ ବ୍ରହ୍ମା । ହେ ବ୍ରାହ୍ମଣସ୍ଵତେ, ତମେହିଁ ଧନାଢ୍ୟ ବ୍ରହ୍ମ–ତମେ ବିଧାତା–ଜ୍ଞାନାଦାତା ।”

 

ସେ ବହୁ ହୋଇ ମଧ୍ୟ ଏକ । ସେ ଏକ ଏବଂ ସତ୍ୟ । ବିପ୍ରମାନେ ତାଙ୍କୁ ବହୁ ବିଦିତ କରାନ୍ତି । ସେହି ଅଗ୍ନି, ସେହି ଯମ, ସେ ମାତରିଶ୍ୱା, ସୁପର୍ଣ୍ଣ, ଗରୁତ୍ମାନ୍‌, ଯମ ଇତ୍ୟାଦି–

 

ଇନ୍ଦ୍ରଂ ମିତ୍ରଂ ବରୁଣଂ ଅଗ୍ନିଂ ଆହୁର୍

ଅଥୋ ଦିବ୍ୟଃ ସ ସୁପର୍ଣେ

ଏକଂ ସଦ୍ ବିପ୍ରା ବହୁଧା ବଦନ୍ତ୍ୟ-

ଗ୍ନିଂ ଯମଂ ମାତରିଶ୍ୱାନମ୍ ଆହୁଃ ।

(ଋ ୧-୧୬୪-୪୬)

 

ସେତେବେଳେ ଆଲୋଡ଼ିତ କରିଛି ଆର୍ଯ୍ୟ ଋଷିର ମନ । ସେହି ଏକେଶ୍ୱରଙ୍କର ଏହି ଅଦ୍ଭୁତ ସୃଷ୍ଟିର ଆଦ୍ୟରେ କି ରୂପ ଥିଲା । ଏ ବିଶ୍ୱ କେଉଁଠାରୁ କାହାଠାରୁ ଉତ୍ପନ୍ନ ଉଦ୍‍ଭବ ? ଏହି ସୃଷ୍ଟିର ମୂଳରେ କେଉଁ ତତ୍ତ୍ଵ ନିହିତ ? ସୃଷ୍ଟିରେ ସର୍ବ ପ୍ରଥମ ଯେଉଁ “ବସ୍ତୁ ସମ୍ଭବ ହେଲା ସେ କିଏ ବା କ’ଣ ?”

 

ଆର୍ଯ୍ୟ ଋଷିମାନେ ଧ୍ୟାନସ୍ଥ ହୋଇ ତା’ର ଉତ୍ତର ଯାହା ପାଇଥିଲେ ତାହା ବେଦରେ ଲିପିବଦ୍ଧ ।

 

“ନାସଦାସୀନୋ ସଦାସୀତ୍ ତଦାନୀମ୍

ନାସୀତ୍ ରଜୋ ନୋ ବ୍ୟୋମା ପରୋପତ୍ ।

କି ମା ବରୀ କଃ କୁହ କସ୍ୟ ଶର୍ମନ୍ ?

ଆମ୍ଭ କିମାସୀତ୍ ଗହନୀଂ ଗଭୀରମ୍”

 

“ସେହି ସୃଷ୍ଟିର ମୂଳ, ଆଦ୍ୟ ଅୟମାରମ୍ଭରେ ସତ୍ ନ ଥିଲା, ଅସତ୍ ମଧ୍ୟ ନ ଥିଲା; ଅନ୍ତରକ୍ଷୀ ନ ଥିଲା କିମ୍ବା ତଦତୀ ଆକାଶ ମଧ୍ୟ ନ ଥିଲା; କିଏ କାହାକୁ ଆବରିତ କରି ରଖିଥିଲା ସେତେବେଳେ ? କାହା ସୁଖପାଇଁ ସୃଷ୍ଟି ହେଲା ସେହି ଆବରଣ ? ସେହି ଆବରଣ ଉଦ୍ଦେଶ୍ୟରେ ସେତେବେଳେ କ’ଣ ଗହନ ଜଳରାଶି ବର୍ତ୍ତମାନ ଥିଲା ?”

 

ତା’ପରେ–ତା’ପରେ ?

 

ତା’ପରେ ସନ୍ଦେହର ମେଘାଚ୍ଛନ୍ନ ଆକାଶ ପରିଚ୍ଛନ୍ନ ହୋଇଗଲା । ପ୍ରଥମ ପ୍ରଶ୍ନର ସମାଧାନରେ ଯେଉଁ ନୂତନ ପ୍ରଶ୍ନ ଧୂମାୟିତ କରିଥିଲା ଆକାଶକୁ, ତା’ର ମଧ୍ୟ ସମାଧାନ ସୂତ୍ର ପାଇଲେ ଆର୍ଯ୍ୟଋଷିମାନେ ଧ୍ୟାନସ୍ଥ ହୋଇ ।

 

“ନ ମୃତ୍ୟୁରାସୀଦମୃତଂ ନ ତର୍ହିଂ

ନ ରାତ୍ୟା ଅହ୍ନ ଆସୀତ୍ ପ୍ରକେତଃ ।

ଆମୀଦ ବାତଂ ସ୍ଵଧୟା ତଦେକଂ

ତସ୍ମାଦ୍ଧାନାନ୍ନ ପରଃ କିଞ୍ଚନାମ୍”

(ଋକ୍ ନାରଦୀୟ ସୂକ୍ତର ପ୍ରଥମ ଦୁଇ ଋଚା-୧୦-୧୨୯)

 

କି ଚାମତ୍କାର ଦର୍ଶନ ଆର୍ଯ୍ୟ ଋଷିଙ୍କର ! ନାମ ରୂପାତ୍ମକ ଏହି ଦୃଶ୍ୟ ପ୍ରପଞ୍ଚର ଯେଉଁ ଅତୀତ ଓ ଭବିଷ୍ୟତ୍ ଶୂନ୍ୟ ଏକ ବ୍ୟକ୍ତ ଅଖଣ୍ଡ ବର୍ତ୍ତମାନତାର ଅବବୋଧ ଆର୍ଯ୍ୟ ଋଷିବର୍ଗଙ୍କୁ ପ୍ରବୁଦ୍ଧ କରିଥିଲା ସେଦିନ, ମାନବୀୟ ଚିନ୍ତନ କ୍ଷେତ୍ରରେ ତାହା ବାସ୍ତବିକ ଅତୁଳନୀୟ, ଅଭିନବ, ଅପୂର୍ବ, ଅପ୍ରତିଦ୍ଵନ୍ଦୀ, ଚିର ଅନର୍ପିତ ଅମୂଲ୍ୟ ଅବଦାନ ।

 

ଆର୍ଯ୍ୟ ଋଷି କହିଲେ–“ସେତେବେଳେ ମୃତ୍ୟୁ ନ ଥିଲା; ଅମୃତତ୍ୱ ନ ଥିଲା; ରାତ୍ର ଓ ଦିବସ ମଧ୍ୟରେ ଭେଦ ନ ଥିଲା । ବର୍ତ୍ତମାନ ଥିଲେ ସେହି ଏକ ଅଦ୍ୱିତୀୟ, ବାୟୁବିହୀନ ହୋଇ ମଧ୍ୟ ସ୍ୱୀୟଶକ୍ତିରେ ଶ୍ୱାସୋଚ୍ଛ୍ୱାସସମ୍ପନ୍ନ ସେହି ସ୍ଫୂର୍ତ୍ତିମାନ୍ ବ୍ୟକ୍ତି–ପୁରୁଷ । ତାଙ୍କ ବ୍ୟତୀତ ଅନ୍ୟ କିଛିର ସତ୍ତା ନ ଥିଲା ସେତେବେଳେ ।”

 

ସୃଷ୍ଟିର ଆଦିଭୂତ, ଏକ ଅବ୍ୟକ୍ତ, ସଦାସତ୍, ମର୍ତ୍ତ୍ୟ ଅମୃତ, ଦିବାରାତ୍ର ଆଲୋକ ଅନ୍ଧାରାଦି ଦ୍ୱୈତ ଓ ଦ୍ୱନ୍ଦ୍ୱାତୀତ ତତ୍ତ୍ୱର ଅତୀତ, ବାୟୁର ଅବର୍ତ୍ତମାନତା ସତ୍ତ୍ୱେ ଶ୍ୱାସୋଚ୍ଛ୍ଵାସ ସମଯୁକ୍ତ ପ୍ରାଣବାନ୍ ସଚେତନତାର ଅସ୍ତିତ୍ଵକୁ କେହି ନିନ୍ଦୁକ ଯଦି ଏକ ମାନସିକ ବିଳାସ ବୋଲି ଆଖ୍ୟାଦିଏ ଆଧୁନିକ ପଶ୍ଚିମାଗତ ଜଡ଼ବାଦର ଦ୍ୱାହି ଦେଇ, ତେବେ ସେହି ଜଡ଼ୀଭୂତ ମତିପନ୍ନ, ସେହି ମହତ୍ତ୍ଵପୂର୍ଣ୍ଣ ଅନୁଭୂତିରୁ ବଞ୍ଚିତ ମତାନ୍ଧକୁ ଦୟାର ପାତ୍ର ବୋଲି କହିବାଛଡ଼ା ଅନ୍ୟ କୌଣସି ବିଶେଷଣରେ ତାକୁ ବ୍ୟଙ୍ଗ କରିବା ଅନୁଚିତ ହେବ ।

 

ଆଜିର ଜଡ଼ାବାଦୀ ପାଶ୍ଚାତ୍ୟ ସଭ୍ୟତା ଅଜ୍ଞାନ-ଅନ୍ଧକରାଛନ୍ନ ଉଲ୍‌ବାବୃତ ଗର୍ଭ ମଧ୍ୟରେ ଭ୍ରୂଣାକାରରେ ମଧ୍ୟ ଯେତେବେଳେ ସଞ୍ଚରିତ ହୋଇନଥିଲା, ସେତେବେଳେ ମାନବ ସଭ୍ୟତାର ସେହି ଆଦିମ ପ୍ରାଚୀନତମ ଅବସ୍ଥାରେ ଏତାଦୃଶ ସୁଚିନ୍ତିତ ମହିମାନ୍ଵିତ ଅଭିବ୍ୟକ୍ତି, ଧନାଢ୍ୟ, ସୁଗଭୀର, ବିସ୍ମୟକର ଜ୍ଞାନାଲୋକର ସମକକ୍ଷ ସୂଚନା ଭୂମଣ୍ଡଳର କୌଣସି ଖଣ୍ଡରେ ପ୍ରଚଳିତ ଧର୍ମ ଓ ଦର୍ଶନରେ କେହି ପାଇ ପାରିଛି ବୋଲି ବାହୁଷ୍ଫୋଟ ମାରି କହିପାରିବ ନାହିଁ । ପରବର୍ତ୍ତୀ କାଳରେ ଉପନିଷଦ୍ ଯୁଗାରମ୍ଭରେ ଏତାଦୃଶ ଭାବଧାରାର ବିବିଧ ରୂପାୟନ ଏଇ ଭାରତଭୂମିରେହିଁ ଦୃଷ୍ଟିଗୋଚର ହୁଏ ।

 

ବେଦରେ ବର୍ଣ୍ଣିତ ଓ ବେଦମନ୍ତ୍ର ବା ସୁକ୍ତମାନଙ୍କରେ ନିହିତ ସ୍ତୁତି ବହୁ ଦେବଦେବୀମାନଙ୍କର ଊର୍ଦ୍ଧ୍ୱରେ ଜଗତର ମୂଳଭୂତ ଏକ ମହତ୍ତମ ସୁସ୍ଥ ଶକ୍ତିମାନ୍ ଅବ୍ୟକ୍ତ ପୁରୁଷର ଅସ୍ତିତ୍ଵ ସ୍ଵୀକୃତି ହୋଇଛି; ପୁଣି ବେଦାଙ୍ଗ ନିରୁକ୍ତରେ ମଧ୍ୟ । ୠଷି ଯାସ୍କଙ୍କ ମତରେ ସେ ଏକ ବିରାଟ ପୁରୁଷ ଅସୀମ ଐଶ୍ୱର୍ଯ୍ୟଶାଳୀ ଶକ୍ତି । ତାଙ୍କୁହିଁ ଈଶ୍ୱର ନାମରେ ଅଖ୍ୟାତ କରାଯାଇଛି । ସେ ଏକ ଏବଂ ଅଦ୍ୱିତୀୟ । ସେହି ଏକ ଦେବହିଁ ବହୁ ରୂପରେ ରୂପାୟିତ ଓ ସ୍ତୁତ ।

 

“ମହାଭାଗ୍ୟାତ୍ ଦେବତ୍ୟୟା ଏକ ଏବ

ଆତ୍ମା ବହୁଧା ସ୍ତୁୟତେ

ଏକସ୍ୟାତ୍ମନୋନୋ ଦେବାଃ ପ୍ରତ୍ୟଙ୍ଗାନି ଭବନ୍ତି ।

(ନିରୁକ୍ତ-ଦୈବତ କାଣ୍ଡରୁ-୪-୮୨୯)

 

ଋକବେଦରେ ସତ୍ୟର ନାମ ଋତ । ସୃଷ୍ଟି ପ୍ରପଞ୍ଚ ମଧ୍ୟରେ ଯେଉଁ ଅବିନାଶୀ ସତ୍ତା ସର୍ବଦା ବିଦ୍ୟମାନ୍ ତାହାହିଁ ଋତ । ଋତହିଁ ସୃଷ୍ଟିର ଉଦ୍ଭବ ସ୍ଥଳ । ଋତହିଁ ସମଗ୍ର ବିଶ୍ୱର ସୁବ୍ୟବସ୍ଥା, ସୁପ୍ରତିଷ୍ଠା ଓ ସମସ୍ତ ନିୟମାବଳିର କାରଣଭୂତ । ଋତର ସେହି ସନାତନ ସତ୍ତାଦ୍ଵାରାହିଁ ବିଷମତା ସ୍ଥାନରେ ସମତା, ଅଶାନ୍ତି ସ୍ଥାନରେ ଶାନ୍ତିର ଭୂତି ସମ୍ଭବ ହୋଇପାରେ । ସତ୍ୟଭୂତ ବ୍ରହ୍ମାହିଁ ଏହାର ହେତୁ । ଏହି ଋତ-ଏହି ସତ୍ୟରେହିଁ ବ୍ରହ୍ମଙ୍କର ପ୍ରତିଷ୍ଠା । ଏହି ସତ୍ତାର ଅବଲମ୍ବନରେହିଁ ସକଳ କାର୍ଯ୍ୟର ସମ୍ଭାବନା, ସମ୍ପାଦନା ଓ ସଂସ୍ଥିତି । (ଋକ୍-୯-୮-୮ ଓ ୧-୧୦୫, ୧୫)

 

ସୁତରାଂ ଦେବତା ତତ୍ତ୍ଵର ରହସ୍ୟ ଉଦ୍‌ଘାଟନ କରିବା ସଙ୍ଗେ ସଙ୍ଗେ ସର୍ବକାରଣ ଏକ ସର୍ବବ୍ୟାପୀ ବ୍ରହ୍ମ ସତ୍ତାର ସନ୍ଧାନ ଦେବା ଋକବେଦର ଆଭିମୁଖ୍ୟ ବୋଲି ସିଦ୍ଧାନ୍ତରେ ଉପନୀତ ହେବା ସମୁଚିତ । ଏହି କାରଣ ସତ୍ତା ସୃଷ୍ଟିର ସମସ୍ତ ବିକାଶରେ ଅନୁପ୍ରବେଶ କରି ଭିନ୍ନ ଭିନ୍ନ କ୍ଷେତ୍ରରେ ରୂପ ପରିଗ୍ରହ କରିଛନ୍ତି–ଏହାହିଁ ପ୍ରତିପନ୍ନ ହୋଇଛି ଋକବେଦୀୟ ଋଚାବଳିରେ । ପ୍ରକୃତିର ବିବିଧ ପ୍ରକ୍ରିୟା ମଧ୍ୟରେ ସୃଷ୍ଟି ପ୍ରପଞ୍ଚର ଏକତମ କର୍ତ୍ତା ଓ ନିୟନ୍ତାରୂପେ ଯେଉଁ ଅଦ୍ୱୟ ବ୍ରହ୍ମସତ୍ତା ବିଦ୍ୟମାନ୍ ବିଭିନ୍ନ, ଦେବଦେବୀଗଣ ସେହି ମୌଳିକ ସତ୍ତାର ବହୁବିଧ ବିକାଶ ମାତ୍ର–ଏହି ମହତ୍ତ୍ଵପୂର୍ଣ୍ଣ ସିଦ୍ଧାନ୍ତ ବୈଦିକ ଋଷିବର୍ଗ ଭିନ୍ନ ଭିନ୍ନ ଭାବରେ ବେଦୋକ୍ତ ସୂକ୍ତି ସମୂହରେ ପ୍ରକାଶ କରିଯାଇଛନ୍ତି ।

 

ପ୍ରକୃତର ବିଭିନ୍ନ ବିକାଶର ପ୍ରତୀକ ରୂପୀ ଅନେକ ଦେବ ଦେବୀଙ୍କ ସହ ସେହି ସୂକ୍ଷ୍ମାତିସୂକ୍ଷ୍ମ କାଳାତୀତ ଅରୂପ ଅନନ୍ତ ଅବ୍ୟକ୍ତ ପୁରୁଷଙ୍କର ସମ୍ବନ୍ଧ ସୂତ୍ର ଆବିଷ୍କାର କରିବାକୁଯାଇ ବେଦ ଦେବତାମାନଙ୍କୁ ପ୍ରଥମତଃ ଦ୍ଵିବିଧ ରୂପରେ ବିଭାଜିତ କରିଛନ୍ତି–ଗୋଟିଏ ସ୍ଥୂଳ ଓ ଅନ୍ୟଟି ସୂକ୍ଷ୍ମ । ସ୍ଥୂଳ ରୂପ ଦୃଶ୍ୟ ଓ ଇନ୍ଦ୍ରିୟଗୋଚର । ସୂକ୍ଷ୍ମରୂପ ଇନ୍ଦିୟାତୀତ ଅଦୃଶ୍ୟ, ଦେବତାମାନଙ୍କର ଯେଉଁ ରୂପ ଇନ୍ଦ୍ରିୟଗ୍ରାହ୍ୟ ତାହାହିଁ ସେମାନଙ୍କର ଆଧିଭୌତିକ ପ୍ରକାଶ ଏବଂ ଯେଉଁ ରୂପକୁ ଭୌତିକ ଇନ୍ଦ୍ରୟସମୂହ ଗ୍ରହଣ କରିବାରେ ଅସମର୍ଥ ତାହା ସେମାନଙ୍କର ଆଧିଦୈବିକ ବିଭବ । ଏହି ଦ୍ଵିବିଧ ରୂପ ବିନ୍ୟାସ ବ୍ୟତୀତ ଅନ୍ୟ ଏକ ତୃତୀୟ ବିଭୂତି ବେଦର ମନ୍ତ୍ରାବଳି ସ୍ଵୀକାର କରନ୍ତି । ତାହା ସର୍ବୋପରି ଓ ସୂକ୍ଷ୍ମତମ । ସେହି ବିଭୂତିହିଁ ଆଧ୍ୟାତ୍ମିକ ତତ୍ତ୍ଵ ଦେବତାମାନଙ୍କର ।

 

ଉଦାହରଣ ସ୍ୱରୂପ ବେଦ-ବର୍ଣ୍ଣିତ ଦେବମାନଙ୍କ ମଧ୍ୟରେ ବିଷ୍ଣୁଙ୍କର ଯେଉଁ ରୂପ ପାର୍ଥିବ ଜଗତର ନିୟନ୍ତା ଏବଂ ନର ମାନବର ପୂଜ୍ୟ ତାହା ତାଙ୍କର ଆଧିଭୌତିକ ରୂପ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଚତୁର୍ଭୁଜ ନାରାୟଣ । ଯେଉଁ ରୂପରେ ସେ ଅନ୍ତରୀକ୍ଷ ତଥା ସମଗ୍ର ବିଶ୍ୱର ପରିମାପ ତ୍ରିବିକ୍ରମ ସହକାରେ କରିଥିଲେ ତାହା ତାଙ୍କର ଗୂଢ଼ ଆଦିଦୈବିକ ରୂପ ଏବଂ ଏହି ଆଧିଭୌତିକ ଆଦିଦୈବିକ ରୂପ ବ୍ୟତୀତ ଯେଉଁ ସ୍ୱରୂପରେ ବା ରୂପହୀନ ଯେଉଁ ତତ୍ତ୍ଵରେ ତାଙ୍କର ପରମ ପଦ ସନ୍ନିହିତ ତାହାହିଁ ତାଙ୍କର ଆଧ୍ୟାତ୍ମିକ ଅବସ୍ଥିତି । ଏହି ପରମପଦ ସମ୍ବନ୍ଧରେ ଭଞ୍ଜକବି ଗାଇ ଗଲେ–‘ବ୍ରହ୍ମାରେ ଧୌତ ଯେ ପଦ ନୋହିଛି ଶିବ ବିଷାଦ ନ ପାଇ ଚରଣାମୃତ ପାନକୁ ଇଚ୍ଛି ।’

 

ବେଦର ବର୍ଣ୍ଣନାନୁସାରେ ଯେଉଁ ସ୍ଥାନରେ ବିଷ୍ଣୁ ତାଙ୍କର ସୂକ୍ଷ୍ମତମ ଆଧ୍ୟାତ୍ମିକ ତତ୍ତ୍ଵ ସ୍ଵରୂପରେ ବିରାଜମାନ୍ ସେ ସ୍ଥାନରେ ବିଷ୍ଣୁଭକ୍ତମାନେ ଅମୃତ ପାନ କରି ଆନନ୍ଦସାଗରରେ ନିମଜ୍ଜିତ ହୁଅନ୍ତି । ଅମୃତର ମଧୁମୟ କୂପ ଓ ମଧୁଚକ୍ର ସେହି ମନୋରମ ସ୍ଥାନର ସମ୍ପଦ । କେବଳ ଜ୍ଞାନୀ, ବିଦ୍ୱଜ୍ଜନ ବିପ୍ରମାନେହିଁ ସେହି ପରମରସକୁ ପ୍ରାପ୍ତ ହୁଅନ୍ତି ଏହି ପରମପଦହିଁ ବ୍ରହ୍ମଜ୍ଞାନ ।

 

ସେହିପରି ତମସାପହାରୀ ଅଂଶୁମାନ ସୂର୍ଯ୍ୟଙ୍କର ମଧ୍ୟ ‘ଉତ୍’ ‘ଉତ୍ତର’ ଓ ‘ଉତ୍ତମ’ ନାମକ ତ୍ରିବିଧ ରୂପ ବେଦବିଦିତ । ଏହି ତରତମ ଭେଦରେ ସୂର୍ଯ୍ୟଙ୍କର ମାହାତ୍ମ୍ୟ ସ୍ଥିରୀକୃତ । ଯେଉଁ ଜ୍ୟୋତିରେ ଅନ୍ଧକାର ବିଦୂରିତ ହୁଏ ସୂର୍ଯ୍ୟଙ୍କର ସେହି ଚକ୍ଷୁ ଓ ତ୍ଵଗିନ୍ଦ୍ରିୟଦ୍ଵାରା ଗୋଚରୀଭୂତ ପ୍ରକାଶହିଁ ‘ଉତ୍’ । ଯେଉଁ ଇନ୍ଦ୍ରିୟାତୀତ ଅଦୃଶ୍ୟ ଜ୍ୟୋତିଦ୍ୱାରା ଦେବଲୋକ ଆଲୋକିତ ହୁଏ, ସୂର୍ଯ୍ୟଙ୍କର ସେହି ଦ୍ୟୁତି ‘ଉତ୍ତର’ । ଏବଂ ଏହି ଦୁଇ ଦ୍ୟୁତି ପ୍ରକାଶର ଉର୍ଦ୍ଧ୍ଵରେ ଅନ୍ୟ ଏକ ଜ୍ୟୋତିର ସନ୍ଧାନ ବେଦ ଦେଇଛନ୍ତି–ଯାହା ତାଙ୍କର ଇନ୍ଦ୍ରିୟାତୀତ ପ୍ରକାଶକୁ ମଧ୍ୟ ଅତିକ୍ରମ କରି ଅନାହତ ନିରସ୍ତ ଏକ ଦିବ୍ୟ ଆଭାରେ ଉଦ୍‌ଭାସିତ ଏବଂ ସ୍ଥୂଳ ସୂକ୍ଷ୍ମ ସମସ୍ତ ଜ୍ୟୋତିର ମୂଳ ଉତ୍ସ ସ୍ୱରୂପ–ତାହାହିଁ ‘ଉତ୍ତମ’ ବେଦ ନିରୂପିତ ନାମ ଅନୁସାରେ । ଏହି ‘ଉତ୍’, ‘ଉତ୍ତର’ ଓ ଉତ୍ତମ’ ବିଶେଷଣ ତ୍ରୟ ସୂର୍ଯ୍ୟଙ୍କର କାର୍ଯ୍ୟାତ୍ମକ, କାରଣାତ୍ମକ ଓ କାର୍ଯ୍ୟ କାରଣର ଅତୀତ ସୂକ୍ଷ୍ମାତସୂକ୍ଷ୍ମ ଅତିସୂକ୍ଷ୍ମ ଅବସ୍ଥାରେ ଦ୍ୟୋତକ । ୠକବେଦର ଭାଷାରେ-

 

“ଉଦ୍‍ବୟଂ ତମସସ୍ମରି ଜ୍ୟୋତି ପଶ୍ୟନ୍ ଉତ୍ତରଂ

ଦେବଂ ଦେବତ୍ରା ସୂର୍ଯ୍ୟମଗନ୍ନ ଜ୍ୟୋତିରୁତ୍ତମମ୍ ।

(୧୦୨୦-୧୦)

 

ଅଗ୍ନିଙ୍କର ମଧ୍ୟ ସୂକ୍ଷ୍ମ ଓ ସ୍ଥୂଳ ଭେଦରେ ଦ୍ୱିବିଧ ରୂପ ବର୍ଣ୍ଣନା କରାଯାଇଛି । ଐତେରୀୟ ଆରଣ୍ୟକରେ ‘ତିରୋହିତ’ ଓ ‘ ପୁରୋହିତ’ ଦୁଇ ନାମର ପରିଚୟ ମିଳେ ଅଗ୍ନିଙ୍କର । ‘ତିରୋହିତ’ ଶବ୍ଦକ ନାମରେ ଅଗ୍ନି ତିରୋହିତ ବା ଅଦୃଶ୍ୟ । ଗୂଢ଼ ତଥା ସୂକ୍ଷ୍ମ ଭାବରେ ତାଙ୍କର ଅବସ୍ଥିତି ‘ତିରୋହିତ’ ନାମ-ବାଚକ । ଅଗ୍ନିଙ୍କର ଦାହିକା ଶକ୍ତିସମ୍ପନ୍ନ ପ୍ରକାଶର ନାମବାଚୀ ‘ପୁରୋହିତ’ ଶବ୍ଦରେ ସେ ବ୍ୟକ୍ତ-ତ୍ଵକ୍ ଓ ଚକ୍ଷୁଦ୍ଵାରା ଅନୁଭୂତ । ‘ଅଗ୍ନିମିଡ଼େ ପୁରୋହିତଂ ଯଜ୍ଞସ୍ୟ ଦେବମୃତ୍ୟୁଜଂ ହୋତାରଂ ରତ୍ନଧାତମମ୍’ ମନ୍ତ୍ରରେ ଏହି ପାର୍ଥିବ ଅଗ୍ନିଙ୍କର ସତ୍ତାହିଁ ସ୍ଵୀକୃତ । ଶ୍ରୀମଦ୍ ଭଗବତ୍ ଗୀତାରେ ଭଗବାନ୍ ଶ୍ରୀକୃଷ୍ଣ ନିଜେ ସେହି ‘ତିରୋହିତ’ ଅଦୃଶ୍ୟ ଅଗ୍ନି ବୋଲି ପ୍ରତିପାଦନ କରି କହିଛନ୍ତି-

 

“ଅହଂ ବୈଶ୍ଵାନରୋ ଭୂତ୍ଵା ପ୍ରାଣିନାଂ ଦେହମାଶ୍ରିତଃ

ପ୍ରାଣାପାନସମାଯୁକ୍ତା ପଚାମ୍ୟନ୍ନଂ ଚତୁର୍ବିଧମ୍ ।”

 

“ମୁଁ ଉଦରାଗ୍ନିରୂପେ ପ୍ରାଣୀମାନଙ୍କର ଦେହକୁ ଆଶ୍ରୟ କରି ପ୍ରାଣ ଅପାନ ଓ ସମାନ ଯୁକ୍ତ ହୋଇ ଚର୍ବ୍ୟ, ଚୋଷ୍ୟ, ଲେହ୍ୟ ଓ ପେୟ ଆଦି ଚତୁର୍ବିଧ ଆହାର୍ଯ୍ୟକୁ ଜୀର୍ଣ୍ଣ କରେଁ ।”

 

ବହୁତ୍ଵ ମଧ୍ୟରେ ଏକତ୍ଵର ପରିକଳ୍ପନା, ଭିନ୍ନତା ମଧ୍ୟରେ ଅଭିନ୍ନତାର ପରିଭାବନା ପ୍ରାଚୀ ପତୀଚୀ ଉଭୟ ଜଗତରେ ବିରଳ ଓ ଅତୁଳନୀୟ । ସୃଷ୍ଟିର ଏହି ନିଗୂଢ଼ ମୌଳିକ ତତ୍ତ୍ୱ ଦର୍ଶନ ବା ଆବିଷ୍କାର କରିବାର ମନୀଷା ଏହି ଆର୍ଯ୍ୟ ଭାରତର ଆଦିମ ଅଧିବାସୀ, ଆର୍ଷଚକ୍ଷୁ, କ୍ରାନ୍ତଦର୍ଶୀ ଧ୍ୟାନସ୍ଥ ବୈଦିକ ୠଷିମାନଙ୍କର ଅକ୍ଷୟ କୀର୍ତ୍ତି-ସମ୍ଭବା କୃତି । ସେହିମାନେ କେବଳ ଏହି ଅକ୍ଷୁଣ୍ଣ ଗୌରବର ଅଧିକାରୀ କ୍ଷିତମଣ୍ଡଳରେ, ସମଗ୍ର ମାନବ ସମାଜରେ ଅପ୍ରତିଦ୍ୱନ୍ଦୀ ଭାବରେ ।

 

ଆର୍ଯ୍ୟଋଷି ରୂପ ମଧ୍ୟରେ ଅରୂପ, ଆକାର ମଧ୍ୟରେ ନିରାକାର କଳ୍ପନାକୁ ରୂପାୟିତ କରିଛନ୍ତି ନାନାଦି ନାମ ରୂପରେ; ଯଥା:- ପ୍ରଜାପତି, ହିରଣ୍ୟଗର୍ଭ, ପୁରୁଷ ଓ ଆଦିତ୍ୟ ପ୍ରଭୃତି । ଏହି ନାମାବଳି ମଧ୍ୟରେ ‘ହିରଣ୍ୟଗର୍ଭ’ହିଁ ସର୍ବାଧିକ ମନୋରମ କାବ୍ୟ ପ୍ରକାଶର ପ୍ରତୀକ–

 

ହିରଣ୍ୟଗର୍ଭଃ ସମବର୍ତତ୍ୟଗ୍ରେ

ଭୂତସ୍ୟ ଜାତଃ ପତିରେକ ଆସୀତ୍ ।

ସଦାଧାର ପୃଥିବୀଂ ଦ୍ୟାମ୍ ଉତେମାଂ

କସ୍ମୈ ଦେବାୟ ହବିଷା ବିଧେମ ।

ଋକ୍-୧୦-୧୨୭-୭ (ଯଜୁଃ ଓ ଅଥର୍ବ)

 

ଋକ୍, ଯଜୁଃ ଓ ଅଥର୍ବବେଦ ବର୍ଣ୍ଣିତ ଏହି ସୂକ୍ତିର ଦାର୍ଶନିକ ଅବବୋଧର ପଟାନ୍ତର ନାହିଁ-। ଏହି ପରମ ପୁରୁଷ ହିରଣ୍ୟଗର୍ଭ ବା ପ୍ରଜାପତି (କଃ)ହିଁ ପରବର୍ତି ବୈଷ୍ଣବ ଧର୍ମ ନିର୍ଣ୍ଣୀତ ସତ୍+ଚିତ୍+ଆନନ୍ଦ ଘନମୂର୍ତ୍ତିର ମୌଳିକ ତତ୍ତ୍ୱ ବୋଲି ମନେହୁଏ ।

 

ଋକ୍‍ବେଦୀୟ ପ୍ରଜାପତି ‘ବ୍ରହ୍ମା’ ନୁହନ୍ତି କିମ୍ବା ଭୂଭାଗର ଶାସକ ପୌରାଣିକ ଚରିତ୍ର ‘ଦକ୍ଷ’ ନୁହନ୍ତି । ଋକବେଦରେ ପ୍ରଖ୍ୟାତ ଏବଂ ବହୁ ସ୍ଥାନରେ ଉଲ୍ଲିଖିତ ମନ୍ତ୍ରଭାଗ ‘କସ୍ମୈ ଦେବାୟ ହବିଷା ବିଧେମ’ ମନ୍ତ୍ରରେ ପ୍ରଜାପତିହିଁ ‘କଃ’ ଶବ୍ଦଦ୍ଵାରା ଉଦ୍ଧିଷ୍ଟ । କୌଣସି କୌଣସି ଟୀକାକାର, ବିଶେଷତଃ ପାଶ୍ଚାତ୍ୟ ଅଭିମୁଖୀ ପଣ୍ଡିତ ‘କସ୍ମୈ’ ଶବ୍ଦକୁ ପ୍ରଶ୍ନବାଚୀ ସର୍ବନାମ ବୋଲି ସାବ୍ୟସ୍ତ କରିଛନ୍ତି । କିନ୍ତୁ ବୈଦିକ ପରମ୍ପରାରେ ଏହି (କଃ) ଶବ୍ଦର ଅର୍ଥ ପ୍ରଜାପତି । ସାୟାଣ ଭାଷ୍ୟହିଁ ଏହି ଅର୍ଥର ନିର୍ଭରଯୋଗ୍ୟ ପ୍ରମାଣ ।

 

ହିରଣ୍ୟଗର୍ଭଙ୍କର ଉଦ୍ଭାବନା ସୃଷ୍ଟିର ସର୍ବାଦୌ । ବରଂ ସୃଷ୍ଟିପୂର୍ବ ସମ୍ଭାବନା କହିବା ଅଧିକ ସତ୍ୟ ହେବ । ଏହାହିଁ ବେଦର ବର୍ଣ୍ଣନା ହିରଣ୍ୟଗର୍ଭଙ୍କ ସମ୍ବନ୍ଧରେ । ଏହି ସ୍ଵୟଂଭୂ ସୁମହାନ୍ ଶକ୍ତି ସମ୍ଭୂତ ହେବା ମାତ୍ରେ ସମଗ୍ର ସୃଷ୍ଟିର ଅଦ୍ୱିତୀୟ ଅପ୍ରତିଦ୍ଵନ୍ଦୀ ଅଧିପତିରୂପେ ଅଧିଷ୍ଠିତ ହେବା ସ୍ଵାଭାବିକ । ପୃଥିବୀ, ଅନ୍ତରୀକ୍ଷ ଓ ଆକାଶର ଆଶ୍ରୟ ତତ୍ତ୍ଵ ଏହି ବିରାଟ ପୁରୁଷଙ୍କର ପ୍ରସାଦ ନିମନ୍ତେ ଯାଗଯଜ୍ଞରେ ହବିଷ୍ୟ (ଘୃତ) ଅର୍ପିତ ହୋଇଥାଏ । ଋକବେଦଙ୍କ ବର୍ଣ୍ଣନାରେ ହିରଣ୍ୟଗର୍ଭହିଁ ପ୍ରତ୍ୟେକ ପ୍ରାଣୀର ପ୍ରାଣଦାତା ତଥା ବଳବୀର୍ଯ୍ୟବିଧାୟକ । ଅମରତ୍ଵ ଓ ମୃତ୍ୟୁ ଛାୟା’ ପ୍ରାୟ ତାଙ୍କର ଅନୁବର୍ତ୍ତୀ- ‘ଯସ୍ୟ ଛାୟାଽମୃତଂ ଯସ୍ୟ ମୃତ୍ୟୁଃ’ (୧୦-୧୨୧-୨)

 

ଏହି ସର୍ବବ୍ୟାପୀ ସର୍ବଶକ୍ତିମାନ୍ ସତ୍ତାର ଅନ୍ୟ ଏକ ବିକଳ୍ପ ବିକାଶ-‘ଅଦିତି’ । ଗୌତମ ୠଷିଙ୍କ ମୁଖରେ ଅଦିତିଙ୍କର ଅଦ୍ୱିତୀୟ ମହିମା ପ୍ରକାଶ ପାଇଛି–

 

“ଅଦିତି ଦ୍ୟୌରଦିତିରନ୍ତରୀକ୍ଷ ମଦିତି ସ ମାତା ସ ପିତା ସ ପୁତ୍ରଃ ବିଶ୍ଵଦେବା ଅଦିତିଃ, ପଞ୍ଚଜନା, ଅଦିତିର୍ଜାତି ମଦିତିର୍ଜନିତ୍ଵମ୍ ।”

 

ଅଦିତିହିଁ ଆକାଶ, ଅଦିତିହିଁ ଅନ୍ତରୀକ୍ଷ, ଅଦିତି ମାତା, ଅଦିତି ପିତା, ଅଦିତିହିଁ ପୁତ୍ର, ଏକାଧାରରେ ଅଦିତିହିଁ ସର୍ବଦେବତା, ସେହି ବିଶ୍ଵଦେବା ଏବଂ ପଞ୍ଚଜନା । ଯେତେ ଯାହା ଉତ୍ପନ୍ନ ଏବଂ ଯାହା ଅବା ଉଦ୍ଭବ, ସେସବୁ, ଏକମାତ୍ର ଅଦିତି ।

 

“ବିଶ୍ଵେଷାମ୍ ଅଦିତିର୍ ଯଜ୍ଞିୟାନାଂ

ବିଶ୍ଵେଷାମ୍ ଅତିଥିର୍ ମାନୁଷାଣାମ୍ (ୠ -୪-୧ ୨୦)”

 

ସେହି ଅଦିତି ବିଶ୍ଵମୟ ସର୍ବ ଯଜ୍ଞର ଆଦିଭୋକ୍ତା । ସେହି ଅଦିତିହିଁ ମନୁଷ୍ୟମାନଙ୍କ ମଧ୍ୟରେ ଅତିଥିସ୍ୱରୂପ ।

 

ଅଦିତି କଶ୍ୟପ ପତ୍ନୀ ଅଦିତି ନୁହନ୍ତି । ଏହି ‘ତଦେକମ୍’-ଏକ ମାତ୍ର ଅଦିତି ପୁଙ୍ ସ୍ତ୍ରୀ ବା ଅଥର୍ବ ଲିଙ୍ଗର ଅତୀତ–ନାସଦୀୟ ସୂକ୍ତର ସ୍ଵୀକୃତି ମତେ ।

 

ଅଗ୍ନି ହୁଅନ୍ତୁ, ଅଦିତି ହୁଅନ୍ତୁ ବା ହିରଣ୍ୟଗର୍ଭ ହୁଅନ୍ତୁ ଆର୍ଯ୍ୟୠଷିବର୍ଗଙ୍କର ଉନ୍ନତ ମତିପନ୍ନତା ଏହି ଯେଉଁ ବିରାଟ ଭାବର ପ୍ରାତିଭ ପରିପ୍ରକାଶ, ସୃଷ୍ଟିର ସେହି ଅୟମାରମ୍ଭ କାଳରେ କରିଯାଇଛି ତାହା କେବଳ ଏକ ବୌଦ୍ଧିକ ବ୍ୟାୟାମ କ୍ରୀଡ଼ା ନୁହେଁ, ତାହା ରୋମାଞ୍ଚକର ଗଭୀର ଅନୁଭୂତି ସଞ୍ଚାରୀ କାବ୍ୟିକ ରୂପାୟନ ମଧ୍ୟ । ଅଗ୍ନି, ମାତରିଶ୍ୱା, ଯମ, ଇନ୍ଦ୍ରାଦି ବହୁବିଧ ଦେବଦେବୀଗଣଙ୍କର ମୂଳଭୂତ, ଚେତନ ଅଚେତନ ଯାବତୀୟ ସର୍ଜନାର ଉତ୍ପତ୍ତି, ଉଦ୍ଭବ ଓ ପ୍ରଳୟର ସ୍ଥଳ ସେହି ବିରାଟ ପୁରୁଷ କେବଳ କଳ୍ପନା ନୁହେଁ–ମନୁଷ୍ୟର ମଧୁର ବାଣୀରେ ତାଙ୍କର ବାକ୍‌ସ୍ଫୃର୍ତ ହୁଏ, ପକ୍ଷୀମାନଙ୍କର କଳରବରେ ତାଙ୍କରି ଆହ୍ୱାନର ପ୍ରତିଧ୍ଵନି ଧ୍ୱନିତ ହୁଏ, ବିକଚ କୁସୁମ ନିଚୟରେ ତାଙ୍କରି ଅଧରୋଷ୍ଠର ସୁସ୍ମିତ ପରିସ୍ଫୁଟ ହୁଏ, ପ୍ରଚଣ୍ଡ ଝଂଝାର ପ୍ରଖର ପ୍ରବାହରେ, ବଜ୍ରର ଅନ୍ତର୍ଭେଦୀ ଗର୍ଜନରେ, ତାଙ୍କର କ୍ରୋଧ ଉଦ୍‌ଗୀର୍ଣ୍ଣ ହୁଏ, ନଭୋମଣ୍ଡଳରେ ସଂଖ୍ୟାତୀତ ଚନ୍ଦ୍ରସୂର୍ଯ୍ୟାଦି ଗ୍ରହନକ୍ଷତ୍ରମାନଙ୍କର କକ୍ଷସ୍ଥିତି ଓ ଗତିର ନିୟମନ ତାଙ୍କରି ଅବିସ୍ଖଳିତ ନିର୍ଦ୍ଦେଶ–ସେ କେବଳ କଳ୍ପନା ନୁହଁନ୍ତି–ସେ ସତ୍ୟ, ବାସ୍ତବ ! ‘ଶୁଣ୍ୱନ୍ତୁ ବିଶ୍ୱେ ଅମୃତସ୍ୟ ପୁତ୍ରାଃ !’ ‘ହେ ଅମୃତର ମାନବ ଶୁଣ’ -ଋକବେଦ ତା’ର ସ୍ଵରରେ ଘୋଷଣା କଲେ–‘ସେ ଈଶ୍ଵର ଅବ୍ୟକ୍ତ ହେଲେ ହେଁ ବ୍ୟକ୍ତ-। ବ୍ୟକ୍ତ ଏହି ପ୍ରକୃତିରେ–ବ୍ୟକ୍ତ ଏହି ମନୁଷ୍ୟ ମଧ୍ୟରେ–

 

ଶ୍ୱଣ୍ୱନ୍ତୁ ବିଶ୍ୱେ ଅମୃତସ୍ୟ ପୁତ୍ରଃ

ଆୟେ ଧାମାନି ଦିବ୍ୟାନି ତସ୍ଥୁଃ ।

(ୠ-୧୦-୧୩-୧)

 

“ହେ ଅମୃତର ସନ୍ତାନ ବର୍ଗ ଶୁଣନ୍ତୁ–ସମସ୍ତେ ସେହି ଦିବ୍ୟ ଆଲୋକର ଅଧିକାରୀ । ମନୁଷ୍ୟହିଁ ଅମୃତ ସନ୍ତାନ । ମନୁଷ୍ୟ କଦାପି ମର୍ତ୍ତ୍ୟ ନୁହେଁ, ମରଣଶୀଳ ନୁହେଁ । ଜୀବର ଆଦିମ ପ୍ରବୃତ୍ତି ଯେଉଁ ମୃତ୍ୟୁ ଭୟ ତାକୁ ଦାର୍ଶନିକ ହେବାକୁ ବାଧ୍ୟ କରିଥିଲା, ତାହାର ଯଥାଯଥ ଉତ୍ତର ଦେଇ ଋକବେଦ କହିଲେ-ହେ ଅମୃତସନ୍ତାନ ମାନବ ଶୁଣ, “ମନୁର୍ଭବ ଜନୟା ଦୈବଂ ଜନମ୍” ଅର୍ଥାତ୍ ତମେ ଆଗ ମନୁଷ୍ୟ ହୁଅ ଏବଂ ତା’ପରେ ଦେବ ସନ୍ତାନ ଉତ୍ପନ୍ନ କର ! ପ୍ରଥମେ ମନୁଷ୍ୟକୁ ମନୁଷ୍ୟ ହେବାପାଇଁ ଋକ୍ବେଦର ଉପଦେଶ । ମନୁଷ୍ୟହିଁ ଦେବତତ୍ତ୍ୱର ଜନକ । ତେଣୁ ମନୁଷ୍ୟ ହୋଇ ଦେବତ୍ଵ ଅର୍ଜନ କରିବାହିଁ ଶ୍ରେୟ । (ୠ୧୦-୧୩-୬) ଅର୍ଥାତ୍ ଋକବେଦ ମନୁଷ୍ୟକୁ ଅମୃତ ସନ୍ତାନ କହି ତାଙ୍କୁ ଦେବତ୍ଵ ଅର୍ଜନ କରିବାକୁ ଆଦେଶ ଦେଇଛନ୍ତି ।

 

ସାମବେଦ ଋକବେଦର ପରବର୍ତ୍ତୀ । ମାତ୍ର ଏହାର ପ୍ରାଧାନ୍ୟ ସର୍ବଯୁଗରେ ସ୍ଵୀକୃତ । ଯଜ୍ଞନିମନ୍ତେ ଉଦ୍ଦିଷ୍ଟ ଦେବତାମାନଙ୍କର ସ୍ତୁତିମନ୍ତ୍ର ସ୍ଵରତାଳ ସମନ୍ଵିତ ଉଦାତ୍ତ ଉଚ୍ଚାରଣ ସହକାରେ ଗାନ କରିବାର ଅନ୍ୟନାମ ସାମ । ସା + ଅମ = ସାମ । ସା ଅର୍ଥ ‘ସେ’ ଋକ, ଅମ ଅର୍ଥ ଆଳାପ । ସାମର ଅଭିଧା ଅର୍ଥ ତେଣୁ ଋକବେଦ ମନ୍ତ୍ରାବଳିକୁ ଆଧାର କରି ଗାନ କରିବା । ଋକବେଦର ୠଚାଗୁଡ଼ିକ ଉପରେ ସାମର ମନ୍ତ୍ରସବୁ ଆଶ୍ରିତ ହୋଇଥିବାରୁ ଏହାର ମନ୍ତ୍ରଗୁଡ଼ିକୁ ମଧ୍ୟ ଋଚା ବୋଲି କୁହାଯାଏ ।

 

ସାମବେଦୋକ୍ତ ମନ୍ତ୍ରସଂଖ୍ୟା କାହାରି କାହାରି ମତରେ ୧୫୪୯ । ତନ୍ମଧ୍ୟରୁ ମାତ୍ର ୭୫ଟି ମନ୍ତ୍ର ବା ଋଚା ଋକ୍ ସଂହିତାରେ ଥିବା ଋଚାଗୁଡ଼ିକଠାରୁ ସ୍ୱତନ୍ତ୍ର । ଅନ୍ୟାନ୍ୟ ମନ୍ତ୍ରଗୁଡ଼ିକ ଋକବେଦରୁ ଆହରିତ ହୋଇଥିବାରୁ କେହି କେହି ସାମବେଦର ସ୍ୱତନ୍ତ୍ର୍ୟ ସ୍ଵୀକାର କରନ୍ତି ନାହିଁ । ଋକବେଦ ସର୍ବପ୍ରଥମ ଓ ସର୍ବଶ୍ରେଷ୍ଠ ରଚନା ବୋଲି ବିବେଚିତ ହେଲେ ହେଁ ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍‍ଭଗବଦ୍‌ଗୀତରେ ‘ସାମ’ରହିଁ ଶ୍ରେଷ୍ଠତ୍ଵ ପ୍ରମାଣ କରି କହିଛନ୍ତି–‘ବେଦାନାଂ ସାମବେଦୋଽସ୍ମି’–ମୁଁ ବେଦମାନଙ୍କ ମଧ୍ୟରେ ସାମବେଦ । ଅତଏବ ଋକବେଦଠାରୁ ସାମବେଦର ଗୁରୁତ୍ଵ ଗୀତାରେ ପ୍ରତିପାଦିତ । ମାତ୍ର ଶ୍ରୀଭଗବାନ୍‌ ‘ସାମ’ ଶବ୍ଦ ଉଚ୍ଚାରଣ କଲାବେଳେ ଋକବେଦ ତନ୍ମଧ୍ୟରେ ଅନ୍ତର୍ହିତ ରହିଯାଏ; କାରଣ ସାମର ସ୍ଵତନ୍ତ୍ରତା ନାହିଁ । ଋକବେଦୋକ୍ତ ମନ୍ତ୍ରର ସଙ୍ଗୀତ ରୂପ ମାତ୍ର ସାମବେଦ । ଋକବେଦର ସଙ୍ଗୀତ ରୂପ ସାମବେଦ ‘ମୁଁ’ ନ କହି ଶ୍ରୀଭଗବାନ୍ ସଂକ୍ଷେପରେ କହିଦେଲେ–“ମୁଁ ବେଦମାନଙ୍କ ମଧ୍ୟରେ ସାମବେଦ ।”

ସାମ ସଂହିତା ଦୁଇ ଭାଗରେ ବିଭକ୍ତ–ପୂର୍ବାର୍ଚିକ ଓ ଉତ୍ତରାର୍ଚିକ । ଉଭୟ ଆର୍ଚିକ ମଧ୍ୟରେ ଦଶମନ୍ତ୍ର ବିଶିଷ୍ଟ ଲଘୁଭାଗର ନାମ ‘ମହାନାମ୍ନି ଆର୍ଚିକ । ’

ପୂର୍ବାର୍ଚିକକୁ ଛନ୍ଦ, ତୁଳସୀ, ଅଥବା ଛାନ୍ଦସିକା ମଧ୍ୟ କୁହାଯାଇଥାଏ । ବିଷୟାନୁକ୍ରମରେ ଏହି ଭାଗର ଚାରୋଟି ବିଭାଜନର ଭିନ୍ନ ଭିନ୍ନ ନାମକରଣ ହୋଇଛି । ଅଗ୍ନି ସମ୍ବନ୍ଧୀୟ ଋଚାଗୁଡ଼ିକର ନାମ ‘ଆଗ୍ନେୟ ବର୍ଗ’ ଇନ୍ଦ୍ର ସମ୍ବନ୍ଧୀୟ ଐନ୍ଦ୍ର, ସୋମ ସମ୍ବନ୍ଧୀୟ ଆଉ ଦୁଇଟି ବର୍ଗ ପବମାନ ଓ ଆରନ୍ୟକ । ଏହି ଆର୍ଚିକର ମନ୍ତ୍ରସଂଖ୍ୟା ୬୪୦ ବୋଲି କୁହାଯାଏ । ଏହାର ଚାରୋଟି ପର୍ବ ମୋଟରେ ଛଅ ପାଠକରେ ବିଭକ୍ତ । ପ୍ରତ୍ୟେକ ପ୍ରପାଠକରେ ଦୁଇଟି ଲେଖାଏଁ ଅର୍ଦ୍ଧ ପ୍ରପାଠକ ଓ ପ୍ରତି ଅର୍ଦ୍ଧ ପ୍ରପାଠକରେ ପାଞ୍ଚୋଟି ଲେଖାଏଁ ଦଶତି ଦେଖାଯାଏ । ଦଶଟି ମନ୍ତ୍ରର ସମାହାରକୁ ‘ଦଶତି’ କୁହାଗଲେ ମଧ୍ୟ ଅନେକ ଦଶତିରେ ୭, ୯, ୧୨, ୧୪ ଲେଖାଏଁ ମନ୍ତ୍ର ଦେଖାଯାଏ ।

ଦ୍ୱିତୀୟ ଭାଗ ଉତ୍ତରାର୍ଚିକର ନାମ ପ୍ରଖ୍ୟାତ । ଏହା ଦଶରାତ୍ର, ସମ୍ବତ୍ସର, ଐକାହ, ଅହୀନ, ସତ୍ର, ପ୍ରାୟଶ୍ଚିତ୍ର ଓ କ୍ଷୁଦ୍ର ପ୍ରଭୃତି ସାତ ଖଣ୍ଡରେ ବିଭକ୍ତ ଏବଂ ଏକୋଇଶ ଅଧ୍ୟାୟବିଶିଷ୍ଟ । ସେଗୁଡ଼ିକ ପୁଣି ନଅ ପ୍ରପାଠକରେ ବିଭକ୍ତ ।

ସାମଗାୟନରେ ସାଂପ୍ରତିକ ଭାରତୀୟ ସଙ୍ଗୀତର ମୂଳପିଣ୍ତ “ସାରେଗାମା ପାଧାନିସା” ବା ପଞ୍ଚମ, ମଧ୍ୟମ, ଗାନ୍ଧାର, ୠଷଭ, ଷଡ଼୍‍ଜ ଓ ଧୈବତାଦି ସପ୍ତସ୍ୱରର ଉଲ୍ଲେଖ ରହିଛି । ଆର୍ଯ୍ୟାବର୍ତ୍ତ ଏହି ଭାରତ ଭୂମିର ସାଂସ୍କୃତିକ ପରମ୍ପରା ଯେ କେତେ ପୁରାତନ ଏବଂ ସୁଦୃଢ଼, ସାମବେଦ ତାହାର ଏକ ଅମଳିନ ପ୍ରମାଣ ।

ଉତ୍ତରାର୍ଚିକରେ ୪୨୦ ଯୁକ୍ତ ସଂଖ୍ୟା ଓ ମନ୍ତ୍ର ସଂଖ୍ୟା ୧୨୨୫ ।

ସାମବେଦର ଶାଖା ସଂଖ୍ୟା ଏକ ସହସ୍ର । ମାତ୍ର ସେ ସମସ୍ତ ଶାଖା ଏବେ ପ୍ରାୟ ଲୁପ୍ତ । ରାଣାୟଣୀୟ,ସାତ୍ୟମୁଗ୍ର, କାଳାପ, ମହାକାଳାପ, କୌଥୁମ, ଲାଙ୍ଗଳିକ ଓ ଜୈମିନୀୟ ଆଦି ପ୍ରସିଦ୍ଧ-। ଜୈମିନୀୟ ଶାଖାର ପୁଣି ଛଅଗୋଟି ଉପଶାଖା; ଯଥା–ସାରାୟଣୀୟ, ବାଚରାଣୀୟ, ବୈଧୃତ, ପ୍ରାଚୀନ, ତୈଜସ ଓ ଅନିଷ୍ଠକ । ମାତ୍ର ଏସବୁ ମଧ୍ୟରୁ ତିନୋଟି ମନ୍ତ୍ର ମୁଖ୍ୟ ଶାଖା,ଗୁଜରାଟ, କର୍ଣ୍ଣାଟକ ଓ ମହାରଷ୍ଟ୍ରରେ ପ୍ରଚାରିତ ଥିବାର ଜଣାଯାଏ ।

କେବଳ ଭାରତୀୟ ସଙ୍ଗୀତ ଶାସ୍ତ୍ର ନୁହେଁ ସମ୍ଭବତଃ ସାମବେଦହିଁ ସମଗ୍ର ପୃଥବୀ ପ୍ରଚଳିତ ଗାୟନ ବିଜ୍ଞାନର ଗୁରୁ ସ୍ୱରୂପ । ସାମବେଦର ବହୁ ଗାନଗ୍ରନ୍ଥ ମଧ୍ୟରୁ ମୁଖ୍ୟ-ଗ୍ରାମଗେୟଗାନ ଅଥବା ଗେୟଗାନ ଆରଣ୍ୟକ ଗେୟଗାନ, ଉହଗାନ ଓ ଉହ୍ୟଗାନ । ଏଥିରୁ ମନେ ହୁଏ, ସାମବେଦର ବିଭିନ୍ନ ଶାଖାକୁ ଅବଲମ୍ବନ କରି ଏକାଧିକ ସଂଖ୍ୟାରେ ବିବିଧ ଗାନ ରଚିତ ହୋଇଥିଲା । ଉଦାହରଣ ସ୍ୱରୂପ ଗ୍ରାମଗେୟଗାନରେ କୌଥୁମୀୟଗାନ ଓ ଜୈମିନୀୟଗାନର ସଂଖ୍ୟା ଯଥାକ୍ରମେ ୧୧୯୭ ଓ ୧୨୩୨ । ସେହିପରି ଆରଣ୍ୟକ ଗାନର ସଂଖ୍ୟା କୌଥୁମୀୟ ଜାତିରେ ୨୯୪ ଓ ଜୈମିନୀୟଜାତିରେ ୭୯୧ । ଉହଗାନରେ କୌଥୁମୀୟଗାନ ସଂଖ୍ୟା ୧୦୨୬ ଓ ଜୈମିନୀୟଗାନ ସଂଖ୍ୟା ୧୮୦୨ । ଉହ୍ୟଗାନ ମଧ୍ୟ କୌଥୁମୀୟଗାନ ଓ ଜୈମିନୀୟ ଗାନ ଭେଦରେ ୨୦୫ ଓ ୩୫୭ ସଂଖ୍ୟକ ଯଥାକ୍ରମେ ।

ଋକବେଦର ମନ୍ତ୍ର ପାଦବଦ୍ଧ । ଏହି ମନ୍ତ୍ରଗୁଡ଼ିକୁ ଷଡ଼୍‍ଜ ମଧ୍ୟମ ପ୍ରଭୃତି ସ୍ଵରରେ ଆଳାପ କରାଯାଏ । ଏହାହିଁ ସାମଗାନ । ଏକମାତ୍ର ବେଦମନ୍ତ୍ରକୁ ସ୍ଵର ଓ ଆଳାପସହ ଗାନ କଲେ ତାହା ସାମଗାନ ବିବେଚିତ ହୁଏ; ଅନ୍ୟଥା ନୁହେଁ ।

ୠକବେଦର ଦେବତାମାନେ ମଧ୍ୟ ସାମବେଦରେ ପୂଜାର୍ହ । କେବଳ ସାମବେଦ କାହିଁକି ସମ୍ପୂର୍ଣ୍ଣ ଚାରି ବେଦରେ ଇନ୍ଦ୍ର, ଅଗ୍ନି, ବରୁଣ ଆଦି ଦେବତାଙ୍କର ନାମ ଦେଖାଯାଏ ଏବଂ ସାମବେଦରେ ଅଗ୍ନି, ଇନ୍ଦ୍ର ପ୍ରଭୃତି ମୁଖ୍ୟ ଦେବତାଙ୍କ ବିଷୟରେ ସ୍ଵତନ୍ତ୍ର କାଣ୍ଡ ବା ଅଧ୍ୟାୟ ଦେଖିବାକୁ ମିଳେ । ୠକବେଦ ଏକ ସଦ୍‍ବସ୍ତୁ ବ୍ରହ୍ମହିଁ ଇନ୍ଦ୍ର, ମିତ୍ର, ବରୁଣ, ଅଗ୍ନି ଦିବ୍ୟ ପର୍ଣ୍ଣ, ଗରୁତ୍ମନ୍, ଯମ, ମାତରିଶ୍ୱା ବୋଲି ପ୍ରତିପାଦନ କରିଛନ୍ତି । ବ୍ରହ୍ମତ୍ଵ ଭିତରେ ଏକତ୍ଵ ଏବଂ ଏକ ଭିତରେ ବହୁ ଦର୍ଶନ କରିଛନ୍ତି । କିନ୍ତୁ ସାମବେଦ ଆଉ ଏକ ସୋପାନ ଊର୍ଦ୍ଧ୍ଵକୁ ଯାଇ ସାକାର ମନୁଷ୍ୟକୁ ନିରାକାର ବ୍ରହ୍ମଙ୍କର ସମକଷ କରିଦେଇଛନ୍ତି । ସାମବେଦ ଗାଇଛନ୍ତି “ହେ ଅଗ୍ନେ ! ଦେବତ୍ଵ ପ୍ରାପ୍ତି ରହୁଁଥିବା ମନୁଷ୍ୟକୁ ତମେ ଗ୍ରହଣ କର !” ଅର୍ଥାତ୍ ମନୁଷ୍ୟ ଦେବତ୍ଵ ପ୍ରାପ୍ତ ହେଉ !

ସାମବେଦର ଅନ୍ୟ ଏକ ମହତ୍ ଦାନ ଜୀବାତ୍ମା ଓ ପରମାତ୍ମା ବା ବ୍ରହ୍ମଙ୍କର ଭେଦ ଓ ଅଭେଦତ୍ଵ । ସାମବେଦର ଐନ୍ଦ୍ର କାଣ୍ଡରେ ଇନ୍ଦ୍ର ଶବ୍ଦ ଜୀବାତ୍ମା ଅର୍ଥରେ ଅନେକତ୍ର ବ୍ୟବହୃତ ହୋଇଛି । ୠକବେଦର ସୋମ ମଧ୍ୟ ସାମବେଦରେ ବିଶିଷ୍ଟ ସ୍ଥାନର ଅଧିକାରୀ । ସାମବେଦରେ ସୌମ୍ୟ ସୃଷ୍ଟିର ସ୍ରଷ୍ଟା ପରମେଶ୍ଵରଙ୍କରହିଁ ନାମନ୍ତର । ଅବଶ୍ୟ କେତେକ ମନ୍ତ୍ରରେ ଏକପ୍ରକାର ଔଷଧିରୂପେ ସାମ ଶବ୍ଦ ବ୍ୟବହୃତ ହୋଇଛି । ମାତ୍ର ତାହା ସର୍ବତ୍ର ସଙ୍ଗତ ନୁହେଁ । ସାମବେଦରେ ‘ସୋମ’ ‘ଜନିତା ସତୀନାମ୍’=ବୁଦ୍ଧିର ଜନକ ଏବଂ ‘ଅତୋମତିଂ ଜନୟତ’–ବୁଦ୍ଧି ସାମରୁ ଉଦ୍‍ଭବ; ଇନ୍ଦବ ମନିଷନ୍ତୁ ନୋଧିୟ’=ସୋମଧାରା ଆମ୍ଭମାନଙ୍କୁ ବୁଦ୍ଧିଦାନ କରୁ; ‘ପ୍ରମନୀଷା ଇରତେ ସୋମମଚ୍ଛ’–ବୁଦ୍ଧି ସୋମ ଦିଗକୁ ଗତିକରେ ଇତ୍ୟାଦି ବାକ୍ୟଦ୍ଵାରା ସାମବେଦ ସୋମର ମାହାତ୍ମ୍ୟ ବର୍ଣ୍ଣନା କରିଛନ୍ତି ।

ସାମବେଦର ବର୍ଣ୍ଣାନାନୁସାରେ ସୋମ ଆଧ୍ୟାତ୍ମିକ ସଞ୍ଜୀବନୀ । ଦୀର୍ଘକାଳ ଉପାସନା ଫଳରେ ହୃଦୟରେ ସୋମ ଜାତ ହୁଏ । ସୋମପାୟୀ ସୁଷୁପ୍ତିର ଅନିର୍ବଚନୀୟ ସ୍ରୋତରେ ପ୍ରବାହିତ ହୋଇ ଜୀବନ ଉତ୍ସାରକ ଆନନ୍ଦରେ ନିମଗ୍ନ ରହେ । (ସା (ଉ) ୪-୧-୫-୧)

ସୋମମଦ ପ୍ରାଣପ୍ରଦ ଓ ନବଜୀବନ ଦାତା । ଅସଂଖ୍ୟ ଐଶ୍ୱର୍ଯ୍ୟରୂପକ ସୋମରସ ପ୍ରକୃତରେ ଆତ୍ମିକରସରେ ଗଣ୍ୟ କାରଣ ତାହା କମାକ୍ରୋଧାଦି ମଳିନତା ବର୍ଜିତ । (ସା (ଉ) ୪-୧-୫-୧)

ପ୍ରଭୁପୂଜା, ବା ପ୍ରଭୁଙ୍କ ସନ୍ତାନମାନଙ୍କର ସେବାହିଁ ସୋମପୂଜା । କ୍ଷୁଧାର୍ତ୍ତକୁ ଭୋଜନଦାନ କରିବାଦ୍ୱାରା ଆପଣାର କ୍ଷୁଧା ନିବାରଣ କରିବାହିଁ ସୋମପାନ । ସୋମ ଉତ୍ପାଦନ ରସ ପରୋପକାରକ ରସ । (ସୋ (ଉ) ୬-୧-୩-୧୧)

 

ସାମବେଦ ପରେ ଯଜୁର୍ବେଦର ସ୍ଥାନ । କାହାରି କାହାରି ମତରେ ଋକ୍ ପରେ ଯଜୁଃ, ତା’ପରେ ସାମର ସ୍ଥାନ । ସେ ବିବାଦୀୟ ପ୍ରଶ୍ନର ଆଲୋଚନା ବୃଥା । କାରଣ ବେଦକୁ ବୁଝିବାପାଇଁ ତା’ର କୌଣସି ପ୍ରୟୋଜନୀୟତା ନାହିଁ ।

 

ବେଦର ଯଜ୍ଞ ଭାଗହିଁ ଯଜୁଃ । ଯଜ୍ଞାନୁଷ୍ଠାନକାଳରେ ଅଧ୍ୱର୍ଯୁ ଯେଉଁ ଗଦ୍ୟମୟ ବାକ୍ୟସମୂହ ପ୍ରୟୋଗ ବା ଉପଯୋଗ କରନ୍ତି ସେ ସବୁର ସମଷ୍ଟିହିଁ ‘ଯଜୁର୍ବେଦ’ । ଯଜ୍‍ଧାତୁରୁ ଯଜ୍ଞ ଓ ଯଜୁଃ ଉଭୟ ପଦ ନିଷ୍ପନ୍ନ । ସୁତରାଂ ଉଭୟ ଏକାର୍ଥବୋଧକ ଶବ୍ଦ । ଯଜ୍ଞର ଅନ୍ୟ ଏକ ନାମ ‘ଅଧ୍ୱର’ । ଧ୍ୱର ବା ହିଂସାର ଅଭାବକୁ ଅଧ୍ୱର ବା ଯଜ୍ଞ କୁହଯାଏ । ଏହି ଅଧ୍ଵର ଶବ୍ଦରୁ ଯଜୁର୍ବେଦୋକ୍ତ ଯଜ୍ଞର ଯାଜ୍ଞିକଙ୍କ ଅନ୍ୟନାମ ଅଧ୍ୱର୍ଯୁ । ଅହିଂସାର ପୂଜକ । ଯଜ୍ଞରେ ପଶୁବଧ ବେଦସମ୍ମତ ନୁହେଁ । ଯର୍ଜୁବେଦରେ ଅଗ୍ନି, ବାୟୁ ପ୍ରଭୃତି ଦିବ୍ୟ ପଦାର୍ଥକୁ ପଶୁ କୁହାଯାଏ । ସୁତରାଂ ଅଗ୍ନି, ବାୟୁ ପ୍ରଭୃତି ଦେବତାମାନଙ୍କ ସହ ସମ୍ବନ୍ଧ ନ ଥିବା ଅ+ପଶୁ ଯଜ୍ଞ, ଅଥିତି ଯଜ୍ଞ, ବ୍ରହ୍ମ ଯଜ୍ଞ ଆଦି ନାମରେ ବିଦିତ । ଏବଂ ଦେବତାମାନଙ୍କ ଉଦ୍ଦେଶ୍ୟରେ ଆହୂତ ଯଜ୍ଞକୁ ପଶୁବଳି ବା ଦେବଯଜ୍ଞ (ଅଗ୍ନି ହୋତ୍ର) କୁହାଯାଏ ।

 

ଯଜ୍ଞର ବ୍ୟବହୃତ ବ୍ରହୀ ଓ ଯବ ଆଦି ପଞ୍ଚ ପଶୁଙ୍କର ପ୍ରତୀକ । ବିରି ଓ ଯବ ନିର୍ମିତ ପିଷ୍ଟକକୁ ପ୍ରକାରଭେଦରେ ଲୋମ, ତ୍ୱଚା ଓ ମାଂସ କୁହାଯାଏ । ବୈଦିକ ସାହିତ୍ୟରେ ‘ଗୌ’ ଅର୍ଥ ବାଣୀ । ‘ମେଧ’ର ଅର୍ଥ ଉନ୍ନୟନ ବା ଏକତ୍ରୀକରଣ । ବାଣୀ ଶାସ୍ତ୍ରର ଉନ୍ନୟନ ତେଣୁ ଗୋମେଧ ଅଥବା ଗୋ ପ୍ରଦର୍ଶନୀକୁ ଗୋମେଧ କୁହାଯାଇ ପାରେ । ଅଶ୍ୱର ଅର୍ଥ ରାଷ୍ଟ୍ର । ତେଣୁ ଅଶ୍ଵମେଧର ପ୍ରକୃତ ତାତ୍ପର୍ଯ୍ୟାର୍ଥ ରାଷ୍ଟ୍ରବର୍ଧକ କର୍ମ ।

 

ବେଦ ପଶୁରକ୍ଷା ଓ ଗୋପାଳନପାଇଁ ମନୁଷ୍ୟକୁ ସମ୍ବୋଧନ କରିଛନ୍ତି । ଯଜୁର୍ବେଦର ପ୍ରାର୍ଥନା- ‘ଅଭୟଂ’ ନଃ ପଶୁଭ୍ୟଃ’ ଆମ୍ଭମାନଙ୍କର ପଶୁ ଅଭୟ ରହନ୍ତୁ (ଯଜୁ ୩୬-୨୨) । ଦ୍ଵିପଦ ଚତୁଷ୍ପଦ ବଳପ୍ରାପ୍ତ ହୁଅନ୍ତୁ-‘ଉର୍ଜଂ ନୋ ଧେହି ଚତୁଷ୍ପଦେ ।’ (ଯଜୁ-୨୧-୩୮) । ଯଜୁର୍ବେଦର ଅନୁଜ୍ଞା-‘ମା ହିଂସୀସ୍ତନ୍ଵା ପ୍ରଜାଃ’-କୌଣସି ଜୀବର ଶରୀର ପ୍ରତି ହିଂସା କର ନାହିଁ । ‘ଅନ୍ତକାୟ ଗୋ ଘାତକଂ’ ଗୋଘାତକକୁ ପ୍ରାଣଦଣ୍ତ ଦିଅ ଇତ୍ୟାଦି ।

 

ଯଜୁର୍ବେଦଙ୍କର ଉପଦେଶ-‘ଇୟଂ ତେ ଯଜ୍ଞୟା ତନୁଃ (ଯଜୁଃ ୪-୧୩)-ହେ ମନୁଷ୍ୟ, ତମର ଏହି ତନୁ ଯଜ୍ଞାର୍ଥରେ ଗଠିତ । ପୁଣି ଯଜୁର୍ବେଦ କହିଛନ୍ତି-ସ୍ଵାହା ଯଜ୍ଞଂ ମନସଃ (ଯ-୪-୬) ଆତ୍ମବଳିଦାନଦ୍ଵାରା ଯଜ୍ଞ ସମ୍ପାଦନ କର !

 

ପରବର୍ତ୍ତୀ ପ୍ରସ୍ଥାନକ୍ରୟୀ କାଳରେ ଉପନିଷଦ୍‌ସାର ଗୀତା ଯଜ୍ଞକୁ ଅତି ବ୍ୟାପକ କରିଦେଲେ । ଫଳାକାଂକ୍ଷ ଶୂନ୍ୟ ଯେ କୌଣସି କର୍ମକୁ ଯଜ୍ଞ ବୋଲି ପ୍ରତିପାଦିତ କରାଗଲା । ଗୀତାଙ୍କ ମତରେ ସର୍ଜନ କ୍ରିୟା ସହିତ ଯଜ୍ଞ ମଧ୍ୟ ସୃଷ୍ଟି କରି ପ୍ରଜାପତି ସୃଷ୍ଟ ପ୍ରଜାମାନଙ୍କୁ କହିଲେ-“ଏହି ଯଜ୍ଞଦ୍ଵାରା ତୁମ୍ଭେମାନେ ଅଭିବୃଦ୍ଧ ହୁଅ ! ଏହି ଯଜ୍ଞଦ୍ଵାରା ତୁମ୍ଭେମାନେ ଦେବତାମାନଙ୍କୁ ଚିନ୍ତାକର ! ବିନିମୟରେ ଦେବତାମାନେ ତୁମ୍ଭମାନଙ୍କପାଇଁ ଚିନ୍ତା କରନ୍ତୁ ! ପରିଣାମରେ ଉଭୟେ ପରମପଦ ପ୍ରାପ୍ତ ହେବ । ଦେବତାମାନେ ଯଜ୍ଞଦ୍ଵାରା ଆରାଧିତ ହୋଇ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ବାଞ୍ଛିତ ଭୋଗ ପ୍ରଦାନ କରିବେ । ଦେବତାମାନଙ୍କ ଦ୍ଵାରା ଦତ୍ତ ତୁମ୍ଭମାନଙ୍କର ଇଷ୍ଟ ପଦାର୍ଥ ସେମାନଙ୍କୁ ନ ଦେଇ ଯିଏ ନିଜେ ତତ୍‌ସମୁଦାୟ ଭୋଗ କରେ ସେ ଚୋର । ଯଜ୍ଞଲବ୍‌ଧ ପଦାର୍ଥ ଦେବତାମାନଙ୍କ ଉଦ୍ଦେଶ୍ୟରେ ଦାନ କଲା ପରେ ଅବଶିଷ୍ଟ ଭୋଜନ କଲେ ପାପମୁକ୍ତ ହୋଇଯାନ୍ତି । ଯିଏ ଆତ୍ମକାରଣରେ ଅର୍ଥାତ୍‌ ସ୍ଵାର୍ଥସାଧନ ନିମନ୍ତେ ଭୋଜନ ବା ଭୋଗ କରେ ସେମାନେ ପାପାନ୍ନ ଭୋଜନ କରନ୍ତି ।”

 

ଏହାଦ୍ଵାରା ଭଗବାନ୍‌ ଶ୍ରୀକୃଷ୍ଣ ଯଜ୍ଞର ଅର୍ଥ ସ୍ପଷ୍ଟ କରିଦେଲେ । ସ୍ଵାର୍ଥ ବିହୀନ ଭାବରେ ଦେବତାମାନଙ୍କ ଉଦ୍ଦେଶ୍ୟରେ କୃତ କର୍ମହିଁ ଯଜ୍ଞ । ଗୀତା କିନ୍ତୁ ଏତିକିରେ ସନ୍ତୁଷ୍ଟ ନ ରହି ତ୍ୟାଗମୂଳକ ସମସ୍ତ ପ୍ରକାର କର୍ମକୁ ଯଜ୍ଞ ବୋଲି ସୁଚାଇ ଦେଲେ । ଶ୍ରୀ ଭଗବାନ୍‌ ଗୀତାରେ ଏକ ଅଭିନବ ସଜ୍ଞା ନିରୂପଣ କରି କହିଲେ-“ବ୍ରହ୍ମବିତ୍‌ ବ୍ୟକ୍ତି ହବନୀୟ ଦ୍ରବ୍ୟର ଅର୍ପଣ, ଘୃତ, ହୋମାଗ୍ନି ଆହୁତି ଦାତା ଏପରି କି ହୋମକ୍ରିୟାକୁ ମଧ୍ୟ ବ୍ରହ୍ମ ରୂପରେ ଦେଖନ୍ତି ଏବଂ ବ୍ରହ୍ମରୂପ କର୍ମରେ ସମାହିତ ଚିତ୍ତର ପ୍ରାପ୍ତବ୍ୟ ବା ପ୍ରାପ୍ତି ମଧ୍ୟ ବ୍ରହ୍ମ । ” ଅର୍ଥାତ୍‌ ବ୍ରହ୍ମଜ୍ଞାନୀ କେବଳ ଲୋକକଲ୍ୟାଣ ବା ଆଦର୍ଶ ସସ୍ଥାପନାର୍ଥେ ଫଳଆଶାରହିତ ହୋଇ ଯାହା କରେ ତାହାହିଁ କର୍ମ ବା ଯଜ୍ଞ । ମାତ୍ର ସେ କର୍ମରେ ଫଳ ଉତ୍ପାଦିନୀ ଶକ୍ତି ନ ଥାଏ । ତେଣୁ ତାକୁ ଅକର୍ମ ମଧ୍ୟ କୁହାଯାଇ ପାରେ ।

 

ଶ୍ରୀଭଗବାନ୍‌ କିନ୍ତୁ ଯଜ୍ଞର ସଜ୍ଞା ଏତିକିରେ ଶେଷ କରି ନାହାନ୍ତି । ସେ ଆହୁରି ବ୍ୟାପକ ଅର୍ଥରେ ଯଜ୍ଞର ପରିଚୟ ଦେବାକୁ ଯାଇ କହିଛନ୍ତି-ପ୍ରଥମରେ, କୌଣସି କୌଣସି ଯୋଗୀ ଦେବପୂଜା ରୂପ ଯଜ୍ଞନୁଷ୍ଠାନ କରନ୍ତି । ଅର୍ଥାତ୍‌ ଦେବପୂଜା ମଧ୍ୟ ଯଜ୍ଞ । ଦ୍ଵିତୀୟତଃ ବ୍ରହ୍ମରୂପ ଅଗ୍ନିରେ ଜୀବାତ୍ମାକୁ ଆହୁତି ଦିଅନ୍ତି । ଅର୍ଥାତ୍‌ ଜୀବାତ୍ମା ବା ସଗୁଣ ବ୍ରହ୍ମର ସମସ୍ତ ଅହଂକାରକୁ ସେ ନିର୍ଗୁଣ ବ୍ରହ୍ମଠାରେ ଅର୍ପଣ କରନ୍ତି । ଅର୍ଥାତ୍‌ ଔପାଧିକ ଜୀବତ୍ମା ନିରୁପାଧିକ ପରମାତ୍ମାଙ୍କୁ ଦର୍ଶନ କରନ୍ତି । ଏହାହିଁ ଜ୍ଞାନଯଜ୍ଞ । ତୃତୀୟତଃ ଅନ୍ୟ କୌଣସି ଯୋଗୀ କର୍ଣ୍ଣାଦି ଇନ୍ଦ୍ରିୟମାନଙ୍କୁ ସଂଯମ ରୂପକ ଅଗ୍ନିରେ ଆହୁତି ଦିଅନ୍ତି । ଅର୍ଥାତ୍‌ ଇନ୍ଦ୍ରିୟ ବା ଆତ୍ମ ସଂଯମନରେ ବ୍ରତୀ ହୁଅନ୍ତି । ଚତୁର୍ଥତଃ କେହି କେହି ଯୋଗୀ ଶବ୍ଦାଦି ବିଷୟ ସମୂହକୁ ଇନ୍ଦ୍ରିୟ ରୂପକ ଅଗ୍ନିରେ ଆହୁତି ଦିଅନ୍ତି । ଏହାର ଅର୍ଥ ଭଗବାନ୍‌ଙ୍କ ଉଦ୍ଦେଶ୍ୟରେ ଇନ୍ଦ୍ରିୟମାନଙ୍କୁ ପରିଚାଳନା କରିବା । ମୁଖରେ କୃଷ୍ଣନାମ ଉଚ୍ଚାରଣ, ପ୍ରସାଦ ଗ୍ରହଣ, କର୍ଣ୍ଣରେ କୃଷ୍ଣନାମ ଶ୍ରବଣ, ଚକ୍ଷୁରେ କୃଷ୍ଣ ବିଗ୍ରହ ଦର୍ଶନ ଇତ୍ୟାଦି ଦ୍ଵାରା ଉପଭୋଗ କରିବା । ପଞ୍ଚମରେ ଜ୍ଞାନଦୀପ୍ତ ଆତ୍ମସଂଯମ ନାମକ ଯୋଗ ରୂପୀ ଅଗ୍ନିରେ ସମସ୍ତ ଇନ୍ଦ୍ରିୟ ଓ ପ୍ରାଣକର୍ମକୁ ଅହୁତି ଦିଅନ୍ତି । ଏହାହିଁ ଲୟଯୋଗ । ଷଷ୍ଠରେ ଦ୍ରବ୍ୟଯଜ୍ଞ ଅର୍ଥାତ୍ ଦାନାଦି ଦ୍ୱାରା ଯଜ୍ଞାନୁଷ୍ଠାନ, ସପ୍ତମରେ ତପଯଜ୍ଞ, ଯୋଗ (କର୍ମ) ଯଜ୍ଞ, ନବମରେ ସ୍ଵାଧ୍ୟାୟ ରୂପକ ଜ୍ଞାନଯଜ୍ଞ, ଦଶମରେ ଅପାନ ବାୟୁରେ ପ୍ରାଣବାୟୁ ଓ ପ୍ରାଣବାୟୁରେ ଅପାନ ବାୟୁକୁ ଆହୁତି ଦେଇ ପ୍ରାଣ ଓ ଅପାନ ବାୟୁର ଗତିରୋଧ କରି ପ୍ରାଣାୟାମ କରିବା ଫଳରେ କୁଳ କୁଣ୍ଡଳିନୀକୁ ଜାଗ୍ରତ କରନ୍ତି । ଏକାଦଶରେ କେହି କେହି ସଂଯତ ଆହାର କରି ପ୍ରାଣବାୟୁକୁ ବିବିଧ ଅପାନବାୟୁମାନଙ୍କରେ ଆହୁତି ଦିଅନ୍ତି ଅର୍ଥାତ୍‌ ଆହାର ସଂଯମଶୀଳ ଲୋକ ମାନଙ୍କର ପ୍ରାଣବାୟୁ ସ୍ପତଃ ପରିଶୁଦ୍ଧ ହୋଇଯାଏ । ଗୀତା ମତରେ ଏହି ସବୁ ଯୋଗୀ ବା ସାଧକ ସମସ୍ତେ ‘ଯଜ୍ଞବତ୍’ ଓ ‘ଯଜ୍ଞଦ୍ଵାରା ବିନଷ୍ଟକଳ୍ମଷ’ ଅଟନ୍ତି । ଏହି ଏକାଦଶ ପ୍ରକାର ଯଜ୍ଞ ବ୍ୟତୀତ ଅନ୍ୟ ଏକ ‘ଯଜ୍ଞ’କୁ ଶ୍ରୀଭଗବାନ୍‍ ନିଜେ ସେହି ଯଜ୍ଞ ସ୍ୱରୂପ କହି ତାହାର ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଛନ୍ତି । ତାହା ଜପଯଜ୍ଞ । ସେ କହିଛନ୍ତି, ଯଜ୍ଞମାନଙ୍କ ମଧ୍ୟରେ ମୁଁ “ଜପଯଜ୍ଞ ।” ତେଣୁ ନାମ ଜପ ରୂପକ ଯଜ୍ଞକୁ ଶ୍ରେଷ୍ଠ ପ୍ରତିପାଦନ କରିଛନ୍ତି ଶ୍ରୀଭଗବାନ୍‍ ଶ୍ରୀମଦ୍‍ଭଗବତ୍‍ ଗୀତାରେ ।

 

ଏହାଛଡ଼ା ବେଦରେ ଆଧିଭୌତିକ, ଆଧିଦୈବିକ ଓ ଆଧ୍ୟାତ୍ମିକ ଯଜ୍ଞର ସୂଚନା ରହିଛି । ମାନବ ଦେହରେ ଇନ୍ଦ୍ରିୟ, ମନ, ବୁଦ୍ଧି ଓ ଆତ୍ମାର ସାମଞ୍ଜସ୍ୟ ସାଧନ ଆଧ୍ୟାତ୍ମିକ ଯଜ୍ଞ । ବିଶ୍ଵରେ ପଞ୍ଚଭୂତର ଆଦାନପ୍ରଦାନ ଆଧିଦୈବିକ ଅଟେ । ଏହି ଉଭୟ ଯଜ୍ଞର ସମନ୍ୱୟକାରୀ ଆଧିଭୌତିକ ଯଜ୍ଞ । ଆଧୁନିକ ବୈଜ୍ଞାନିକ ଗବେଷଣାକୁ ଆଧିଭୌତିକ ଯଜ୍ଞ କୁହାଯାଇ ପାରେ–ଅବଶ୍ୟ ଯେଉଁଠି ବିଜ୍ଞାନ ମାନବ କଲ୍ୟାଣ ସାଧନ ଉଦ୍ଦେଶ୍ୟରେ ଏହି ଗବେଷଣା ସମ୍ପନ୍ନ ହୋଇଥାଏ କେବଳ ସେହି କ୍ଷେତ୍ରରେ ଏହା ଆଧିଭୌତିକ ଯଜ୍ଞ ନାମବାଚକ ହୋଇପାରେ ।

 

ଶ୍ରୀମଦ୍‌ଭଗବତ୍‍ ଗୀତାରେ ସୂଚିତ ଇନ୍ଦ୍ରିୟ ସଂଯମ ରୂପକ ଯୋଗର ସୂଚନା ଯଜୁର୍ବେଦ ସର୍ବାଦୌ ଦେଇ କହିଛନ୍ତି–

 

“ଇଷେ ତ୍ୱୋର୍କେ ତ୍ଵା ବାୟବସ୍ଥ ଦେବୋ ବଃ

ସବିତା ପ୍ରାପୟତ୍ଵ ଶ୍ରେଷ୍ଠତମୟ କର୍ମଣ ଆପ୍ୟାୟଧ୍ଵମଘ୍ନ୍ୟ ।

ଇନ୍ଦ୍ରାୟରାଗଂ ପ୍ରଜାବତରନମୀବା ଅଯଷ୍ମା ମାବ ସ୍ତେନ

ଈଷତ୍ ମାଘଶ୍ଁ ସୋ ଧ୍ରୁବା ଅସ୍ମିନ୍ ଗୋପତୌ ସ୍ୟାତ୍

ବହ୍ୱୀ ର୍ଯଜମାନସ୍ୟ ପଶୂନ ପାହି । (ଯ-୮.୧)

 

ଅର୍ଥାତ୍ “ହେ ଜୀବଗଣ, ତୁମ୍ଭେମାନେ ଗତିଶୀଳ । ସବିତା ଦେବତା ତୁମ୍ଭମାନଙ୍କୁ ଶ୍ରେଷ୍ଠତମ କର୍ମପାଇଁ ପ୍ରେରିତ କରନ୍ତୁ । ହେ ଇନ୍ଦ୍ରୟଗଣ, ପ୍ରଜାଯୁକ୍ତ, ତଥା ରୋଗ ଓ କ୍ଷୟ ରହିତ ହୋଇ ଆତ୍ମାପାଇଁ କର୍ତ୍ତବ୍ୟ ପ୍ରାପ୍ତ କରାଅ । ତୁମ୍ଭମାନଙ୍କର କର୍ମ କୁଶଳତା ପାପରେ ପ୍ରବେଶ ନ କରୁ, ଏହି ଇନ୍ଦ୍ରିୟସ୍ୱାମୀ ଆତ୍ମା ମଧ୍ୟରେ ବହୁ ସଂଖ୍ୟକ ତୁମ୍ଭେମାନେ ନିଶ୍ଚଳ ହୋଇ ରହ । ଯଜମାନର ପଶୁମାନଙ୍କୁ ରକ୍ଷା କର !”

 

ଯଜୁଃବେଦର ଶେଷରେ ମଧ୍ୟ ସେହି ଇନ୍ଦ୍ରିୟ ସଂଯମପାଇଁ ଅନୁଜ୍ଞା । ପ୍ରସିଦ୍ଧ ବହୁତ୍ରୟଉଦ୍ଧୃତ ‘ହିରଣ୍ମୟେନ ପାତ୍ରେଣ ସତ୍ୟ ସାପିହିତଂ ମୁଖମ୍” ମନ୍ତ୍ରରେ ସାଧକକୁ ସତ୍ୟ ଲାଭପାଇଁ ବାହାରର ହିରଣ୍ୟ ଲୋଭ ପରିତ୍ୟାଗ କରି ଅନ୍ତର୍ନିହିତ ସତ୍ୟ ଉଦ୍‌ଘାଟନ କରିବାପାଇଁ ଯଜୁର୍ବେଦର ଅନ୍ତିମ ବାର୍ତ୍ତା ।

 

ଅଗ୍ନି ଊର୍ଧ୍ୱଗ-ପ୍ରଗତି ଓ ଉତ୍ସାହର ପ୍ରତୀକ, ମାର୍ଗ ପ୍ରଦାତା । ଅଗ୍ନି ସୂର୍ଯ୍ୟ ରୂପରେ ଦୁଃଲୋକରେ, ବିଦ୍ୟୁତ୍ ରୂପରେ ଅନ୍ତରୀକ୍ଷ ଲୋକରେ ଓ ଅଗ୍ନି ରୂପରେ ପୃଥିବୀ-ଲୋକରେ ଅବସ୍ଥିତ । ଠିକ୍ ସେହିପରି ଅଗ୍ନି ମାନବ ଦେହରେ ଜଠରାଗ୍ନି (ଗୀତା) । ଶତପଥ ବ୍ରାହ୍ମଣ ମତରେ ଆହୁତିର ଦ୍ଵିବିଧ ରୂପ ରହିଛି । ପ୍ରଥମ ରୂପରେ ଭୂମଣ୍ଡଳରେ ସର୍ବତ୍ର ବିସ୍ତୃତ–ରାସାୟନିକ ପ୍ରଭାବରେ । ଅନ୍ୟ ଅଂଶଟି ସୂକ୍ଷ୍ମ ଅଂଶ । ଏହା ଅହୁତିଦାତାଠାରେ ପ୍ରବେଶ କରି ଶକ୍ତି ସଞ୍ଚାର କରେ । ସୁତରାଂ ଅଗ୍ନି ମାଧ୍ୟମରେ ବା ଯଜ୍ଞାହୁତିଦ୍ଵାରା ପଞ୍ଚଭୂତର ତତ୍ତ୍ଵଦର୍ଶନପାଇଁ ଦେବଯଜ୍ଞଦ୍ଵାରା ପଞ୍ଚଭୂତର ତତ୍ତ୍ଵଦର୍ଶନପାଇଁ ଦେବଯଜ୍ଞ, ପାଞ୍ଚମହାଯଜ୍ଞ ଓ ଦୈନିକ ପଞ୍ଚକର୍ତ୍ତବ୍ୟ ମଧ୍ୟରେ ଅଗ୍ନିହୋମ ଯଜ୍ଞର ମଧ୍ୟ ବ୍ୟବସ୍ଥା ରହିଛି । ମାନବ ସମାଜର ମଙ୍ଗଳକାମୀ ଋଷିଗଣ ଅଗ୍ନିହୋତ୍ର ବା ହୋମ ମାଧ୍ୟମରେ ଯଜ୍ଞର ବିଶାଳ ସ୍ୱରୂପ ଦର୍ଶନ କରୁଥିଲେ । ପ୍ରାତଃ ଓ ସ୍ଵୟଂକାଳରେ ଅଗ୍ନିହୋତ୍ରରେ ଅଗ୍ନି ଆହୂତ ହୁଅନ୍ତି; ଅଗ୍ନି ସେ ଆହୂତି ଗ୍ରହଣ କରନ୍ତି; ଅଗ୍ନି ତାହାକୁ ଅଣୁପରମାଣୁ କରି ଚତୁର୍ଦ୍ଦିଗରେ ଶତ୍ରୁ ମିତ୍ର ନିର୍ବିଶେଷରେ ବିତରଣ କରିଦିଅନ୍ତି । ଜଡ଼ବାଦୀମାନେ ଏହାକୁ ସ୍ୱୀକାର କରନ୍ତୁ ବା ନ କରନ୍ତୁ ମାତ୍ର ଏହା ସତ୍ୟ ଯେ କେବଳ ଆର୍ଯ୍ୟ ଅଗ୍ନିହୋତ୍ରୀମାନେହିଁ ଏହି ବିରାଟ ମାନବବାଦର ଅଧିକାରୀ । ସେ କେବଳ ନିଜପାଇଁ ଯଜ୍ଞ କରେ ନାହିଁ । ନିଜର ବନ୍ଧୁବାନ୍ଧବ ପ୍ରୀୟପ୍ରୀତିଙ୍କପାଇଁ ମଧ୍ୟ ନୁହେଁ । ଶତ୍ରୁମାନଙ୍କ ମଙ୍ଗଳ ମଧ୍ୟ ସେ କାମନା କରେ ।

 

ଯଦୁର୍ବେଦର କୃଷ୍ଣ ଓ ଶୁକ୍ଳ ଭେଦରେ ଦୁଇ ପ୍ରକାର ହେବାର କାରଣ ମନେ ହୁଏ ମୂଳ ଗ୍ରନ୍ଥଟି କୃଷ୍ଣ ଦୌପାୟନ ବ୍ୟାସଦେବଙ୍କ ନାମାନୁସାରେ କୃଷ୍ଣ ଯଜୁଃ ଏବଂ ପରବର୍ତ୍ତୀ ସଂଶୋଧିତ ପ୍ରତିଟି ସଂଶୋଧନଦ୍ଵାରା ସ୍ୱଚ୍ଛ ହୋଇଥିବାରୁ ଅଥବା ଏହାର ପ୍ରବର୍ତ୍ତକ ଯାଜ୍ଞବଳ୍‍କ ଶ୍ୱେତକାୟ ଥିବାରୁ ଏହା ଶୁକ୍ଳ ଯଜୁଃ ନାମରେ ଅଭିହିତ ହୋଇଛି । ମାତ୍ର ଏହି ନାମକରଣକୁ ଆଶ୍ରୟ କରି ଗୋଟିଏ ମନୋରମ ଆଖ୍ୟାୟିକା ସମ୍ଭବତଃ ପୁରାଣଯୁଗରେ ବେଦକୁ ମନୋରଞ୍ଜନ କରିବା ଲକ୍ଷ୍ୟରେ ପ୍ରବର୍ତ୍ତିତ ହୋଇଛି ।

 

ତଦନୁସାରେ ବେଦର ପ୍ରଥମ ପ୍ରବକ୍ତା ବ୍ୟାସଦେବ ତାଙ୍କର ଜନୈକ ଶିଷ୍ୟ ବୈଶମ୍ପାୟନଙ୍କୁ ଯଜୁର୍ବେଦ ଶିକ୍ଷା ଦେଲେ । ବୈଶମ୍ପାୟନ ପୁଣି ତାଙ୍କର ପ୍ରିୟ ଶିଷ୍ୟ ଯାଜ୍ଞବଳ୍‍କଙ୍କୁ ସେହି ଶିକ୍ଷା ପ୍ରଦାନ କଲେ । କୌଣସି କାରଣରୁ ଗୁରୁ ବୈଶମ୍ପାୟନ ଶିଷ୍ୟ ଯାଜ୍ଞବଳ୍‍କଙ୍କ ପ୍ରତି ଅସନ୍ତୁଷ୍ଟ ହେବାରୁ ଦତ୍ତବିଦ୍ୟାକୁ ପ୍ରତ୍ୟର୍ପଣ କରିବା ନିମନ୍ତେ ଆଦେଶ ଦେଲେ । ଯାଜ୍ଞବଳ୍‍କ ତହୁଁ ବମନଦ୍ଵାରା ପଠିତ ବିଦ୍ୟାକୁ ନିଷ୍କ୍ରମଣ କରି ନିଷ୍କୃତ ହେଲେ । ବୈଶମ୍ପାୟନଙ୍କର ଯାଜ୍ଞବଳ୍‍କଙ୍କ ପ୍ରତି ପକ୍ଷପାତିତା ଯୋଗୁ ଉକ୍ତ ବିଦ୍ୟାରୁ ବଞ୍ଚିତ ଅନ୍ୟାନ୍ୟ ଶିଷ୍ୟ ବୃନ୍ଦ ଏହି ସୁଯୋଗର ସୁବିଧା ନେବାରେ ତିଳମାତ୍ର ଅବହେଳା ନ କରି ତିତ୍ତିରପକ୍ଷୀ ରୂପ ଧାରଣ ପୂର୍ବକ ସେହି ଉଦ୍‍ଗୀର୍ଣ୍ଣ ବିଦ୍ୟାକୁ ଚଞ୍ଚୁଦ୍ଵାରା ଉଞ୍ଛନ କରିନେଲେ । ସେହି ଉଞ୍ଛନସାରହିଁ କୃଷ୍ଣ ଯଜୁର୍ବେଦ ନାମରେ ପ୍ରଖ୍ୟାତ ହେଲା ।

 

ତଦନନ୍ତର ଋଷି ଯାଜ୍ଞବଳ୍‍କ ସୂର୍ଯ୍ୟ ଉପାସନା କରି ସିଦ୍ଧି ଲାଭ କଲାପରେ ଯେଉଁ ବେଦ ତାଙ୍କ ଅନ୍ତରରେ ପ୍ରତିଭାତ ହେଲା ସେହି ମନ୍ତ୍ରାବଳିହିଁ ଶୁକ୍ଳ ଯାଜୁଃ ନାମରେ ପ୍ରଖ୍ୟାତ ।

 

ପୁରାଣବର୍ଣ୍ଣିତ ବହୁ କାହାଣୀ ରୂପକଧର୍ମୀ । ଏହି କାହାଣୀର ମଧ୍ୟ ବ୍ୟଞ୍ଜନାର୍ଥ ଥିବାର ଅନୁମାନ କରାଯାଏ । ଏହି ଗଳ୍ପରୁ ଜଣାଯାଏ ଯେ ବୈଶମ୍ପାୟନଙ୍କୁ ପ୍ରୀତ କରି ସେ ଏହି ବିଦ୍ୟାର୍ଜନ କରିଥିଲେ । ଅନ୍ୟ ଶିଷ୍ୟମାନେ ପ୍ରଥମରେ ସେ ବିଦ୍ୟାରୁ ବଞ୍ଚିତ ହୋଇଥିଲେ । କିନ୍ତୁ କାଳକ୍ରମେ ସମ୍ଭବତଃ ଯାଜ୍ଞବଳ୍‍କ ଅଧିତ ବିଦ୍ୟା ନିମନ୍ତେ ଉଷ୍ଣା ପ୍ରକାଶ କରିବାରୁ ଗୁରୁ ବୈଶମ୍ପାୟନ ସେ ବିଦ୍ୟା ଅନ୍ୟାନ୍ୟ ଶିଷ୍ୟମାନଙ୍କୁ ଦାନ କରିବାକୁ ଆଦେଶ ଦେଲେ । ଯାଜ୍ଞବଳ୍‍କ ‘ଯଜୁର୍ବେଦ’ ବୟାନ କଲେ । ଅନ୍ୟାନ୍ୟ ଶିଷ୍ୟମାନେ–ପକ୍ଷୀ ଚଞ୍ଚୁଦ୍ୱାରା ଯତ୍ନସହକାରେ ଖାଦ୍ୟକଣା ସଂଗ୍ରହ କଲାପରି ସଯତ୍ନରେ ବିଦ୍ୟାଧ୍ୟୟନ କଲେ । ଯାଜ୍ଞବଳ୍‍କଙ୍କର ବୈଶିଷ୍ଟ୍ୟ ଲୋପ ପାଇଲା । ତେଣୁ ସେ ନିଜକୁ ଅପମାନିତ ମନେକରି ନିଜର ବୈଶିଷ୍ଟ୍ୟ ବଜାୟ ରଖିବାପାଇଁ ସୂର୍ଯ୍ୟ ଉପାସନା କରି ସିଦ୍ଧି ଲାଭ କଲେ ଏବଂ ସୂର୍ଯ୍ୟଙ୍କ କୃପାରୁ ନୂତନ ଗ୍ରନ୍ଥ ରଚନା କଲେ । କୃଷ୍ଣ ଦ୍ୱୈପାୟନ ବ୍ୟାସକୃତ କୃଷ୍ଣ ଯଜୁଃଠାରୁ ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରିବାପାଇଁ ହୁଏତ ଯାଜ୍ଞବଳ୍‍କ ନିଜେ ନିଜର କୃତିକୁ ଶୁକ୍ଳ ଉପାଧିରେ ଭୂଷିତ କରିଥାଇ ପାରନ୍ତି; ଏହା ଅସମ୍ଭବ ନୁହେଁ ।

 

ଶୁକ୍ଳ ଓ କୃଷ୍ଣ ମଧ୍ୟରେ ପାର୍ଥକ୍ୟ ସାମାନ୍ୟ ନୁହେଁ । କୃଷ୍ଣ ଯଜୁଃରେ ଛନ୍ଦୋବଦ୍ଧ ମନ୍ତ୍ର ସଙ୍ଗେ ସଙ୍ଗେ ବିନୟୋଗ ବିଧିର ଗଦ୍ୟାତ୍ମକ ବ୍ୟାଖ୍ୟାନ ସନ୍ନିହିତ ଥିବାବେଳେ ଶୁକ୍ଳଯଜୁଃ ବ୍ରାହ୍ମଣାଂଶ ବିହୀନ ନିଚ୍ଛକ ମନ୍ତ୍ର ସଂଗ୍ରହ ମାତ୍ର । ଶୁକ୍ଳ ଯଜୁର୍ବେଦ ସଂହିତା ବାଜସନେୟୀ ସଂହିତା ନାମରେ ପ୍ରସିଦ୍ଧ । ଯାଜ୍ଞବଳ୍‍କଙ୍କର ସୂର୍ଯ୍ୟ ଉପାସନା ଫଳରେ, କଥିତ ଅଛି, ସୂର୍ଯ୍ୟଦେବ ବାଜି ବା ଅଶ୍ଵରୂପରେ ଆସି ଏହି ବେଦୋପଦେଶ ପ୍ରଦାନ କରିଥିବାରୁ ଏହି ସଂହିତା ବାଜି ସମ୍ବନ୍ଧୀୟ ବା ବାଜସନେୟୀ ସଂହିତା ଆଖ୍ୟା ଲାଭ କରିଛି । କିନ୍ତୁ ମନେହୁଏ ସୂର୍ଯ୍ୟଦେବଙ୍କର ସପ୍ତାଶ୍ୱବାହନ ହୋଇଥିବାରୁ ତାଙ୍କ କୃପାଲବ୍ଧ ବିଦ୍ୟା ବାଜସନେୟୀ ବୋଲି କୁହାଯାଇଛି । ଅନ୍ୟଥା ସୂର୍ଯ୍ୟଦେବ ନିଜେ ବାଜି ସାଜି ଆସିବାର କୌଣସି କାରଣ ନଥିଲା ।

 

ଏହି ବାଜସନେୟୀ ସଂହିତାର ସଂଖ୍ୟା ଦ୍ୱାବିଂଶ ବା ଚାଳିଶ । କୃଷ୍ଣ ଯଜୁର୍ବେଦର ମଧ୍ୟ ବହୁଶାଖା ରହିଛି । ମାତ୍ର ତନ୍ମଧ୍ୟରୁ କେବଳ ଚାରୋଟି ଶାଖା (ତୈତ୍ତେରୀୟ, ମୈତ୍ରାୟଣୀ, କାଠକ ଓ କାଠକା ପିପ୍‍ପଳ ସଂହିତା) ହିଁ ପ୍ରଚଳିତ । ପ୍ରଚଳିତ ଏହି ଚାରି ଶାଖାମଧ୍ୟରୁ ତୈତ୍ତେରୀୟ ସର୍ବାଧିକ ପ୍ରସିଦ୍ଧି ଲାଭ କରିଛି । ବୈଶମ୍ପାୟନଙ୍କର ଯେଉଁ ଶିଷ୍ୟମାନେ ଗୁରୁ ଉପଦେଶରୁ ପ୍ରଥମରେ ବଞ୍ଚିତ ହୋଇ ପରେ ଯଜ୍ଞବଳ୍‍କଙ୍କଠାରୁ ତିତ୍ତିର ପକ୍ଷୀରୂପଧରି ବିଦ୍ୟା ଲାଭ କଲେ, ସେହିମାନଙ୍କ ନାମାନୁସାରେ ଏହି ମୁଖ୍ୟ ଶାଖା ତୈତ୍ତେରୀୟ ସଂହିତା ନାମରେ ନାମିତ । ତୈତ୍ତେରୀୟ ପୁଣି ସାତ ଭାଗରେ ବିଭକ୍ତ । ପ୍ରତ୍ୟେକ ଭାଗକୁ ଖଣ୍ଡ ବା ଅଷ୍ଟକ କୁହାଯାଏ । ପ୍ରତ୍ୟେକ ଖଣ୍ଡରେ ଥିବା ଅଧ୍ୟାୟଗୁଡ଼ିକ ପ୍ରଶ୍ନ ବା ପ୍ରପାଠକ ନାମରେ ନାମିତ । ପ୍ରଶ୍ନ ବା ଅଷ୍ଟକଗୁଡ଼ିକ ପୁଣି କେତେକ ଅନୁବାକରେ ବିଭକ୍ତ । ମୈତ୍ରାୟଣୀ ବା କାଠକ ସଂହିତା କେବଳ କ୍ରମରେ ତୈତ୍ତେରୀୟଠାରୁ ପୃଥକ, ନଚେତ ବିଷୟବସ୍ତୁ ପ୍ରାୟ ଏକ । କାଠକା ପିପ୍‍ପଳ ସଂହିତାର ଅର୍ଧେକମାତ୍ର ଲୋକଲୋଚନକୁ ଆସିଛି । ଉଭୟ କୃଷ୍ଣ ଓ ଶୁକ୍ଳ ଯଜୁର୍ବେଦ ମଧ୍ୟରେ ପାଠକ୍ରମରେ ବିଶେଷ ପାର୍ଥକ୍ୟ ପରିଲକ୍ଷିତ ହୁଏ ।

 

ଋକବେଦ ଯେଉଁ ଯଜ୍ଞର ପତାକା ଉର୍ଦ୍ଧ୍ଵରେ ତୋଳି ଧରିବାକୁ କହିଥିଲେ ଯଜୁର୍ବେଦ ପୂର୍ବାପୂର୍ବ ମନ୍ତ୍ରଦ୍ରଷ୍ଟାମାନଙ୍କର ସେହି ନିର୍ଦ୍ଦେଶହିଁ ଅନୁଷ୍ଠାନ କରିଗଲେ । ଋକବେଦଙ୍କର ନିର୍ଦ୍ଦେଶ–

 

“ଅଗ୍ନେ ଯଂ ଯଜ୍ଞମଧ୍ୱରଂ

ବିଶ୍ୱତଃ ପରିଭୂରସି

ସ ଇଦ୍ ଦେବେଷୁ ଗଚ୍ଛତି (ଋ୧-୧-୪)

 

ଅର୍ଥାତ୍ ହେ ଅଗ୍ନି, ହେ ସର୍ବପ୍ରକାଶକ ପ୍ରଭୋ ! ଯେଉଁ ହିଂସାରହିତ ଯଜ୍ଞକୁ ସର୍ବତ୍ର ପରିବ୍ୟାପ୍ତ କରିଅଛ, ତାହା ନିଶ୍ଚୟ ଦେବତାଙ୍କଠାରେ ପହଞ୍ଚିଛି ।

 

ଏବଂ “ଆଦିତ୍ୟା ରୁଦ୍ରା ବସବଃ ସୁନୀଥା

ଦ୍ୟାବାକ୍ଷାମା ପୃଥିବୀ ଅନ୍ତରିକ୍ଷମ୍

ସଜୋଷସୋ ଯଜ୍ଞମବନ୍ତୁ ଦେବା

ଊର୍ଧ୍ୱଂ କୁଣ୍ୱନ୍ତ୍ୱ ଧ୍ୱରସ୍ୟ କେତୁମ୍ । (ଋ୩-୮-)

 

ଅର୍ଥାତ୍ ନୀତିଜ୍ଞ, ନେତା, ସୈନିକ, ଧନପତି, ବିଶାଳଦୌ ଓ ପୃଥିବୀ ଅନ୍ତରୀକ୍ଷ ପରୋପକାରୀ ବିଦ୍ୱାନ୍ ପ୍ରୀତିସମ୍ପନ୍ନ ହୋଇ ଯଜ୍ଞକୁ ରକ୍ଷା କରନ୍ତୁ, ଯଜ୍ଞର ପତାକାକୁ ଉନ୍ନତ କରନ୍ତୁ !

 

ତେଣୁ ଋକ୍ ସାମ ଯଜୁର୍ବେଦୀୟ ଯଜ୍ଞ ଅହିଂସ । ସେଥିରେ ପଶୁବଧର କୌଣସି ପ୍ରଥା ନାହିଁ ବା ନିର୍ଦ୍ଦେଶ ନାହିଁ । ଅଶ୍ଵମେଧ, ଗୋମେଧ ଆଦି ଯଜ୍ଞରେ ପଶୁବଧ କର୍ତ୍ତବ୍ୟ ବୋଲିବା ଅବିହିତ । ପଶୁବଧ ବୈଦିକ ଯଜ୍ଞରେ କଳ୍ପନାତୀତ । କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମତ୍ସର୍ଯ ଏହି ଦୁର୍ଗୁଣକୁ ଯଥାକ୍ରମେ କୋକ, ମେଷ, ଗୃଧ୍ର, ଭଲ୍ଲୁକ, ଗରୁଡ଼ପକ୍ଷୀ ଓ ଶ୍ୱାନ ସହିତ ତୁଳନା କରାଯାଇଛି । (ଋ ୭-୧୦୪-୨୨) ପାଶବିକ ମନୋଭାବର ନାଶ ଦ୍ଵାରାହିଁ ଦିବ୍ୟତା ପ୍ରାପ୍ତ ହୁଏ; ପଶୁହତ୍ୟାଦ୍ଵାରା ନୁହେଁ । ଏହାହିଁ ବେଦର ବାଣୀ ।

 

ଚତୁର୍ଥ ବେଦ ଅଥର୍ବ । ‘ଅଥର୍ବନ୍’-(ଅଥ ଅର୍ବନ୍) ‘ଏବେ ନିଜକୁ ଚାହଁ !’ ଏହାହିଁ ଅଥର୍ବର ବ୍ୟୁତ୍ପତ୍ତିଗତ ଅର୍ଥ । ଆତ୍ମବିଶ୍ଵାସ ଉପରେ ଆସ୍ଥା ସ୍ଥାପନହିଁ ଅଥର୍ବର ବିଶେଷ ଉପଦେଶ । କର୍ମଫଳ ଉପରେ ଅଥର୍ବ ସର୍ବାଧିକ ଗୁରୁତ୍ଵ ଆରୋପ କରିଛନ୍ତି; ପରମାତ୍ମା ଏକ-ଜୀବାତ୍ମା ଅନେକ । ଅଥର୍ବଙ୍କର ମନ୍ତବ୍ୟ-ଜୀବାତ୍ମା କର୍ମ କରିବାରେ ସ୍ଵତନ୍ତ୍ର, କିନ୍ତୁ ଫଳପ୍ରାପ୍ତି ବିଷୟରେ ପରତନ୍ତ୍ର । ଗୀତା ଏହି ମତକୁ ଗ୍ରହଣ କରି କହିଲେ ‘କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ ।’ ତେଣୁ ଅଥର୍ବଙ୍କର ଉପଦେଶ- “କାହାରି ସୁପାରିଶରେ ମୁକ୍ତି ଲାଭର ଆଶା ରଖ ନାହିଁ-ନ କିଳ୍ମିଷମତ୍ର ନାଧାରେ ଅସ୍ତି” ଇତ୍ୟାଦି (ଅ-୧୨ ୩.୪୮) । କର୍ମାନୁସରେ ଜୀବର ଭାଗ୍ୟ ନିୟନ୍ତ୍ରିତ । କର୍ମାନୁସାରେ ଜୀବର ଭିନ୍ନ ଭିନ୍ନ ଯୋନିରେ ଜନ୍ମ ହୁଏ ।

 

ଅଥର୍ବବେଦର ଏକ ନାମ ‘ଆତ୍ମବେଦ’ । ଜୀବ ଯେତେବେଳେ ନିଜର ନିଷ୍କାମ, ନିଶ୍ଚଳ, ନିତ୍ୟ ସ୍ୱରୁପକୁ ଦର୍ଶନ କରେ ସେତେବେଳେ ସେ ଆତ୍ମମୟ ହୁଏ । ଜୀବନ ଓ ମରଣ ଉଭୟ ଜୀବନ ରୂପରେହିଁ ଉପଲବ୍‌ଧ ହୁଅନ୍ତି । ଅଥର୍ବର ଏକ ଅର୍ଥ ନିଶ୍ଚଳତା; ନିଷ୍କାମନାଦ୍ଵାରା ମନକୁ ନିଶ୍ଚଳ କରିବା ଫଳରେ ଆତ୍ମଦର୍ଶନ ମିଳେ-ଏହାହିଁ ଅଥର୍ବଙ୍କର ଉପଦେଶ ।

 

ଋକବେଦରେ ଯେଉଁ ବହୁତ୍ୱରେ ଏକତ୍ଵର ସତ୍ୟ ମିଳିଥିଲା; ସାମବେଦ ମନୁଷ୍ୟକୁ ସେହି ଏକ ବ୍ରହ୍ମ, ହିରଣ୍ୟଗର୍ଭଙ୍କ ସହ ସମକକ୍ଷ ହେବାର ଗୋଟାଏ ବିରାଟ ସମ୍ଭାବନାର ପଥପ୍ରଦର୍ଶନ କଲାପରେ ଯଜୁର୍ବେଦ ଯଜ୍ଞକୁହିଁ ସେହି ସମ୍ଭାବନାର ସୂତ୍ରରୂପେ ପ୍ରତିପାଦିତ କରିଥିଲେ-। ଅଥର୍ବ ଅନ୍ୟ ଏକ ନୂତନ ପନ୍ଥାର ସନ୍ଧାନ ଦେଲେ-ନିଷ୍କାମ କର୍ମ । ଏବଂ ମନ ଯେତେବେଳେ ନିଷ୍କାମନାଦ୍ଵାରା ନିଶ୍ଚଳ ହୁଏ ସେତେବେଳେହିଁ ତାହାର ପରମ ପ୍ରାପ୍ତି । ପ୍ରସ୍ଥାନତ୍ରୟୀ ଯୁଗକୁ ଆସି ଗୀତା ମଧ୍ୟ ସେହି ମହିମାମୟ ବାଣୀ ଶୁଣାଇଛନ୍ତି । ବ୍ରହ୍ମ ସାକ୍ଷାତ୍‍କାର ବା ଈଶ୍ଵର ଉପଲବ୍ଧିର ପନ୍ଥା ନିର୍ଦ୍ଦେଶ କରିବାରୁ ଅଥର୍ବକୁ ‘ବ୍ରହ୍ମବେଦ’ ବୋଲି ମଧ୍ୟ କୁହାଯାଏ । ମୃତ୍ୟୁକୁ ଜୀବନ ରୂପରେ ଦର୍ଶନ କରିବାର ଉପଦେଶ ସମ୍ବଳିତ ଏହି ବେଦର ଅନ୍ୟ ନାମ “ଅମୃତବେଦ ।”

 

ଅଥର୍ବକୁ ପାଶ୍ଚାତ୍ୟ ପଣ୍ଡିତମାନେ ଅର୍ବାଚୀନ ବୋଲି ମତ ଦେଇଥାନ୍ତି । ମାତ୍ର ଏହା ରୁକ୍ ଆଦି ତ୍ରୟୀବେଦର ସମକାଳୀନ ନ ହୋଇଥିଲେ ଋକବେଦରେ ଅଥର୍ବବେଦର ନାମ ଉଲ୍ଲେଖ ହୋଇ ନ ଥାନ୍ତା । ଋକବେଦରେ ବର୍ଣ୍ଣନା ଅଛି–ସେହି ପୂଜନୀୟ ପରମେଶ୍ଵରଙ୍କଠାରୁ ଋକ୍, ସାମବେଦ, ଛନ୍ଦୋବେଦ ଓ ଯଜୁର୍ବେଦ ଉତ୍ପନ୍ନ ହେଲେ । (ଋକ୍‍-୧୦-୯୦-୭) ଛନ୍ଦୋବେଦ ଅଥର୍ବର ନାମାନ୍ତାର । ଅବଶ୍ୟ ଛନ୍ଦୋବନ୍ଧ ମନ୍ତ୍ରଗୁଡ଼ିକୁ ଋକ୍‍ କୁହାଯାଏ, ଗାନାତ୍ମକ ମନ୍ତ୍ରଗୁଡ଼ିକୁ ସାମ ଏବଂ ଗଦ୍ୟାତ୍ମକ ରଚନା ଯଜୁଃ ନାମରେ ଖ୍ୟାତ । କିନ୍ତୁ ଅଥର୍ବରେ ଛାନ୍ଦ ବା ପାଦବ୍ୟବସ୍ଥା (ରୁକ୍) ଗାନ ବ୍ୟବସ୍ଥା (ସାମ) ଓ ଗଦ୍ୟ ବ୍ୟବସ୍ଥା (ଯଜୁଃ) ଉପଲବ୍ଧ ହୁଏ, ତେଣୁ ତାହାକୁ ଛନ୍ଦୋବେଦ କୁହାଯାଇଛି ।

 

ମହର୍ଷି ଦୟାନନ୍ଦଙ୍କ ମତରେ–‘ଯେଉଁ ମନ୍ତ୍ରଗୁଡ଼ିକ ଚାରି ବେଦରେ ଉପଲବ୍‌ଧ ହୁଏ (ଶନ୍ନୋଦେବୀରଭିଷ୍ଟୟ ଇତ୍ୟାଦି) ସେଗୁଡ଼ିକ ଋକବେଦରେ ପଦାର୍ଥର ଗୁଣ ପ୍ରକାଶପାଇଁ, ଯଜୁର୍ବେଦରେ ଯଜ୍ଞ (ଶୁଭକର୍ମ) ଅନୁଷ୍ଠାନପାଇଁ, ସାମବେଦରେ ଜ୍ଞାନ ଓ କ୍ରିୟା (କର୍ମ ଓ ଜ୍ଞାନ ମାର୍ଗ)ପାଇଁ ଏବଂ ଅଥର୍ବବେଦରେ ସମ୍ପୂର୍ଣ୍ଣ ସଫଳତାପାଇଁ ବିଚାର କରାଯାଏ ।

 

ଅଥର୍ବକୁ ଅର୍ବାଚୀନ ବୋଲି କହିବାର କାରଣ ହେଉଛି, ତ୍ରୟୀଧର୍ମ ବା ତ୍ରୟୀବେଦ ମଧ୍ୟରେ ଋକ୍, ସାମ ଓ ଯଜୁଃ ଗଣ୍ୟ । ମାତ୍ର ଅଥର୍ବ ତ୍ରୟୀ ବିଦ୍ୟାରେ ଗଣ୍ୟ ନ ହୋଇଥିବାରୁ ତାହା ଅର୍ବାଚୀନ ଅନୁମିତ ହୁଏ । ଏହାହିଁ ଆଧୁନିକ ଯୁକ୍ତି । ମାତ୍ର ବିଚାର କରିବାର କଥା, ଋକ୍‍, ସାମ, ଯଜୁଃକୁ ତ୍ରୟୀ ଧର୍ମ କାହିଁକି କୁହାଯାଏ ଏବଂ ତାହା ଭିତରେ ଅଥର୍ବ ସ୍ଥାନ ପାଏନାହିଁ କାହିଁକି ? ଋକ୍, ସାମ, ଯଜୁଃକୁ ତ୍ରୟୀଧର୍ମ ମୂଳକ ବେଦ କହିଲାବେଳେ ଉକ୍ତ ବେଦମାନଙ୍କରେ ପ୍ରତିପାଦିତ ସମସ୍ତ ତଥ୍ୟପ୍ରତି ଦୃଷ୍ଟି ଦିଆଯାଇ ନ ଥାଏ । ତିନୋଟିଯାକ ବେଦରେ ଯାହା କିଛି କାମନାମୂଳକ ତାହାକୁହିଁ ତ୍ରିବେଦ ଆଖ୍ୟା ଦିଆଯାଇଛି । ଶ୍ରମଦ୍‍ଭାଗବତରେ ଏହି କମାନମୂଳକ ଯଜ୍ଞକୁ ତ୍ରିବେଦ ବୋଲି କୁହାଯାଇଛି । ଶ୍ରୀଭାଗବାନ୍‍ ଗୀତାରେ କହିଛନ୍ତି–“ସୋମପାୟୀ ତ୍ରିବେଦଜ୍ଞମାନେ (ଋକ୍ ସାମ ଓ ଯଜୁଃ) ଯଜ୍ଞଦ୍ଵାରା ମୋର ପୂଜା କରିବା ଫଳରେ ନିଷ୍ପାପ ହୋଇ ସ୍ଵର୍ଗ ପ୍ରାର୍ଥନା କରନ୍ତି । ସେମାନେ ପୁଣ୍ୟ ଇନ୍ଦ୍ରଲୋକ ଲାଭ କରି ଦିବ୍ୟ ସ୍ଵର୍ଗ ଭୋଗ କରନ୍ତି । କିନ୍ତୁ ସେମାନେ ବିଶାଳ ସ୍ୱର୍ଗଲୋକ ପ୍ରାପ୍ତ ହୋଇ ପୁଣ୍ୟ କ୍ଷୟ ପ୍ରାପ୍ତିହେଲେ ମର୍ତ୍ତ୍ୟ ଲୋକକୁ ଫେରିଆସନ୍ତି ।” ଏହିପରି ଭାବରେ ତ୍ରୟୀଧର୍ମ ଅନୁଷ୍ଠାନକାରୀ ଭୋଗେଚ୍ଛୁମାନେ ସ୍ଵର୍ଗ ଓ ସଂସାର ମଧ୍ୟରେ ଯାତାୟାତ କରୁଥାନ୍ତି । ତେଣୁ ନିଷ୍କାମ ଉପଦେଶମୂଳକ ଅଥର୍ବକୁ ଋକ୍ ସାମ ଯଜୁଃର କାମନା ବିଷୟକ ଧର୍ମ ବା ତ୍ରୟୀଧର୍ମର ପର୍ଯ୍ୟାୟଭୁକ୍ତ କରାଯାଇନାହିଁ । ଏହା କରାଯାଇଥିଲେ ଅବିଚାର ହୋଇଥାନ୍ତା ।

 

ତେଣୁ ଅଥର୍ବବେଦର ଏକ ସ୍ଵତନ୍ତ୍ର ଆଭିମୂଖ୍ୟ ସ୍ଵୀକାର୍ଯ୍ୟ । କେହି କେହି ମତ ଦେଇଥାନ୍ତି ଯେ ଦେବତାମାନଙ୍କ ପ୍ରୀତିନିମନ୍ତେ ଯଜ୍ଞାନୁଷ୍ଠାନମାନଙ୍କୁ ଅନ୍ୟାନ୍ୟ ତିନୋଟି ବେଦସଦୃଶ ବିଶେଷ ଭାବରେ ଉଲ୍ଲେଖ ନ କରି ବରଂ ପାର୍ଥିବ ସୁଖସ୍ୱାଚ୍ଛନ୍ଦ୍ୟ ଓ ଜୀବନ ଉପଯୋଗୀ ଲଭ୍ୟ ବସ୍ତୁ ତଥା ତଜ୍ଜନିତ ଉପାୟ ଉଦ୍ଭାବନ ଓ ତାହାର ସୂଚନା ଅଥର୍ବର ଆଭିମୁଖ୍ୟ ହୋଇଥିବାରୁ ଏହା ତ୍ରୟୀଧର୍ମଭୁକ୍ତ ନୁହେଁ । ମାତ୍ର ଏହା କେବଳ ଭ୍ରାନ୍ତି ନୁହେଁ, ଉଦ୍‌ଭ୍ରାନ୍ତ । ଅଥର୍ବ ଯେ ଭୌତିକ ଅଭିବୃଦ୍ଧିର ସହାୟକ, ଏଥିରେ ସନ୍ଦେହ ନାହିଁ । ମାତ୍ର ତତ୍ ସଙ୍ଗେ ସଙ୍ଗେ ଆଧ୍ୟାତ୍ମିକ ଚିନ୍ତନର ଏକ ନୂତନ ଦ୍ଵାର ଯେ ଅଥର୍ବ ଉଦ୍‍ଘାଟନ କରିଯାଇଛନ୍ତି ଏକଥାକୁ ମଧ୍ୟ ଅସ୍ଵୀକାର କରିହେବନାହିଁ ।

 

ଯଜୁଃବେଦ ପରି ଅଥର୍ବଙ୍କର ଆବିର୍ଭାବ ସମ୍ବନ୍ଧରେ ଏକ ମନୋରମ ଆଖ୍ୟାୟିକା ମିଳେ-। କଥିତ ଅଛି-ସୃଷ୍ଟିର ପ୍ରାରମ୍ଭିକ କାଳରେ ସ୍ରଷ୍ଟା ବ୍ରହ୍ମା ନବନବ ସର୍ଜନା ନିମନ୍ତେ ଧ୍ୟାନସ୍ଥ । ତପସ୍ୱୀ ବ୍ରହ୍ମାଙ୍କର ସମଗ୍ର ଶରୀରରୁ ସ୍ୱେଦଧାରା ବିଗଳିତ । ସେହି ସ୍ୱେଦବାରିରେ ପ୍ରତିଫଳିତ ବ୍ରହ୍ମାଙ୍କର ପ୍ରତିଚ୍ଛବି । ସ୍ଵୀୟ ପ୍ରତିକୃତି ସନ୍ଦର୍ଶନରେ ବ୍ରହ୍ମା ମୁଗ୍‌ଧ ହୋଇପଡ଼ିଲେ । ବିଚିତ୍ର କଥା, ପାଶ୍ଚାତ୍ୟ ସାହିତ୍ୟରେ ଏପରି ନିଜ ପ୍ରତିକୃତିର ପ୍ରେମରେ ପଡ଼ିଥିବା ଚରିତ୍ରର ବର୍ଣ୍ଣନା ଅଛି । ସ୍ୱରୂପରେ ଅତିଶୟ ଆଶକ୍ତି ହେତୁ ବ୍ରହ୍ମାଙ୍କର ରେତଃ ପାତ ହେଲା । ସେହି ସ୍ଖଳିତ ରେତଃ ସ୍ଵତଃ ବିଭାଜିତ ହୋଇ ଏକଭାଗ ଭୁଜ୍ୟମାନ ବା ଭର୍ଜିତ ହୋଇଯିବାରୁ ଋଷି ଭୃଗୁଙ୍କର ଉଦ୍‌ଭବ ହେଲା । ସେହି ଭୃଗୁ ଅଥର୍ବର ରଚୟିତା ଏବଂ ଅଥର୍ବ ନାମରେ ମଧ୍ୟ ଅଭିହିତ ।

 

ରେତଃର ଅବଶିଷ୍ଟ ଭାଗ ଜଳରେ ଆବୃତ ହେବାର ଦେଖି ଉତ୍ତପ୍ତ ବ୍ରହ୍ମାଙ୍କ ମୁଖରୁ ‘ବ୍ୟୁଣ’ ଶବ୍ଦ ନିର୍ଗତ ହେଲା ଏବଂ ସଙ୍ଗେ ସଙ୍ଗେ ତାଙ୍କ ଶ୍ରୀଅଙ୍ଗରୁ ରସ ନିର୍ଗତ ହେଲା । ସେହି ରସରୁ ନିର୍ଗତ ହେଲେ ଋଷି ଅଙ୍ଗିରା । ଅଥର୍ବା ଓ ଅଙ୍ଗିରାଙ୍କ ତପସ୍ୟା ଫଳରେ ବିଂଶ ସଂଖ୍ୟକ ଅଙ୍ଗିରା ଓ ଅଥର୍ବାଙ୍କର ଉତ୍ପତ୍ତି ।

 

ଅଥର୍ବବେଦ ସମ୍ବନ୍ଧରେ ଏହି ପୌରାଣିକ ଉପାଖ୍ୟାନ ମଧ୍ୟ ପ୍ରତୀକଧର୍ମୀ । ବ୍ରହ୍ମା ନିଜ ରୂପରେ ମୁଗ୍‌ଧ ହେବା ସାଧାରଣ ଅର୍ଥରେ ବୁଝିଲେ ଅନ୍ୟାୟ ହେବ । ସାଧାରଣତଃ ଆମେ ‘ପ୍ରେମରେ ପଡ଼ିବା’ ଯେଉଁ ଅର୍ଥରେ ପଢୁଁ ଏବଂ ଗ୍ରୀକ୍ କାହାଣୀର ଓଡ଼ିପସ୍ ଯେଉଁଭଳି ନିଜ ପ୍ରତିକୃତିର ପ୍ରେମରେ ପଡ଼ିବା କଥା କୁହାଯାଇଛି ତାହା ମର୍ତ୍ତ୍ୟ । କିନ୍ତୁ ବ୍ରହ୍ମାଙ୍କର ସ୍ୱରୂପରେ ଆସକ୍ତି ଅର୍ଥ “ଆତ୍ମରତି-ଆତ୍ମତୃପ୍ତି ।” ଶ୍ରୀମଦ୍‌ଭଗବତ୍ ଗୀତାରେ ଶ୍ରୀଭଗବାନ୍‍ କହିଛନ୍ତି- “ଯେଉଁ ବ୍ୟକ୍ତି ଆତ୍ମରତି ଅର୍ଥାତ୍ ଆତ୍ମା ବା ପରମାତ୍ମାରେ ପ୍ରୀତି ଏବଂ ଆତ୍ମତୃପ୍ତ ବା ପରମାତ୍ମା ଦର୍ଶନରେ ତୃପ୍ତ, ଆତ୍ମାରେହିଁ ସନ୍ତୁଷ୍ଟ, ତାହାର ଆଉ କିଛି କରିବାର ନଥାଏ । ” ଏହି ଆଖ୍ୟାୟିକାରେ ବ୍ରହ୍ମା ଆତ୍ମତୃପ୍ତ, ଆତ୍ମରତିପନ୍ନ । ତେଣୁ ତାଙ୍କର କରିବାର କିଛି ନ ଥିଲେ ମଧ୍ୟ ସେ ନିଷ୍କାମ କର୍ମ, ଲୋକ ସଂଗ୍ରହାର୍ଥେ, ଭଗବାନଙ୍କ ଆଜ୍ଞାବହନ କରି ଭଗବାନଙ୍କ କର୍ମହିଁ କରିବାଦ୍ୱାରା ସୃଷ୍ଟି ସମ୍ଭବ ହୁଏ ।

 

ବ୍ରହ୍ମାଙ୍କର ରେତଃ ସ୍ଖଳନର ମଧ୍ୟ ତାତ୍ପର୍ଯ୍ୟାର୍ଥ ଅଛି । ବୈଦିକ ଭାଷାରେ ରେତଃ ଶବ୍ଦର ଅର୍ଥ ପ୍ରବାହ । ବ୍ରହ୍ମାଙ୍କର ଚିନ୍ତନ ପ୍ରବାହ (flow of thought)କୁ ଏଠାରେ ରେତଃ ଓ ରସ ଆଖ୍ୟା ଦିଆଯାଇଛି । ତେଣୁ ଅଥର୍ବର ଦୁଇ ଧାରା ଭୃଣ ଅଥର୍ବ (ଭୃଗୁ) ଓ ଅଙ୍ଗିରା ।

 

ବ୍ରହ୍ମାଙ୍କର ସର୍ଜନଶୀଳ ନିରଳସ ମନ କିନ୍ତୁ ଅଥର୍ବବେଦ ସର୍ଜନା କରି ସନ୍ତୁଷ୍ଟ ରହିପାରିଲି ନାହିଁ । ଅଥର୍ବରୁ ଜଣାଯାଏ ଯେ ବ୍ରହ୍ମା ତାହା ପରେ ‘ସର୍ପବେଦ’, ‘ପିଶାଚବେଦ’, ‘ଅସୁରବେଦ’ ଓ ‘ଇତିହାସବେଦ’ ସର୍ଜନା କଲେ ।

 

ଅଥର୍ବବେଦର ମୁଖ୍ୟ ଆଦିବିଧାୟକ ୠଷି ଭୃଗୁ ଓ ଅଙ୍ଗିରାଙ୍କ ସ୍ଥାନ ଭାରତର ଆଧ୍ୟାତ୍ମିକ ଦର୍ଶନ କ୍ଷେତ୍ରରେ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ଭୃଗୁ, ମରୀଚି, ଅତ୍ରି, ଅଙ୍ଗିରା, ପୁଲହ, ପୁଲସ୍ତ୍ୟ ଓ କ୍ରତୁ ଏହି ସପ୍ତର୍ଷି ବା ସପ୍ତ ପ୍ରଜାପତି ମନୁଙ୍କଠାରୁ ବେଦୋପଦେଶ ଲାଭ କରିଥିଲେ ବୋଲି ଶ୍ରୀମଦ୍‍ଭାଗବତରେ ବର୍ଣ୍ଣିତ ଅଛି । ଭାଗବତରେ ଭଗବାନ୍ ଶ୍ରୀକୃଷ୍ଣ ଭକ୍ତ ଉଦ୍ଧବଙ୍କୁ କହିଲେ–“ମୋର ସେହି ବାଣୀ, ବେଦ ରୂପକ ସଂହିତା କାଳକ୍ରମେ ମହାପ୍ରଳୟରେ ନଷ୍ଟ ହୋଇଗଲା । ପୁନରାୟ ସୃଷ୍ଟି ଆରମ୍ଭରେ ମୁଁ ଏହି ମଦାତ୍ମକ ଧର୍ମ ବ୍ରହ୍ମାଙ୍କୁ ଉପଦେଶ ଦେଲି । ବ୍ରହ୍ମା ସେହି ବେଦ ସଂହିତା ବାଣୀକୁ ତଦୀୟ ଜ୍ୟେଷ୍ଠ ପୁତ୍ର ମନୁଙ୍କୁ କହିଲେ । ମନୁଙ୍କଠାରୁ ତାଙ୍କର ପୁତ୍ର ଦେବ, ଦାନବ, ଗୁହ୍ୟକ, ମନୁଷ୍ୟ, ଗନ୍ଧର୍ବ, ବିଦ୍ୟାଧର ଓ ଚାରଣମାନେ ପ୍ରାପ୍ତ ହେଲେ ।”

 

ଏଥିରୁ ପ୍ରମାଣିତ ହେଉଛି ଯେ ପ୍ରଳୟ ପରେ ନୂତନ ସୃଷ୍ଟି ଆରମ୍ଭରେ ବା ଗୋଟିଏ ମନ୍ୱନ୍ତରର ଆଦିମ ଅବସ୍ଥାରେ ସପ୍ତର୍ଷିମାନଙ୍କଠାରୁହିଁ ବେଦର ଭିଆଣ । ଏହି ସପ୍ତର୍ଷିମାନଙ୍କ ମଧ୍ୟରେ ଭୃଗୁ ଓ ଅଙ୍ଗିରାଙ୍କର ଶୁଭଦାନ ଅଥର୍ବ ।

 

ଅଥର୍ବବେଦର ଜନକ ଏହି ଭୃଗୁ ଓ ଅଙ୍ଗିରାଙ୍କର ପରିଚୟ ବଡ଼ ଚରିତ୍ର ଭାବରେ ପୁରାଣରେ ଦେଖିବାକୁ ମିଳେ । ପୁରାଣ ମତରେ ଭୃଗୁ ଜନୈକ ଯଜ୍ଞସମ୍ଭବ ମହର୍ଷି । ଅତି ପ୍ରାଚୀନ କାଳରେ ବ୍ରହ୍ମା ବରୁଣଙ୍କର ଏକ ଯଜ୍ଞ ଅନୁଷ୍ଠାନ କରୁଥିବା ସମୟରେ ଯଜ୍ଞାଗ୍ନିରୁ ମହର୍ଷି ଭୃଗୁଙ୍କର ଜନ୍ମ । ପୁରାଣ ସେହିପରି ଅଙ୍ଗିରାଙ୍କୁ ମଧ୍ୟ ବ୍ରହ୍ମାଙ୍କର ମାନସପୁତ୍ରରୂପେ ପରିଚୟ ଦେଇ ସେ ବ୍ରହ୍ମାଙ୍କର ମୁଖପଦ୍ମରୁ ଉଦ୍ଭବ ବୋଲି ବର୍ଣ୍ଣନା କରିଛନ୍ତି । ପୁଣି ଅଙ୍ଗିରାଙ୍କର ପୁତ୍ର ପୁରାଣପ୍ରସିଦ୍ଧ ବୃହସ୍ପତି ।

 

ଏହି ସବୁ ଆଖ୍ୟାୟିକାର ନିଷ୍କର୍ଷ ହେଉଛି ଯେ ବେଦ ପ୍ରକୃତରେ ଅପୌରୁଷେୟ-ଶ୍ରୀ ଭଗବାନ୍‍ଙ୍କର ବାଣୀ । ମାତ୍ର ଏହା ଋଷିମାନଙ୍କ ମଧ୍ୟରେ ଦେବଦାନବମାନବାଦି ଲାଭ କରିଛନ୍ତି । ଋଷିମାନେ ମନୁଷ୍ୟ ରୂପ ଧାରଣ କରିଥିଲେ ହେଁ ପ୍ରକୃତରେ ସେମାନେ ମନୁଷ୍ୟ ସମାଜର ବହୁ ଉର୍ଦ୍ଧ୍ଵରେ ଏବଂ ଏହିମାନେହିଁ ଦେବତ୍ଵ ଓ ମାନବତ୍ଵ ମଧ୍ୟରେ ସଂଯୋଗ ସୂତ୍ର ।

 

ଋକ୍, ସାମ ଓ ଯଜୁଃ ପରସ୍ପର ସଂବଂଧିତ । ଋକ୍‍ର ଛନ୍ଦୋବଦ୍ଧ ମନ୍ତ୍ରର ଗାୟନ ସାମ; ଏବଂ ଉଭୟ ଋକ୍‍ ଓ ସାମୋକ୍ତ ମନ୍ତ୍ରକୁ ଯଜ୍ଞ ମାଧ୍ୟମରେ ବାସ୍ତବ ରୂପଦାତା ଯଜୁଃ । ଅଥର୍ବ କିନ୍ତୁ ସ୍ଵତନ୍ତ୍ର ନ ହେଲେ ହେଁ ଏହି ତିନି ବେଦ ଉପରେ ପୂର୍ଣ୍ଣ ନିର୍ଭରଶୀଳ ନୁହେଁ । ତେଣୁ ସମ୍ଭବତଃ ଏହାକୁ ତ୍ରୟୀଧର୍ମ ମଧ୍ୟରେ ପରିଗଣିତ କରାଯାଇନାହିଁ । ମାତ୍ର ଏହାଦ୍ଵାରା ଅଥର୍ବବେଦର ମାହାତ୍ମ୍ୟ ଆଦୌ କ୍ଷୁଣ୍ଣ ହୋଇ ନାହିଁ ବରଂ ତାହାର ବୈଶିଷ୍ଟ୍ୟ ପ୍ରମାଣିତ ହୋଇଛି । ଏହା ଅନ୍ୟବେଦମାନଙ୍କର ପରବର୍ତ୍ତୀ ବୋଲି କୁହାଗଲେ ମଧ୍ୟ ତାହାର ମର୍ଯ୍ୟାଦା ହ୍ରାସ ପାଇବା ପରିବର୍ତ୍ତେ ଅଧିକ ବୃଦ୍ଧି ପାଇବ । କାରଣ ଚିନ୍ତନ କ୍ଷେତ୍ରରେ କ୍ରମବିକାଶର ସମ୍ଭାବନା ଏଥିରେ ପ୍ରମାଣିତ ହୋଇଛି । ଏହାକୁ ତ୍ରୟୀଧର୍ମରୁ ବାଦ୍ ଦେଇ ଆଧିଭୌତିକ, ଆଧିଦୈବିକ, ଓ ଆଧ୍ୟାତ୍ମିକାଦି ଜଗତରେ ଜୀବର ପ୍ରକୃତ ସ୍ଥିତିକୁ ସ୍ଵୀକାର କରି ମାନବର ପ୍ରଗତି ପଥ ନିର୍ଦ୍ଦେଶ କରାଯାଇଛି । ମନୁଷ୍ୟର ଅଧିକାର ତଥା ଜୀବନର ଉତ୍କର୍ଷସାଧନ ନିମନ୍ତେ ସାଧନର ନିର୍ଦ୍ଦେଶ ମଧ୍ୟ ଅଥର୍ବ ଶିକ୍ଷା ଦିଅନ୍ତି ।

 

ଐହିକ ଜୀବନର ସମସ୍ତ ଆବଶ୍ୟକତା ପୂରଣ ଦିଗରେ ଅର୍ଥବ ଉପାୟ ନିର୍ଣ୍ଣୟ କରିଛନ୍ତି-। ମନୁଷ୍ୟ ସମାଜର ତଥା ବ୍ୟକ୍ତିଗତ ତତ୍କାଳିକ ଜୀବନର କୌଣସି ଅଙ୍ଗ ଅଥର୍ବ ବାଦ ଦେଇ ନାହାନ୍ତି । ଏଡ଼େ ବଡ଼ ବିରାଟ ଗ୍ରନ୍ଥର ରଚନା କୌଣସି ଏକ ଜୀବନଧାରୀ ପୁରୁଷ ପକ୍ଷରେ କଦାପି ସମ୍ଭବ ନୁହେଁ । ତେଣୁବେଦକୁ ଅପୌରୁଷେୟ ଆଖ୍ୟା ଦେବା ଆଦୌ ଅସଙ୍ଗତ ନୁହେଁ । ଜନ୍ମଠାରୁ ମୃତ୍ୟୁ ଯାଏଁ, ପ୍ରତ୍ୟେକ ଅବସ୍ଥାରେ ବ୍ୟକ୍ତିର ତଥା ସମାଜର କର୍ତ୍ତବ୍ୟ ନିର୍ଦ୍ଦେଶ କରି ବ୍ୟବସ୍ଥା କରିଛନ୍ତି ଅର୍ଥବବେଦ । ପୁଂସବନ ଆଦି ଭ୍ରୂଣସଞ୍ଚାର କ୍ରିୟାଠାରୁ, ବୈବାହିକ ଜୀବନର ଯାବତୀୟ ଆବଶ୍ୟକତା ପୂରଣ କରିବାର ଉପାୟ ମଧ୍ୟ ବିହିତ ହୋଇଛି । ପୂତ, ବିଜ୍ଞାନ, ଗଣିତ, ଜ୍ୟୋତିଷ, ଆୟୁର୍ବେଦ ସଂବଂଧରେ ମଧ୍ୟ ବିସ୍ତୁତ ସୂଚନା ଦେଇ ଯାଇଛନ୍ତି ଏହି ବେଦ ।

 

ଆୟୁର୍ବେଦ ଅଥର୍ବର ଉପାଙ୍ଗ । ସୁଶ୍ରୁତରେ କୁହାଯାଇଛି–“ଇହ ଖଳୁ ଆୟୁର୍ବେଦୋ ନାମ ଯଦୁପାଙ୍ଗ ଅଥର୍ବବେଦସ୍ୟ ।” (୧-୧୦) ସୁଶ୍ରୁତ ପୁଣି କହନ୍ତି–“ବେଦୋ ଆଥର୍ବଣଃ x x x ଚିକିତ୍ସାଂ ପ୍ରାହ (୩୦ ୨୦) ଗୋପଥ ବ୍ରହ୍ମଣରେ ମିଳେ–“ଯେଽଥବାର୍ଣସ୍ତଦ୍‍ଭେଷଜମ୍ ।” ଚିକିତ୍ସା ଶାସ୍ତ୍ରର କାରଣ ତଥା ପ୍ରତିଷେଧକ ସୂତ୍ର ମଧ୍ୟ ଅଥର୍ବରେ ମିଳେ ।

 

ରାଷ୍ଟ୍ର ନୀତି ସଂବନ୍ଧରେ ସୂଚନା ଅଥର୍ବର ଏକ ବୈଶିଷ୍ଟ୍ୟ । ରାଷ୍ଟ୍ରୀୟ ବିଚାରର ବିକାଶ, ଶାସକର ଲକ୍ଷଣ, ରାଷ୍ଟ୍ରପ୍ରଣାଳୀ ପ୍ରଭୃତି ରାଜନୀତି ବିଜ୍ଞାନର ବହୁ ତଥ୍ୟ ଅଥର୍ବରେ ମିଳେ । ପାଶ୍ଚାତ୍ୟ ପ୍ରେମୀ ମାର୍କସ ପନ୍ଥୀମାନେ ରାଷ୍ଟ୍ରର କ୍ଷୟ (Weathering away State) ମାର୍କସ୍‌ଙ୍କର ମୌଳିକ ଦାନ ବୋଲି ଗର୍ବ କରିଥାନ୍ତି । ମାତ୍ର ମାର୍କସ ଜନ୍ମ ହେବାର ସହସ୍ର ସହସ୍ର ବର୍ଷ ପୂର୍ବେ ଏହି ‘ରାଷ୍ଟ୍ରର କ୍ଷୟ’ ବା ‘ବୈରାଜ୍ୟ’ ଶବ୍ଦ ବ୍ୟବହାର କରିଛନ୍ତି । ଲୋକଙ୍କର ସ୍ୱାଭାବିକ ଶୃଙ୍ଖଳାବୋଧ ଓ ଅନୁଶାସନଦ୍ୱାରା ସମାଜ ସ୍ୱୟଂଶାସିତ ହୁଏ ବୋଲି ଅଥର୍ବ ନିର୍ଦ୍ଦେଶ ଦେଇଛନ୍ତି । ଭାରତର ଗଣତନ୍ତ୍ର ପ୍ରତୀଚୀ ସଭ୍ୟତାର ଅନୁକରଣ ବୋଲି ଯେଉଁ ପାଶ୍ଚାତ୍ୟ ପ୍ରେମୀ ରାଜନୀତିବିଜ୍ଞାନୀ ଗର୍ବ କରନ୍ତି ସେମାନେ ଅଥର୍ବବେଦ ଅଧ୍ୟୟନ କଲେ ସେମାନଙ୍କର ଅହମିକା କ୍ଷୁର୍ଣ୍ଣ ହୋଇଯାନ୍ତା । ଅଥର୍ବବେଦରେ ବ୍ୟକ୍ତିର ଗୃହ ସଂଗଠନଠାରୁ ଆରମ୍ଭ କରି ପ୍ରତ୍ୟେକ ଗୃହର ବିକାଶ ପ୍ରତି ଦୃଷ୍ଟି ଦିଆଯାଇଛି । ଏହାହିଁ ବ୍ୟକ୍ତିଗତ ସ୍ୱାଧୀନତା । ଏହା କେବଳ ଗଣତାନ୍ତ୍ରିକ ରାଷ୍ଟ୍ରରେ ଦେଖାଯାଏ । ଏକଛତ୍ର ଶାସନରେ ଏହି ବ୍ୟକ୍ତିଗତ ସ୍ୱାଧୀନତା ଲୋପପାଇ ଯାଏ । ଏହି ଗୃହ ସଂଗଠନ ଊଦ୍ଧ୍ୱର୍ରେ ‘ଆହବନୀୟ’ ଓ ‘ଦକ୍ଷିଣାଗ୍ନି’ ନାମକ ସଂଗଠନର ସୂଚନା ଅଥର୍ବ ଦିଅନ୍ତି । ତା’ପରେ ଗ୍ରାମ ସ୍ତରରେ ‘ଗ୍ରାମ ସଭା’, ତଦୁପରି ‘ରାଷ୍ଟ୍ରୀୟ ସମିତି’ ଏବଂ ଆମନ୍ତ୍ରଣ ବା ମନ୍ତ୍ରିପରିଷଦ ସ୍ଥାପନାର ଉପଦେଶ ଅଛି । ସମାଜ କଲ୍ୟାଣପାଇଁ ସ୍ୱାର୍ଥ ତ୍ୟାଗ କରିବାଦ୍ୱାରା ଋଷିଋଣ ଶୋଧ ହୁଏ-। ଶାସକ କରଦାତାଙ୍କର ସତ୍ ଆକାଂକ୍ଷା ପୂର୍ଣ୍ଣ କରନ୍ତି । ଶାସକ ରାଷ୍ଟ୍ରବାସୀଙ୍କର ସତ୍ୟ, ଋତ, ଦୀକ୍ଷା, ତପ ଓ ଯଜ୍ଞ ରାଷ୍ଟ୍ରକୁ ଧାରଣ କରି ରଖେ । ଅନ୍ୟଥା ରାଷ୍ଟ୍ର ରସାତଳକୁ ଯାଏ । ଗ୍ରାମସଭା ଓ ରାଷ୍ଟ୍ରସମିତି ଶାସକର ଦୁଇ କନ୍ୟା । ଜନକ ଦୁହିତାର ଜନ୍ମଦାତା, ଭୋକ୍ତା ନୁହେଁ । ଏହାହିଁ ଅଥର୍ବବେଦର ଅନୁଜ୍ଞ ଗଣତାନ୍ତ୍ରିକ ଶାସକଙ୍କ ପ୍ରତି ।

 

ଗାର୍ହସ୍ଥ୍ୟ ସମ୍ବନ୍ଧରେ ଅଥର୍ବଙ୍କ ନିର୍ଦ୍ଦେଶ ଅତ୍ୟନ୍ତ ଉପାଦେୟ । ଅଥର୍ବ କହନ୍ତି–“ହେ ଗୁରୁ ପତ୍ନି ! ଗୃହପ୍ରଜାଙ୍କ ହିତ ସଂପାଦନପାଇଁ ଯତ୍ନଶୀଳ ହୁଅନ୍ତୁ । ନିଜ ପତିଭିନ୍ନ ଅନ୍ୟ ପୁରୁଷର ଶରୀରସ୍ପର୍ଶ ନିଷେଧ । ହେ ବଧୂ, ଗୃହ ଏକ ସାମ୍ରାଜ୍ୟ । ସେଠାରେ ଅସୀମ ଧୈର୍ଯ୍ୟ, ସହନଶୀଳତା ଓ ସେବାଦ୍ଵାରା ତୁମ୍ଭେ ମହାରାଣୀ ହୁଅ । ହେ ଦମ୍ପତି, ପରସ୍ପର ବିଚ୍ଛିନ୍ନ ନ ହୋଇ ଗୃହମେଧୀ ହୁଅ–ଗୃହଯଜ୍ଞ ପ୍ରଜ୍ଜ୍ୱଳିତ କର । ପୁତ୍ର ପିତାଙ୍କର ଅନୁକୂଳ ହେଉ, ମାତାଙ୍କ ସହମତ ହେଉ, ପତ୍ନୀ ପ୍ରତି ପତି ମଧୁର ସମ୍ଭାଷଣ କରୁ ।

 

ବ୍ରହ୍ମଚର୍ଯ୍ୟାଚରଣ ବିଧି ମଧ୍ୟ ଦେବାପାଇଁ ଅଥର୍ବ ଉପେକ୍ଷା କରିନାହାନ୍ତି । ‘ବ୍ରହ୍ମ’ ଅର୍ଥାତ୍‍ ସର୍ବୋତ୍ତମ ତତ୍ତ୍ଵର ‘ଚର୍ଯ୍ୟା’ ଅର୍ଥାତ୍ ଆଚରଣହିଁ ଅଥର୍ବଙ୍କ ମତରେ ବ୍ରହ୍ମଚର୍ଯ୍ୟ । ବ୍ରହ୍ମଚାରୀ ନିଜଠାରେ ସମସ୍ତ ଶକ୍ତି ଧାରଣ କରନ୍ତି । ଯେଉଁ ବ୍ରହ୍ମଚାରୀ ସ୍ନାତକ ହୁଅନ୍ତି ସେ ଅତ୍ୟନ୍ତ ତେଜସ୍ଵୀ ଏବଂ ପୃଥିବୀପୃଷ୍ଠରେ ଅତ୍ୟନ୍ତ ମନୋହର ଦେଖାଯାନ୍ତି । ଉଭୟ ଗୁରୁ (ଆଚାର୍ଯ୍ୟ) ଓ ଶାସକଙ୍କୁ ବ୍ରହ୍ମଚାରୀ ହେବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 

ଅଥର୍ବବେଦରେ ଏତଦ୍ ଭିନ୍ନ ଅନ୍ୟ ବହୁ ବିଷୟରେ ଜ୍ଞାନ ମିଳେ । ‘ସଂକଳ୍ପ’ ଅର୍ଥାତ୍ ମନରେ ପ୍ରବଳ ଶୁଭେଚ୍ଛା, ‘ଅଭିମର୍ଶ’ ଅର୍ଥାତ୍ ଦେହକୁ ସ୍ପର୍ଶ କରି ଅନ୍ତରୀଣ ତନ୍ତୁଗୁଡ଼ିକରେ ଶକ୍ତିଶାଳୀ ତରଙ୍ଗ ସୃଷ୍ଟି କରିବା ଓ ଆଦେଶ ଅର୍ଥାତ୍ ଆଶ୍ଵାସନା ଓ ଉପଦେଶଦ୍ଵାରା ରୋଗୀର ରୋଗ ଦୁରୀକରଣ ପ୍ରଭୃତି ବିଷୟ ଉଲ୍ଲେଖ ଅଛି । ମାତୃଭୂମି ବା ଭୂମିମାତାଙ୍କ ଉଦ୍ଦେଶ୍ୟରେ ଆତ୍ମ ବଳିଦାନ ଭାବନାରେ ଉଦ୍‌ବୁଦ୍ଧ ହେବାପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ତାଛଡ଼ା ଅସଂଖ୍ୟ ଜ୍ଞାତବ୍ୟ ବିଷୟ ଅଥର୍ବବେଦରୁ ମିଳେ । ଯଥା–ସୁଖ ପ୍ରସବର ଉପାୟ, ବାଳରିଷ୍ଟ ଖଣ୍ଡନର ଉପାୟ, ପୂର୍ବଜନ୍ମ ଓ ଇହଜନ୍ମକୃତ ପାପ କ୍ଷାଳନ ବିଧି, ନାନାବିଧ ବ୍ୟାଧି ନିରାକରଣର ଉପାୟ, ଶତ୍ରୁର ସ୍ତମ୍ଭନ, ଉଦ୍‌ବେଳନ (ଘଉଡ଼) ଶତ୍ରୁସୈନ୍ୟ କ୍ଷୟ ଓ ସ୍ଵସୈନ୍ୟ ଅଭିବୃଦ୍ଧି ଆଦି ଯୁଦ୍ଧ ବିଦ୍ୟା, ଗୋମହିଷାଦି ପାଳନ ତଥା ସେମାନଙ୍କ ରୋଗ ନିବାରଣର ଉପାୟ, ରାଜା ଓ ବ୍ରାହ୍ମଣଙ୍କ ଆକ୍ରୋଶରୁ ଆତ୍ମରକ୍ଷା, ବଜ୍ରପାତାଦି ଆକସ୍ମିକ ଦୁର୍ଘଟନାରୁ ରକ୍ଷାପାଇବାର ଉପାୟ, ସଭାରେ ବା ବିବାଦବିସମ୍ବାଦରେ ଜୟଲାଭ କରିବାର ଉପାୟମାନ କୁହାଯାଇଛି । ସାମାଜିକ ବ୍ୟବସ୍ଥାରେ ସ୍ଵସ୍ତୟନ କର୍ମ, ଜାତକର୍ମ, ନାମକରଣ, ଉପନୟନ, ବୈବାହିକ, ପୈତୃମେଧିକ କର୍ମ, ପିଣ୍ଡଦି ପିତୃଯଜ୍ଞ, ଗତାୟୁ ପୁରୁଷର ପୁନର୍ଜନ୍ମପାଇଁ ବୈଶ୍ଵଦେବୀ ଶାନ୍ତି ତଥା କାମନା ସିଦ୍ଧ ନିମନ୍ତେ ଆଗ୍ନେୟୀ ଶାନ୍ତି, ରୋଗମୁକ୍ତି ପାଇ ଭାର୍ଗବୀ ମହାଶାନ୍ତିର ବିଧାନ ମଧ୍ୟ ଦେଖିବାକୁ ମିଳେ । ଅଥର୍ବବେଦରୁ ଜଣାଯାଏ ଯେ ସେତେବେଳେ ନାନବିଧ ବିବାହର ବ୍ୟବସ୍ଥା ଥିଲା; ଯଥା-ସାବିତ୍ରୀ, ଗାୟତ୍ରୀ, ଅଙ୍ଗିରସୀ, ପ୍ରାଜପତ୍ୟ, ଐହ୍ୟ, ମାହେନ୍ଦ୍ର, କୌବେରୀ, ଓ ଆଦିତ୍ୟ ପ୍ରଭୃତି । ଏଥି ସଙ୍ଗେ ସଙ୍ଗେ କୁକ୍ଷେତ୍ର ନିବୃତ୍ତି, ନୂତନ ଗୃହ ପ୍ରବେଶ ବିଧି, ବାୟୁ ସଂସ୍କାର ଏପରିକି ମହାମାରୀ ନିବାରଣ ଉପାୟ ମଧ୍ୟ ଲିପିବଦ୍ଧ ହୋଇଛି ଏହି ବେଦରେ । ଏହାଛଡ଼ା ମାରଣ, ମୋହନ ଉଚ୍ଚାଟନାଦି ନାନା ଅଭିଚାର କ୍ରିୟାର ଉଲ୍ଲେଖ ରହିଛି ଏହି ବେଦରେ ।

 

ଅଥର୍ବ ବେଦର ଅନ୍ୟ ଏକ ଶୁଭଦାନ–‘ଉଚ୍ଛିଷ୍ଟ’ । ଉଚ୍ଛିଷ୍ଟ ସୂକ୍ତରେ ଏହି ନାମଦ୍ଵାରା ବ୍ରହ୍ମାଙ୍କର ସ୍ୱରୂପହିଁ ପ୍ରତିପନ୍ନ । ଉଚ୍ଛିଷ୍ଟ ଶବ୍ଦର ଆଭିଧାନିକ ଅର୍ଥ ଯାହା ଅବଶିଷ୍ଟ । ଦୃଶ୍ୟ ପ୍ରପଞ୍ଚକୁ ‘ନେତି’ ‘ନେତି’ କହି ସମସ୍ତ ବର୍ଜନ କରିବା ପରେ ଯାହା ବାକି ରହିଗଲା ବୋଲି ଅନୁମିତ ହୁଏ ତାହାହିଁ ‘ଉଚ୍ଛିଷ୍ଟ’-ଅର୍ଥାତ୍ ପରଂବ୍ରହ୍ମଦ୍ୱଧାମୁକ୍ତ, ବାଧାଶୂନ୍ୟ, ଅକଳ୍ପନେୟ ବ୍ରାହ୍ମିସ୍ଥିତି । ଜ୍ୟାମିତିକ ବିନ୍ଦୁପରି ଏହାର ଅବସ୍ଥିତିମାତ୍ର ନାମବାଚକ ଉଚ୍ଛିଷ୍ଟ ଶଦ୍ଦଦ୍ୱାରା ସଜ୍ଞାୟିତ ହୋଇଛି–କାରଣ ଏହା ଇନ୍ଦ୍ରିୟର କ୍ରିୟା ପରିସରଭୁକ୍ତ ନୁହେଁ । ଅଥର୍ବ କହନ୍ତି–“ଉଚ୍ଛିଷ୍ଟେ ନା ନାମରୂପଂ–ଚୋଚ୍ଛିଷ୍ଟେ ଲୋକ ଆହିତଃ (୧୯-୯-୨)” ପୁଣି କହିଛନ୍ତି–“ଉଚ୍ଛିଷ୍ଟ ଇନ୍ଦ୍ରଶ୍ଚଗ୍ନିଶ୍ଚ ବିଶ୍ଵମନ୍ତ୍ର ସମାହିତଃ ଅଥାର୍ଥସଂ ।”

 

ଅଦ୍ଵୈତ୍ୟ ବେଦାନ୍ତର ସିନ୍ଧାନ୍ତ ଦୃଷ୍ଟିରୁ ଅଥର୍ବଙ୍କର ଏହି ନାମରୂପର ଆବିଷ୍କାର ଏକ ମହତ୍ତ୍ୱପୂର୍ଣ୍ଣ ଦିଗ୍‌ଦର୍ଶନ । ଜଗତସ୍ରଷ୍ଟା, ସୃଷ୍ଟିର ମୂଳଭୂତ ଈଶ୍ଵରଙ୍କର ପ୍ରତୀକରୂପେ ଏହି ନାମରୂପ ଶଦ୍ଦର ଆବିଷ୍କାର ଓ ପ୍ରୟୋଗ ଯେପରି ସାରଗର୍ଭକ ସେହିପରି ସାର୍ଥକ । କୁହାଯାଏ, ସମସ୍ତ ବେଦ ବେଦାନ୍ତ ଓ ପୁରାଣର ଉଦ୍ଭବ ଏହି ଉଚ୍ଛିଷ୍ଟରୁ । ପ୍ରାଣ ଅପାନାଦି ବାୟୁ, ଚକ୍ଷୁଶ୍ରୋତାଦି ଇନ୍ଦ୍ରିୟ, ଅକ୍ଷିତି ବା ସ୍ଥିତି, କ୍ଷିତି ବା ଲୟର ସ୍ଥଳ ଏହି ଉଚ୍ଛିଷ୍ଟ । ଅତଏବ ପ୍ରଜାପତି ପୁରୁଷ, ହିରଣ୍ୟଗର୍ଭ ସ୍କମ୍ଭ ତଥା ଉଚ୍ଛିଷ୍ଟ ସେହି ପରିତତ୍ତ୍ଵର ପରିଚାୟକ ।

 

ଅଥର୍ବବେଦ ଏହି ପରିତତ୍ତ୍ଵର ପରିଚୟ ଦେବାକୁ ଯାଇ ଆଉ ଏକ ଶବ୍ଦ ପ୍ରୟୋଗ କରିଛନ୍ତି–‘ସ୍କମ୍ଭ’ । ସ୍କମ୍ଭସକ୍ତ (୧୦-୭-୮) ଅଧ୍ୟାତ୍ମା ବିଚାର ଦୃଷ୍ଟିରୁ ବଡ଼ ଗୁରୁତ୍ୱପୂର୍ଣ୍ଣ । ବ୍ରାହ୍ମର ବ୍ୟାପକତା ତଥା ବ୍ରହ୍ମ ଓ ଆତ୍ମାର ଅଭିନ୍ନତା ଏହି ସୂକ୍ତର ପ୍ରତିପାଦ୍ୟ ବିଷୟ । ସ୍କମ୍ଭ ବା ଆଧାର ବ୍ରହ୍ମାଙ୍କର ଅନ୍ୟତମ ଉପାଧି । ଜାଗତିକ ଯାବତୀୟ ବିଷୟର ଆଶ୍ରୟ ସ୍ଥଳ ହୋଇ ମଧ୍ୟ ଏହି ‘ସ୍କମ୍ଭ’ ନାମଧେୟ ସର୍ବମୟ ଶକ୍ତି ସ୍ଵୀୟ ସତ୍ତାକୁ ସ୍ଥିର ଅଚଞ୍ଚଳ ରଖିବାର ସାମର୍ଥ୍ୟଧାରଣ କରନ୍ତି । ଅତଏବ ତାଙ୍କର ସ୍କମ୍ଭ ନାମହିଁ ଯଥାର୍ଥ । ଅଥର୍ବଙ୍କ ମତରେ ସ୍କମ୍ଭହିଁ ବିଶ୍ଵସୃଷ୍ଟିର ହେତୁ ଏବଂ ସ୍ଵୟଂ ବ୍ରହ୍ମାଙ୍କର ମଧ୍ୟ କାରଣ । ଯହିଁରେ ଭୂମି, ଅନ୍ତରୀକ୍ଷ ଓ ଆକାଶର ଏକତ୍ର ସମାହାର ଏବଂ ଯହିଁରେ ସୂର୍ଯ୍ୟଚନ୍ଦ୍ର ଅଗ୍ନିବାୟୁ ଆଦି ପ୍ରକୃତିଭୂତ ସକଳ ଦେବତା ଆଶ୍ରିତ, ସେହି ଚିନ୍ତାତୀତ ପୁରୁଷହିଁ ସ୍କମ୍ଭ । (୧୭-୭-୧୦) ଦ୍ୟାବା ପୃଥିବୀ, ଅନ୍ତରୀକ୍ଷ, ଆକାଶ ତଥା ଦିଗଦିଗନ୍ତକୁ ଏକାଧାରରେ ଧାରଣ କରନ୍ତି ଏହି ‘ସ୍କମ୍ଭ’ (୧୦-୭ ୩୫) ଏବଂ ଏହି ସ୍କମ୍ଭହିଁ ଭୂତ ଭବିଷ୍ୟ ବର୍ତ୍ତମାନର କାରକ ଓ ଅଧିପତି । (୧୦-୮-୧) ସ୍କମ୍ଭ ଅଥର୍ବବେଦରେ ଅକାମ, ଧୀର, ଅମୃତ, ସ୍ଵୟମ୍ଭୁ, ରସତୃପ୍ତ, ଅକୃତ ଓ ଅକ୍ଷତଯୌବନ । (୧୮-୮-୪୪)

 

ଅଥର୍ବରେ ଏହି ଉଚ୍ଛିଷ୍ଟ ଓ ସ୍କମ୍ଭର୍କର ଅବିକଳ ପ୍ରତିକୃତି ମିଳେ ଶ୍ରୀମଦ୍‍ଭାଗବତ ଗୀତାର ପୁରୁଷୋତ୍ତମ ଯୋଗରେ । କ୍ଷର ଓ ଅକ୍ଷର ବ୍ରହ୍ମର ଅତୀତ ବା ଉର୍ଦ୍ଧ୍ଵରେ ସକାର ନିରାକାର ଉଭୟ ରୂପଧାରଣର ଶକ୍ତିସମ୍ପନ୍ନ ପୁରୁଷୋତ୍ତମ ଆଧ୍ୟାତ୍ମ ଚିନ୍ତନର ସର୍ବଶ୍ରେଷ୍ଠ ଆବିଷ୍କାର ।

 

ଏହି ପୁରୁଷୋତ୍ତମ ତତ୍ତ୍ଵହିଁ ସର୍ବୋତ୍ତମ ତତ୍ତ୍ଵ; ସର୍ବବେଦର ସାର । “ବେଦୈଶ୍ଚ ସର୍ବେ ଅହଂ ଏବ ବେଦ୍ୟଂ” “ସର୍ବବେଦରେ ମୁହିଁ ଏକା ବେଦ୍ୟ” ବୋଲି ଶ୍ରୀଭଗବାନ୍ ମନ୍ଦ୍ରବାଣୀ ଶୁଣାଇଗଲେ ଭଗବତ୍ ଗୀତାରେ । ତଦୁତ୍ତର କାଳରେ ପୁରାଣ ମଧ୍ୟ ସେହି ପୁରୁଷୋତ୍ତମ ହରିଙ୍କୁ ଲକ୍ଷ୍ୟ କରି କହିଲେ–“ଆଦୌ, ଅନ୍ତେଚ ମଧ୍ୟେଚ ହରି ସର୍ବତ୍ର ଗୀୟତେ ।’ ଐତିହାସିକ କାଳରେ ମଧ୍ୟ ଶ୍ରୀଭଗବାନ୍ ସ୍ଵୟଂ ଆବିର୍ଭୂତ ହୋଇ କହିଗଲେ–“ନାମ୍ମାମକାର ବହୁଧା ନିଜ ସର୍ବଶକ୍ତିଃ” । ଶ୍ରୀକୃଷ୍ଣ ବୈତନ୍ୟ ଅବତାରର ଅବତାରଣା–“ନାମ ମଧ୍ୟରେ ଭଗବାନ ତାଙ୍କର ସର୍ବଶକ୍ତି ଅର୍ପଣ କରିଛନ୍ତି” ।

 

ଭାରତୀୟ ଆଧ୍ୟାତ୍ମିକ ଚିନ୍ତନର ଆଦି ଉତ୍ସ ବା ଉଦ୍‌ଭବ ସ୍ଥଳ ଏହି ବେଦ କେବଳ ଶ୍ରୌତ ଯଜ୍ଞର ପ୍ରବର୍ତ୍ତକ ନୁହେଁ, ଆର୍ଯ୍ୟ ଋଷିମାନଙ୍କର ଏହି ପ୍ରାତିଭ ପ୍ରକାଶ ପରେ ଧର୍ମ ଓ ଦର୍ଶନର ଯେଉଁ କ୍ରମବିକାଶ ସମ୍ଭବ ହୋଇ ପାରିଛି ପରବର୍ତ୍ତୀ ଯୁଗମାନଙ୍କରେ ତାହା ସେହି ବେଦ ରୂପୀ ଅଖଣ୍ଡ ପ୍ରବାହର ବିଭିନ୍ନ ଧାରାମାତ୍ର । ବେଦସ୍ଵୀକୃତ ଦୁଇ ମୁଖ୍ୟ ପନ୍ଥା ବା ନିଷ୍ଠା ଜ୍ଞାନକାଣ୍ଡ ଓ କର୍ମକାଣ୍ଡ ବ୍ୟତୀତ ଆଧୁନିକ ଯୁଗରେ ବିଶେଷ ଭାବରେ ପ୍ରଚାରିତ ଭକ୍ତିଧର୍ମ ମଧ୍ୟ ବେଦ ବହିର୍ଭୂତ ନୁହେଁ । ଭାରତୀୟ ଅଧ୍ୟାତ୍ମ ଚିନ୍ତନରେ ଯେଉଁ ସର୍ବ ଦର୍ଶନର ପ୍ରବର୍ତ୍ତନ ଐତିହାସିକ କାଳରେ ପ୍ରଚାରିତ ହୋଇଛି ତାହା ମଧ୍ୟ ବେଦବହିର୍ଭୂତ ନୁହେଁ । ଅଦ୍ଵୈତ, ଦ୍ଵୈତ, ବିଶିଷ୍ଟାଦ୍ୱୈତ ଆଦି ଦର୍ଶନର ପ୍ରବର୍ତ୍ତକ ଏ ଯୁଗର ମହର୍ଷିମାନେ ବେଦ ସହିତ ସାମଞ୍ଜସ୍ୟ ରଖି ବେଦାନୁସୃତ ଭାଷ୍ୟ ପ୍ରକାଶ କଲେ ଯାଇଁ ତାହା ଭାରତୀୟ ଦର୍ଶନରୂପେ ଗୃହୀତ ହେବାର ବିଧି ପ୍ରଚଳିତ । ମହାପ୍ରଭୁ ଶ୍ରୀକୃଷ୍ଣ ଚୈତନ୍ୟଙ୍କର ସର୍ବଶେଷ ଦର୍ଶନ ‘ଅଚିନ୍ତ୍ୟ ଭେଦାଭେଦ’ ଏହି କାରଣରୁ ଅର୍ଥାତ୍ବେଦ ସହିତ ସାମଞ୍ଜସ୍ୟ ରଖି ବେଦାନ୍ତ ସୂତ୍ରର ଭାଷ୍ୟ ଅଭାବରୁ ଭାରତୀୟ ଦର୍ଶନର ଅଙ୍ଗୀଭୂତ ହେବାରେ ଏକଦା ବିଶେଷ ବାଧା ସୃଷ୍ଟି ହୋଇଥିଲା । ଏହି ଓଡ଼ିଶା ଭୂମିର ଜଣେ କ୍ଷଣଜନ୍ମା ପୁରୁଷ ଶ୍ରୀ ବଳଦେବ ବିଦ୍ୟାଭୂଷଣ ଗୁରୁ ଶ୍ରୀ ବିଶ୍ଵନାଥ ଚକ୍ରବର୍ତ୍ତୀ ପାଦଙ୍କ ଆଶୀର୍ବାଦରେ ଅତି ଅଳ୍ପକାଳ ମଧ୍ୟରେ ସେହି ଅଭାବ ପୂରଣ କଲା ପରେ ଯାଇଁ ମହାପ୍ରଭୁଙ୍କ ପ୍ରବର୍ତ୍ତିତ ‘ଅଚିନ୍ତ୍ୟ ଭେଦାଭେଦ’ ଦର୍ଶନ ଭାରତୀୟ ଦର୍ଶନରେ ପରିଗଣିତ ହେଲା । ଅଥର୍ବବେଦର ପିପ୍‍ଳାଦ ଶାଖା ମଧ୍ୟ ଏହି ଉତ୍କଳ ଭୂମିରେହିଁ ସର୍ବାଦୌ ପରିଦୃଷ୍ଟ ହୋଇଥିଲା ।

 

ଅଥର୍ବ ଋଷିଙ୍କଦ୍ଵାରା ଦୃଷ୍ଟ ମନ୍ତ୍ରାବଳି ଏହି ଅଥର୍ବବେଦ ବିଂଶ ଖଣ୍ଡ ବା କାଣ୍ଡରେ ବିଭକ୍ତ ଏବଂ ୩୪ ସଂଖ୍ୟକ ପ୍ରପାଠକ, ୧୧୧ଟି ଅନୁବାକ୍, ୭୩୮ଟି ସୂକ୍ତ ଓ ୫୮୪୯ଟି ମନ୍ତ୍ର ଏଥିରେ ସନ୍ନିବିଷ୍ଟ । ଅଥର୍ବବେଦରେ ପ୍ରାୟ ବାର ଶହ ପର୍ଯ୍ୟନ୍ତ ଋଚା ଋକବେଦରୁହିଁ ଆହରିତ । ଏହାର ତେର କାଣ୍ଡ ଯାଏଁ ମାରଣ ମୋହନାଦି ଅଭିଚାର କ୍ରିୟା, ଚତୁର୍ଦ୍ଦଶ କାଣ୍ଡରେ ବିବାହ ବିଷୟକ ମନ୍ତ୍ର, ଅଷ୍ଟାଦଶ କାଣ୍ଡରେ ଶ୍ରାଦ୍ଧ ସଂବଂଧୀୟ ଏବଂ ବିଂଶ କାଣ୍ଡରେ ସୋମ ଯାଗର ବର୍ଣ୍ଣନା ମିଳେ । ଏହି କାଣ୍ଡର ପ୍ରାୟ ସମସ୍ତ ମନ୍ତ୍ର ଋକବେଦରୁହିଁ ଉଦ୍ଧୃତ ।

 

ବେଦ ଭକ୍ତି ଧର୍ମର ଉତ୍ସାରକ ବୋଲି କୁହାଯାଇପାରେ । ଭକ୍ତିଯୋଗ ସାଧନାରେ ଯେଉଁ ଶ୍ରବଣ କୀର୍ତ୍ତନାଦି ନବଧା ଭକ୍ତି ଲକ୍ଷଣମାନ ରହିଛି ସେହି ଶ୍ରଦ୍ଧଯୁକ୍ତ ଉପାସନା ବେଦବିହିତ । ବୈଦିକ ଭାଷାରେ–“ଦେବା ଯଜମାନା ବାୟୁ ଗୋପା ଉପାସତେ” (ଋ-୧୦-୧୫୧) “ଦେବାବଶିଷୋ ଅମୃତାତ୍ ବବନ୍ଦେ ।” (ଋକ୍ ୧୦-୬୬୬) ଭକ୍ତିଧର୍ମ ସାଧନ ଧାରାରେ କଳିଯୁଗ ନିମନ୍ତେ ଯେଉଁ ‘ହରେ ନାମ’ହିଁ ଏକମାତ୍ର ଗତି ବୋଲି ନିର୍ଣ୍ଣିତ ହୋଇଛି, ତାହାର ସଙ୍କେତ ମଧ୍ୟ ବେଦରେହିଁ ମିଳିଥାଏ–“ନାମ ଭରତଂ ଏମସି” (ଋକ୍-୧-୭)

 

ସଂହିତା ପରେ ଭାରତୀୟ ଧର୍ମ ଓ ସଂସ୍କୃତିର ଦ୍ଵିତୀୟ ପର୍ବ ଆରମ୍ଭ ହୁଏ ବ୍ରାହ୍ମଣ ଓ ଆରଣ୍ୟକ ଗ୍ରନ୍ଥ ରଚନା କାଳରେ । ବ୍ରାହ୍ମଣ ବେଦର ଉପସଂହାର ଏବଂ ଆରଣ୍ୟକ ବ୍ରାହ୍ମଣର ପ୍ରାନ୍ତଭାଗ ବୋଲି କୁହାଯାଇଥାଏ । ବେଦ ଓ ବେଦାନ୍ତର ମଧ୍ୟବର୍ତ୍ତୀ କାଳରେହିଁ ବ୍ରାହ୍ମଣ ଓ ଆରଣ୍ୟକର ଜନ୍ମ ଏବଂ ଆରଣ୍ୟକ ବେଦ ଓ ବେଦାନ୍ତର ସମାସ ସଦୃଶ । ମାତ୍ର ବ୍ରାହ୍ମଣ ବେଦର ଜ୍ଞାନ ଓ କର୍ମକାଣ୍ଡ ମଧ୍ୟରୁ କର୍ମକାଣ୍ଡ ଉପରେ ବିଶେଷ ଭାବରେ ଆଧାରିତ । ଯଜ୍ଞାନୁଷ୍ଠାନମାନଙ୍କର ବିସ୍ତୃତ ବିବରଣୀ ସଂବଳିତ ବ୍ରାହ୍ମଣ ତେଣୁ ବୈଦିକ କର୍ମକାଣ୍ଡର ପରିବର୍ଦ୍ଧିତ ସଂସ୍କରଣ ବୋଲାଯାଇପାରେ । ଯଜ୍ଞର ବିସ୍ତୃତ ବିବରଣୀ ବ୍ୟତୀତ ବେଦ ମନ୍ତ୍ରର ଅର୍ଥ ଓ ମୀମାଂସା ସହ ନାନା ଆଖ୍ୟାନ ଆଖ୍ୟାୟିକା, ପ୍ରାଚୀନ ୠଷି ଓ ରାଜାମାନଙ୍କୁ ଅବଲମ୍ବନ କରି ନାନା କଥା ଓ କାହାଣୀ ସହ ନବ ନବ ଶବ୍ଦାବଳିର ବ୍ୟୁତ୍ପତ୍ତିକ ବର୍ଣ୍ଣନା କଥା ନାନାଦି ବିଷୟରେ ଉପଦେଶ ବ୍ରାହ୍ମଣରେ ଲିପିବଦ୍ଧ । ବ୍ରାହ୍ମଣହିଁ ବର୍ଣ୍ଣାଶ୍ରମ ଧର୍ମର ପ୍ରତିଷ୍ଠା ପୂର୍ଣ୍ଣତୟା କରୁଥିବାର ପ୍ରମାଣ ମିଳେ । ‘ତୈତ୍ତେରୀୟ ବ୍ରାହ୍ମଣ’ରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଆଦି ଚାରି ବର୍ଣ୍ଣ ସହିତ ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ଯତିବ୍ରତ ଆଦି ଚାରି ଆଶ୍ରମର କର୍ତ୍ତବ୍ୟ ସୂଚିତ ହୋଇଛି । ଏହି ଚାତୁବର୍ଣ୍ଣ୍ୟ ଭାରତୀୟ ସଂସ୍କୃତିର ପ୍ରାରମ୍ଭରୁ ଅର୍ଥାତ୍ ଯଜ୍ଞପ୍ରଧାନ ତ୍ରେତାଯୁଗରୁହିଁ ସୁପ୍ରତିଷ୍ଠିତ ଏକ ସାମାଜିକ ବ୍ୟବସ୍ଥା ରୂପରେ ଦ୍ଵାପର ଶେଷଯାଏ ବିଧିବଦ୍ଧ ଭାବରେ ପ୍ରଚଳିତ ଥିଲାପରି ମନେହୁଏ । ଦ୍ଵାପର ଶେଷରେ ମହାଭାରତ ଯୁଦ୍ଧ ସମୟରେ ଭଗବାନ୍ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହିଛନ୍ତି–“ଚାତୁବର୍ଣ୍ଣ୍ୟଂ ମୟାସୃଷ୍ଟଂ ଗୁଣକର୍ମବଭାଗଶଃ ।” ଅର୍ଥାତ୍ ‘ଗୁଣ ଓ କର୍ମ ଅନୁଯାୟୀ ଚାରିବର୍ଣ୍ଣର ସ୍ରଷ୍ଟା ମୁଁ ନିଜେ ।’ ଭଗବାନ୍ ଗୁଣକର୍ମ ବିଭାଗାନୁଯାୟୀ ଚାରିବଣ ସୃଷ୍ଟି କରିଛନ୍ତି ବୋଲି କରିଥିବାରୁ ଜଣାଯାଏ ଯେ ଅନ୍ତତଃ ଦ୍ଵାପର ଶେଷ କଳି ଯୁଗର ପ୍ରାକ୍‍କାଳ ପର୍ଯ୍ୟନ୍ତ ଜାତି ବା ବର୍ଣ୍ଣ ଜନ୍ମଭିତ୍ତିକ ନ ଥିଲା । ପ୍ରତ୍ୟେକ ମନୁଷ୍ୟର ଗୁଣକର୍ମ ଅନୁଯାୟୀ ସମାଜରେ ତାହାର ସ୍ଥାନ ନିର୍ଣ୍ଣିତ ହେଉଥିଲା ।

 

କୌଣସି ଦେବତା ଉଦ୍ଦେଶ୍ୟରେ ଦ୍ରବ୍ୟର ତ୍ୟାଗ ଅର୍ଥାତ୍ ଯଜ୍ଞର ମହତ୍ତ୍ଵ ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ଯଜ୍ଞକୁହିଁ ବିଶ୍ଵର ନିୟାମକରୂପେ ଗ୍ରହଣ କରିଛନ୍ତି ବ୍ରାହ୍ମଣ । ବ୍ରାହ୍ମଣଙ୍କ ମତରେ ସମଗ୍ର ବିଶ୍ଵହିଁ ଯଜ୍ଞ ରୂପ । ଯଜ୍ଞାନୁଷ୍ଠାନଦ୍ଵାରା ସାରାବିଶ୍ଵର କଲ୍ୟାଣ ସାଧିତ ହୁଏ ଏବଂ ଯଜ୍ଞହିଁ ବିଷ୍ଣୁଙ୍କର ସ୍ୱରୂପ ।

 

ପ୍ରତ୍ୟେକ ବେଦର ଶାଖାନୁସାରେ ବ୍ରାହ୍ମଣ ବିଭାଜିତ । ଋକବେଦର ସାଂଖ୍ୟାୟନ ଓ ଐତରେୟ ବ୍ରାହ୍ମଣ, ସାମବେଦର ସାଣ୍ଡ୍ୟ ଓ ଷଡ଼୍‍ବିଂଶ ବ୍ରାହ୍ମଣ, ଶୁକ୍ଳ ଯଜୁର୍ବେଦରେ ଶତପଥ ବ୍ରାହ୍ମଣ ଓ କୃଷ୍ଣ ଯଜୁର୍ବେଦର ତୈତେରୀୟ ଏବଂ ଅଥର୍ବରେ ଗୋପଥ ଆଦି ପ୍ରସିଦ୍ଧ ବିଭାଜନ । ସାମବେଦରେ ନାନାବିଧ ବ୍ରାହ୍ମଣ ମଧ୍ୟରୁ ବିପୁଳକାୟ ସାଣ୍ଡ୍ୟ (ପାଠାନ୍ତରରେ ତାଣ୍ଡ୍ୟ) ସର୍ବଶ୍ରେଷ୍ଠ ବିବେଚିତ । ଶୁକ୍ଳ ଯଜୁର୍ବେଦରେ ଶତପଥ ବ୍ରାହ୍ମଣହିଁ ଖ୍ୟାତିପନ୍ନ । ଏହି ଶତପଥ ବ୍ରାହ୍ମଣ ଯଜ୍ଞର ବିସ୍ତୃତ ବିବରଣୀ ଦେବା ସଙ୍ଗେ ସଙ୍ଗେ ବହୁ ପ୍ରାଚୀନ ଆଖ୍ୟାନ ତଥା ନାନା ସାମାଜିକ କାହାଣୀ ବୟାନ କରିଛନ୍ତି । ଶତାଧ୍ୟାୟ ବିଶିଷ୍ଟ ଏହି ବ୍ରାହ୍ମଣ ଋକବେଦ ସଂହିତା ପରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଗ୍ରନ୍ଥରୂପେ ବିବେଚିତ ହୁଏ । ଅଥର୍ବବେଦୀୟ ଗୋପଥ ବ୍ରାହ୍ମଣ ଦୁଇ ଭାଗରେ ବିଭକ୍ତ । ପ୍ରଥମ ଖଣ୍ଡ ମାତ୍ର ପାଞ୍ଚ ଅଧ୍ୟାୟ-ବିଶିଷ୍ଟ ଏବଂ ଦ୍ଵିତୀୟ ଭାଗରେ ଛଅଟି ଅଧ୍ୟାୟ ରହିଛି । ଏହା ଅର୍ବାଚୀନ ବୋଲି ବିବେଚିତ । ସେ ଯୁଗରେ ବ୍ରହ୍ମଚର୍ଯ୍ୟ ଆଶ୍ରମରେ ପ୍ରବେଶ କରି ତରୁଣ ଶିକ୍ଷାର୍ଥୀ ଅରଣ୍ୟାଶ୍ରମରେ ଗୁରୁଙ୍କ ନିକଟରୁ ଯେଉଁ ଶିକ୍ଷାଲାଭ କରୁଥିଲେ ଆରଣ୍ୟକ ସେ ସବୁର ସଙ୍କଳନ ମାତ୍ର । ଅରଣ୍ୟାଶ୍ରମରେ ଏହାର ଉତ୍ପତ୍ତି । ତେଣୁ ତାହାର ନାମ ଆରଣ୍ୟକ । ଯଜ୍ଞାଦି ଧର୍ମାନୁଷ୍ଠାନପାଇଁ ସେ ସମୟରେ ବ୍ରାହ୍ମଣର ଯେପରି ପ୍ରୟୋଜନ ଥିଲା ବାନପ୍ରସ୍ଥାବଲମ୍ବୀ ନିମନ୍ତେ ସେହିପରି ଆରଣ୍ୟକର ମଧ୍ୟ ପ୍ରୟୋଜନ ଗୁରୁତ୍ୱପୂର୍ଣ୍ଣ । ବୃହତ୍ ତୈତ୍ତିରୀୟ, ଐତରେୟ ଓ କୌଶିତକୀ ଭେଦରେ ଆରଣ୍ୟକ ଚତୁର୍ବିଧ । ଆରଣ୍ୟକର ପରବର୍ତ୍ତୀ ଆର୍ଯ୍ୟଋଷିମାନସର ପରିପ୍ରକାଶ ଉପନିଷତ୍ ସହିତ ଏହାର ନିକଟ ସଂପର୍କ । ବୃହଦାରଣ୍ୟକ ଉପନିଷତ୍, ତୈତ୍ତିରୀୟ ଉପନିଷତ୍, ଐତରେୟ ଉପନିଷତ୍, କୌଶିତକୀ ଉପନିଷତ୍ ଆଦି ନାମକରଣରୁ ଏହା ପ୍ରମାଣିତ ।

 

ଆରଣ୍ୟକମାନଙ୍କରେ କର୍ମୋଦ୍ଭବ ଫଳଶ୍ରୁତି ପ୍ରତି କ୍ରମେ ଶ୍ରଦ୍ଧାର ଅଭାବ ପରିଲକ୍ଷିତ ହୁଏ । ସ୍ଵର୍ଗପ୍ରାପ୍ତି ନିମନ୍ତେ ଅନୁସୃତ କର୍ମମାର୍ଗକୁ ଆତ୍ୟନ୍ତିକ ସୁଖର ସଂପାଦକ ବୋଲି ସ୍ଵୀକାର କରାଯାଇ ନ ପାରେ–ଏ ସ୍ଵର ଆରଣ୍ୟକହିଁ ଉତ୍ତୋଳନ କରନ୍ତି ସ୍ପଷ୍ଟ ଭାଷାରେ । ଭାରତୀୟ ଧର୍ମ ଓ ସଂସ୍କୃତିରେ ପୁଣି ଏକ ନୂତନ ଚିନ୍ତନର ପରିପ୍ରକାଶ । ଏ ଚିନ୍ତନ କର୍ମାଶ୍ରିତ ଓ କର୍ମାସକ୍ତ ବ୍ୟକ୍ତିମାନଙ୍କ ଅଭିରୁଚିରେ ବିଶେଷ ଆଘାତ ଦେଲା । କ୍ରମେ କର୍ମକୁ ପରିହାର କରି ଜ୍ଞାନମାର୍ଗ ପ୍ରତି ଜନସାଧାରଣ ଅଧିକତର ଆକୃଷ୍ଟ ହେବାକୁ ଲାଗିଲେ । ଭାରତୀୟ ଧର୍ମଦର୍ଶନରେ ଫଳଶ୍ରୁତିମୂଳକ କର୍ମକାଣ୍ଡକୁ ଅନ୍ଵୟରୂପେ ଗ୍ରହଣ କଲେ, ତତ୍ ସଙ୍ଗେ ସଙ୍ଗେ ଜ୍ଞାନକାଣ୍ଡ ପ୍ରତ୍ୟନ୍ଵୟରୂପେ ଗତିକରି ଆରଣ୍ୟକରେ ସମନ୍ୱୟ ସାଧିତ ହୋଇଛି । ପରବର୍ତ୍ତୀ ଉପନିଷତ୍ କାଳରେ ସେହି ସମନ୍ୱୟ ସ୍ପଷ୍ଟତର ହୋଇ ଭାରତୀୟ ସନାତନ ଧର୍ମ ଓ ଦର୍ଶନରେ ଏକ ନୂତନ ଦିଗନ୍ତ ଉଦ୍‍ଘାଟିତ କରିଦେଲା ।

 

ବେଦୋତ୍ତର ଏହି ବ୍ରାହ୍ମଣ ଓ ଆରଣ୍ୟକ ସମୟରେ ଭାରତୀୟ ଦର୍ଶନର ପ୍ରକାଶଭଙ୍ଗୀର ଏକ ନୂତନ ଆଙ୍ଗିକର ପ୍ରଚଳନ ଦେଖାଦେଲା ସମଧିକ ଭାବରେ । ନାନା ଆଖ୍ୟାନ ଓ ଆଖ୍ୟାୟିକା ମାଧ୍ୟମରେ ଶୁଷ୍କଦର୍ଶନ ରସ ଓ ରମ୍ୟତାରେ ରସାଣିତ ହୋଇଗଲା‌ । ଏହି ସମୟରେହିଁ ଦର୍ଶନରେ ‘ସହିତୟୋଭାବଃ ସାହିତ୍ୟମ୍’ର ସ୍ପଷ୍ଟତର ରୂପ ପ୍ରକାଶ ପାଇଲା । ବେଦରେ ସାହିତ୍ୟର ଯଥେଷ୍ଟ ଆଭାସ ଥିଲେ ହେଁ ଏବଂ ବେଦର କତିପୟ ମନ୍ତ୍ରଗୁଡ଼ିକୁ ଉତ୍କୃଷ୍ଟ କାବ୍ୟ ଆଖ୍ୟା ଦିଆଗଲେ ହେଁ ଆରଣ୍ୟକର ସାହିତ୍ୟ ପରିବେଷଣ ଅତ୍ୟନ୍ତ ହୃଦୟଗ୍ରାହୀ । ଐତିହାସିକ କାଳକୁ ଆସି ଆମ୍ଭେମାନେ ଧର୍ମ ଓ ଦର୍ଶନ ମଧ୍ୟରେ ସାହିତ୍ୟର ଅନୁପ୍ରବେଶ ଦେଖିବାକୁ ପାଉଁ ଖ୍ରୀଷ୍ଟଧର୍ମୀୟ ଉପକଥା (Fables)ରେ, ବୌଦ୍ଧଧର୍ମଗତ ଜାତକ କଥାରେ ଏବଂ ଏହି ଧାରାର ପରାକଷ୍ଠା ଦେଖାଦେଲା ରସପୁଷ୍ଟ ବୈଷ୍ଣବ ସାହିତ୍ୟରେ ।

 

ବେଦ ନିହିତ ଦେବତାମାନଙ୍କର ସ୍ତୁତି ଓ ବନ୍ଦନା ଅବଶ୍ୟ ସାହିତ୍ୟ ପଦବାଚ୍ୟ ମାତ୍ର ଆରଣ୍ୟକ ପ୍ରକାଶ କାଳରେ ଧର୍ମ ଓ ଦର୍ଶନକୁ ସର୍ବସାଧାରଣଙ୍କ ପକ୍ଷରେ ସୁଗମ ଓ ସୁବୋଧ୍ୟ କରିବାପାଇଁ ଯେଉଁ ଧାରାର ପ୍ରବର୍ତ୍ତନ ହେଲା ତାହାର ପୁର୍ଣ୍ଣତର ପରିପ୍ରକାଶ ଦେଖାଦେଲା ଉପନିଷଦରେ । ବେଦରେ ପ୍ରକୃତିର ଭିନ୍ନ ଭିନ୍ନ ରୂପର ବିଭିନ୍ନ ପ୍ରତୀକ ସ୍ଵରୂପ ଦେବଦେବୀମାନଙ୍କର ବନ୍ଦନାରେ ପ୍ରାଣସ୍ପର୍ଶୀ କବିତାର ଆଭାସ ଥିଲେ ହେଁ ବେଦ କାବ୍ୟପ୍ରାଣ ନୁହେଁ । ବେଦର ବୈଶିଷ୍ଟ୍ୟ ଅନ୍ୟତ୍ର । ବେଦଚତୁଷ୍ଟୟ ଆମ୍ଭମାନଙ୍କୁ କେତେକ ନିର୍ଦ୍ଧାରିତ ବା ନିଷ୍ପନ୍ନ ସତ୍ୟର ସନ୍ଧାନ ଦେଇଛନ୍ତି । ପ୍ରଥମତଃ ଏହି ଜଗତ୍‍ପ୍ରପଞ୍ଚ ବହିର୍ଭୂତ ଏକ ଅଦ୍ୱୟ ଅଦ୍ଵୈତ ସର୍ବବ୍ୟାପୀ ସର୍ବାଧାର ତତ୍ତ୍ଵର ସନ୍ଧାନ, ଦ୍ୱିତୀୟତଃ ଏକ ହୋଇ ମଧ୍ୟ ବହୁରୂପୀ ଓ ନାନାରୂପର ନିୟାମକ ତ୍ୱରବାର୍ତ୍ତା, ଅର୍ଥାତ୍ବେଦ ଆରାଧିତ ବହୁ ଦେବଦେବୀ କେବଳ ସେହି ଅଦ୍ୱିତୀୟ ଈଶ୍ୱରଙ୍କରି ଅପରିକଳ୍ପନେୟ ଐଶୀଶକ୍ତିର ପରିପ୍ରକାଶ, ତୃତୀୟତଃ ସ୍ତବସ୍ତୁତିସମନ୍ୱିତ ଯଜ୍ଞଦ୍ୱାରା ବହୁ ରୂପଧାରୀ ଦେବତାମାନଙ୍କୁ ପ୍ରୀତି କରି ଅଭୀଷ୍ଟସିଧିର ସମ୍ଭାବନା, ଚତୁର୍ଥତଃ ଯଜ୍ଞାନୁଷ୍ଠାନର ଫଳଶ୍ରୁତି କ୍ଷଣସ୍ଥାୟୀ ତେଣୁ ନିଷ୍କାମ କର୍ମ ରୂପକ ଯଜ୍ଞର ଶ୍ରେଷ୍ଠତ୍ୱ, ପଞ୍ଚମରେ ଯଜ୍ଞାନୁଷ୍ଠାନରେ ଅର୍ଚ୍ଚନା, ବନ୍ଦନା, ନମସ୍କାରାଦି ଭକ୍ତ୍ୟଙ୍ଗଯାଜନର ମହତ୍ତ୍ୱ ପ୍ରତିପାଦନ ବେଦର ମୌଳିକ ଶୁଭଦାନ ।

 

ବେଦର ଏହି ମହତ୍ ଦାନ ସତ୍ତ୍ୱେ ସ୍ୱୀକାର କରିବାକୁ ପଡ଼ିବ ଯେ ଯଜ୍ଞପ୍ରଧାନ ତ୍ରୟୀ ଧର୍ମର କ୍ରମ ବିକାଶରେ ବ୍ରାହ୍ମଣ ଓ ଆରଣ୍ୟକମାନଙ୍କରେ ଯାଗଯଜ୍ଞର ଯେଉଁ ବିସ୍ତାରିତ ବିବରଣୀ ନିବଦ୍ଧ ସେସବୁ କ୍ରମେ ସ୍ଥାନ, କାଳ ଓ ପାତ୍ର ବିଶେଷରେ ପରସ୍ପର ବିରୋଧାତ୍ମକ ଦେଖାଗଲା; ଦେଖାଦେବା ସ୍ୱାଭାବିକ । ତେଣୁ ସେହିସବୁ ଭିନ୍ନ ଭିନ୍ନ ମତର ସାମଞ୍ଜସ୍ୟ ବିଧାନର ଆବଶ୍ୟକତା ପଡ଼ିଲା । ସେତେବେଳେ ପ୍ରଣୀତ ହେଲା ଜୈମିନୀ ସୂତ୍ର ବା ପୂର୍ବ ମୀମାଂସା । କର୍ମ ମୀମାଂସା ବା ଯଜ୍ଞ ବିଦ୍ୟା ଇତ୍ୟାଦି ଏହି ସୂତ୍ର ବା ଦର୍ଶନର ନାମାନ୍ତର ମାତ୍ର । ମୀମାଂସାଦର୍ଶନ ଅପେକ୍ଷାକୃତ ପରବତୀ କାଳର ଏବଂ ଏବେ ମଧ୍ୟ ପ୍ରଚଳିତ । ଅଧୁନା ଯାଗଯଜ୍ଞାଦି ଶ୍ରୌତକର୍ମ ଲୁପ୍ତବତ୍ । କିନ୍ତୁ ବେଦାର୍ଥ ଅନୁସରଣରେ ଶାସ୍ତ୍ରବିହିତ ପଞ୍ଚ ଯଜ୍ଞ, ବର୍ଣ୍ଣାଶ୍ରମାଚାର, ଦାନବ୍ରତନିୟମାଦି ସ୍ମାର୍ତ୍ତକର୍ମ ଅଦ୍ୟାପି ଲୋପ ପାଇ ନାହିଁ । ଏବେ ତ କର୍ମ ମାର୍ଗ ବୋଇଲେ ଏହି ପଞ୍ଚ ଯଜ୍ଞାଦି ଅନୁଷ୍ଠାନକୁ ବୁଝାଏ । କିନ୍ତି ମୀମାଂସକଗଣ ବେଦୋକ୍ତ କର୍ମକାଣ୍ଡ ବା ତ୍ରୟୀଧର୍ମର ଯେଉଁ ବ୍ୟାଖ୍ୟା କରି ଯାଇଛନ୍ତି ତାହାର ବୈଶିଷ୍ଟ୍ୟ ଅବଶ୍ୟ ରହିଛି । ମୀମାଂସକମାନେ ବ୍ରାହ୍ମଣ ଓ ଆରଣ୍ୟକରେ ଥିବା ବିରୋଧ ଭଂଜନ କରିବା ଉଦ୍ଦେଶ୍ୟରେ ଯେଉଁ ସିଦ୍ଧାନ୍ତ ଦେଲେ ତଦ୍ଦ୍ୱାରା ସେମାନେ ଏକ ପ୍ରକାର ନିରୀଶ୍ୱରବାଦୀ ବୋଲି ସମାଲୋଚିତ ହେବାପାଇଁ ଅବକାଶ ରହିଲା ଇନ୍ଦ୍ରାଦି ବିଭିନ୍ନ ଦେବତା ଯେ ଶରୀର ଧାରଣ କରି ପାରନ୍ତି ଏହା ମୀମାଂସା ସ୍ୱୀକାର କରେ ନାହିଁ । ସେମାଙ୍କ ମତରେ ଦେବତା ମନ୍ତ୍ରାତ୍ମକ–“ତଦାକାରତୟା ଧାତସ୍ୟ ମନ୍ତ୍ରସ୍ୟ ଲକ୍ଷିତସ୍ୟ ଦେବତତ୍ୱମ୍” । ମୀମାଂସା ମତରେ ବ୍ରହ୍ମ ଈଶ୍ୱର ସମସ୍ତେ ଅର୍ଥବାଦ୍ । ଜ୍ଞାନ ଓ ଭକ୍ତି ନିରର୍ଥକ । କର୍ମ ବିନା ଅନ୍ୟ ସବୁ ବ୍ୟର୍ଥ ଓ ଅସ୍ତିତ୍ୱ ବିହୀନ । ଏହି ମତକୁ ବେଦବାଦ ବୋଲି କୁହାଯାଏ । ଆରଣ୍ୟକ ଓ ବ୍ରାହ୍ମଣ କର୍ମଠାରୁ ଜ୍ଞାନକୁ ଅଧିକ ଗୁରୁତ୍ଵ ଦେବାର ଯେଉଁ ଉପକ୍ରମ କରିଥିଲେ ତାହା ଏହି ବେଦବାଦଦ୍ୱାରା ବ୍ୟାହତ ହେଲାପରି ମନେହୁଏ । ଏହି ବେଦବାଦ ବିରୋଧରେ ସେଦିନ ସ୍ୱର ଉତ୍ତୋଳନ କଲେ ଭଗବାନ୍‍ ଶ୍ରୀକୃଷ୍ଣ ଶ୍ରୀମଦ୍‍ଭଗବତ୍-ଗୀତାରେ । ଦ୍ୱାପରର ଶେଷ ଭାଗରେ, ମହାଭାରତ ଯୁଦ୍ଧ ମଧ୍ୟରେ-“ହେ ପାର୍ଥ ବିପଶ୍ଚିତ ଅବିବେକୀ ପୁରୁଷଗଣ ସ୍ୱର୍ଗାଦି ଫଳପ୍ରଦ ବେଦୋକ୍ତ କର୍ମର ଗୁଣ ଗାନ କରିବାକୁ ଯାଇ ତଦ୍‍ଭିନ୍ନ ଅନ୍ୟ କାହାରି ଅସ୍ତିତ୍ୱ ନାହିଁ ବୋଲି ପ୍ରତିପାଦନ କରୁଥାନ୍ତି । ସେମାନେ ସକାମ ସ୍ୱର୍ଗପର ଭୋଗୈଶ୍ୱର୍ଯ୍ୟମୟୀ ନାନାବିଧ କ୍ରିୟାକଳାପର ଯେଉଁ ପ୍ରଶଂସା କରନ୍ତି, ସେହି ପୁଷ୍ପିତ ଆପାତମନୋରମ ବାକ୍ୟରେ ବିମୁଗ୍‌ଧ ଭୌଗେଶ୍ୱର୍ଯ୍ୟାସକ୍ତ ବ୍ୟକ୍ତିମାନଙ୍କର ଅନ୍ତଃକରଣରେ ନିଶ୍ଚୟାତ୍ମିକା ଶାସ୍ତ୍ରାନୁସାରିଣୀ ବୁଦ୍ଧି, ବିବେକ ଓ ପ୍ରଜ୍ଞା ସ୍ଥିର ହୋଇନପାରେ । (ଗୀ-୨-୪୩)

 

ବ୍ରାହ୍ମଣ କାଳ ଅନନ୍ତର ସୂତ୍ର କାଳ । ଶ୍ରୁତିର ପରବର୍ତ୍ତୀ କାଳକୁ ଆସି ଭାରତୀୟ ସନାତନ ଧର୍ମ, ଆର୍ଯ୍ୟ ସଂସ୍କୃତି ଓ ତାହାର ସାହିତ୍ୟର ଅନ୍ୟ ଏକ ପର୍ଯ୍ୟାୟ ପରିଲକ୍ଷିତ ହୁଏ ଏହି ସୂତ୍ର କାଳରେ । ଶ୍ରୁତିହିଁ ରୂପାନ୍ତରିତ ହୋଇ ଦେଖାଗଲା ସୂତ୍ର ବା ସ୍ମୃତି ଆକାରରେ ବୋଲି କହିଲେ ଅପ୍ରାସଙ୍ଗିକ ହେବ ନାହିଁ । ସ୍ଵଳ୍ପ ଅକ୍ଷରବିଶିଷ୍ଟ ବିପୁଳ ଅର୍ଥଗର୍ଭକ କ୍ଷୁଦ୍ର କ୍ଷୁଦ୍ର ଶବ୍ଦ ପ୍ରୟୋଗର ଉଦ୍ୟମ ଏହି ସ୍ମୃତି କାଳ ରଚିତ ଗ୍ରନ୍ଥମାନଙ୍କର ବୈଶିଷ୍ଟ୍ୟ । ସମ୍ଭବତଃ ଯାଗଯଜ୍ଞାଦି ନିମନ୍ତେ ବିଧିବଦ୍ଧ ବ୍ୟବସ୍ଥାବଳି କାଳକ୍ରମେ ବିସ୍ତାର ଲାଭ କଲାରୁ ସମୟ ଉପଯୋଗୀ ଅପେକ୍ଷାକୃତ କ୍ଷୀଣକାୟ ଗ୍ରନ୍ଥ ପ୍ରଣୟନର ପ୍ରୟୋଜନ ଉପଲବ୍ଧ ହେଲା ଏହି ସମୟରେ । କାରଣ, ଯାଗଯଜ୍ଞାଦିର ମୌଳିକ ଗ୍ରନ୍ଥ ବେଦ ଓ ତଦାନୁସଙ୍ଗିକ ଗ୍ରନ୍ଥମାନଙ୍କ ମଧ୍ୟରେ ପରିଲକ୍ଷିତ ବିଭେଦ ବା ବିରୋଧର ସାମଞ୍ଜସ୍ୟ ବିଧାନ କରିବାକୁ ଯାଇ ବ୍ରାହ୍ମଣ ଓ ଆରଣ୍ୟକ ଯେଉଁ “ବେଦବାଦ” ସୃଷ୍ଟି କଲେ ତାହାର ମର୍ମ ଗ୍ରହଣ କରିବା ଅସମ୍ଭବ ହୋଇ ପଡ଼ିଲା ସାଧାରଣଙ୍କ ପକ୍ଷରେ । ଅନେକ ସମୟରେ ଆରଣ୍ୟକ ଓ ବ୍ରାହ୍ମଣ ବେଦର ପରମ୍ପରା ବିଚ୍ୟୁତ ବୋଲି ଜନମାନସରେ ସନ୍ଦେହ ମଧ୍ୟ ଜାତ ହେଲା-। ତେଣୁ ବେଦର ପ୍ରକୃତ ଅର୍ଥବୋଧିନୀ ବା ଅର୍ଥପ୍ରକାଶିକା ଗ୍ରନ୍ଥରଚନାର ଆବଶ୍ୟକତା ଅପରିହାର୍ଯ୍ୟ ହୋଇ ପଡ଼ିଲା ସେତେବେଳେ । ରଚିତ ହେଲା ‘ବେଦାଙ୍ଗ’ ସାହିତ୍ୟ । ଏହି ବେଦାଙ୍ଗ କେବଳ ଭାରତୀୟ ଧର୍ମ ଓ ଦର୍ଶନରେ ପରମ୍ପରାର ବାହକ ନୁହେଁ । ପୂର୍ବେ ସେହି ଧର୍ମ ଓ ଦର୍ଶନରେ ସାହିତ୍ୟ ରୂପକ କେଉଁ ସ୍ପର୍ଶମଣିର ସ୍ପର୍ଶ ଲାଗିଥିଲା ତାହା ସମ୍ପୂର୍ଣ୍ଣ ଫଳପ୍ରଦ ହେଲା ଏହି ସମୟରେ । ବେଦରେ ସାହିତ୍ୟ ରସର ଯେଉଁ ଆଭାସ ମିଳିଥିଲା, ବେଦମନ୍ତ୍ର ଓ ସ୍ତୁତିରେ ଯେଉଁ କାବ୍ୟାତ୍ମକ ଭାବ ପ୍ରକାଶ ପାଇଥିଲା, ବ୍ରାହ୍ମଣ ଓ ଆରଣ୍ୟକ କାଳରେ ତାହା ପୁଷ୍ପିତ ହୋଇ ଫଳପ୍ରଦ ହେଲା । ବେଦର ସାର୍ଥକ ପରିବ୍ୟାଖ୍ୟାନ କରି ଏହି ମହାନ୍ ଗ୍ରନ୍ଥଗୁଡ଼ିକ ତାହାର ଅଭିନ୍ନ ଅଙ୍ଗରୂପେ ବିବେଚିତ ହୋଇ ବେଦାଙ୍ଗ ନାମ ଧାରଣ କଲେ । ବେଦାଙ୍ଗ ଷଡ଼୍‌ବିଧ, ଯଥା–ଛନ୍ଦ, କଳ୍ପ, ଜ୍ୟୋତିଷ, ନିରୁକ୍ତ, ଶିକ୍ଷା ଓ ବ୍ୟାକରଣ ।

 

‘ଛନ୍ଦ’ ବେଦର ପାଦ ରୂପରେ ବିବେଚିତ । ଗାୟତ୍ରୀ, ଉଷ୍ଣିକ୍, ଅନୁଷ୍ଟୁପ୍, ବୃହତୀ, ତ୍ରିଷ୍ଠୁପ ଓ ଜଗତୀ ପ୍ରଭୃତି ସାତୋଟି ମୌଳିକ ଛନ୍ଦ । ଅବଶ୍ୟ ପରବର୍ତ୍ତୀ କାଳରେ ସଂସ୍କୃତ ସାହିତ୍ୟର ଅଳଙ୍କାର ସ୍ୱରୂପ ବିବିଧ ବା ବହୁବିଧ ଛନ୍ଦର ପ୍ରଚଳନ ଦେଖା ଦେଇଛି । ସେ ସବୁ ଶତାଧିକ । ମାତ୍ର ବୈଦିକ ଛନ୍ଦର ସଂଖ୍ୟା ସାତ । ଛନ୍ଦ ଜ୍ଞାନ ବ୍ୟତିରେକେ ବେଦ ମନ୍ତ୍ରର ଶୁଦ୍ଧ ଉଚ୍ଚାରଣ ଅସମ୍ଭବ । ପ୍ରତ୍ୟେକ ବୈଦିକମନ୍ତ୍ର ଛନ୍ଦୋବଦ୍ଧ । ତେଣୁ ବେଦପାଠ ନିମନ୍ତେ ଛନ୍ଦଜ୍ଞାନ ଅପରିହାର୍ଯ୍ୟ-। ଶୌନକ ବିରଚିତ ‘ଋକ୍‌ପ୍ରୀତିଶାଖ୍ୟ’ର ଶେଷ ଭାଗରେ ଛନ୍ଦର ପର୍ଯ୍ୟାପ୍ତ ଆଲୋଚନା କରାଯାଇଛି । ତଥାପି ଏହି ବେଦାଙ୍ଗର ଏକମାତ୍ର ପ୍ରାମାଣିକ ସ୍ଵତନ୍ତ୍ର ଗ୍ରନ୍ଥ ପିଙ୍ଗଳ ନାମକ ଜନୈକ ଋଷିକୃତ “ପିଙ୍ଗଳ” । ଏହି ଗ୍ରନ୍ଥରେ ଉଭୟ ବୈଦିକ ତଥା ଲୌକିକ ଛନ୍ଦମାଳାର ବିବରଣୀ ରହିଛି ।

 

‘କଳ୍ପ’ ବା କଳ୍ପସୂତ୍ର ବେଦର ପାଣିରୂପେ କଳ୍ପିତ । ବ୍ରାହ୍ମଣ କାଳରେ ବହୁଳ ଭାବରେ ପ୍ରଚଳିତ ଯାଗଯଜ୍ଞର ଯାଥାର୍ଥ୍ୟ ପ୍ରତିପାଦନ ନିମନ୍ତେ ବେଦର ପ୍ରକୃତ ପରିଚୟ ଦେବା ସଙ୍ଗେ ସଙ୍ଗେ ଯେତେବେଳେ ବେଦ ସମୁଚ୍ଚୟର ସାରସଂଗ୍ରହର ଆବଶ୍ୟକତା ଉପଲବ୍ଧ ହେଲା, ସେତେବେଳେ ସେହି ବ୍ରାହ୍ମଣ ଆରଣ୍ୟକ ଯୁଗ ପରେପରେ ସେହି ଅଭାବ ପରିପୂର୍ତ୍ତି ସମ୍ଭବ ହୋଇଥିଲା ଏହି କଳ୍ପସୂତ୍ର ପ୍ରଣୟନଦ୍ଵାରା । କଳ୍ପସୂତ୍ର ଉଭୟ ଶ୍ରୁତି ଓ ସ୍ମୃତି ସହିତ ସମ୍ପର୍କିତ । ତେଣୁ ତାହା ଦୁଇ ଭାଗରେ ବିଭାଜିତ ହୋଇ ଶୌତ ଓ ସ୍ମାର୍ତ୍ତସୂତ୍ର ନାମରେ ପରିଚିତ । ଶ୍ରୁତି ବା ବେଦସମୂହ ସଂବଂଧିତ ସୂତ୍ର ବା ଶ୍ରୌତସୂତ୍ରରେ–‘ଆହବନୀୟ’ ‘ଗାର୍ହପତ୍ୟ’ ‘ଦକ୍ଷିଣାଗ୍ନି’, ‘ତ୍ରିରଗ୍ନିର ଅଧାନ’, ‘ଅଗ୍ନିହୋତ୍ର’ ‘ଦର୍ଶ’ ଓ ‘ପୂର୍ଣ୍ଣମାସ’ ନାମକ ଇଷ୍ଟସମୂହଙ୍କ ସହ ପଶୁଯାଗ ଓ ସୋମଯାଗାଦି ବିଷୟରେ ବର୍ଣ୍ଣନା ରହିଛି । ସୁତରାଂ ବେଦୋତ୍ତର କାଳରେ ଏହି ଆର୍ଯ୍ୟାବର୍ତ୍ତରେ ଯାଗଯଜ୍ଞାଦିର ନୂତନ ସଂସ୍କରଣ କ’ଣ ଥିଲା ତତ୍ ସଂବଂଧରେ ସମ୍ୟକ୍ ଜ୍ଞାନ ନିମନ୍ତେ ଶୌତ ସୂତ୍ର ପ୍ରଚୁର ସାମଗ୍ରୀ ଯୋଗାଇ ଥାଏ । ପ୍ରତ୍ୟେକ ହିନ୍ଦୁ ଗୃହସ୍ଥର ପ୍ରୟୋଜନୀୟ ପ୍ରାତ୍ୟହିକ ଶୁଦ୍ଧାଚାର ତଥା ଯଜ୍ଞାନୁଷ୍ଠାନ ସଂବଂଧରେ ଜାଣିବାକୁ ହେଲେ ଏକା ଶୌତସୂତ୍ର ଅଧ୍ୟୟନ ଯଥେଷ୍ଟ । ଗୁହ୍ୟ ସୂତ୍ରରେ ଉପନୟନ ଓ ବିବାହାଦି ଷୋଡ଼ଶ ସଂସ୍କାରର ବର୍ଣ୍ଣନା ରହିଛି । ଏହି ସୂତ୍ର ବାସ୍ତବରେ ଏକ ଅପୂର୍ବ ଗ୍ରନ୍ଥ । ତତ୍‍କାଳୀନ ଆର୍ଯ୍ୟସମାଜର ଧର୍ମ, ସଂସ୍କୃତି ଓ ସଭ୍ୟତାର ମାନଦଣ୍ଡ ଏହି ଗୃହ୍ୟସୂତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ଅଥର୍ବବେଦର ଅନୁକ୍ରମଣିକା ମଧ୍ୟ ବୋଲାଯାଇ ପାରେ । ପୃଥିବୀର ଅନ୍ୟାନ୍ୟ ଭୂଭାଗରେ ବହୁ ପୁରାତନ ସଭ୍ୟତାର ପ୍ରମାଣ ସେହି ସେହି ସ୍ଥାନର ପ୍ରାଚୀନ ସୂରିମାନଙ୍କର କୃତିରେ କ୍ଵଚିତ୍ ଏ ପ୍ରକାର ସମୁଜ୍ଜ୍ୱଳ ପ୍ରମାଣ ମିଳିଥାଏ । ସମାଜ ଶାସ୍ତ୍ର ଓ ଜାତିଶାସ୍ତ୍ର (Anthology)ର ଛାତ୍ରମାନଙ୍କର ଏହା ଏକ ଅବଶ୍ୟ ପାଠ୍ୟ ପ୍ରାମାଣିକ ଗ୍ରନ୍ଥ ।

 

ଗୃହ୍ୟସୂତ୍ର ସହିତ ଧର୍ମ ସୂତ୍ରର ମଧ୍ୟ ସଂବଂଧ ରହିଛି । ଧର୍ମ ସୂତ୍ରରେ ଧାର୍ମିକ ନିୟମ, ପ୍ରଜା ତଥା ରାଜାଙ୍କର କର୍ତ୍ତବ୍ୟ ଓ ଅଧିକାର ସଂବଂଧରେ ବିସ୍ତାରିତ ବର୍ଣ୍ଣନା ମିଳେ । ସୁତରାଂ ଧର୍ମ ସୂତ୍ର ମଧ୍ୟ ଅଥର୍ବବେଦୀୟ ରାଷ୍ଟ୍ରନୀତିର ସଂସ୍କରଣ ବୋଲି କହିହେବ । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ରାଦି ଚାରିବର୍ଣ୍ଣ ସଙ୍ଗେ ସଙ୍ଗେ ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ଯତିବ୍ରତ ଇତ୍ୟାଦି ଚାରି ଆଶ୍ରମର ଧର୍ମ ଓ କର୍ତ୍ତବ୍ୟ ସଂବଂଧରେ ନୀତି ନିର୍ଦ୍ଦେଶ ଦିଆଯାଇଛି । ଏହି ଧର୍ମସୂତ୍ରର ପରବର୍ତ୍ତୀ ପ୍ରକାଶହିଁ ସ୍ମୃତି । ଆଧୁନିକ ଭାରତରେ ଏହି ସ୍ମାର୍ତ୍ତ ମତ ବହୁ କ୍ଷେତ୍ରରେ ମାନ୍ୟ ।

 

କଳ୍ପସୂତ୍ରର ଅନ୍ୟ ଏକ ନାମ ଶୂଲ୍ୟସୂତ୍ର । ଶୌତସୂତ୍ର ସହିତ ଏହାର ସଂବଂଧ ପ୍ରତ୍ୟକ୍ଷ । ଶୂଲ୍ୟର ଅର୍ଥ ପରିମାପ । ଏଥିରେ ଯଜ୍ଞାଦି ବେଦୀର ପରିମାପ, ରଚନା ବିଧି ଏବଂ ସେଥିନିମନ୍ତେ ଉପଯୁକ୍ତ ସ୍ଥାନ ନିରୂପଣ ଆଦି ବିଷୟର ଉଲ୍ଲେଖ ରହିଛି । ଏହାକୁ ଭାରତୀୟ ଜ୍ୟାମିତିର ପ୍ରାଥମିକ ଅବସ୍ଥା ବୋଲି କୁହାଯାଇପାରେ । ପାଶ୍ଚାତ୍ୟ ମନୀଷୀ ପାଇଥାଗୋରସଙ୍କୁ ଜ୍ୟାମିତିକ ସୂତ୍ରର ସର୍ବପ୍ରଥମ ଆବିଷ୍କାରକ ବୋଲି ଯେଉଁ ପାଶ୍ଚାତ୍ୟ ପ୍ରେମୀମାନେ ଗୌରବ ଦେଇଥାନ୍ତି, ସେମାନଙ୍କ ଚକ୍ଷୁର ଜ୍ଞାନାଞ୍ଜନ ଶଳାକା ସଦୃଶ ଏହି ସୂତ୍ର, ଶୂଲ୍ୟ ସୂତ୍ର ।

 

ଋକବେଦର କଳ୍ପସୂତ୍ର ‘ଆଶ୍ଵଲାୟନ’ ଓ ‘ସାଂଖ୍ୟାୟନ’ ନାମରେ ପରିଚିତ । ଉଭୟ କଳ୍ପରେ ଶୌତ ଓ ଗୃହ୍ୟସୂତ୍ରକୁ ଏକତ୍ର ମିଳିତ ଭାବରେ ସନ୍ନିବେଶ କରାଯାଇଛି । ସେହିପରି ଶୁକ୍ଳ ଯଜୁର୍ବେଦରେ ବୋଧୟନ ଓ ଅପ୍ରସ୍ତମ୍ବ ଶାଖା ଯେଉଁ କଳ୍ପସୂତ୍ର ଉଲ୍ଲେଖ କରିଛନ୍ତି ତାହାକୁ ସମଗ୍ର ତଥା ଗାମ୍ଭୀର୍ଯ୍ୟପୂର୍ଣ୍ଣ କୁହାଯାଇପାରେ । କାରଣ ତହିଁରେ ଶୌତ, ଗୃହ୍ୟ, ଧର୍ମ ଓ ଶୂଲ୍ୟ ସୂତ୍ରାଦି ଚାରି ବିଧାନର ପୂର୍ଣ୍ଣରୂପ ପ୍ରକଟିତ । ପୁଣି ଏହି ବିଧାନଗୁଡ଼ିକ ପରସ୍ପର ଏପରି ଅଙ୍ଗାଙ୍ଗି ଭାବରେ ସଂବଂଧିତ ଯେ ଏ ସବୁକୁ ଭିନ୍ନ ଭିନ୍ନ ଗ୍ରନ୍ଥ ନ କହି ଗୋଟିଏ ଗ୍ରନ୍ଥର ଚାରୋଟି ପରିଚ୍ଛେଦ ବୋଲି ନିର୍ବିଘ୍ନରେ କୁହାଯାଇପାରେ ।

 

ସାମବେଦ ସହିତ ଅନେକଗୁଡ଼ିଏ ସୂତ୍ର ସଂବଂଧିତ; ଯଥା–ଲାଟ୍ୟାୟନ ଓ ବ୍ୟାହାୟନ ନାମକ ଦୁଇ ଶ୍ରୌତସୂତ୍ର, ଜୈମିନୀ ଶାଖା ଅନ୍ତର୍ଭୁକ୍ତ ଶ୍ରୌତ ତଥା ଗୁହ୍ୟସୂତ୍ର, ଗୋମିଲ ଓ ଖାଦିରଙ୍କ ଗୃହ୍ୟସୂତ୍ର ପ୍ରଭୃତି । ସାମବେଦ ଅନ୍ତର୍ଭୂକ୍ତ ‘ଆର୍ଷେୟ କଳ୍ପ’ ମଧ୍ୟ କଳ୍ପସୂତ୍ର ମଧ୍ୟରେ ପରିଗଣିତ ହୁଏ । ‘ମଶକ’ କଳ୍ପସୂତ୍ର ଏହି ଆର୍ଷେୟର ନାମାନ୍ତର । ଏହି ସୂତ୍ରରେ ସାମବେଦ ନିର୍ମିତ ଗାନସମୂହର ଭିନ୍ନ ଭିନ୍ନ ରାଗ, ତାଳ ଓ ଲୟର ବର୍ଣ୍ଣନ ରହିଛି । ପଞ୍ଚବିଂଶ ବ୍ରାହ୍ମଣ ସହିତ ଏହା ସମ୍ପର୍କିତ ।

 

ଅଥର୍ବବେଦ ସହିତ ସଂପର୍କିତ କଳ୍ପସୂତ୍ର ମଧ୍ୟ ଦୁଇ ଭାଗରେ ବିଭକ୍ତ; ଯଥା–ବୈତାନ ଶ୍ରୌତସୂତ୍ର ଓ କୌଶିକ ଶ୍ରୌତସୂତ୍ର । ବୈତାନ ଅର୍ବାଚୀନ ଏବଂ କୌଶିକ ଶ୍ରୌତସୂତ୍ର ତା’ ଗୃହ୍ୟସୂତ୍ର ପ୍ରାଚୀନ ହେଲେ ହେଁ ଅଥର୍ବବେଦର ନାନାଦି ଅଭିଚାରକୁ ଆଶ୍ରୟ କରି ବହୁବିଧ ଅନୁଷ୍ଠାନର ବିସ୍ତୃତ ଆଲୋଚନାରେ ପରିପୂର୍ଣ୍ଣ । ପ୍ରାଚୀନ ଭାରତରେ ପ୍ରଚଳିତ ଅଭିଚାର ସଂବଂଧରେ ସମ୍ୟକ୍ ଜ୍ଞାନ ନିମନ୍ତେ ଏହା ଏକ ପ୍ରାମାଣିକ ଗ୍ରନ୍ଥ ।

 

‘ଜ୍ୟୋତିଷ’ ବେଦର ଚକ୍ଷୁ ସ୍ୱରୂପ ଏବଂ ଜ୍ୟୋତିଷକୁ ବେଦାଙ୍ଗ ଅନ୍ତର୍ଭୂକ୍ତ କରିବାରେ ବିଶେଷ ତାତ୍ପର୍ଯ୍ୟ ରହିଛି । ଯଜ୍ଞାନୁଷ୍ଠାନ ନିମନ୍ତେ ଶୁଭମୁହୂର୍ତ୍ତ ଓ ଶୁଦ୍ଧ କାଳ ନିର୍ଣ୍ଣୟ ଅଲଂଘନୀୟ । ଶୁଦ୍ଧକାଳ ସ୍ଥିର କରିବା ନିମନ୍ତେ ଗ୍ରହ ନକ୍ଷତ୍ରମାନଙ୍କର ଗତି ଓ ସ୍ଥିତି ନିରୂପଣ ଏକାନ୍ତ ଆବଶ୍ୟକ । ଏହି ସବୁ ଯଜ୍ଞାରମ୍ଭ ଓ ଯଜ୍ଞର ପୂର୍ଣ୍ଣାହୁତିପାଇଁ, ଶୁଦ୍ଧ ଓ ଶୁଭକାଳ ନିର୍ଣ୍ଣୟ ନିମନ୍ତେ ସହାୟକ ଶାସ୍ତ୍ରହିଁ ଜ୍ୟୋତିଷ । ଜ୍ୟୋତିଷକୁ ତେଣୁ କାଳବିଧାତ୍ମକ ଶାସ୍ତ୍ର କୁହାଯାଏ । ଆର୍ଚ ଜ୍ୟୋତିଷରେ ଉଲ୍ଲେଖ ଅଛି–“x x x ଯୋ ଜ୍ୟୋତିଷଂ ବେଦ, ସ ବେବକ୍ଷାଜ୍ଞାନ୍ ।” ଅର୍ଥାତ୍ ଯେଉଁ ବ୍ୟକ୍ତି ଜ୍ୟୋତିଷ ଅଧ୍ୟୟନ କରିଛି ସେ ସମଗ୍ର ବେଦର ଅଧିକାରୀ । ଭାରତୀୟ ଜ୍ୟୋତିର୍ବିଦ୍ୟାର ପ୍ରବର୍ତ୍ତକ ଏହି ବେଦାଙ୍ଗ ଜ୍ୟୋତିଷ । ଋକ୍ ଓ ଯଜୁର୍ବେଦ ଭେଦରେ ବେଦାଙ୍ଗ ଜ୍ୟୋତିଷର ଦୁଇଟି ସଂସ୍କରଣ ଦେଖିବାକୁ ମିଳେ । ଯାଜୁଷ (ଯଜୁଃ) ଜ୍ୟୋତିଷରେ ୪୩ଟି ଏବଂ ଆର୍ଚ (ଋକ୍) ଜ୍ୟୋତିଷରେ ୩୬ଟି ଶ୍ଳୋକ ପରିଲକ୍ଷିତ ହୁଏ । ଉଭୟ ଗ୍ରନ୍ଥର ଶ୍ଳୋକାବଳି ପ୍ରାୟ ଏକା ପ୍ରକାରର । ଏହାର କେତେକ ଶ୍ଳୋକ ଅଦ୍ୟାବଧି ଅବୋଧ୍ୟ । ସୋମାକରଙ୍କର ପ୍ରାଚୀନ ଟୀକା, ତଥା ସୁଧାକରଙ୍କର ‘ନୂତନ ସୁଧାକର’ ଭାଷ୍ୟ ଜ୍ୟୋତିଷ ଶାସ୍ତ୍ରରେ ପ୍ରବେଶ ନିମନ୍ତେ ବିଶେଷ ସହାୟକ । ବେଦାଙ୍ଗ ଜ୍ୟୋତିଷର ରଚୟିତା ‘ଲଗଧ’ ବୋଲି କୁହାଯାଏ । ବରାହମିହିରହିଁ ବେଦାଙ୍ଗଜ୍ୟୋତିଷର ସ୍ୱନାମଧନ୍ୟ ଉତ୍ତରାକାରୀ । କେବଳ ଯାଗଯଜ୍ଞ ବିବାହବ୍ରତାଦି ଶୁଭକାର୍ଯ୍ୟ ବା ଯାତ୍ରାରମ୍ଭ ନିମନ୍ତେ ଶୁଭ ମୁହୂର୍ତ୍ତ ନିର୍ଣ୍ଣୟ ନୁହେଁ, ଭବିଷ୍ୟତ୍ ଉନ୍ନତତର ସମାଜ ଗଠନ ଲକ୍ଷ୍ୟରେ ସୁନ୍ଦର । ସୁସ୍ଥ, ଚରିତ୍ରବାନ୍ ଓ ଭାଗ୍ୟବାନ୍ ପ୍ରଜା ଜନନପାଇଁ ସ୍ତ୍ରୀ ପୁରୁଷ ସଙ୍ଗମର ଲଗ୍ନ ମଧ୍ୟ ସୂଚିତ କରି ଯାଇଛନ୍ତି ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ବରାହମିହିରାଦି ଜ୍ୟୋତିର୍ବିଦ୍‍ ବୃନ୍ଦ, ବେଦାଙ୍ଗର ପରବର୍ତ୍ତୀ କାଳରେ-। ଅଥର୍ବବେଦରେ ଜନ୍ମନିୟନ୍ତ୍ରଣ ନିମନ୍ତେ ନାନାଦି ପ୍ରକାର ପ୍ରକ୍ରିୟା ମଧ୍ୟ ସୂଚିତ ହୋଇଛି । ଗଣିତ ଜ୍ୟୋତିଷ ଛଡ଼ା ଭଭିଷ୍ୟତ୍ କଥା ଅତୀତର ଘଟଣାବଳୀ ସଂବଂଧରେ ସୂଚନା ଦେବା ଅର୍ଥାତ୍ ଅନ୍ଧକାରମୟ ଅଜ୍ଞାତ ଭବିଷ୍ୟତରେ ପ୍ରବେଶ କରିବା ନିମନ୍ତେ ମନୁଷ୍ୟର ଆତ୍ୟନ୍ତିକ ଆଗ୍ରହରୁ ଏହି ଗଣିତ-ଜ୍ୟୋତିଷର ଅନ୍ୟ ଏକ ଶାଖାର ଉଦ୍‌ଭବ ମଧ୍ୟ ହୋଇଛି । ତାହାହିଁ ଫଳିତ ଜ୍ୟୋତିଷ ।

 

‘ନିରୁକ୍ତ’ ବେଦର ଶ୍ରୋତ ବା ଶ୍ରବଣେନ୍ଦ୍ରିୟ ସ୍ୱରୂପ । ଏହି ବେଦାଙ୍ଗରେ ବେଦରେ ବ୍ୟବହୃତ ଶବ୍ଦାବଳିର ବ୍ୟୁତ୍ପତ୍ତି ସମ୍ବନ୍ଧରେ ବିବରଣୀ ମିଳେ । ବେଦାର୍ଥର ଯଥାର୍ଥ ବୋଧ ନିମନ୍ତେ ତେଣୁ ନିରୁକ୍ତ ଅଧ୍ୟୟନ ଏକାନ୍ତ ପ୍ରୟୋଜନ । ପୁସ୍ତକାକାର ‘ନିରୁକ୍ତ’ର ଯେଉଁ ଏକମାସ ସଂସ୍କରଣ ଦେଖିବାକୁ ମିଳେ, ତହିଁରୁ ଜଣାଯାଏ ଯେ ନିରୁକ୍ତର ପ୍ରଣେତା ‘ଯାସ୍କ’ । ବହୁ ପ୍ରାଚୀନ କାଳରୁ ନିର୍ଘଣ୍ଟୁ ନାମକ ଜ୍ୟୋତିଷଶାସ୍ତ୍ର ପ୍ରସିଦ୍ଧି ଲାଭ କରି ଆସିଥିଲା-ଯାସ୍କଙ୍କ ପୂର୍ବରୁ । ନିର୍ଘଣ୍ଟୁରେ ବେଦ ବ୍ୟବହୃତ ବହୁ କଠିନ ଶବ୍ଦାବଳିର କ୍ରମବଦ୍ଧ ମାଳିକା ରହିଛି । ଏହି ଗ୍ରନ୍ଥ ଅବଲମ୍ବନରେ ଯାସ୍କ ଯେଉଁ ବିସ୍ତାରିତ ଭାଷ୍ୟ ରଚନା କରିଗଲେ ତାହାହିଁ ନିରୁକ୍ତ ନାମରେ ଆଖ୍ୟାତ । ଯାସ୍କଙ୍କ ମତରେ ଶବ୍ଦ ଧାତୁ ନିଷ୍ପନ୍ନ । ବେଦ ବ୍ୟବହୃତ ଶବ୍ଦାବଳି କିପରି ଭାବରେ କେଉଁ ଧାତୁରୁ ନିଷ୍ପନ୍ନ ହୋଇଛି ତାହାହିଁ ନିରୁକ୍ତରେ ପ୍ରତିପାଦିତ

 

‘ଶିକ୍ଷା’ ବେଦର ନାସିକା । ନିରୁକ୍ତ ଯେପରି ଶବ୍ଦର ବ୍ୟୁତ୍ପତ୍ତିଗତ ଅର୍ଥର ପ୍ରଦର୍ଶକ, ଶିକ୍ଷା ସେହିପରି ବେଦୋକ୍ତ ଶବ୍ଦାବଳିର ବିଶୁଦ୍ଧ ଉଚ୍ଚାରଣର ନିର୍ଦ୍ଦେଶକ । ବେଦପାଠରେ ଗୀତ ମନ୍ତ୍ରର ସୁରର ଗୁରୁତ୍ଵ ଓ ମହତ୍ତ୍ଵ ସ୍ଵୀକୃତି । ସୁର ବିଭ୍ରାଟରେ ଅନର୍ଥ ସୃଷ୍ଟିର ଆଶଙ୍କା ଥାଏ । ତେଣୁ ସୁର ସମନ୍ୱିତ ଯଥାର୍ଥ ଶୁଦ୍ଧ ଉଚ୍ଚାରଣର ନିର୍ଦ୍ଦେଶ ଦେବା ନିମନ୍ତେ ଏହି ବେଦାଙ୍ଗର ରଚନା । ପ୍ରତ୍ୟେକ ବେଦ ନିମନ୍ତେ ସ୍ଵତନ୍ତ୍ର ଶିକ୍ଷାର କ୍ରମ ବିଦ୍ୟମାନ । ଯାଜ୍ଞବଳ୍‌କ୍ୟ ଶିକ୍ଷା ଶୁକ୍ଳଯଦୁ ସହିତ ସଂପର୍କିତ ଏବଂ ନାରଦୀୟ ଶିକ୍ଷା ସାମବେଦ ସହ । ଏତଦ୍‌ବ୍ୟତୀତ ପରିବର୍ତ୍ତୀ କାଳରେ ପାଣିନୀକୃତ ପାଣିନୀୟ ଶିକ୍ଷା ମଧ୍ୟ ମର୍ଯାଦିତ ।

 

‘ବ୍ୟାକରଣ’ ବେଦର ମୁଖ ସ୍ୱରୂପ । ବେଦର ପ୍ରକୃତ ଅର୍ଥବୋଧ ଏବଂ ବେଦାର୍ଥର ମୌଳିକ ଅର୍ଥକୁ ସୁରକ୍ଷିତ କରି ରଖିବା ଏହି ବେଦାଙ୍ଗର ଏକମାତ୍ର ଉଦ୍ଦେଶ୍ୟ । ପରବର୍ତ୍ତୀ କାଳରେ ପାଣିନୀକୃତ ବ୍ୟାକରଣ ଏହି ବେଦାଙ୍ଗର ପରିବର୍ଦ୍ଧିତ ଓ ସମୟୋପଯୋଗୀ, ପ୍ରଚଳିତ ଭାଷାର ଆଶ୍ରୟରେ, ଏକ ସଂଶୋଧିତ ସଂସ୍କରଣ ବୋଲି କୁହାଯାଇପାରେ । ପାଣିନୀ ସୂତ୍ର ଆକାରରେ ଆଠୋଟି ଅଧ୍ୟାୟ ସଂବଳିତ ‘ଅଷ୍ଟାଧ୍ୟାୟୀ’ ରଚନା କରିଛନ୍ତି । ଗାର୍ଗ, ଷ୍ଫୋଟାୟନ, ଶକଟାୟନ, ଭରଦ୍ୱାଜ ପ୍ରଭୃତି ଏକାଧିକ ବ୍ୟାକରଣାଚାର୍ଯ୍ୟଙ୍କର ନାମ ପାଣିନୀ ସ୍ଵୀୟ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି-। ଏଥିରୁ ମନେହୁଏ ପାଣିନୀ ଏକ‌ ବିରାଟ ବୈୟାକରଣିକ ପରଂପରାର ଯୋଗ୍ୟ ଉତ୍ତରାଧିକାରୀ । ଏମାନଙ୍କ କୃତିର ବହୁ ପୂର୍ବରୁ “ପ୍ରାତିଶାଖ୍ୟ” ନାମକ ଗ୍ରନ୍ଥରେ ସ୍ଵର ଓ ଛନ୍ଦ ସହ ବ୍ୟାକରଣର ମଧ୍ୟ ଚର୍ଚା ଦେଖାଯାଏ । ପ୍ରତ୍ୟେକ ବେଦରେ ସ୍ଵତନ୍ତ୍ର ପ୍ରତିଶାଖ୍ୟ ରହିଛି । ଋକବେଦରେ ପ୍ରାତିଶାଖ୍ୟ “ଶୌନକ” ଓ ଶୁକ୍ଳ ଯଜୁର୍ବେଦର ପ୍ରାତିଶାଖ୍ୟ “କାତ୍ୟାୟନ” ନାମରେ ପ୍ରସିଦ୍ଧ ।

 

“ଅନୁକ୍ରମଣୀ” ନାମରେ ଅନ୍ୟ ଏକ ଶାସ୍ତ୍ର ବେଦାଙ୍ଗ ଅନ୍ତର୍ଭୁକ୍ତ ବୋଲି କୁହାଯାଏ । ବେଦର ସୁରକ୍ଷା ତଥା ବିବିଧ ବେଦାର୍ଥର ମୀମାଂସା ଏହି ଗ୍ରନ୍ଥର ବୈଶିଷ୍ଟ୍ୟ । “ଆର୍ଷନୁକ୍ରମଣୀ”ରେ ଋକବେଦର ମନ୍ତ୍ର ଓ ମନ୍ତ୍ରଦୃଷ୍ଟା ଋଷିମାନଙ୍କର ନାମ ମନ୍ତ୍ରକ୍ରମରେ ଦିଆଯାଇଛି । “ଛନ୍ଦାନୁକ୍ରମଣୀ”ରେ ଋକବେଦୀୟ ମନ୍ତ୍ରରେ ବ୍ୟବହୃତ ଛନ୍ଦର ବର୍ଣ୍ଣନା କ୍ରମଶଃ ଶୃଙ୍ଖଳିତ ଭାବରେ ଦିଆଯାଇଛି । ଦେବତାନୁକ୍ରମଣୀରେ ଋକବେଦୋକ୍ତ ଦେବତାମାନଙ୍କର ନାମ ମନ୍ତ୍ରକ୍ରମରେ ଉଦ୍ଧୃତ-। ଶୌନକ କୃତ ‘ବୃହଦ୍ଦେବତା’ ମଧ୍ୟ ଏ ସବୁ ବିଷୟରେ ଏକ ଉପାଦେୟ ଓ ପ୍ରାମାଣିକ ଗ୍ରନ୍ଥ-। ଏଥିରେ ଋକବେଦୋକ୍ତ ଦେବତାମାନଙ୍କର ବିସ୍ତାରିତ ବର୍ଣ୍ଣନା ସଙ୍ଗେ ସଙ୍ଗେ ସେମାନଙ୍କୁ ଆଶ୍ରୟ କରି ନାନା କାହାଣୀ ଓ କଥାବଳିର ଉପାଦେୟ ତଥା ରୋଚକ ରଚନା ଦେଖିବାକୁ ମିଳେ । ଏ ବିଷୟରେ ଅନ୍ୟ ଏକ ଉଲ୍ଲେଖନୀୟ ଗ୍ରନ୍ଥ କାତ୍ୟାୟନଙ୍କର ସର୍ବାନୁକ୍ରମଣୀ । ଏହାର ଭାଷ୍ୟ ମଧ୍ୟ ଲିଖିତ ହୋଇଛି ପରବର୍ତ୍ତୀ କାଳରେ ତ୍ରୟୋଦଶ ଶତକରେ । ବହୁ ଅନୁକ୍ରମଣୀ ଅନ୍ତର୍ଗତ ନାନା ବିଷୟକ ସଂକ୍ଷିପ୍ତ ସଙ୍କଳନ ଏହି ଗ୍ରନ୍ଥ । ମାତ୍ର ଏହି ସବୁ ଅନୁକ୍ରମଣିକା ମଧ୍ୟରେ କୌଣସି ଗୋଟିଏ ବେଦପର ପ୍ରାକ୍ଐତିହାସିକ କାଳରେ ନୁହେଁ । ଖ୍ରୀଷ୍ଟୀୟ ଦଶମ ଓ ଏକାଦଶ ଶତାବ୍ଦୀରେ ଏ ସବୁର ଉଦ୍ଭାବନା । ବେଦ ଉପରେ ଆଧାରିତ ହୋଇଥିବାରୁ ବେଦର ସଂବଂଧୀୟ ବିଚାରରେ ଏହି ଗ୍ରନ୍ଥସମୂହର ସୂଚନା ପ୍ରାସଙ୍ଗିକ ମନେ ହେବାରୁ ଉଲ୍ଲେଖ କରାଗଲା ମାତ୍ର । ଏହା ବେଦାଧ୍ୟୟନରେ ସହାୟକ ହୋଇପାରେ; ମାତ୍ର ଭାରତୀୟ ଧର୍ମ ଓ ସଂସ୍କୃତିରେ ବେଦର ଦାନ ବିଷୟକ ଆଲୋଚନାରେ ଏ ସବୁ ଗ୍ରନ୍ଥର ସ୍ଥାନ ନାହିଁ ।

 

ପ୍ରଖ୍ୟାତ ଚାରିଦେଦ ଓ ଷଡ଼ବେଦାଙ୍ଗ ବ୍ୟତିରେକେ ଆୟୁର୍ବେଦ ମଧ୍ୟ ପଞ୍ଚମ ବେଦରୂପେ ପରିଗଣିତ । ପ୍ରକୃତ ପକ୍ଷରେ ଆୟୁର୍ବେଦର ମୌଳିକ ଉପାଦାନ ଅଥର୍ବବେଦରେ‌ହିଁ ମିଳିଥାଏ । “କାରଣ ବ୍ୟୁହ” ମତରେ କିନ୍ତୁ ଆୟୁର୍ବେଦ ଋକବେଦର ଉପବେଦ ମାତ୍ର । କୁହାଯାଏ ଯେ ଆୟୁର୍ବେଦର ସ୍ରଷ୍ଟା ସ୍ଵୟଂ ପ୍ରଜାପତି । ପ୍ରଜାପତି ଏହି ଆୟୁର୍ବେଦ ଆବିଷ୍କାର କରି ସୂର୍ଯ୍ୟଙ୍କୁ ଦାନ କଲେ । ସୂର୍ଯ୍ୟ ପୁଣି ଅନ୍ୟ ଏକ ସ୍ଵତନ୍ତ୍ର ନିଜସ୍ଵ ସଂହିତା ସହ ଅଶ୍ୱିନୀ କୁମାରଦ୍ଵୟ ଆଦି ଷୋଡ଼ଶ ସଂଖ୍ୟକ ଶିଷ୍ୟଙ୍କୁ ଏହି ଶାସ୍ତ୍ରଦ୍ଵୟ ଅଧ୍ୟୟନ କରାଇଲେ । ଏହି ଷୋଡ଼ଶ ସଂଖ୍ୟକ ଶିଷ୍ୟ ପୁଣି ପ୍ରତ୍ୟେକ ଗୋଟିଏ ଗୋଟିଏ ଚିକିତ୍ସା ଶାସ୍ତ୍ର ରଚନା କଲେ । ଏହି ସମସ୍ତ ଶାସ୍ତ୍ରୋକ୍ତ ବିଷୟହିଁ ଆୟୁର୍ବେଦ ନାମରେ ପରବର୍ତ୍ତୀ କାଳରେ ପରିଚିତ ହୁଏ । ଆୟୁର୍ବେଦ ଆଠ ଭାଗରେ ବିଭକ୍ତ-ଶଲ୍ୟ, ଶଳାକା, କାୟ ଚିକିତ୍ସା, ଭୂତବିଦ୍ୟା, କୌମାର, ଭୃତ୍ୟ, ଅଗଦତନ୍ତ୍ର ଓ ରସାୟନ ତନ୍ତ୍ର । ପାଶ୍ଚାତ୍ୟ ଆରୋଗ୍ୟ ବିଜ୍ଞାନର ଗବେଷଣାତ୍ମକ ନୂତନ ନୂତନ ଆବିଷ୍କାର ଫଳରେ ଆୟୁର୍ବେଦ ଆଉ ଭାରତୀୟ ଜୀବତର ଅଙ୍ଗ ହୋଇ ନାହିଁ । ଆୟୁର୍ବେଦ ଲୁପ୍ତପ୍ରାୟ । ପାଶ୍ଚାତ୍ୟ ଚିକିତ୍ସା ଶାସ୍ତ୍ର ରୋଗରେ ନିରାମୟ ଦିଗରେ ଚେଷ୍ଟିତ ମାତ୍ର ଆୟୁର୍ବେଦ ମନୁଷ୍ୟର ମୌଳିକର ସ୍ଵଭାବ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ଏବେ ପାଶ୍ଚାତ୍ୟ ଚିକିତ୍ସକମାନେ କ୍ରମେ ଉପଲବ୍‌ଧି କଲେଣି ଯେ ରୋଗର ପ୍ରକୃତ ଜନ୍ମ ମାନସିକ ସ୍ତରରେ ।

 

ଭାରତୀୟ ଧର୍ମ ଓ ସଂସ୍କୃତିର ପରମ୍ପରାକୁ ଅବ୍ୟାହତ ରଖିବା ପ୍ରତ୍ୟେକ ଭାରତୀୟର କର୍ତ୍ତବ୍ୟ । ଦୁଃଖର କଥା ଆମ୍ଭେମାନେ ହଜାର ହଜାର ବର୍ଷର ସଭ୍ୟତାକୁ ଭୁଲି ବିଗତ କେତୋଟି ଶତାବ୍ଦୀ ମଧ୍ୟରେ ସାଧିତ ପାଶ୍ଚାତ୍ୟ ସଭ୍ୟତାର ଚାକଚକ୍ୟ ପଛରେ ଧାଇଁଛୁ । ବର୍ତ୍ତମାନ ଇଂରାଜୀ ଶିକ୍ଷାର ଆଦର ବଢ଼ିବା ସଙ୍ଗେ ସଙ୍ଗେ ଆମ୍ଭମାନଙ୍କର ଯେଉଁ ପରମ୍ପରାର ବିଚ୍ୟୁତି ଘଟିଛି ତାହା କ୍ଷଣସ୍ଥାୟୀ । କାରଣ ଏହି ସନାତନ ଧର୍ମ ଅତୀତରେ ବହୁ ଘାତ ପ୍ରତିଘାତ ସହ୍ୟ କରି ଅମ୍ଳାନ ରହି ଆସିଛି । ଏହି ପରମ୍ପରାର ଗ୍ଳାନି ହେଲେ ଭଗବାନ୍ ନିଜେ ଅବତୀର୍ଣ୍ଣ ହୋଇ ତାହା ଦୂର କରି ଆସିଛନ୍ତି ଓ କରିବେ ବୋଲି ଗୀତାରେ ଶ୍ରୀଭଗବାନ୍ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ନିର୍ଭୀକ ଭାବରେ କୁହାଯାଇପାରେ ଯେ ଏ ପରମ୍ପରାବିମୁଖତା ଏକ ଅସ୍ଥାୟୀ ଭାବପ୍ରବଣତା । ଏହା ଦୂର ହେବହିଁ ହେବ । ମାତ୍ର ଏଥିପାଇଁ ଯେଉଁ ବିପ୍ଳବ ଆବଶ୍ୟକ ତାହାର ସ୍ଵାଗତ ନିମନ୍ତେ ଏ ଦେଶବାସୀଙ୍କର ମାନସିକ କ୍ଷେତ୍ରରେ ପ୍ରସ୍ତୁତିର ଏକାନ୍ତ ଆବଶ୍ୟକ । ବିପ୍ଳବର ଦିନ ଅଧିକ ବିଳମ୍ବିତ ହେବ ନାହିଁ ବୋଲି ଆଶା କରାଯାଉଛି । ମାତ୍ର ଏହା ରକ୍ତାକ୍ତ ନ ହେଉ ।

 

ବେଦ ପରେ ଭାରତୀୟ ଧର୍ମ ଓ ସଂସ୍କୃତିରେ ବେଦାନ୍ତର ଆବିର୍ଭାବ ।

Image